ଜିଲ୍ଲା ପରିକ୍ରମା

ପିଇଓଙ୍କ ବଦଳି କ୍ଷେତ୍ରରେ ନାହିଁ ନିର୍ଦ୍ଦିଷ୍ଟ ନୀତି!, ବଦଳି ପରେ ପୂର୍ବ ସ୍ଥାନକୁ ଫେରୁଛନ୍ତି ନିର୍ବାହୀ ଅଧିକାରୀ

ଭଦ୍ରକ,୨ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ)-  ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ବଦଳି କ୍ଷେତ୍ରରେ ପ୍ରଶାସନ ନିର୍ଦ୍ଦିଷ୍ଟ ନୀତି ଅନୁସରଣ କରୁନାହିଁ । ରାଜନୈତିକ ଚାପରେ ହେଉ ଅଥବା ଅନ୍ୟ କୋ÷ଣସି କାରଣ । ବଦଳି ହୋଇଥିବା ସ୍ଥାନକୁ ପୁଣି ଫେରିବାର ବ୍ୟବସ୍ଥା କରିପାରୁଛନ୍ତି ଏକାଧିକ ନିର୍ବାହୀ ଅଧିକାରୀ । ପ୍ରଶାସନ ପକ୍ଷରୁ ପ୍ରକାଶିତ ବଦଳି ତାଲିକାରୁ ଏହା ବୁଝାପଡୁଛି । ଗତବର୍ଷ ୨୦୧୭ ଜୁନ ୧୫ ତାରିଖରେ ପ୍ରଶାସନ ପକ୍ଷରୁ ଏକକାଳୀନ ୩୨ ଜଣ ନିର୍ବାହୀ ଅଧିକାରୀଙ୍କ ବଦଳି ଅର୍ଡର ପ୍ରକାଶ ପାଇଥିଲା । ଗୋଟିଏ ବ୍ଳକରେ ୮ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ ଥିବା ନିର୍ବାହୀ ଅଧିକାରୀଙ୍କୁ ଅନ୍ୟ ବ୍ଲକକୁ ବଦଳି କରାଯାଉଛି ବୋଲି କୁହାଗଲା । ପୁଣି ସେହି ବର୍ଷ ନଭେମ୍ବର ୧୬ ତାରିଖରେ ଆଉ ୬ ଜଣଙ୍କ ବଦଳି ଆଦେଶ ବି ପ୍ରକାଶ ପାଇଲା । ତେବେ ନଭେମ୍ବରରେ ବଦଳି ହୋଇଥିବା ୬ ଜଣଙ୍କ ଭିତରୁ ୨ ଜଣ ନିର୍ବାହୀ ଅଧିକାରୀଙ୍କ ଜୁନ ୧୫ ତାରିଖରେ ବାସୁଦେବପୁରରୁ ଚାନ୍ଦବାଲି ବ୍ଲକକୁ ବଦଳି ହୋଇଥିଲା । କିନ୍ତୁ ଚାନ୍ଦବାଲି  ବ୍ଲକରେ ସେମାନଙ୍କ ମନ ନଲାଗିବାରୁ ତାଙ୍କୁ ଧାମନଗର ବ୍ଲକକୁ ବଦଳି କରାଗଲା । ରାଜନୈତିକ କାରଣ ଖୋଜିଲେ ବାସୁଦେବପୁର ଓ ଧାମନଗର ମଧ୍ୟରେ କ’ଣ ସଂପର୍କ ତାହା କାହାକୁ ଅଛପା ନାହିଁ । ଏହାକୁ ତର୍ଜମା କଲେ ବୁଝାପଡୁଛି ଯେ, ବଦଳି ହୋଇଥିବା ଦୁଇ ନିର୍ବାହୀ ଅଧିକାରୀ ମନ ମୁତାବକ ନେତାଙ୍କ ପାଖେ କାମ କରିବାକୁ ବେଶି ପସନ୍ଦ କରୁଛନ୍ତି । ସେହିଭଳି ଗତ ୨୩ ତାରିଖରେ ପ୍ରକାଶିତ ବଦଳି ଅର୍ଡରକୁ ତର୍ଜମା କଲେ ଜଣାପଡୁଛି ଯେ, ଗତ ୨୦୧୭ ଜୁନରେ ଭଦ୍ରକରୁ ତିହିଡି ବ୍ଲକକୁ ବଦଳି ହୋଇଥିବା ଜଣେ ନିର୍ବାହୀ ଅଧିକାରୀ ପୀତାମ୍ବର ବିଶ୍ୱାଳ ପୁଣିଥରେ ଭଦ୍ରକ ବ୍ଲକକୁ ଫେରିବାରେ ସକ୍ଷମ ହୋଇଛନ୍ତି । ସେହିଭଳି ଭଦ୍ରକ ବ୍ଲକରୁ ୨୦୧୭ ଜୁନ ମାସର ଅର୍ଡର ମୂଳେ ଭଣ୍ଡାରିପୋଖରୀ ବ୍ଲକକୁ ବଦଳି ହୋଇଥିବା ଆଉଜଣେ ନିର୍ବାହୀ ଅଧିକାରୀ ପ୍ରଭାତ ରାଉତ ପୁଣି ଥରେ ଭଦ୍ରକ ବ୍ଲକକୁ ଫେରିବାରେ ସକ୍ଷମ ହୋଇଛନ୍ତି । ସେହିଭଳି ୨୦୧୭ ନଭେମ୍ବର ମାସର ଅର୍ଡର ମୂଳେ ଧାମନଗର ବ୍ଲକରୁ ଭଣ୍ଡାରିପୋରୀ ବ୍ଲକକୁ ବଦଳି ହୋଇଥିବା ନିର୍ବାହୀ ଅଧିକାରୀ ବିଦ୍ୟାଧର ବାରିକ ପୁଣି ଥରେ ଧାମନଗର ବ୍ଲକକୁ ଫେରିବାରେ ସକ୍ଷମ ହୋଇଛନ୍ତି । ତେବେ ଯେଉଁ କାରଣରୁ ନିର୍ବାହୀ ଅଧିକାରୀମାନଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା ସେମାନେ ପୁଣି ପୂର୍ବ ସ୍ଥାନକୁ ଫେରିବା ପରେ ପ୍ରଶାସନର ବଦଳି କରିବାର ଉଦେ୍ଦଶ୍ୟ ପୂରଣ ହେଉଛି ତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହା ଅନ୍ୟ ନିର୍ବାହୀ ଅଧିକାରୀଙ୍କୁ ଅସନ୍ତୁଷ୍ଟ କରୁଥିଲେ ବି ପ୍ରଶାସନ ଭୟରେ କେହି ମୁହଁ ଖୋଲୁନାହାନ୍ତି । ଏଣୁ ଏ କ୍ଷେତ୍ରରେ ଜିଲାପାଳ ପୁନଃ ସମୀକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି । ଆହୁରି ଅନେକ ନିର୍ବାହୀ ଅଧିକାରୀ ମଧ୍ୟ ଗୋଟିଏ ସ୍ଥାନରେ ୬ରୁ ୧୦ ବର୍ଷ ଯାଏ ଅବସ୍ଥାନ କରୁଥିଲେ ବି ସେମାନଙ୍କ ବଦଳି ଅର୍ଡର ବାହାରୁ ନାହିଁ, ଅଥବା ବାହାରୁ ଥିଲେ ବି କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top