ଅପରାଧ

ପିଇଓଙ୍କ ଅନୁପସ୍ଥିତରେ ଭତା ଟଙ୍କା ବଣ୍ଟନଙ୍କୁ ଗ୍ରାମବାସୀଙ୍କ ବିରୋଧ, ଭତା ଟଙ୍କା ବଣ୍ଟନରେ ଅନିୟମିତତାର ଅଭିଯୋଗ

ହରିଚନ୍ଦନପୁର,ତା୧୫.୦୪(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡପଳାଶପାଳ ଗ୍ରାମପଞ୍ଚାୟତରେ ପିଇଓଙ୍କ ଅନୁପସ୍ଥିତରେ ଭତା ବଣ୍ଟନକୁ ନେଇ ଗ୍ରାମବାସୀଙ୍କ ବିରୋଧ ସହ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମ ପଞ୍ଚାୟତରେ ଥିବା ପିଇଓ ଦିଲ୍ଲୀପ କୁମାର ସାହୁ ପଞ୍ଚାୟତ କାର୍ଯ୍ୟାଳୟକୁ ପ୍ରତ୍ୟେକ ଦିନ ନ ଆସିବାକୁ ନେଇ ଅଞ୍ଚଳର ଅନେକ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାଧାରଣତଃ ଭତା ଟଙ୍କା, ମୋକୁଡିଆ, ଇନ୍ଦିରା ଆବାସର ବିଲ, ପିଡିଏସ ସାମଗ୍ରୀ ଭଳି ଯୋଜନା ଗୁଡିକରୁ ବଞ୍ଚିତ ରହୁଥିବାର ଅଭିଯୋଗ ହୋଇଛି । ଉକ୍ତ ଗ୍ରାମପଞ୍ଚାୟତର ଦୁର୍ଗମ ପାହାଡ଼ ଉପରେ ବସବାସ କରୁଥିବା ନୋଲ୍ଲ, କହ୍ନେଇଗୋଳା, ରାଣିପଦା, ଗ୍ରାମ ଗୁଡିକରେ ଲୋକମାନେ ୧୫ ରୁ ୨୦ କିଲୋମିଟର ରାସ୍ତା ଅତିକ୍ରମ କରି ଭତା, ପିଡିଏସ ସାମଗ୍ରୀ ନେଇଥାନ୍ତି । କିନ୍ତୁ ପିଇଓ ଉପସ୍ଥିତ ନ ରହିବା ଯୋଗୁଁ ସେମାନେ ବାରମ୍ବାର ଏଠାକୁ ପାଦରେ ଚାଲି ଚାଲି ଆସି ବିଫଳ ହୋଇ ଘରକୁ ଫେରୁଥିବାର ଦୃଶ୍ୟମାନ ହେଉଛି । ଏମିତିକି ଏଅଞ୍ଚଳର ଅନେକ ବୟସ୍କ ଲୋକ ସରକାରଙ୍କ ଭତା ଯୋଜନାରେ ନିଜକୁ ସାମିଲ କରିବା ପାଇଁ ବାରମ୍ବାର ଦୌଡି ଦୌଡି ସରକାରୀ ବାବୁଙ୍କ ଅନୁପସ୍ଥିତ ନେଇ ବିଫଳ ହୋଇ ଘରକୁ ଫେରୁଥିବାର ଅଭିଯୋଗ ହୋଇଛି । ପାହାଡ଼ ଉପରର ଭତା ହିତାଧିକାରୀଙ୍କ କହିବା ଅନୁସାରେ ଗତ ଶନିବାର ଭତା ଟଙ୍କା ଦିଆଯିବ ବୋଲି ଖବର ଦିଆଯାଇଥିଲା । ଖବର ପାଇବା ପରେ ପାହାଡ଼ ଉପର ଗ୍ରାମ ଗୁଡିକର ସମସ୍ତ ହିତାଧିକାରୀ ଶନିବାର ଦିନ ଗୋଟିଏ ଗାଡି ଦ୍ବାରା ୨୦ଟଙ୍କା ଲେଖାଏଁ ଭଡା ଦେଇ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କିନ୍ତୁ କାର୍ଯ୍ୟାଳୟ ବନ୍ଦ ଥିବାରୁ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟା ଘଣ୍ଟା ବସି ନିରାଶ ହେବା ପରେ ହୋଟେଲରେ ଖାଇ ଶେଷରେ ପୁଣି ୨୦ଟଙ୍କା ଲେଖାଏଁ ଗାଡି ଭଡା ଦେଇ ଘରକୁ ଫେରିଥିଲେ । ପିଇଓ ପଞ୍ଚାୟତ କାର୍ଯ୍ୟାଳୟକୁ ନ ଆସିବା ସହ ଉକ୍ତ ଗ୍ରାମର କିଛି ପିଲାମାନଙ୍କୁ ଭତା ଟଙ୍କା ବାଣ୍ଟିବା ପାଇଁ ଅନୁମତି ଦେଇଛନ୍ତି ଏ ନେଇ ସେମାନେ ନିଜ ମନମୁଖୀ ଭାବରେ କାର୍ଯ୍ୟ ଚଲାଇଛନ୍ତି । ତାହାକୁ ନେଇ ଶହ ଶହ ଗରିବ ହିତାଧିକାରୀ ଭତା ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରିବା ପରେ ଭତା ଟଙ୍କା ପାଉଛନ୍ତି । ଅଭିଯୋଗକୁ ଭିତ୍ତି କରି ଆମ ପ୍ରତିନିଧି ଫୋନ ଯୋଗେ ପିଇଓଙ୍କ ସହ ଯୋଗାଯୋଗ କରିଥିଲେ ଓ ଏ ବାବଦରେ ପଚାରିଥିଲେ । ସେ କହିଛନ୍ତି ଯେ ଆମର ଆଗରୁ ଭତା ଟଙ୍କା ବଣ୍ଟନ କରାଯାଇଛି, କିଛି ହିତାଧିକାରୀ ନେଇ ନଥିଲେ ତ ମୁଁ ବାହାରେ ଅଛି, ତେଣୁ ସେମାନଙ୍କ ଟଙ୍କା ସରପଞ୍ଚଙ୍କୁ ଦିଆଯାଇଛି ସେ ବଣ୍ଟନ କରୁଛନ୍ତି । ଆପଣ ପଞ୍ଚାୟତ କାର୍ଯ୍ୟାଳୟକୁ ପ୍ରତ୍ୟେକ ଦିନ ଆସୁନଥିବାର ଅଭିଯୋଗ ହୋଇଛି ବାବଦରେ ପଚାରିବାରୁ ସେ ସଫେଇ ଦେଇଛନ୍ତି କି ମୁଁ ପ୍ରତେକ ଦିନ ଆସୁଛି ବର୍ତ୍ତମାନ ଇନ୍ଦିରା ଆବାସ ଘର ଗୁଡିକର ତଦନ୍ତ ଚାଲିଛି ତ ସେଥିପାଇଁ କାର୍ଯ୍ୟାଳୟରେ ରହିପାରୁନାହିଁ । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବା ସହ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଗରିବ ଆଦିବାସୀ ହିତାଧିକାରୀ ମାନଙ୍କୁ ଠିକ୍ ସମୟରେ ଓ ଠିକ୍ ଭାବରେ ଭତା ଓ ପିଡିଏସ ସାମଗ୍ରୀ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top