ପାୱାର ପ୍ଲାଣ୍ଟ ପାଉଁଶ ନେଇ ଥମୁନି ବିବାଦ ମାର୍ଚ୍ଚ ୫ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ

ଭଦ୍ରକ, ୨୬ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ରାନ୍ଦିଆସ୍ଥିତ ଫେକର ପାୱାର ପ୍ଲାଣ୍ଟରୁ ନିର୍ଗତ ପାଉଁଶ ବଣ୍ଟନକୁ ନେଇ ବିଷମ ପରିସ୍ଥିତି ଉପୁଜିଛି। କଂପାନୀ କର୍ତ୍ତୃପକ୍ଷ ଜିଲାରେ ଥିବା ଫ୍ଲାଏ ଆସ୍ ବ୍ରିକ୍ସ ଫ୍ୟାକ୍ଟ୍ରିକୁ ସମତୁଲଭାବେ ପାଉଁଶ ଯୋଗାଇବା ପରିବର୍ତ୍ତେ ରାଜନୈତିକ ଚାପରେ ପାତର ଅନ୍ତର କରୁଥିବା ଅଭିଯୋଗ କରିଛି ‘ଭଦ୍ରକ ଡିଷ୍ଟ୍ରିକ୍ଟ ଫ୍ଲାଏ ଆଶ ବ୍ରିକ୍ ଫ୍ୟାକ୍ଟ୍ରି ମାଲିକ ସଂଘ’। ଏଥିରେ ପ୍ରଶାସନ ମଧ୍ୟ ପାତର ଅନ୍ତର କରୁଥିବା ଅଭିଯୋଗ ହୋଇଛି। ସଂଘର ସଂପାଦକ ଜ୍ୟୋତିପ୍ରକାଶ ମହାନ୍ତି, ସଭ୍ୟ ପ୍ରେମାନନ୍ଦ ନାୟକ, ରାଜୀବ ପଣ୍ଡା, ଅସିତ୍ ପାଣିଗ୍ରାହୀ, ବିନୋଦିନି ସେନାପତି ପ୍ରମୁଖ ଏ ସଂପର୍କରେ ଏକ ଅଭିଯୋଗପତ୍ର ୨୩ ତାରିଖରେ ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ୭ଦିନ ମଧ୍ୟରେ ଏହାର ସମାଧାନର ସୂତ୍ର ନ ବାହାରିଲେ ସଂଘଭୁକ୍ତ ମାଲିକମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଥିଲେ। ଅତିରିକ୍ତ ଜିଲାପାଳ ସଂଘର ଦାବିପତ୍ର ଗ୍ରହଣ କରି ସେମାନଙ୍କ ସମସ୍ୟା ପ୍ରତି ଉପଯୁକ୍ତ ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପ୍ରଶାସନ ପକ୍ଷରୁ ଇତି ମଧ୍ୟରେ ଆଉ ଏକ ସଂଘଭୁକ୍ତ ପାଉଁଶ ଇଟା ଶିଳ୍ପ ସଂସ୍ଥା ସହିତ ଆଲୋଚନା କରି ପ୍ରତିଦିନ ଅଧିକ ୨ଟ୍ରି ପାଉଁଶ ଉକ୍ତ ସଂଘକୁ ଯୋଗାଇବାକୁ ପାୱାର ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିବା ସଂଘର ସଂପାଦକ ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ପ୍ରଶାସନର ଏହି ପାତର ଅନ୍ତର ନୀତି ପ୍ରତିବାଦରେ ମାର୍ଚ୍ଚ ୫ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରାଯିବ ବୋଲି ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀ ମହାନ୍ତିଙ୍କ ଅଭିଯୋଗ ଅନୁଯାୟୀ; ଭଦ୍ରକ ଜିଲାର ୧୨ଟି ପାଉଁଶ ଇଟା ଶିଳ୍ପ ସଂସ୍ଥାକୁ ନେଇ ‘ଭଦ୍ରକ ଡିଷ୍ଟ୍ରିକ୍ଟ ଫ୍ଲାଏ ଆଶ ବ୍ରିକ୍ ଫ୍ୟାକ୍ଟ୍ରି ମାଲିକ ସଂଘ’ ପଞ୍ଜିକୃତ ହୋଇଥିଲା। ଏହି ୧୨ଟି ସଂସ୍ଥାକୁ ପ୍ରତ୍ୟେହ ୧୩ ଟନ ହିସାବରେ ୨ଟି୍ର ୍ ପାଇଁଶ ଫେକର ପ୍ଲାଣ୍ଟରୁ ଯୋଗାଇଦିଆଯାଉଛି। ଜିଲାର ଆଉ ୬୨ଟି ଇଟା ଶିଳ୍ପ ସଂସ୍ଥାର ମାଲିକଙ୍କୁ ନେଇ ଗଠିତ ସଂଘ ପ୍ରତ୍ୟେକଦିନ ୧୦ ଟ୍ରିପ୍ ପାଉଁଶ ପାଉଥିବାବେଳେ, ଇତି ମଧ୍ୟରେ ସେମାନଙ୍କୁ ଅଧିକ ୨ଟ୍ରିପ୍ ପାଉଁଶ ଯୋଗାଇବାକୁ ପ୍ରଶାସନ ପକ୍ଷରୁ ଫେକର ପ୍ଲାଣ୍ଟକୁ ନିର୍ଦେଶ ଦିଆଯାଇଛି। ଏହାବାଦ୍ ରାଜନୈତିକ କୋଟାରେ ୭ଟି୍ରପ ପାଉଁଶ ଯୋଗାଣ ହେଉଥିବା କୁହାଯାଇଛି। ଯାହାକୁ ମଧ୍ୟ ଚଢା ଦରରେ ବିକ୍ରୟ କରାଯାଉଛି। ତେବେ ଶ୍ରୀ ମହାନ୍ତିଙ୍କ କହିବା ଅନୁଯାୟୀ; ୬୨ଟି ସଂସ୍ଥାକୁ ନେଇ ଗଠିତ ସଂଘର ୧୪ଟି ସଂସ୍ଥା ଋଗଣ ହୋଇ ବନ୍ଦ ହୋଇଯାଇଛି। ଏହି ସବୁ ଶିଳ୍ପସଂସ୍ଥା ବାବଦରେ ତଦନ୍ତ କରାଯିବାକୁ ପ୍ରଶାସନ ନିକଟରେ ଦାବି ହୋଇଥିଲା। ପ୍ରଶାସନ ପକ୍ଷରୁ ଜିଲା ଶିଳ୍ପ କେନ୍ଦ୍ର ମହାପ୍ରବନ୍ଧକଙ୍କ ନିକଟକୁ ପତ୍ର ଲେଖାଯାଇ ଏହାତ ତଦନ୍ତ ରିପୋର୍ଟ ଦେବାକୁ କୁହାଯାଇଥିଲା। ମାତ୍ର ତଦନ୍ତ ରିପୋର୍ଟ ଆସିବା ପୂର୍ବରୁ ପ୍ରଶାସନ ଏକପାଖିଆ ନିଷ୍ପତି ନେଇଥିବାରୁ ଏହାର ପୁନର୍ବିଚାର ହେବା ଉଚିତ ବୋଲି ଶ୍ରୀ ମହାନ୍ତି ଦର୍ଶାଇଛନ୍ତି।

Leave a Reply

Your email address will not be published. Required fields are marked *