ପାହାଡ ଶିଖର ଗାଁ ‘ଡଙ୍ଗର ବଲାଙ୍ଗିର’ : ଗ୍ରାମବାସୀ ଜାଣି ନାହାଁନ୍ତି ସ୍ୱାଧିନତା ଦିବସ କ’ଣ! ବିକାଶ କ’ଣ! ଗ୍ରାମବାସୀଙ୍କର ପରାଧିନ ଜୀବନ ଜାପନ

ରାୟଗଡା, ୧୫।୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ଗାଁଟିକୁ ବିକାଶ ଛୁଇଁପାରିନାହିଁ। ଅପହଞ୍ଚ ହୋଇ ରହିଛି ସମସ୍ତ ସରକାରୀ ଯୋଜନା। ମୌଳିକ ସୁବିଧା ଟିକକ ନପାଇ ଏହି ଗ୍ରାମବାସୀ ପରାଧୀନ ଜୀବନ ଜାପନ କରୁଛନ୍ତି। ସ୍ୱାଧୀନାତାର ୭୨ତମ ବର୍ଷର ଖୁସିକୁ ପାଳନ କରିବା ପାଇଁ ସାରା ଦେଶର ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି। ସବୁଠି ତ୍ରୀରଙ୍ଗା ଉଡାଇବା ପାଇଁ ସଜବାଜ ଚାଲିଛି। କିନ୍ତୁ ସ୍ୱାଧୀନତା ଦିବସ ବିଷୟରେ ଅଜ୍ଞ ପାହାଡିଆ ପରିବେଷ୍ଟନି ଭିତରେ ଥିବା ଏକ ଗାଁ ‘ଡଙ୍ଗର ବଲାଙ୍ଗିର’ର କଥା……।

ଏମାନଙ୍କୁ ସ୍ୱାଧୀନ ଦେଶର ନାଗରିକ ରୂପେ ଗଣତି କରାଯାଉଛି। ମତଦାନର ଅଧିକାର ଦେଇ ଭରତୀୟ କୁହାଯାଉଛି। କିନ୍ତୁ ସ୍ୱାଧୀନତା ଦିବସ କଣ ଗାଁ ଲୋକେ ଜାଣିନାହାନ୍ତି। ମହାତ୍ମା ଗାନ୍ଧି, ଜାତୀୟ ପତାକା, ଜାତୀୟ ସଙ୍ଗିତ, ଦେଶର ପ୍ରଧାନ ମନ୍ତ୍ରୀ, ରାଜ୍ୟର ମୁଖ୍ୟମନ୍ତ୍ରୀ ଏପରିକି ଜିଲାର ଜିଲାପଳ କିଏ ତାହାବି ଜାଣିନାହାନ୍ତି। ପାଣି ଟିକିଏ ଆଉ ଗାଁକୁ ରାସ୍ତାଖଣ୍ଡେ ପାଇଁ ତୁହାକୁ ତୁହା ଡାକ ଛାଡୁଛନ୍ତି। ସ୍ୱର ପଦାକୁ ଆସିପାରୁନାହିଁ। ପାହାଡର ବଡବଡ ପଥର ଚଟ୍ଟାଣରେ ପିଟିହୋଇ ସ୍ୱର ଥମି ଯାଉଛି। ଯୁଗଯୁଗ ଧରି ଖଟି ଖାଇବା ଶିଖିଛନ୍ତି। ତେଣୁ ବଞ୍ଚିଛନ୍ତି। ହେଲେ ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱଚ୍ଛ ପାଣି ମୁନ୍ଦାଏ ପାଇଁ ଗାଁର ୩୪ଟି ପରିବାର ତ୍ରାହିତ୍ରାହି ଡାକୁଛନ୍ତି। ପୁରୁଷ ପୁରୁଷ ଧରି ଦାନା ପାଣି ଯୋଗାଉଥିବା ପାହଡ ଶିଖରର ଏହି ଆଦିବାସୀ ଗାଁ ସେମାନଙ୍କ ପାଇଁ ଅଭିଶାପ ହୋଇଯାଇଛି।

ଗାଁ ଟିର ନାମ ଡଙ୍ଗର ବଲାଙ୍ଗିର। ବିଷମକଟକ ବ୍ଲକ ଭାତପୁର ପଞ୍ଚାୟରେ ଗାଁଟି ଅବସ୍ଥିତ। ବନ୍ୟଜନ୍ତୁଙ୍କ ଠାରୁ ରକ୍ଷା ପାଇବାପାଇଁ ଏହି ଗାଁ ମୁଣ୍ଡରେ ଗୋଟିଏ ବାଡ ପଡିଛି। ଅନୁଭବ ହେଉଛି ଆମ ଗାଁ ଆମ ବିକଶର ନାରା ଏଇଠି ଅଟକି ଯାଇଛି। ସ୍ୱାଧୀନତାର ଏତକଯାକ ବର୍ଷ ବିତିଯିବା ପରେ ଗାଁକୁ ଗୋଟିଏ ରାସ୍ତା ଯୋଗାଇ ଦିଆଯାଇପରିନାହିଁ। ରାୟଗଡାରୁ ବିଷମକଟକ ପର୍ଯ୍ୟନ୍ତର ଲମ୍ବିଥିବା ରାସ୍ତାର ଭାତପୁର ଗାଁ ଠାରୁ ବାଟଭାଙ୍ଗି ଡଙ୍ଗର ବଲାଙ୍ଗିରକୁ ଯିବାକୁ ପଡିଥାଏ। ଜମିହିଡରେ କିଛି ଦୂର ଯିବାପରେ ଆରମ୍ଭହୁଏ କଡିଙ୍ଗା ପାହାଡ। ପାଦ ସ୍ଥିର ହୋଇ ପଡୁନଥିବା ଘଞ୍ଚ ଜଙ୍ଗଲ ପଥୁରିଆ ପାହାଡ ଚଢ଼ିବାକୁ ପଡେ। ୧ଘଣ୍ଟା ଧରି ଚଢ଼ିବାପରେ ପାହାଡ ଉପର କାଠ ବାଉଁଷରେ ବିସିବାକୁ ପିଢ଼ାଟିଏ ମିଳିବ। ରାସ୍ତାଟି ଏକମାତ୍ର ଭରଷା ହୋଇଥିବା ବେଳେ ପଥିକ କ୍ଷଣିକ ବିଶ୍ରାମ ନେବାପାଇଁ ଲୋକେ ଏହି ପିଢ଼ାକୁ ପ୍ରସ୍ତୁତ କରିଥିବା ଜଣାପଡିଛି। ଦୁଇଘଣ୍ଟା ଧରି ପଥର ଉପରେ ଚଢ଼ିଚଢ଼ି ଯିବାପେର କୋଲନରା ବ୍ଲକର କିରକିଣ୍ଡା ଗାଁ ପଡିଥାଏ। ଗାଁର ମୁଣ୍ଡଦେଇ ଯାଉଥିବା ଝରଣାପାଣି ପିଇବାପରେ ପୁଣି ଡୁଙ୍ଗା ପହାଡ ଉପରେ ୨ଘଣ୍ଟା ଧରି ଚାଲିବାପରେ ଡଙ୍ଗର ବଲାଙ୍ଗିର ଗାଁ ଆସିଥାଏ। ଆଉ ୧ଟଙ୍କା ମୁଲ୍ୟରେ ସରକାର ଦେଉଥିବା କେଜିଟେ ଚାଉଳ ଆଣିବାପାଇଁ କି ବୁଢ଼ା କି ଭେଣ୍ଡିଆ ନିତି ଏହି ୬କିଲୋମିଟର ପାହାଡ ପାରହୋଇ ଭାତପୁରକୁ ଧାଇଁଥାନ୍ତି।

ସ୍ୱାସ୍ଥ୍ୟକୁ ଭଗବାନ ଭରଷା

ରେଗବ୍ୟାଧି ହେଲେ ୬କିଲୋମିଟର ପାହାଡ ଅତିକ୍ରମ କରିବାପରେ ଜୀବିତ ଥିଲେ ଚିକିତ୍ସା କରାଯାଏ। ପ୍ରତ୍ୟେକ ରାତି ଗାଁପାଇଁ ଅଭିଶାପ ରୂପେ ଧରିନିଆଯାଉଥିବା ଲୋକେ କହନ୍ତି। ରାତିରେ ଗର୍ଭବତୀଙ୍କୁ ଯନ୍ତ୍ରଣା ଆରମ୍ଭ ହେଲେ ସାଇକଲ ଟାଇର ଜାଳି ଦିଉଡି ପ୍ରସ୍ତୁତ କରନ୍ତି। ଜଙ୍ଗଲି ଜନ୍ତୁକୁ ଘଉଡାଇବା ପାଇଁ ପାହାଡ ଭିତରେ ବାଜା ବଜାନ୍ତି। କେତେଜଣ ଯୁବକ ଟାଏର ଆଲୁଅରେ ବୁଦାକୁ ସାଫାକରି ବାଟ କଢ଼ାଇ ନେଉଥିବାବେଳେ ପଛରେ ଖଟିଆରେ ମହିଳାଙ୍କୁ ଧରି ଯିବାକୁ ପଡିଥାଏ ବୋଲି ଗାଁର ଗଙ୍ଗାରାମ ହୁଇକା କହିଛନ୍ତି। ପାହାଡ ପରିହେବା ବେଳକୁ ବଞ୍ଚିଥିଲେ ରୋଗୀର ଭାଗ୍ୟ। ତେବେ ନେବା ଆଣିବା ରାସ୍ତାରେ ମୃତ୍ୟୁ ବରଣ କରିବାର ଅନେକ ନଜିର ରହିଛି ବୋଲି ସେ କହିଛନ୍ତି। ବଣ ଜଙ୍ଗଲର ମଣିଷ ହୋଇ ଜନ୍ମ ହୋଇଛୁ ପଥର ସହ ଲଢ଼େଇକରି ଜିଇଁଛୁ। ଆଉ ବଣର ମଣିଷ ହୋଇ ମରୁଛୁ ବୋଲି ଗ୍ରାମବାସୀ ମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି।

ଅନ୍ଧାରରେ ଦେଶର ଭବିଷ୍ୟତ

ଗାଁ ର ଆରମ୍ଭରେ ରଙ୍ଗବୋଳା ହୋଇ ଟିଣ ଛପର ସ୍କୁଲଘର ଟିଏ ସ୍ୱାଗତ କରୁଛି। ସ୍କୁଲ କାନ୍ଥରେ ଘଣ୍ଟି ଟିଏ ଝୁଲୁଛି। କିନ୍ତୁ ଏହା ଗତ ୨ବର୍ଷ ଧରି ଥରଟିଏ ମଧ୍ୟ ବାଜିନାହିଁ। ଗାଁରେ ଥିବା ୩୦ରୁ ଅଧିକ ଶିଶୁଙ୍କ ଭବିଷ୍ୟତ ଅନ୍ଧାର ଅଡକୁ ଠେଲିହୋଇ ଯାଉଛି। ଦୁର୍ଗମ ବଣ ପାହାଡ ରାସ୍ତା ଚଢ଼ି ଜଣେ ଶିକ୍ଷକ କାହିଁକି ଆସିବ ବୋଲି ଗ୍ରାମର ବଦୁରୁ ହୁଇକା କହିଛନ୍ତି। ବର୍ଷବର୍ଷ ଧରି ସ୍କୁଲ ଖୋଲଯାଏନାହିଁ। ବାରଣ୍ଡ ସାଜିଛି ଗୋ-ଶାଳା। ସ୍କୁଲ ଘରକୁ ଗାଁ ଲୋକେ କାଠ ବାଉଁଷ ସହ ଆସବାବ ପତ୍ର ରଖିବାକୁ ବ୍ୟବହାର କରୁଛନ୍ତି। ଆଉ ଦେଶର ଭବିଷ୍ୟତ କୁହାଯାଉଥିବା ଶିଶୁ ଛତା ଓ ପାଞ୍ଚଣ ଧରି ଗାଇଗୋଠରେ ଦିନ କଟାଉଛି।

ଜମି ଜରାରୁ ସାଉୁଁଟୁଛନ୍ତି ପାଣି

୩୪ଟି ପରିବାର ମୁନ୍ଦାଏ ସ୍ୱଚ୍ଛପାଣିପାଇଁ ତ୍ରାହିତ୍ରାହି ଡାକୁଛନ୍ତି। ବାପା ଅଜା କାଳରୁ ଜମି ଘେରରେ ଥିବା ଜରା (ଝର)ରୁ ପଥରରେ ବନ୍ଧଟିଏ ବାନ୍ଧି ପାଣି ସାଉୁଁଟୁଛନ୍ତି। ଆଉ ଏହି ଦୂଷିତ ପାଣି ସେମାନଙ୍କର ତୃଷ୍ଣା ମେଣ୍ଟଉଛି। ବର୍ଷବର୍ଷ ଧରି ଏହି ପାଣିକୁ ବ୍ୟବହାର କରିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟହାନୀ ହୋଉଥିବା ବେଳେ କେତେଯେ ଗୁହାରୀ କରିବାପରେ ବି କେହି ଶୁଣୁନଥିବା ଗ୍ରମବାସୀ ମାନେ କହିଛନ୍ତି।

ଅପହଞ୍ଚ ଶିଶୁ ଓ ମାତୃ ସୁରକ୍ଷା ଯୋଜନା

ସରକାରଙ୍କ ଶିଶୁ ଓ ମାତୃ ସୁରକ୍ଷା ଯୋଜନା ଗଁରେ ଅପହଞ୍ଚ ହୋଇ ରହିଛି। ରାସ୍ତାଘାଟ ନଥିବାରୁ ଗର୍ଭୁଣୀଙ୍କ ସ୍ୱାସ୍ଥ୍ୟ ପରିକ୍ଷା ଯୋଜନା ପ୍ରକାରେ ହୁଏନାହିଁ। ଟିକା କରଣ ପୁଷ୍ଟି ହୀନତା ସାଧନ କଥା ପଚାରରେ କିଏ। ପିଲାଙ୍କୁ ଅଣ୍ଡା ଓ ଗର୍ଭବତୀଙ୍କୁ ପୁଷ୍ଟିକର ଖାଦ୍ୟ ଏହି ଗାଁ ପାଇଁ କଳ୍ପନାରୁ ବାହାରେ। ତେବେ ବେଳେବେଳ ଭାତପୁରକୁ ଗଲେ ତମାଦି ଛତୁଆ ଧରାଇ କୁହାଯାଉଛି ଶିଶୁ ଶିଶୁ ମଙ୍ଗଳ ବିଭାଗ ନୀରବ। ବିଡମ୍ବନାର କଥା ପାହାଡିଆ ଇଲାକରେ ରହୁଥିବା ମହିଳାଙ୍କୁ ଚିକିତ୍ସାଳୟରେ ପ୍ରସବ କରାଇବା ସହ ସହାୟତା ଯୋଗାଇବା ପାଇଁ ମାତୃ ସୁରକ୍ଷା ଯୋଜନା ଚାଲିଥିବା କୁହାଯାଉଛି। କାଜଲ ହୁଇକା, ଜୟନ୍ତି କୁଲେଶିକା, ଇଲାମ କୁଲେଶିକାଙ୍କ ଭଳି ଅନେକ ମାଁ ଗର୍ଭବତୀ ତାଲିକା ଭୁକ୍ତ ହେଇନାହିଁ। ତେଣୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସବ କରିଥିଲେ ମଧ୍ୟ ସରକାରଙ୍କ ସହାୟତା ରାଶି ପାଇନଥିବା ସେମାନେ କହିଛନ୍ତି।

ତେବେ ଥେରୁବାଲି ଗ୍ରାମ ପଞ୍ଚାୟତ ଦେଇ ଜିଲା ପ୍ରଶାସନ ଏହି ଗାଁ ପର୍ଯ୍ୟନ୍ତ ମୋରମ ମେଟାଲ ରାସ୍ତାଟିଏ କରିଥିବା ବେଳେ ପାହାଡ ଉପରୁ ବଡବଡ ପଥର ଖସି ରାସ୍ତାଟି ବିପଦ ପୂର୍ଣ୍ଣ ରହିଥିବା ବେଳେ ବର୍ଷର ଅଧିକାଂଶ ସମୟ ପଥର ପଡି ରାସ୍ତା ଅବରୋଧ ହୋଇ ରହିଥାଏ। ଦୂରତା ଓ ସୁରକ୍ଷା ଦୃଷ୍ଟିରୁ ଏହି ରାସ୍ତାକୁ ଲୋକେ ବ୍ୟବହାର କରୁନଥିବା ଗ୍ରାମବାସୀ ଏକ ସ୍ୱରରେ କହିଛନ୍ତି।

Leave a Reply

Your email address will not be published. Required fields are marked *