ଜିଲ୍ଲା ପରିକ୍ରମା

ପାସ ହାର ଅବନତିର ସମୀକ୍ଷା ହେବ: ଜିଲା ଶିକ୍ଷାଧିକାରୀ

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସଦ୍ୟ ପ୍ରକାଶିତ ମାଟ୍ରିକ ପରୀକ୍ଷା ଫଳ ଅନୁଯାୟୀ ଭଦ୍ରକ ଜିଲାରେ ପାସ ହାର ୭୦.୮୫ ପ୍ରତିଶତ ରହିଛି । ଗତ ବର୍ଷ ପାସ ହାର ୮୭ ପ୍ରତିଶତ ରହିଥିବା ଓ ପୂର୍ବ ବର୍ଷଗୁଡିକରେ ପାସ ହାର ଅଧିକ ଥିବାବେଳେ ଚଳିତ ବର୍ଷ ପାସ ହାରରେ ଅବନତି ପରିଲକ୍ଷିତ ହୋଇଛି । ଯଦିଓ ସାରା ରାଜ୍ୟରେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷର ପାସ ହାର କମ୍ ରହିଛି, ତେବେ ଭଦ୍ରକ ଜିଲାରେ ହାର ପଡୋଶୀ ବାଲେଶ୍ୱର ଓ କେନ୍ଦୁଝର ଜିଲାଠାରୁ ବହୁ ପଛରେ ରହିଛି । ବାଲେଶ୍ୱର ଜିଲାର ପାସ ହାର ୮୮ ପ୍ରତିଶତକୁ ଟପିଥିବା ବେଳେ କେନ୍ଦୁଝର ଜିଲାର ପାସ ହାର ୭୭ ପ୍ରତିଶତରୁ ଅଧିକ ରହିଛି । ତେବେ ଭଦ୍ରକ ଜିଲାରେ ଚଳିତ ବର୍ଷ ୨୩ ହଜାର ୮୪୬ ଜଣ ପରୀକ୍ଷାର୍ଥୀ ଥିଲେ । ତହିଁରୁ ୮୦୬୨ ଜଣ ବାଳକ ଓ ୮୭୬୧ ବାଳିକାକୁ ମିଶାଇ ମୋଟ ୧୬ ହଜାର ୮୨୩ ଜଣ ପାସ ହୋଇଛନ୍ତି । ଜିଲାରେ ଗ୍ରେଡ୍ ଏ-୧ରେ ୪୮ ଜଣ, ଏ-୨ରେ ୪୮୨, ବି-୧ରେ ୧୨୨୦ଜଣ ଉତୀର୍ଣ ହୋଇଛନ୍ତି । ସେହି ରି ବି-୨ରେ ୨୨୬୩ ଜଣ, ସି ଗ୍ରେଡ୍ରେ ୩୫୮୦, ଡି ଗ୍ରେଡ୍ରେ ୫୪୩୫, ଇ ଗ୍ରେଡ୍ରେ ୩୮୯୫ ଜଣ ଉତୀଣ୍ଣ ର୍ ହୋଇଛନ୍ତି । ତେବେ ଜିଲା ସଦର ମହକୁମାର ତିନୋଟି ପ୍ରମୁଖ ଉଚ୍ଚ ବିଦ୍ୟାଳୟ ଜିଲାସ୍କୁଲ, ବାଗୁରାଇ ହାଇସ୍କୁଲ ଓ ସରକାରୀ ବାଳିକା ହାଇସ୍କୁଲର କୌଣସି ପରୀକ୍ଷାର୍ଥୀ ଏ-୧ ଗ୍ରେଡ ନପାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପ୍ରମୁଖ ସରକାରୀ ହାଇସ୍କୁଲର ଫଳାଫଳ ଏମିତିକା ହୋଇଥିବା ବେଳେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀଙ୍କ ସଫଳତାକୁ ନେଇ ବେଶ ସକରାତ୍ମକ ଚର୍ଚ୍ଚା ହେଉଛି । ସହରର ନୂଆବଜାରସ୍ଥ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପାସ ହାର ୯୭.୭୬ ପ୍ରତିଶତ ରହିଛି । ବିଦ୍ୟାଳୟର ୧୭୯ ଛାତ୍ରଙ୍କ ମଧ୍ୟରୁ ୧୭୫ ଜଣ ପାସ କରିଛନ୍ତି । ତହିଁରୁ ୫ଜଣ ଏ-୧ ଗ୍ରେଡ ହାସଲ କରିବା ନିଶ୍ଚିତ ଉଲ୍ଲେଖନୀୟ ହୋଇଛି । ତେବେ ଜିଲାରେ ପାସ ହାରରେ ଅବନତି ସଂପର୍କରେ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ରାଜ୍ୟ ଉପସଭାନେତ୍ରୀ ସୁରଜିତା ନାୟକ କହିଛନ୍ତି ଯେ, ଏମିତି ବି ଏଥରକ ରାଜ୍ୟର ପାସ ହାର ହ୍ରାସ ପାଇଛି । ପାଠ୍ୟକ୍ରମ ଓ ନୂତନ ପରୀକ୍ଷା ପଦ୍ଧତି ସହିତ ପିଲାମାନେ ଅଭ୍ୟସ୍ତ ହୋଇ ନଥିବା କାରଣରୁ ପାସ ହାର ହ୍ରାସ ପାଇବାର ଅନ୍ୟତମ କାରଣ ବୋଲି ଶ୍ରୀମତୀ ନାୟକ କହିଛନ୍ତି । ପାସ ହାରରେ ଅବନତିର ପୂଣ୍ଣ ର୍ ସମୀକ୍ଷା କରାଯିବ ବୋଲି କହିଛନ୍ତି ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ । ପ୍ରତିକ୍ରିୟାରେ ଶ୍ରୀ ସାହୁ କହିଛନ୍ତି ଯେ, ରାଜ୍ୟର ପାଖାପାଖି ୨୦ଟି ଜିଲାରେ ଭଦ୍ରକ ଭଳି ପାସ ହାରରେ ଅବନତି ଘଟିଛି । ତଥାପି ଆମେ ପରୀକ୍ଷା ଫଳର ବିଶେଷ ତଜର୍ମା କରି ତ୍ରୁଟି ବିଚୁ୍ୟତିକୁ ସୁଧାରିବୁ । ତେବେ ଏବର୍ଷ ଭଦ୍ରକ ଜିଲାରେ ଆମେ ପରୀକ୍ଷାକୁ ବେଶ କଡାକଡି କରିଥିଲୁ । କପି କରିଥିବା ୧୨୩ ଜଣଙ୍କୁ ଧରାଯାଇଥିଲା । ଓଡିଶାର ୪/୫ଟି ଜିଲାରେ ୧୦୦ରୁ ଅଧିକ ପିଲା କପି କରିଥିବା ବେଳେ ଧରା ପଡିଥିଲେ । ତା’ ଭିତରେ ଭଦ୍ରକ ଜିଲା ରହିଥିଲା । ଏହାଛଡା ନିଜ ହାଇସ୍କୁଲରେ ପିଲାଙ୍କୁ ପରୀକ୍ଷା ଦେବାର ସୁଯୋଗ ନଥିବା କାରଣରୁ ପିଲାମାନେ  ହୁଏତ କିଛିଟା ଅନୁକମ୍ପା ହରାଇଥିବା କୁହାଯାଇପାରେ । ତେବେ ବିଦ୍ୟାଳୟ ୱାରୀ ଫଳାଫଳର ସମୀକ୍ଷା କରାଯିବା ପରେ ପ୍ରକୃତ କାରଣ ଜଣାପଡିବ । ଜିଲା ସଦର ମହକୁମାର ତିନୋଟି ସରକାରୀ ବିଦ୍ୟାଳୟରୁ କେହି ଏ-୧ ଗ୍ରେଡ ହାସଲ ନକରିବାର କାରଣ ଖୋଜାଯିବ ଓ ଆବଶ୍ୟକ ପଦକ୍ଷେପ ନିଆଯିବ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top