ଗଳ୍ପ

ପାଳିଆ ବାବୁଲି

– ରାଜ କିଶୋର ଦାସ

କଳାପାନ ଟିକା…. କଳାପାନ ଟିକା ଡ଼ାକି ଡ଼ାକି ଭୂମିରୁ ପିଚା ଉଠାଇ ପଟ ଫିଙ୍ଗୁଥିବ ରମେଶ ସ୍ୱାଇଁ। ଘର କବାଟ ଭିତର ପଟୁ ଦିଆ ହେଇଥିଲେ ହେଁ ଏମିତି ତାସ ଖେଳର ବିଭିନ୍ନ ସ୍ୱର ସେ ଆଖ ପାଖ କମ୍ପଉ ଥିବ। ଗାଁ ପିଲା ସବୁ ଝରକା ଫାଙ୍କ ଦେଇ କବାଟ ଫାଙ୍କ ଦେଇ ଗଳି ପଶି ଦେଖୁଥିବେ। ଗାଁ ର ହାତ ଗଣତି ପୁରୁଣା ବଡ଼ କୋଠା ମାନଙ୍କ ଭିତରୁ ଏଇଟା ଗୋଟିଏ। ମହାଦେବ ନେକାପ ବଞ୍ଚିଥିବା ବେଳେ ବାହାର ପଟ ଉଚ୍ଚା ବାରଣ୍ଡାରେ ଗୋଟେ ପୁରୁଣା କାଳିଆ ଆରାମ ଚେୟାର୍ରେ ବସି ହୁକା ଟାଣୁଥିବ। ଗାଁରେ ସମସ୍ତେ ହୁକାକୁ ଘୁଡ଼ୁ ଘୁଡ଼ୁ ସୁଟୁ କହନ୍ତି। ଷ୍ଟାଣ୍ଡ ଉପରେ ଗୋଟେ ଟିଣ ଡ଼ବା ଥିବ, ସେ ଡ଼ବାରେ ଅଫିମ, ଗୁଡ଼ାଖୁର ଗୋଟେ ମିଶ୍ରଣ ଅଳ୍ପ ପାଣିରେ। ସେ ଡ଼ବା ଉପରେ ଗୋଟେ କଭର୍ ଥିବ, ତା’ ଉପରେ ରଡ଼ ନିଆଁ। ପାଣି ତଳକୁ ଗୋଟେ ପାଇପ୍ ଲମ୍ବା ହେଇ ପାଟି ପର୍ଯ୍ୟନ୍ତ ଯାଉଥିବ, ସେ ପାଇପ୍ ରେ ମୁହଁରେ ମାନେ ସେ ଡ଼ବା ଭିତର ପଟ ରାସ୍ତାରେ ଗୋଟେ ଚିକ୍କଣ ସାନ ପଥର ଖଣ୍ଡ ବା ସିସାର ଗୋଟେ ବାଟି ପରି ଥିବ, ଅତି ଛୋଟ ଓ ହାଲ୍କା। ପାଇପ୍ ର ମୁହଁଟି ପାଣିରେ ବୁଡ଼ୁ ନଥିବ, ନିଆଁ ଧରାଇ ତା’ର ବାଷ୍ପଟାକୁ ହିଁ ପାଇପ୍ ରେ ଟାଣନ୍ତି, ଟାଣିଲା ବେଳେ ପାଣି କିମ୍ବା କୌଣସି ମସଲା ତା’ ଭିତରେ ନ ପଶିବା କାମ ସେଇ ସିସା ବା ପଥର ଖଣ୍ଡ କରୁଥିବ।
ମହାଦେବ ନେକାପ ବୋଧେ ସବୁ ନିଶାରେ ପାରଙ୍ଗମ ଥିଲେ, ଏଣୁତ ବାପା, ଜେଜେବାପାଙ୍କ ଅଚଳାଚଳ ସଂପତି ଗୋଟେ ଦିହକରେ ହିଁ ଉଡ଼େଇ ଦେଲେ। ତାଙ୍କ ସ୍ତ୍ରୀ ବହୁ ଆଗରୁ ଚାଲି ଯାଇଥିଲେ। ଚାରି ପୁଅରୁ ପେଟ ପୋଷିବା ପାଇଁ କିଏ କୋଉଠି ଯାଇ ଅଛନ୍ତି। କେବେ କେହି ଗାଁ କୁ ଆସିବା କେହି ଦେଖନ୍ତି ନାହିଁ। ସାନ ପୁଅ ବାବୁଲି ହିଁ ବାପା ପାଖରେ ରହୁଥିଲା। ମହାଦେବ ନେକାପ ଯେଉଁ ଦିନ ଆଖି ବୁଜି ଦେଲା ପାଟିରେ ତା’ର ହୁକା ପାଇପ୍ ଥିଲା। ଗାଁ ଲୋକ କହିଲେ ବୁଢ଼ା ଘୁଡ଼ୁ ଘୁଡ଼ୁ ସୁଟ୍ ହେଇଗଲା।

ତାଙ୍କ ବିରାଟ ଘର ବାରି, ବାରିରେ ପଥର ଚାନ୍ଦିନୀର କୂଅ। ସବୁ ଯେମିତି ଅଯତ୍ନ, ଅସଜଡା, କେଉଁ କାଳୁ କାନ୍ଥରେ ଚୂନ ଲାଗିନି ଜାଣିବା କଷ୍ଟ, ଜଣେ ବାବୁଲି ହିଁ ସେ ଘରର ମୁନିବ, ଚାକର, ସର୍ବେ ସର୍ବା। ପିଲାବେଳେ ଅପର ପ୍ରାଇମେରୀ ପଢ଼ିଥିବ ତା ମାଆ ମରିଗଲେ ସେଇ ଦିନଠୁ ସେ ଆଉ ସ୍କୁଲ ମୁହଁ ଦେଖିନି। ଗାଁ ଲୋକ ବା ସାହି ଭାଇ ତାଙ୍କ ଘର ଛାତକୁ ମୁଗ, ମାଣ୍ଡିଆ, ବିରି, କୋଳଥ ଓ ଲଙ୍କା ଇତ୍ୟାଦି ଶୁଖେଇବାକୁ ବ୍ୟବହାର କରନ୍ତି। ତହିଁରୁ ବାବୁଲିକୁ କିଛି କିଛି ଦିଅନ୍ତି। ବାରି ପାଖ ପଦର ମାଳରେ ଲୋକେ ପରିବା ଚାଷ କରନ୍ତି, ଜରୁରୀ ବେଳେ ନେକାପ ଘର କୂଅରୁ ପାଣି ତେଣ୍ଡନ୍ତି। ସେ ବାବଦକୁ ବି ବାବୁଲି କିଛି ପାଇଯାଏ। ତା’ର ଅସଲ ଆୟ ହେଲା ତାସ ଖେଳର ପାଲି। ଦିନ ସାରା କ’ଣ ରାତି ଅଧ ଯାଏ ତା’ ଘରେ ପଇସା ଖେଳ ହିଁ ଚାଲେ। ସେଥିରୁ ଇଏ ଦିନକୁ ଦଶ ପନ୍ଦର ପାଇଯାଏ। ଘର ଭିତରେ ଖେଳ ଚାଲିବାରୁ ପୋଲିସ ଫୋଲିସ କାହାର ନଜର ବି ରହେନି। ଏମିତିରେ ବାବୁଲି ବି ପିଲା ବେଳୁ ପାନ, ବିଡ଼ି, ମସଲା, ଗୁଡ଼ାଖୁ, ଅଫିମ, ଗଞ୍ଜେଇ ସବୁ ନିଶାରେ ପାରଙ୍ଗମ ହେଇଗଲା। ପ୍ରାୟ ଗୁରୁବାର, ସଂକ୍ରାନ୍ତି, ପୂଜା ପର୍ବାଣ ଦିନ ମାନଙ୍କରେ ତା’ ଘରେ ଗହଳି କମ୍। ଘରେ ପୁରୁଣା ବଡ ମର୍ଫି ରେଡିଓ ଥିଲା। ଯାହାକୁ ତାଙ୍କ ବୁନିଆଦର ଏକମାତ୍ର ଶେଷ ସନ୍ତକ କହିଲେ ଭୁଲହେବନି। ବହୁ ସମୟରେ ସିଏ ରେଡିଓ ଶୁଣେ। ହିନ୍ଦି, ଓଡ଼ିଆ ଯାହା ଧରିଲା ଧରେଇ ଦେଇଥାଏ। ଦିନେ ସନ୍ଧ୍ୟାଟାରେ ଦାଣ୍ଡ ବାରଣ୍ଡାରେ ବସି ଗୁଣୁ ଗୁଣୁ ହେଇ ଗୀତ ଗାଉଥିଲା, ‘ମାନ ଉଦ୍ଧାରଣ କରହେ ତାରଣ / ଶରଣ ମୁଁ ତୁମ ପାଦ ତଳେ’ ତା’ ଗଳା ଖୁବ୍ ସୁନ୍ଦର, ଅନ୍ୟ ମନସ୍କ ହେଇ ଗୁଣୁ ଗୁଣୁରୁ ଟିକେ ଅଧିକା ପାଟି ହେଇଯାଉଥିଲା। ତା’ ଘର ପାଖ ଦେଇ ସେତେବେଳେ ପାଖ ଗାଁ ଯୋଗୀମୁଣ୍ଡଳାର ଅରକ୍ଷୀତ ଖଟେଇ ଯାଉଥିଲେ। ତା ଗୀତର ସ୍ୱର ଶୁଣି ସେଇଠି ଠିଆ ହୋଇପଡ଼ି ବୁଲି ପଡ଼ିଲେ ଓ ତା ପାଖକୁ ଆସି କହିଲେ –

: କିଏରେ ପୁଅ ତୁ, କେଡ଼େ ସୁନ୍ଦର ଗୀତ ଗାଉଛୁ? ଜାଣିଛୁ ଏ କାହା ଲେଖା?
: ମୁଁ ବାବୁଲି, ମୁଁ ଜାଣିନି କାହା ଗୀତ ଏ, ତମେ ଲେଖିଛ କି ଆଜ୍ଞା?
: ମୁଁ କିଏ ଜାଣିଛ?
: ତମକୁ କିଏ ଚିହ୍ନିନି ବା, ତମେ ଯୋଗୀମୁଣ୍ଡୁଳାର ଦାସକାଠିଆର ଗାହାକ। ନାଆଁ ଟା କହି ପାରିବିନି।
: ଆରେ ତମେ ତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଗୀତ ଖୁବ୍ ସୁନ୍ଦର ଗାଉଛ।
ବାବୁଲି ଏଥର ସିଧା ହେଇ ବସିଲା, କହିଲା –
: ଆଜ୍ଞା ମୋର ଆଗକୁ କିଏ ଅଛି ନା ପଛକୁ କିଏ ଅଛି। ଯାହା ମନକୁ ଆସିଲା ତାହା କରୁଛି। ଆଜି ଆମର ଏଠି ଗହଳି ନାହିଁ ତ ଗୁଣୁ ଗୁଣୁ ହେଉଥିଲି।
: ତମେ ଭଲ ଗାଉଛ, ଅଭ୍ୟାସ କଲେ ଗାହାକ ହେଇଯିବ।
: ପାଳିଆ ହେବାକୁ ଯୋଗ୍ୟତା ନାହିଁ ଆଜ୍ଞା ଗାହାକ କ’ଣ ହେଇଯିବି?
: ତମେ ଚାହିଁଲେ ମୋର ପାଳିଆ ହେଇପାରିବ, ଏବେ ଗାଁ ଗାଁ ବୁଲିଲେ ବି ଲୋକଟିଏ ମିଳିବା କଷ୍ଟ। ସମସ୍ତେ ତ ଗାଁ କୁ ଗାଁ ଖାଲି କରି କିଏ କୋଲିଆରୀ, କିଏ ସୁରାଟ ପଳେଇଲେ। କିଏ ଦାଦନ ସଂଗ୍ରହ କରି ସାରା ଭାରତକୁ ପଠାଇଲା। ବାହାରେ ତ ଆମ ଜିଲ୍ଲାର ଅଧିକା ଲୋକ ଏଇ ସବୁ କାମ କରନ୍ତି।
: ଆଜ୍ଞା ତେମେ ଆପଣେ କ’ଣ କହୁଛନ୍ତି ମୁଁ ବୁଝିପାରୁନି।
: ତମେ ବୁଝିନପାରିବାରୁ ଖୁସିରେ ଗୀତ ଗାଉଛ, ତମ ନାଆ କ’ଣ ବାପା?
: ବାବୁଲି।
: କେବେ ଦାସକାଠିଆ ନାଚ ଦେଖିଛ?
: ହଁ, ବହୁତ ଥର ଦେଖିଛି, ତମ ନାଚ ବି ଦେଖିଛି।
: କାଇଁ ପାଳିଆର କିଛି ଗୀତ ମନେ ଅଛି ଗାଇଲ।
ବାବୁଲି ଠିଆ ହୋଇପଡ଼ି ଗାଇବାରେ ଲାଗିଲା – ‘ ଭାଇନା ଭଜ ଗୋବିନ୍ଦ ନାମ, ନବୀନ ସୁନ୍ଦର ରାମ ଜେ ରାମ ରାମ ରାମ ରାମ – ଖଡ଼ି ଗଲା ଗଡ଼ି ଗଡ଼ି, ଏ ଗାଁର ଯେତେ ବୁଢ଼ା ବୁଢ଼ୀ କାଲି ଯିବେ ପାଠ ପଢ଼ି’।
କିଛି ସମୟ ନୀରବ ରହିଲା ପରେ ଅରକ୍ଷିତ ଖଟେଇ କହିଲେ –
: ବାବୁଲି, ତମେ ମତେ ଟିକେ ସାହାଯ୍ୟ କରି ପାରିବ ବାପ !
: ଦେଖନ୍ତୁ ଆଜ୍ଞା ମୁଁ କପର୍ଦ୍ଦକ ହୀନ ଲୋକଟେ କି ସାହାଯ୍ୟ କରିବି କୁହନ୍ତୁ, କହିବେ ଯଦି ମଶାଣି ଡ଼େଇଁବା ଯାଏ ତମକୁ ଛାଡ଼ିଦେଇ ଆସିପାରେ। ଆଉ ରାତି ହେଇଗଲେ ଆମ ଘରେ ଶୋଇବ କହିଲେ ଯାହା ପେଜ ପାଣି ଅଛି ପିଇ ରାତିକ ଶୋଇ ପାରିବି।
: ନାଇଁରେ ବାବୁଲି ମୁଁ ଗୋଟେ ଅଡ଼ୁଆରେ ପଡ଼ି ଯାଇଛି। ତମେ ଯଦି ଆମ ନାଚ ଦେଖିଚ ମୋ ସାଙ୍ଗରେ ପାଳିଆ ହେଇ ଯେଉଁ ଲୋକଟା ଗାଉଥିଲା ତାକୁ ତ ମନେ ଥିବ ସିଏ ବାଙ୍ଗରଡ଼ାର ହାଡ଼ୁ ସ୍ୱାଇଁ, ପ୍ରାୟ ପାଞ୍ଚ ଛ’ ବର୍ଷ ତାର ଗୋଟେ ବୋଲି ଝିଅ ତାକୁ ଖଦାଳ ସାହିର ଦୁଃଖା ଖଦାଳର ପୁଅ ନେଇଗଲା। ସେଇଦିନଠୁ ହାଡୁ ମୋ ସାଥି ଛାଡ଼ିଦେଲା। ଗାଁ ଛାଡ଼ି ମାଇପକୁ ନେଇ କୁଆଡ଼େ ଚାଲିଗଲା କେଜାଣି ତା ଅତା ପତା ଆଉ ମିଳିଲାନି। ଲୋକଟା କେତେ ବା ଅପମାନ ସହିଥା’ନ୍ତା। ଗରିବ ଲୋକ ବୋଲି ନିଜର କ’ଣ ମାନ ମହତ ନାହିଁ। ଯେତେ ହେଲେ ଇଏ ଆମ ଓଡ଼ିଆ ଲୋକ ତା ଝିଅକୁ ଖଦାଳ ସାହି ଟୋକା ଉଠେଇ ନେଲା।

: ତେମେ ଆପଣେ ମତେ ସେ କଥା କାହିଁକି କହୁଛନ୍ତି?
: ନାଇଁ ବାବୁଲି, ତମେ ଚାହିଁଲେ ମୋର ପାଳିଆ ହେଇ ପାରିବ, ତମର ଗଳା ଭଲ, ଖାଲି ଗୀତ ଘୋଷି ମନେ ରଖିପାରିଲେ ହେଲା। ଏଇ ବର୍ଷା ଦିନରେ ଶିଖିବା ଆଉ ଆଠ ମାସ ଗାଁ ଗାଁ ବୁଲି ନାଚ କରିବା, ବେସ୍ ଦି’ ପଇସା ବି ମିଳୁଥିଲା ମତେ, ତମକୁ ବି ଭାଗ ଦେବି।
: ମୁଁ କ’ଣ ସେ କାମ କରିପାରିବି ଆଜ୍ଞା?
: ଆରେ କରିପାରିବନି କାହିଁକି, କଥାରେ ଅଛି ପରା ‘ଅଭ୍ୟାସ ଗୁଣେ ସର୍ବ ସିଦ୍ଧି’। ତମେ ଆମ ଗାଁକୁ ଆସ ଖରାବେଳେ ଖରାବେଳେ ଦି’ ତିନି ମାସ ଆସିଗଲେ ତମେ ପକା ପାଳିଆ ହେଇଯିବ। କହୁଥିଲ ପରା ମତେ ମଶାଣି ପାଖରେ ଛାଡ଼ି ଦେଇ ଆସିବ, ଚାଲ ରାତି ହେଲାଣି ମତେ ଛାଡ଼ି ଦେଇ ଆସିବ।
କିଛି ନ କହି ବାବୁଲି, ଅରକ୍ଷିତ ଖଟେଇଙ୍କ ପଛେ ପଛେ ଚାଲିଲା। ଗାଁ ମୁଣ୍ଡ ମଶାଣି ପାର ହେଲା ବେଳକୁ, ଘଡ଼ି ମାରି ଜହ୍ନ ଉଇଁ ଆସୁଥିଲା ସେଇଠୁ ବିଦାୟ ମାଗି କହିଲା –
: ଆଜ୍ଞା ତେମେ ଏଠୁ ପଳେଇବେ ତ, ମୁଁ ଫେରୁଛି, ମୁ କୋଉ ପାଳିଆ ହେଇପାରିବିନି ଆଜ୍ଞା। ଆଜି ଯାଏ ମୁଁ କେବେ ମୋ ଭାଗ୍ୟ କଥା ଭାବିନି ଯାହା ମିଳିଛି ଖାଇଛି, ଭୋଗିଛି।
ଅରକ୍ଷିତ ଖଟେଇ ଅଦୃଶ୍ୟ ହେବା ଯାଏ ତାଙ୍କୁ ବାବୁଲି ଚାହିଁବାକୁ ଲାଗିଥିଲା। ଭାରି ମନ, ଭାରି ପାଦ, ନେଇ ଘରକୁ ଫେରିଲା। ବାବୁଲିର ବୟସ ଏବେ କୋଡ଼ିଏ ବାଇଶି ହେବଣି। ଲହକା ଶରୀର, ମୁହଁରେ ସରୁ ନିଶ, ଧାରୁଆ ନାକ, ମୁଣ୍ଡରେ ଅଯତ୍ନ ବାଳ। ଆଜି ସେ ଯେମିତି ଅନ୍ୟ ମନସ୍କ ଲାଗୁଥିଲା, ସେମିତି ଆଗରୁ କେବେ ନଥିଲା। ଅବଶ୍ୟ ତାକୁ ନିଘା କରିବାକୁ ତା’ର ନିଜର ବୋଲି କେହି ନାହିଁ।

କିଛି ମାସ ପରେ ଗାଁ ରେ ଦିନେ ଦାସକାଠିଆ ନାଚ ହେଉଥିଲା। ବାବୁଲି ଯାଇ ନାଚ ପାଖରେ ବସିଲା, ଗାଁ ରେ ନାଚ ଫାଚ ହେଲେ, ଛାମୁଟିଆ ପକାଇବା, ପେଟ୍ରୋମେକ୍ସ ଲାଇଟ ଲଗାଇବା ଏମିତି ସବୁ କାମରେ ଇଏ ସାହାଯ୍ୟ କରେ। ବେଳେ ବେଳେ ନାଚବାଲା ରହିବା ପାଇଁ ଜାଗା ନ ପାଇଲେ ୟା ଘରେ ଖଜୁରୀ ପଟି ପାରି ଶୁଅନ୍ତି। ନାଚ ଠିକ୍ ସମୟରେ ଆରମ୍ଭ ହେଲା, ଗାଁ ସାରା ଲୋକ ଚୁପ୍ ଚାପ୍। ବେଣୀପଲ୍ଲୀ ନାଚ, ଗାହାକ ରାମ ପ୍ରଧାନ ଯେମିତିକି ସାକ୍ଷାତରେ ସରସ୍ୱତୀଙ୍କ ବରପୁତ୍ର। ଅର୍କ୍ଷିତ ଖଟେଇ ଓ ରାମ ପ୍ରଧାନ ଗୋଟିଏ ଗୁରୁଙ୍କ ଶିଷ୍ୟ, ଦୁହେଁ ଦୁହିଁଙ୍କୁ ଧୁରନ୍ଧର। ରାମ ପ୍ରଧାନ ଗଳା ଝାଡ଼ିବା ଆରମ୍ଭ କଲେ, ‘ଶ୍ରୀ ହରି…। ଗଣେ, ନାରାୟଣେ, ରୁଦ୍ରେ, ଅମ୍ବିକେ, ଭାସ୍କରେ, ତଥା ଭିନ୍ନା ଭିନ୍ନମ୍ ନ କର୍ତ୍ତବ୍ୟଂ ପଞ୍ଚଦେବ ନମସ୍ତୁତେ’। ତା’ ପରେ ଆରମ୍ଭ ହେଇଗଲା ପୁରାଣ। ଏକ ଲକ୍ଷ୍ୟରେ ଚାହିଁ ବସିଥିଲା ବାବୁଲି। ଆଜି ଯେମିତି ସେ ଦାସ କାଠିଆ ପୁରାଣ ସବୁ ପି ଯାଉଛି। ଏମିତିରେ ତ ଗାଁରେ ନାଚ ଗୀତ ତାମସା ଯାହା ହେଲେ ବାବୁଲି ପ୍ରାୟ ଯାଏ। କେଉଁ ନିଶାରେ ଥିବ, କାହା ସାଙ୍ଗରେ ଥିବ, କେଉଁ କଥାରେ ଲାଗିଥିବ ତା’ର କ’ଣ କିଛି ଠିକ୍ ଠିକଣା ଅଛି? କିନ୍ତୁ ସେଦିନ ବାବୁଲି ପ୍ରାୟତଃ ଏକ ମନ ହେଇ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦାସକାଠିଆ ନାଚ ଦେଖିଲା। ତା ସାଙ୍ଗ ସାଥି ମାନେ କଥା ହେଉଥିଲେ ‘ବାବୁଲି ଆଜି ଗଞ୍ଜେଇ ଟାଣି ଦେଇଛି କି କ’ଣ ଏକ ଲକ୍ଷ୍ୟରେ ନାଚ ଦେଖିବାରେ ଲାଗିଛି’।
ନାଚ ସରିଲା ପରେ ବାବୁଲି ସିଧା ଯାଇ ଘରେ ଶୋଇଛି, ସବୁ ଦିନ ପରି ଆଜି ବି ଡ଼େରିରେ ଉଠିଛି। କିନ୍ତୁ ସଅଳ ସଅଳ ଗାଧୋଇ ପାଧୋଇ କ’ଣ ଟିକେ ଖାଇ ଦେଇ ସିଧା ଯାଇଛି ‘ଯୋଗୀମୁଣ୍ଡୁଳା’। ଅରକ୍ଷିତ ଖଟେଇଙ୍କ ଘର ପଚାରି ତାଙ୍କ ଘରେ ପହଞ୍ଚିଛି। ଖଟେଇ ଘରେ ଥିଲେ, ତାଙ୍କ ପାଦ ଛୁଇଁ ଓଳଗି ହୋଇଛି। ହସି ଦେଇ ଖଟେଇ ପଚାରିଲେ
: ବାବୁଲି ଆମ କଥା ଆଜି ମନେ ପଡ଼ିଲା
: ହଁ, ଆଜ୍ଞା ମୁଁ ପାଳିଆ ହେବି।
: ଦେଖ ଆମ ଗାଁ ର ବା‚ଆ ତିଆଡ଼ିର ପୁଅ ରଙ୍କବି ମୋ ସାଙ୍ଗରେ ବହୁତ ବର୍ଷ କାମ କରିଥିଲା, ପାଳିଆ ହିସାବରେ ସେ ଭଲ ପାଳିଆ, ଗହଙ୍ଗୁରେ କୁଟୁମ୍ବ ଖଟି ଥିଲା ହେଲେ ସେ ସ୍ତ୍ରୀ ଲୋକ ୟାକୁ ଛାଡ଼ିକି ପଳେଇଲା, ତିଆଡ଼ିଏ ଅଳ୍ପ ବୟସରେ ପଳେଇଲେ। ତା’ପରେ ତ ଇଏ ଦିନେ ମାଆ, ଭଉଣୀ, ସାନ ଭାଇ କାହାକୁ କିଛି ନକହି ରାତି ଅଧରୁ ଉଠି ଗାଁ ଛାଡ଼ି ଚାଲିଗଲା। ଅବଶ୍ୟ ପାଞ୍ଚ ଛ’ମାସ ପରେ ଚିଠି ଦେଲା ଯେ ସିଏ ଏବେ ସୁରାଟରେ ଅଛି। ଦଶ ବର୍ଷ ହେଲା ଗଲାଣି ଆଉ ଆସିନି। ଚିଠି ଦେଲେ ମତେ କିନ୍ତୁ ଜୁହାର ହେଇଥାଉଛି। ହାଡୁ ଆଗରୁ ରଙ୍କହିଁ ଥିଲା, ଆଉ ସେଦିନଠୁ ତ ମୁଁ ଏକଲାରେ ବାପା। ନିତି ଗାଁକୁ ଗାଁ ବୁଲି ମୁଁତ ପାଳିଆ ଖୋଜିବାରେ ଲାଗିଛି। ଆଜି କାଲିକା ଯୁଗରେ ଲୋକଙ୍କୁ ତ ସିନେମା ମୋହତି ଲାଗିଛି ଆଉ କିଏ ଗାଉଁଲି ନାଚ ଦେଖୁଛି!

: ହେଲେ ଆଜ୍ଞା ମୁଁ କ’ଣ ପାରିବି?
: ମାଆ ସରସ୍ୱତୀ ଦୟା କଲେ, ତମେ କାହିଁକି ପାରିବନି! ଗାଇଲ ଦେଖି। ‘ବନ୍ଦଇ ଶାରଳା ମାଗୋ, ବ୍ରହ୍ମାଙ୍କ ନନ୍ଦିନୀ / ବେଦ ଭାରତରୁ ଜନ୍ମ କଲେକ ବ୍ରହ୍ମ ଯୋନି / ଗାୟକ ସୁମରିଲେ ମା’ଗୋ ଫିଟାଉ ତା’ର ଗଳା / ବାୟକ ସୁମରିଲେ, ବାଦ୍ୟରେ ଅନ୍ନର୍ଗଳା’। ଆରେ ଚୁପ୍ ରହିଲ କ’ଣ ମୋ ସାଙ୍ଗରେ ଗାଅ।
ବାବୁଲି ନେକାପ କେବଳ ଚାହିଁ ରହିଥିଲା। ପୁଣି ଖଟେଇଏ କହିଲେ –
: ବାବୁଲି ତମେ ଟିକେ ବସ ମୁଁ ପୂଜା ସାରିକି ଆସେ ଆଖଡ଼ା ଘରେ ବସିବା ସେଠି ପୁରା ବିଧି ନିତିରେ କାମ ଆରମ୍ଭ କରିବା।

ବାବୁଲି ଉଠି ବାହାରକୁ ଗଲା, ପକେଟ ଅଣ୍ଡାଳି ଚାରିଣିଟେ କାଢ଼ି ଖଣ୍ଡେ ସିଗାରେଟ୍ କିଣିଲା ଓ ଦୋକାନ ପଛ ପଟେ ଠିଆହୋଇ ଟାଣିଲା। ଯୋଗୀମୁଣ୍ଡୁଳା ସିଏ ପ୍ରଥମ ଥର ଆସିଥିଲେ ମଧ୍ୟ ଅନେକ ଚିହ୍ନା ମୁହଁ। ତିନି ଚାରିଖଣ୍ଡ ଗାଁର ତ ଗୋଟିଏ ବସ୍ ଷ୍ଟପ୍, ଏଣୁ କଥା ଭାଷା ପରିଚିତି ନ ଥିଲେ ମଧ୍ୟ ସମସ୍ତେ ସମସ୍ତଙ୍କୁ ଚିହ୍ନା ଚିହ୍ନା।

ଠିକ୍ ସମୟରେ ଅରକ୍ଷିତ ଖଟେଇ ପୂଜା ବିଧି ସାରି ଗୋଟେ ପିତଳ ଥାଳିରେ ଦୂବ, ଅରୁଆ ଚାଉଳ, ଫୁଲ, ରୁଖା, ଘିଅ ଦୀପ, ନଡ଼ିଆ, କଦଳୀ, ତୁଳସୀ ପତ୍ର, ପାଣି ଢାଳ ଧରି ବାବୁଲିକୁ ଡାକିଲେ ବାବୁଲି ଆଖଡ଼ା ଘରକୁ ଆସ। ଖଟେଇଙ୍କର ବିରାଟ ବଡ଼ କୋଠା, ପୁରୁଣା କାଳିଆ ନଳା ଝିକରର ଘର ହେଲେ କ’ଣ ହେଲା ସଫା ସୁତୁରା ଓ ପ୍ରସସ୍ତ, ବାହାର ଖଞ୍ଜାରେ ତିନୋଟି ବଖରା, ଗୋଟିକରେ ଖଟେଇଙ୍କ ଅଫିସ୍ ସେଠି ସିଏ ତାଙ୍କ ପଢ଼ା ଲେଖା, ସାଙ୍ଗ ସାଥୀ ସାଙ୍ଗରେ ଗପସପ କରନ୍ତି। ମଝି ବଖରାଟି କେବଳ ଯିବା ଆସିବା ରାସ୍ତା। ଆଉ ପୂର୍ବ ପାଖ ବଖରାଟି ହିଁ ତାଙ୍କ ଆଖଡ଼ା ଘର, ସେଇ ଘରେ ହିଁ ଗୋଟିଏ କାଠ ବାକ୍ସରେ ଦାସକାଠିଆ ନାଚର ସରଞ୍ଜାମ। ସରଞ୍ଜାମ ମାନେ ଗାହକ ବଜେଇବା ପାଇଁ ଛୋଟ ଛୋଟ ଘୁଙ୍ଗୁର ବନ୍ଧା ଚାରୋଟି କାଠି, ପାଳିଆ ବଜେଇବା ପାଇଁ ଦୁଇଟି କାଠି ସେମିତି ଘୁଙ୍ଗୁର ଲାଗିଥିବ। ଆଉ କିଛି ଜରିପକା ଡ୍ରେସ୍ ଓ ପୁରାଣବହିର ଖାତା ସବୁ। ଉଭୟେ ଘର ଭିତରକୁ ଗଲେ, ଘର ମଝିରେ ଏକ ବଡ଼ ଦରି ପରାଯାଇଛି। ପୂର୍ବ ପଟ କାନ୍ଥପାଖରେ ଖଟୁଳିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଲକ୍ଷ୍ମୀ, ସରସ୍ୱତୀ, ଦୂର୍ଗା, ଶିବ ଓ ଗଣେଶ ଇତ୍ୟାଦିଙ୍କ ଫଟୋ। ଖଟେଇଏ ପୂଜା କାର୍ଯ୍ୟକର୍ମରେ ଲାଗିଗଲେ। ବାବୁଲିକୁ ଉଦ୍ଦେଶ୍ୟ କରି କହିଲେ –
: ତୁମକୁ କିନ୍ତୁ ଗୋଟିଏ କାମ କରିବାକୁ ହେବ ବାବୁଲି, ମଦ, ଗଞ୍ଜେଇ, ବିଡ଼ି, ସିଗାରେଟ୍ ପରି ସବୁ ନିଶାରୁ ମୁକ୍ତ ରହିବାକୁ ପଡ଼ିବ। ପ୍ରତ୍ୟେକ ନାଚ ମାଆ ସରସ୍ୱତୀଙ୍କର ଅପାର କରୁଣାରୁ ହିଁ ସମ୍ଭବପର। ଏଣୁ ସମସ୍ତ ମାଦକ ଦ୍ରବ୍ୟରୁ ଦୂରରେ ରହିବାକୁ ପଡ଼ିବ। ସତ୍ୟ, ଧର୍ମ, ନ୍ୟାୟର ଆଶ୍ରୟ ନେବାକୁ ପଡ଼ିବ ତେବେ ଯାଇ ଜଣେ ମାତୃକୃପା ଲାଭ କରିପାରିବ। ତମେ ଜାଣ ଗୁଣିଜନଙ୍କ ଭୂଷଣ କ’ଣ, ଏକମାତ୍ର ଭୂଷଣ ହେଲା ନମ୍ରତା। ‘ନମ୍ର ଫଳିନୋ ବୃକ୍ଷା, ନମ୍ରନ୍ତି ଗୁଣିନା ଜନାଃ’। କାରଣ ନମ୍ରତା ନଥିଲେ ସହ ସହ ଲୋକଙ୍କ ଆଗରେ ଠିଆ ହୋଇ ଗାଇବା, ନାଚିବା ଓ ତାଙ୍କୁ ପୁରାଣ ବୁଝେଇବା ସହଜ କଥା ନୁହେଁ।

ହଠାତ୍ ବାବୁଲି ଅରକ୍ଷିତ ଖଟେଇଙ୍କ ପାଦ ତଳେ ଲମ୍ବା ହେଇ ପଡ଼ିଗଲା, କହିଲା –
: ତୁମେ ମୋର ଗୁରୁ, ବାପା, ଭାଇ, ଯାହା କହିବ ତାହା କରିବି। ମୋ ପରି ଏକ ମୂର୍ଖକୁ ପୁରାଣ ଶିଖେଇବା ପାଇଁ ବସିଛ। କ’ଣ ହେବ କେଜାଣି, ସେ ମାଆଙ୍କୁ ହିଁ ଜଣା।

: ବାବୁଲି ତୁମେ ଗୋଟେ କାମ କର ଆମ ଘରେ କିଛି ଦିନ ରହିଯାଅ। ମୁଁ ତୁମକୁ ସବୁକିଛି ଶିଖେଇ ଦେବି।
: ରହି ଯାଆନ୍ତି ଯେ’ ତମେ ଆପଣେ ତ ଜାଣିଛ ଆଜ୍ଞା ମୋ ଘରଟା ଗାଁରେ ଅପନ୍ତରା ପଡ଼ିଛି, ଗାଁଟା ଯାକର ଲୋକ ସେଠି ଘଇତା ଏଇଥି ପାଇଁ ମୁଁ ରାତିରେ ଘରକୁ ଯିବି।

: ତାହାହେଲେ ଗୋଟେ କାମ କରିବା ତୁମେ ନିତି ଖାଇ ପିଇ ଖରାବେଳିଆ ଆସିଯାଅ, ଆମେ ଉପରବେଳା ଚାରିଟାରୁ ରାତି ଆଠଟା ନଅଟା ଯାଏ ନାଚ ଶିଖିବା।

ଏମିତି ଚାରି ମାସ ଶିଖିବା ପରେ ସେମାନେ ପ୍ରଥମେ କେନ୍ଦୁପଲ୍ଲୀରେ ହିଁ ନାଚ କଲେ। ଖୁବ୍ ଡର ଲାଗୁଥିଲା ବାବୁଲିକୁ। ବାବୁଲି ଗାଁର ଛତରା ପିଲାମାନଙ୍କ ଭିତରେ ଶ୍ରେଷ୍ଠ, ସିଏ ପୁଣି ଦାସକାଠିଆ ପରି ଏକ ପୌରାଣିକ ତଥା ପଣ୍ଡିତମାନଙ୍କ ନାଚରେ ପାଳିଆ ହେବ, ଲୋକଙ୍କୁ ପୁରାଣ ଶୁଣେବାରେ ସହଯୋଗ କରିବ। ଗାଁଟା ସାରା ଲୋକ ବଡ଼ କୌତୁହଳି ଥିଲେ ଯେ ବାବୁଲି କେମିତି ନାଚ କରିବ, ବାବୁଲି ନିଜେ ବି ଦ୍ୱନ୍ଦ୍ୱରେ ଥିଲା। କିନ୍ତୁ ପାଳିଆ ମାନଙ୍କର କାମ ତ ଗାହାକ ଯାହା ଗାଉଥିବ ତାର ପାଳି ଧରିବା ଓ ମଝି ମଝିରେ ମୌଜିଆ କଥା ମାନ କହି ବା ଗାଇ ଲୋକଙ୍କୁ ପୁରାଣର ଭାବ ଗମ୍ଭୀର ଭଉଁରୀ ଭିତରୁ ଟିକେ ହାଲ୍କା କରିବା। ସେଦିନ ‘ଶୋଭାବତୀ ହରଣ’ ହିଁ ସେମାନେ ଶୁଣେଇଥିଲେ। ଶୋଭାବତୀ ଇନ୍ଦ୍ରଙ୍କ ଝିଅ, ଶ୍ରୀକୃଷ୍ଣଙ୍କ ପୁଅକୁ ବିବାହ କରିଥିଲା। ପ୍ରକୃତରେ ବାବୁଲିକୁ ଖୁବ୍ ମାନୁଥିଲା ସେ ପାଳିଆ ବେଶ। ଜରିପକା ଲମ୍ବାକୋଟ୍, ଚିକ୍ ମିକ୍ କରୁଥିବା ପତଳା କନାର ପ୍ୟାଣ୍ଟ, ମୁଣ୍ଡରେ ପଗଡ଼ି, ପଗଡ଼ି ଉପରେ ଧଳା ଝୁଲ। ପାଦରେ ମୋଟା ମୋଟା ଘୁଙ୍ଗୁର, ହାତରେ ଦାସକାଠିର କାଠି, ତାହିଁରେ ବି ଅଳ୍ପ ଅଳ୍ପ ଘୁଙ୍ଗୁର ଲାଗିଥିବ। ଗାହାକଙ୍କ ଚାରୋଟି କାଠି, ଦୁଇ ହାତରେ ଦୁଇ ଦୁଇ, ହାତ ଆଙ୍ଗୁଠି ଓ ପାପୁଲି ଭିତରେ ଜାକି ବଜାଉଥିବେ। ପାଳିଆଙ୍କର ଦୁଇଠି କାଠି ବାଁ’ ହାତ ଆଙ୍ଗୁଠି ସନ୍ଧିରେ ରଖି ଡ଼ାହାଣ ହାତ ଆଙ୍ଗୁଠିରେ ଖଟ୍ ଖଟ୍ କରି ବଜାଉଥିବେ। ରାତି ଆଠଟା ନ’ଟା ବେଳକୁ ନାଚ ଆରମ୍ଭ ହୁଏ, ଗାଁ ମଝିରେ, ଉପରେ ନଡ଼ିଆ ବାହୁଙ୍ଗାର ଛାମୁଟିଆ ତଳେ ଖଜୁରି ପଟି, ଦୁଇଟି ପେଟ୍ରୋମ୍ୟାକ୍ସ ଲାଇଟ୍। ଗାଁ ଗାଁକୁ ବିଜୁଳି ଆସିବା ପରେ ବି ପ୍ରାୟତଃ ଦାସକାଠିଆ ନାଚ ବାଲା ମାଇକ୍ ବ୍ୟବହାର କରି ନ’ଥାନ୍ତି। ତାଙ୍କ ଗଳା ଏମିତି ଯେ’ ଯେତେବେଳେ ଗାଁ ଦାଣ୍ଡରେ ଛାନ୍ଦ ଗାଉଥିବେ “ ଆସ ଜୀବର ଧନମୋର ପଖାଳ କଂସା, ତୋ ବିହୁନେ ସଜନୀରେ ଉଡ଼ୁଛି ହଂସା” ବା “ଧୀରେ ଧାମନ୍ତେ ସୁନ୍ଦର ଧରଣୀ, ଧରୁ ଧରୁ ଧନୁ ମୃଗ ପଳାୟନ୍ତେ, ଗୋଡ଼ାଇଛନ୍ତି ରଘୁମଣି, ” ସାରା ଗାଁ କମ୍ପି ଯାଉଥିବ ସେଇ ସଂଗୀତର ସୁମଧୁର ସ୍ୱରର ଲହରୀରେ।

ଏମିତି ତାଙ୍କ ଦାସକାଠି ନାଚ ଗାଁକୁ ଗାଁ ବୁଲିବାରେ ଲାଗିଲା, ବହୁ କରତାଳି ବହୁ ଫୁଲମାଳ ମିଳିଲା। ବାବୁଲି ବି ଆସ୍ତେ ଆସ୍ତେ ସୁଧୁରିବାକୁ ଲାଗିଲା, ମଦ ପାଣି ଭଳି ସବୁ ପ୍ରକାର ନିଶା ଛାଡ଼ିଦେଲା। ଅରକ୍ଷିତ ଖଟେଇକୁ ବାପା, ଭାଇ, ଗୁରୁ ମାନିଲା। ନିତି ଗାଧୋଇ ପାଧୋଇ ତୁଳସୀ ଗଛରେ ପାଣି ଦେଲା, ରାଧାକୃଷ୍ଣ ମନ୍ଦିର ଗଲା। ଗାଁରେ ପାଞ୍ଚ ଲୋକରେ ଜଣେ ଭାବେ ଗଣତି ହେଲା। ତେବେ, କେତେ ଚେଷ୍ଟା କରିବି ଗାଁ ଲୋକଙ୍କ କବଳରୁ ତା ଘରକୁ ମୁକ୍ତ କରିପାରିଲା ନାହିଁ, ସେମିତି ରାତି ଦିନ ତାସ ଖେଳ ହୋ ହାଲ୍ଲା।

ବର୍ଷର ଛ’ମାସରୁ ଆଠମାସ ସେମାନେ ଗାଁ ଗାଁ ବୁଲି ନାଚ କରନ୍ତି ପୁଣି ବର୍ଷା ଚାରି ମାସ ଗାଁରେ କଟାନ୍ତି। ବାବୁଲି ବି ସେଇ ନାଚରୁ କିଛି ଅର୍ଥ ଉପାର୍ଜନ କରିଥାଏ, ସେଥିରେ କିଛି ମାସ ଖୁସିରେ ଚଳେ। ସେତେବେଳେ ଗାଁକୁ ବିଜୁଳିବତୀ ଆସି ନଥିଲା। ତା’ଘରର ପ୍ରଥମ ବଖରାଟି ବିରାଟ ବଡ଼। ତା’ପରେ ଦୁଇଟି ଗମ୍ଭୀରି ଘର, ଅଗଣା ଓ ରୋଷେଇ ଘର। ସେ ପ୍ରଥମ ବଖରାରେ ଗୋଟେ ଦଉଡ଼ିଆ ଖଟ ପକାଇ ବାବୁଲି ଶୁଏ, ରାତିରେ ତ ଶୋଉ ଶୋଉ ଡ଼େରି କେବେ କବାଟରେ ଗେଡା ଦିଏ ନାହିଁ। ଗାଁ ଲୋକଙ୍କ ଗହଳି ଭାଙ୍ଗିଲେ ତ ଶୋଇବ। ଏଣୁ ତ ଉଠୁ ଉଠୁ ଡ଼େରି ହେଇଯାଏ। ଦିନେ ହଠାତ୍ କାହା ଛୁଆଁରେ ତା ନିଦ ଭାଙ୍ଗିଗଲା। ଉଠି ଚାହିଁଲା ବେଳକୁ ପାଖରେ କ୍ଷୀର କଳସୀଟିଏ ଧରି ଠିଆ ହେଇଛି ଛୋଟି ଗଉଡ଼ୁଣି। ୟା’ ପାଟିରୁ ବାହାରି ପଡ଼ିଲା –
: ଟୋକିଆଈ ତମେ?
: ହଁ, ନେରେ ନାତିଆ ତୋ ପାଇଁ କ୍ଷୀର ଆଣି ଦେଇଛି।
: କେତେ ପଇସା ଦେବି?
: ଆରେ ପଇସା କ’ଣ ମ, ମୁଁ ଶରଧାରେ ଆଣି ଦେଇଛି ନା।
: ହେଉ, ମୁଁ ଜାଗା ଆଣେ

ଖଟରୁ ଉଠି ଲୁଙ୍ଗି ସଜାଡ଼ିଲା, ଘର ଭିତରକୁ ଯାଇ ମୁହଁ ଧୋଇ ଜାଗାଟିଏ ଆଣିଲା କ୍ଷୀର ରଖିବା ପାଇଁ। ତେବେ କ୍ଷୀର ଦେଇ ଛୋଟି ଗୌଡ଼ୁଣୀ ଚାଲିଗଲା। ତା ଯିବା ପଛକୁ ଇଏ ଚାହିଁ ରହି ଭାବୁଥିଲା, ଗାଁର ଅନେକ ଲୋକ ତ ମୁଁ ଏକୁଟିଆ ବୋଲି ମତେ ଅନେକ କିଛି ଦିଅନ୍ତି କିନ୍ତୁ ଆଜିର ଏ କ୍ଷୀର ଆଣିଦେବା କେମିତି ତା’ ମନରେ ଏକ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଛୋଟି ଗୌଡ଼ୁଣୀ ଡ଼ମ୍ବରୁ ଗୌଡ଼ର ଦୋହଡ଼ ପତ୍ନୀ। ବୟସରେ ଡ଼ମ୍ବରୁଠୁ ଢେର୍ ସାନ, ପ୍ରାୟ କୋଡ଼ିଏ ବର୍ଷ ଊଣା ହେବ। ଦେଖିବାକୁ ଶ୍ୟାମଳି ହେଲେ ମଧ୍ୟ ଗୁଲ୍ ଗାଲିଆ ଦେହ, ଦି’ଟା ଛୁଆର ମାଆ ବୋଲି ତାକୁ କେହି କହିବେନି। ଡ଼ମ୍ବରୁ ଗୌଡ଼ର ୟାର କେବେ ପଡ଼େନି, ସବୁବେଳେ ପାଟି ତୁଣ୍ଡ, ଗାଁରେ ନ୍ୟାୟ ନିଶାପ। ଥିବା ଘରର ଝିଅ, ବାହା ହେଲା ବେଳକୁ କିଛି ଜମି, ସୁନା ଓ ଗାଈ ମଇଁଷି ପଲେ ଆଣିଥିଲା। ଡ଼ମ୍ବରୁ ଗୌଡ଼ର ଜମିବାଡ଼ି ଢ଼େର, ଛେଳି କୁଆଁର, ମଇଁଷି କୁଆଁର ଥିଲା। କ୍ଷୀର, ଦହି, ଘିଅ ବିକି ସେମାନେ ଖୁବ୍ ଭଲରେ ଚଳୁଥା’ନ୍ତି। ତେବେ ଛୋଟିଗୌଡ଼ୁଣୀ ଠେ ଦୋଷ ଅଛି ବୋଲି ଗାଁ ଲୋକ ସବୁବେଳେ ଟୁପୁରୁ ଟାପର। ଡ଼ମ୍ବରୁ ଗୌଡ଼ ଗାଁଟା ଯାକର ଅଜା, ଏଣେ ଛୋଟି ଗୌଡ଼ୁଣୀର ବୟସ ଆଈ ହେବାକୁ ହେଇନି, ଏଣୁ ଗାଁ ଟୋକାଟୋକି ତା’କୁ ଟୋକିଆଈ ହିଁ ଡ଼ାକନ୍ତି।

ପରଦିନ ସକାଳୁ ପୁଣି ଛୋଟିଗୌଡ଼ୁଣୀ ବାବୁଲିକୁ ଉଠେଇଲା, ସେ ଡ଼େରିରେ ଶୋଇଥିବାରୁ ନିଦ ଭାଙ୍ଗୁନଥିଲା, ଇଏ ତା’ର କୁଆଡ଼େ କୁଆଡ଼େ ହାତ ମାରିଲା କେଜାଣି ସେ ଚିତ୍କାର କରି ଉଠିଲା। ଛୋଟିଗୌଡ଼ୁଣୀ କ୍ଷୀର ଠେକିଟା ଛେଚି ଦେଇ ଛାନିଆରେ ପଳେଇଛି। ଦିନସାରା ବାବୁଲିକୁ ଏ କଥା ଘାଣ୍ଟୁଥିଲା କ’ଣ ଛୋଟିଗୌଡ଼ୁଣୀ ତା ସାଙ୍ଗରେ ସେମିତି ସଂପର୍କ ରଖିବାକୁ ଚାହୁଁଛି। ସତକୁ ସତ ସେଦିନ ରାତି ଦି’ଘଡ଼ିଥିଲା ଛୋଟିଗୌଡ଼ୁଣୀ ଆସି ବାବୁଲିକୁ କୁଣ୍ଢେଇ ଧରି ଶୋଇପଡ଼ିଥିଲା। ସ୍ତ୍ରୀର ଏ ପ୍ରକାର କାଣ୍ଡ କାରଖାନା ପାଇଁ ଡ଼ମ୍ବରୁ ଗୌଡ଼ ନିଘା ରଖିଥାଏ। ତେବେ କ’ଣ କରିବ, ଜଣେ ଯଦି ଖରାପ ହେବାକୁ ଚାହିଁବ ତାକୁ କିଏ ଆୟତ୍ତ କରି ପାରିବ। ଦିନେ ଦିନ ଦିପହର ଯାଏଁ ଛୋଟିଗୌଡ଼ୁଣୀ ଆଉ ଘରକୁ ଫେରିଲାନି। ଡ଼ମ୍ବରୁ ଏଥର କରେ କ’ଣ? ସାହି, ଭାଇ, ଗାଁ, ତୋଟା, ଖଳାମାଳ, ବିଲମାଳ, ଛେଳି କୁଆଁର, ମଇଁଷି କୁଆଁର ଚାରିଆଡ଼େ ଖୋଜିଲା, ଲୋକ ପଠେଇଲା ତା ବାପା ଘର ଗାଁକୁ, ବନ୍ଧୁ ବାନ୍ଧବ ସମସ୍ତଙ୍କ ଘରକୁ କେଉଁଠି ବି ପତା ପାଇଲାନି ତା ସ୍ତ୍ରୀର।

ଏଣେ ଗାଁ ଲୋକ ବି ବାବୁଲିକୁ ନ ଦେଖି ସମସ୍ତେ ଅନୁମାନ କଲେ ଓ ଜାଣିଗଲେ ବାବୁଲି ହିଁ ଛୋଟିଗୌଡ଼ୁଣୀ କୁ ନେଇ ପଳେଇଛି। ତା ଘରେ, ବାରିରେ ବିରାଟ ତାଲା ଝୁଲୁଛି। ଏଥର ଗାଁ ଲୋକେ ତା ଦାଣ୍ଡ ବାରଣ୍ଡରେ ହିଁ ଖଟି କଲେ। ଡ଼ମ୍ବରୁ ଗୌଡ଼ ବୁଢା ବୟସରେ କରେ କ’ଣ, ବଡ଼ ପୁଅକୁ ଦଶ ବର୍ଷ, ସାନଟା ଝିଅଟା ଛ’ବର୍ଷ ହେବ, ପିଲାଙ୍କୁ ଧରି ଗାଈ, ମଇଁଷି, ଛେଳି ବିଲ ବାଡ଼ି ଧରି ଘାଣ୍ଟି ହେଲା। ବହୁ ସମୟରେ ଭାବୁଥିଲା କୋଉ ଜନ୍ମରେ କୋଉ ପାପ କରିଥିଲି ତ ଏ ଜନ୍ମରେ ସବୁ ଥାଇ ବି କିଛି ନାହିଁ। ଗୋଟେ ମାଇପ ମଲା, ଆଉ ଗୋଟେ କାହା ସାଙ୍ଗରେ ପଳେଇଲା।

ପ୍ରାୟ ତିନି ମାସ ପରେ ବାବୁଲି ଘରର ତାଲା ଖୋଲିଲା, ବାବୁଲିକୁ ଦେଖିବାକୁ ଗାଁ ଲୋକ ଗଦା ହେଇଗଲେ। ଏଣେ ଛୋଟିଗୌଡ଼ୁଣି ତା ଘରକୁ ଗଲା, ପିଲାମାନେ ମାକୁ ଦେଖି ରଡ଼ିଲେ, ଇଏ ବି ବହୁତ କାନ୍ଦିଥିବ କିନ୍ତୁ ଡ଼ମ୍ବରୁ ଗଉଡ଼ ଠେଙ୍ଗା ଧରି ଗୋଡ଼େଇଲା ମୋ ଘରୁ ବାହାର ବୋଲି ତାକୁ ତଡ଼ିଲା। ଛୋଟିଗୌଡ଼ୁଣି ଏଥର କରେ କ’ଣ ଘର ଘର ବୁଲି ଗାଁ ମୁଖିଆ ମାନଙ୍କୁ ନେହୁରା ହେଲା, ଗୁହାରି ହେଲା ତାକୁ କ୍ଷମା କରିଦିଅ ବୋଲି କ୍ଷମା ମାଗିଲା କେହି କିଛି ଶୁଣିଲେ ନାହିଁ। ଶେଷକୁ ସେ ଠିକ୍ କଲା ତା ବାପା ଘରୁ ଆଣିଥିବା ଜମି, ବାଡ଼ି, ସୁନା ରୂପା ନେଇ ଅଲଗାରେ ଘର କରିବ ନ ହେଲେ ବାବୁଲି ନେକାପ ପାଖରେ ରହିବ। କିନ୍ତୁ ଗଉଡ଼ ହେଲେ କ’ଣ ହେବ ଡ଼ମ୍ବରୁର ଦୂର ଦୃଷ୍ଟି ଥିଲା ଏ ମାଇକିନାର ଚାଲି ଚଳନି, ଗତିବିଧିକୁ ଲକ୍ଷ୍ୟ କରି ସେ ଆଣିଥିବା ଜମି ସବୁ ପିଲାଙ୍କ ନାଁରେ ଲେଖେଇ ଦେଇଥିଲା। ଯେମିତିକି ପିଲା ବଡ଼ ହେଲେ ହିଁ ଏ ଜମିକୁ ବିକି ପାରିବେ, ଭାଙ୍ଗି ପାରିବେ ଯାହା କରିବେ ତାହା ତାଙ୍କର, ଏଥିରେ ଛୋଟିଗୌଡ଼ୁଣୀ କିଛି ହାତ ମାରିପାରିବ ନାହିଁ।

ଏଣେ ଡ଼ମ୍ବରୁ ଗୌଡ଼, ଗୌଡ଼ ପୁଞ୍ଜାକୁ ଧରି ତା ସ୍ତ୍ରୀ ଓ ବାବୁଲି ବିରୋଧରେ ଗାଁ ପଞ୍ଚୁଆତି ଆଗରେ ଅଭିଯୋଗ କଲା ନିଶାପ ମାଗିଲା। ଗାଁ ଲୋକେ ସଭା ଡ଼ାକି ଗାଁ ଦାଣ୍ଡରେ ବସିଲେ, ଏସବୁ କଥା ଉପରେ ତର୍ଜମା ଚାଲିଲା। ବହୁ ଲୋକ ବାବୁଲିର ସପକ୍ଷରେ ଗଲେ ଓ ଛୋଟିଗୌଡ଼ୁଣୀକୁ ବିଭିନ୍ନ ଅଶ୍ଳୀଳ ଦଣ୍ଡ ଦେବା ପାଇଁ କହିଲେ। କିନ୍ତୁ ଡ଼ମ୍ବରୁ ଗୌଡ଼ ସମସ୍ତଙ୍କୁ ଗୁହାରି ହେଇ କହିଲା ଯେ ତାକୁ ଗାଁରୁ ଘଉଡ଼ି ଦିଅ, ଆଉ କିଛି କର ନାହିଁ। ଗାଁ ଲୋକ ବହୁ ବିଚାର ପରେ ନିଷ୍ପତ୍ତି ନେଲେ ଯେ ଏଇ କର୍ମରେ ଉଭୟେ ଦୋଷୀ, ଏଣୁ ଉଭୟେ ଦଣ୍ଡ ପାଇବେ। ଦଣ୍ଡ ହେଲା ଆସନ୍ତା କାଲି ରାତି ନ ପାହୁଣୁ ଛୋଟିଗୌଡ଼ୁଣୀ ଗାଁରୁ ବାହାରି ଯିବ ଏବଂ କେବେ କୌଣସି କାରଣରୁ ଗାଁ ଭିତରେ ପାଦ ଦେବ ନାହିଁ। ବାବୁଲି ନେକାପକୁ ଗାଁରେ ପାଣି ମନା, ନିଆଁ ମନା, କାହା ଘରକୁ ଯିବା ଆସିବା ମନା, କାହା ସହ କଥା ହେବା ମନା। ତାହା ହିଁ ହେଲା।
କେମିତି ଏ କଥା ସବୁ ବାବୁଲିର ବଡ଼ଭାଇମାନଙ୍କ ପାଖରେ ପହଞ୍ଚିଗଲା। ସମସ୍ତେ ଗାଁକୁ ଆସିଲେ। ବାବୁଲିକୁ କୌଣସି ସାହାଯ୍ୟ ବା ସହାନୁଭୁତି ନଦେଖାଇ ବରଂ ସେ ଭଙ୍ଗାଘରଟାକୁ ସମାନ ଭାଗରେ ବାଣ୍ଟି ଦେଲେ। ଘର ମଝିରେ କାନ୍ଥ ସବୁ ଠିଆ କରିଦେଲେ। କାନ୍ଥ ତିଆରିର ଖର୍ଚ୍ଚ ବାବୁଲି ନଦେଇପାରିବାରୁ ବାରିରେ ତା’ର କୌଣସି ଭାଗ ରହିଲା ନାହିଁ। ଯା’ତା’ ଘର ଚାବି ପକାଇ ସେମାନେ ପୁଣି ଫେରିଗଲେ।

ବାବୁଲି ବିଚରା କରେ କ’ଣ, ତା’ ଜୀବନ ସୁଧୁରିବା ଆଡ଼କୁ ଗତି କଲା ବେଳକୁ ହଠାତ୍ ଭୁଷୁଡ଼ିଗଲା। ଯେମିତି ଜୀଇଁ ଥିବା ଜୀବନ ତା’ଉପରେ ପଥର ମାଡ଼ ଦେଲା। ସେ କିଛି ଜାଣିପାରୁ ନଥିଲା କ’ଣ ସବୁ ଘଟି ଯାଉଛି। ଏସବୁ ପାଇଁ ସେ କେମିତି ଦାୟୀ? କିନ୍ତୁ କ’ଣ ହେଲା କେଜାଣି ବାବୁଲି ଘରର କବାଟ ତିନି ଦିନ ଯାଏ ଖୋଲିଲା ନାହିଁ। ବାହାରକୁ ଦୁର୍ଗନ୍ଧ ଯିବାରୁ ଗାଁ ଲୋକ କବାଟ ଭାଙ୍ଗି ଦେଖିଲେ, ଘର ପୁରୁଣା କାଠ ଦୁଲାରେ ଦୌଡ଼ି ବାନ୍ଧି ବେକରେ ଝୁଲେଇ ବାବୁଲି ମରିଯାଇଛି। କେବେଠୁ କ’ଣ ଖାଇଥିଲାକି ନାହିଁ କେଜାଣି କେବଳ ହାଡ଼ ଓ ଚର୍ମ ବିନା ତା ଦେହରେ ଆଉ କିଛି ନଥିଲା।
ଗାଁ ଲୋକେ ପୋଲିସ୍ କୁ ନ ଜଣେଇ ତା’ ଶବ ଦାହ କରିଦେଲେ। ଅରିକ୍ଷତ ଖଟେଇ ତା’ପର ଦିନ ସକାଳୁ ଗାଁକୁ ଆସିଥିଲେ। ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏତିକି କେବଳ କହିଥିଲେ ‘ବାବୁଲିକୁ ମୁଁ ନିଶାରୁ ରକ୍ଷା କରିପାରିଥିଲି ସିନା ନାରୀଠୁ ନୁହଁ, ଏତେ ଶକ୍ତି ମୋ ପାଖରେ ବି ନଥିଲା’।

ଏବେ ଅରକ୍ଷିତ ଖଟେଇର ନାତି ଗାଁ ହାଇସ୍କୁଲରେ ଶିକ୍ଷକ। କାଳେ ପ୍ରତିବର୍ଷ ଦଶହରାରେ ସେଇ ଦାସକାଠିର ଘୁଙ୍ଗୁର ଲଗା ଛ’ଖଣ୍ଡ କାଠିକୁ ସଜ ବସାଏ, ଧୂପ, ଦୀପ, ଝୁଣା, ଦୁବ ଚାଉଳ ଦେଇ ପୂଜା କରେ।

ପ୍ଲଟ୍ ନଂ-୧୦୪୬/୨୯୦୫,
ଶ୍ରୀରାମନଗର, ଲେନ୍-୧୩,
ଭୁବନେଶ୍ୱର-୭୫୧୦୦୨

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top