ଓଡ଼ିଶା

ପାର୍ଲାମେଣ୍ଟରେ ମହାନଦୀ ପ୍ରସଙ୍ଗ: ଓଡ଼ିଶା ପାଇଁ ଗଡ଼କରୀଙ୍କ ଉତ୍ତର ଏକ ବିଡ଼ମ୍ବନା : ସମାଜବାଦୀ ପାର୍ଟି

ଭୁବନେଶ୍ୱର, ତା ୪ା୧ (ଓଡ଼ିଆ ପୁଅ) : ଆଜି ସଂସଦରେ ଓଡ଼ିଶାର  ସାଂସଦମାନଙ୍କ ଦ୍ୱାରା ମହାନଦୀ ଟ୍ରିବୁନାଲ୍ ଗଠନ ନେଇ କେନ୍ଦ୍ର ଜଳସମ୍ପଦ ଓ ଗଙ୍ଗା କଲ୍ୟାଣ ମନ୍ତ୍ରୀ ନୀତିନ୍ ଗଡ଼କରୀ ଯେଉଁ ଉତ୍ତର ଦେଇଛନ୍ତି ତାହା ଓଡ଼ିଶାବାସୀଙ୍କୁ ନିରାଶ କରିବା ସହିତ ପୁଣିଥରେ ମହାନଦୀକୁ ନେଇ ଯେଉଁ ନ୍ୟାୟ ମିଳିବା କଥା ତାହା ବିଳମ୍ବିତ ହେବାକୁ ଯାଉଛି ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି। ପାର୍ଟିର ରାଜ୍ୟସଭାପତି ରବି ବେହେରା ଏହି ପ୍ରସଙ୍ଗରେ ଏକ ପତ୍ର ଲେଖି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଗଡ଼କରୀଙ୍କ ପାଖରେ ଦାବି କରିଛନ୍ତି ଯେ, ପ୍ରକୃତରେ ଯଦି କେନ୍ଦ୍ର ସରକାର ମହାନଦୀ ସମସ୍ୟାର ତୁରନ୍ତ ସମାଧାନ ଚାହାନ୍ତି ଏବଂ ଓଡ଼ିଶାବାସୀଙ୍କର ସ୍ୱାର୍ଥର ସୁରକ୍ଷା ପାଇଁ ବ୍ୟାକୁଳ ତାହେଲେ ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ନିର୍ମାଣ କରୁଥିବା ସମସ୍ତ ବନ୍ଧ ଓ ବ୍ୟାରେଜ୍ ଓ ନଦୀ ସଂଯୋଗୀକରଣ ପାଇଁ ନିର୍ମିତ ହେଉଥିବା ସମସ୍ତ କେନାଲକୁ ଅବିଳମ୍ବେ ବନ୍ଦ କରିବାର ପଦକ୍ଷେପ ନିଅନ୍ତୁ। ଓଡ଼ିଶା ସରକାର ଅତୀତରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ଦ୍ୱାରା ଆହୂତ ବୈଠକରେ ଯୋଗଦେଇ ଏ ସମ୍ପର୍କରେ ତଥ୍ୟ ଉପସ୍ଥାପିତ କରିଥିବା ସତ୍ତ୍ୱେ କେନ୍ଦ୍ର ବାରମ୍ବାର ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରିଆସିଛି। ମୁଖ୍ୟଶାସନ ସଚିବ ସ୍ତରୀୟ ବୈଠକ ହେଉ କିମ୍ବା ତକ୍ରାଳୀନ କେନ୍ଦ୍ର ଜଳ ସମ୍ପଦମନ୍ତ୍ରୀ ଉମାଭାରତୀଙ୍କ ଦ୍ୱାରା ଆହୂତ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୈଠକସ୍ତରୀୟ ଆଲାଚନା ମଧ୍ୟ ବିଫଳ ହୋଇଛି। ଛତିଶଗଡ଼ ସରକାର ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ମହାନଦୀର ଉପରମୁଣ୍ଡରେ ଡ୍ୟାମ୍ ଓ ବ୍ୟାରେଜ୍ ନିର୍ମାଣ କରିଚାଲିଥିଲେ ସୁଦ୍ଧା କେନ୍ଦ୍ର ସରକାର ଏହାକୁ ବନ୍ଦ କରିବା ପାଇଁ କୌଣସି ନିର୍ଦ୍ଦେଶନାମା ଜାରି କରିନାହାଁନ୍ତି। ବର୍ତ୍ତମାନ ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ବିଭିନ୍ନ ନଦୀକୁ ସଂଯୋଗୀକରଣ କରିବା ପାଇଁ ମଧ୍ୟ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏହି ନଦୀ ସଂଯେଗୀକରଣ ହେଲେ ମହାନଦୀକୁ ଅଣମୌସୁମୀ ଋତୁ କ’ଣ ଏଭଳିକି ବର୍ଷାଦିନେ ମଧ୍ୟ ଠୋପାଏ ପାଣି ଆସିବନାହିଁ। ଯାହାଫଳରେ ମହାନଦୀ ପାଣି ଉପରେ ନିର୍ଭର କରୁଥିବା ରାଜ୍ୟର ୧୫ଟି ଜିଲ୍ଲାର କୃଷି, ଜଳସେଚନ, ପାନୀୟଜଳଯୋଗାଣ ଓ ବିଦ୍ୟୁତ୍ ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ ହୋଇଯିବ ଏବଂ ହୀରାକୁଦ ନଦୀବନ୍ଧ ଯୋଜନା ଏକ ମୃତ ନଦୀବନ୍ଧ ଯୋଜନାରେ ପରିଣତ ହେବ। ମହାନଦୀ ଶୁଖିଗଲେ ଓଡ଼ିଶା ଏକ ମରୁଭୂମି ହୋଇଯିବ। ଏ ସମ୍ପର୍କରେ  ମୁଖ୍ୟମନ୍ତ୍ରୀ ବାରମ୍ବାର କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ମଧ୍ୟ କେନ୍ଦ୍ର ସରକାର ଏକ ଅସମ୍ଭବ ନିରବତା ଅବଲମ୍ବନ କରିଛନ୍ତି। ଆନ୍ତରାଜ୍ୟ ଜଳବିବାଦ ଆଇନ୍ ୧୯୫୬ର ଧାରା -୪ ଉପଧାରା ୧ ଅନୁଯାୟୀ ଓଡ଼ିଶା ସରକାରଙ୍କର ମହାନଦୀ ଟ୍ରିବୁନାଲ୍ ଗଠନ ନେଇ ହୋଇଥିବା ଦାବିର ଅବଧି ଗତ ନଭେମ୍ବର ୧୯ତାରିଖଠାରୁ ଶେଷ ହୋଇଯାଇଥିଲେ ହେଁ କେନ୍ଦ୍ର ସରକାର ମହାନଦୀ ଟ୍ରିବୁନାଲ୍ ଗଠନ ନେଇ ଏ ସମ୍ପର୍କରେ ଓଡ଼ିଶାକୁ ନ୍ୟାୟ ଦେବାରେ କୌଣସି ପଦକ୍ଷେପ ନେଇନାହାଁନ୍ତି। ଯାହାଫଳରେ  ସୁପ୍ରିମକୋର୍ଟ ଗତ ଡିସେମ୍ବର ୧୧ ତାରିଖ ଦିନ କେନ୍ଦ୍ର ସରକାରଙ୍କର ଏହି ନିରବତା ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ତେଣୁ ଆଜି  କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉତ୍ତର ଅତ୍ୟନ୍ତ ହାସ୍ୟାସ୍ପଦ, ଏହା ଓଡ଼ିଶାକୁ ତାର ପ୍ରକୃତ ନ୍ୟାୟ ଓ ଅଧିକାରରୁ ବଞ୍ଚିତ କରିବ। ଯଦି ପ୍ରକୃତରେ କେନ୍ଦ୍ର ସରକାର ମହାନଦୀ ଜଳବିବାଦ ତୁଟାଇବାକୁ ଚାହାଁନ୍ତି ତା’ହେଲେ ଛତିଶଗଡ଼ ନିର୍ମାଣ କରୁଥିବା ସମସ୍ତ ଡ୍ୟାମ୍ ଓ ବ୍ୟାରେଜ୍ ଓ ନଦୀ ସଂଯୋଗୀକରଣ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ତୁରନ୍ତ ନିର୍ଦ୍ଦେଶ ଦିଅନ୍ତୁ। ଏହାପରେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କୁ ଆଲୋଚନା ପାଇଁ ଡକାଗଲେ କୌଣସି ଅସୁବିଧା ହେବନାହିଁ। ତାହା ନହେଲେ ମହାନଦୀ ଟ୍ରିବୁନାଲ୍ ଗଠନ ଯାହା  ସୁପ୍ରିମକୋର୍ଟଙ୍କ ବିଚାରଧୀନ ଅଛି ଯାହା ଓଡ଼ିଶାର ସାମ୍ବିଧାନିକ ଅଧିକାର ତାହାହିଁ ଏକମାତ୍ର ବିକଳ୍ପ ବୋଲି ଶ୍ରୀ ବେହେରା ଏହି ଚିଠିରେ ଦର୍ଶାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top