ଜିଲ୍ଲା ପରିକ୍ରମା

ପାରିବାରିକ ସମସ୍ୟାକୁ ନେଇ ଲାଇଜଲ୍ ପିଇଲେ ପ୍ରେମୀଯୁଗଳ

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ)- ପରିବାର ଲୋକଙ୍କ ଅନିଚ୍ଛା ସତ୍ୱେ ଘରଛାଡି ଚାଲିଆସିଥିବା ଏକ ପ୍ରେମୀଯୁଗଳ କୋର୍ଟ ମ୍ୟାରେଜ କରି ଭଦ୍ରକରେ ରହିବା ମଧ୍ୟରେ ଲାଇଜଲ ଭଳି ବିଷାକତ କେମିକାଲ ଖାଇ ଆତ୍ମହତ୍ୟା କରିବା ଉଦ୍ୟମ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ପ୍ରେମୀଯୁଗଳ ରହୁଥିବା ଭଡାଘରର ପଡୋଶୀ ମାନଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ତାଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ତିହିଡି ଥାନା ଅଧୀନସ୍ଥ କୁବେରା ଗ୍ରାମନିବାସୀ କମଳାକାନ୍ତ ବାରିକ ଡାକ ବିଭାଗରେ କାର୍ଯ୍ୟ କରନ୍ତି। ତାଙ୍କର ପୁତ୍ର ଜ୍ଞାନରଂଜନ (୨୫) ଉଚ୍ଚଶିକ୍ଷା ପରେ “ପ୍ୟାଙ୍କଜୋନ୍” ନାମକ ଏକ କଂପାନୀର ମ୍ୟାନେଜର ଭାବେ ଭଦ୍ରକରେ ଚାକିରୀ କରନ୍ତି। ଇତିମଧ୍ୟରେ ଜ୍ଞାନରଂଜନଙ୍କର ନିଜ ଗ୍ରାମର ଡମ୍ବରୁଧର ସାହୁଙ୍କ କନ୍ୟା ସୁଭଦ୍ରା (୨୦) ସହ ପ୍ରେମ ସଂପର୍କ ହୋଇଥିଲା। ସୁଭଦ୍ରା ପାଳିଆ ସ୍ଥିତ ବରିଞ୍ଚି ନାରାୟଣ ମାଧବାର୍ଜୁନ ମହାବିଦ୍ୟାଳୟରେ ଯୁକ୍ତ ତିନିରେ ପଢେ। ଉଭୟଙ୍କ ପରିବାର ସେମାନଙ୍କ ବିବାହରେ ରାଜି ନଥିବାରୁ ଗତ ୨୮ ତାରିଖ ଦିନ ସେମାନେ ଘରୁ ପଳାଇଆସି କୋର୍ଟ ମ୍ୟାରେଜ୍ କରି ଭଦ୍ରକ ସହରର ଅପର୍ତ୍ତିବିନ୍ଧାରେ ଘରଭଡା ନେଇ ପତି-ପତ୍ନୀ ଭାବେ ରହିଆସୁଥିଲେ। ଗତକାଲି ସୁଭଦ୍ରା କଲେଜରୁ ପରୀକ୍ଷା ଦେଇ ଘରକୁ ଫେରିବା ପରେ ଭଜା ଭାଜିବାକୁ କେନ୍ଦ୍ର କରି ଜ୍ଞାନରଂଜନ ସହ ବଚସା ହୋଇଥିଲା। ଏହି ସାମାନ୍ୟ କଥାକୁ ନେଇ ସୁଭଦ୍ରା ଘରେ ଥିବା ଲାଇଜଲ (ଲାଟିନ୍ ଓ ବାଥରୁମ୍ ସଫା କରାଯିବାରେ ବ୍ୟବହୃତ ଏସ୍ଡି ଭଳି କେମିକାଲ) କୁ ପିଇ ଦେଇଥିଲେ। ଏହାଦେଖି ଜ୍ଞାନରଂଜନ ମଧ୍ୟ ବୋତଲରେ ବଳକା ଥିବା ଉକ୍ତ କେମିକାଲକୁ ପିଇଦେଇଥିଲେ। ଉଭୟ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବାବେଳେ ତାହା ଦେଖି ପଡୋଶୀ ଲୋକେ ସେମାନଙ୍କୁ ଗତକାଲି ରାତିରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଆସିଥିଲେ। ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିଲେ ମଧ୍ୟ ଉଚିତ୍ ସମୟରେ ଚିକିତ୍ସା କରାଯିବା ଯୋଗୁଁ ଉଭୟଙ୍କ ଜୀବନ ରକ୍ଷା ପାଇଯାଇଛି। ଏବେ ସେମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଉଭୟଙ୍କ ପରିବାର ସେମାନଙ୍କୁ ଦେଖାଶୁଣା କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top