ଓଡ଼ିଶା

ପାରା ଭାଡି ଉଠି ବସିଲା ଖପୁରୀ

ପୁରୀ:୦୩/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପାଖେଇ ଆସୁଛି ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ରଥଖଳା ରଥ ନିର୍ମାଣ ପାଇଁ ଏବେ ବେଶ ଚଳଚଞ୍ଚଳ। ନିର୍ମାଣକାରୀମାନେ ତିନି ରଥ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଲାଗି ପଡିଛନ୍ତି। ରବିବାର ପାରା ଭାଡି ଉଠାଇବା ପରେ ତିନି ରଥରେ ଖପୁରୀ ସ୍ଥାପନ କରିଛନ୍ତି। ପ୍ରଥମ ପରସ୍ଥ ପୋଟଳ ଉପରେ ଥାଇ ଆଉ ବାର ପରସ୍ତ ପୋଟଳ ଉଠାଯାଇଛି। ପୂର୍ବରୁ ୩ରଥର କଇଁଚିବାଡିଆ ଶେଷ ହୋଇଥିଲା। ବର୍ତ୍ତମାନ ତିନି ରଥ ଉପରେ ପାରା ଭାଡି ଉଠାଇ ଦିଆଯାଇଛି। ବିସର୍ଜନଙ୍କ ନିର୍ଦ୍ଦେଶରେ ଭୋଇ ସେବକମାନେ ପୋଟଳ ପଟାରେ ଦୌଡି ବାନ୍ଧି ରଥ ଉପରକୁ ଉଠାଇଥିଲେ। ପ୍ରଥମ ପୋଟଳ ପୂର୍ବରୁ ବସି ସାରିଥିବା ବେଳେ ତାହା ଉପରେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ପରସ୍ତ ପୋଟଳ ରଖାଯାଇଛି। ଏହା ପରେ ପାରା ଭାଡି ଉଠା ଯାଇଥିଲା। ଷଷ୍ଠ ଓ ସପ୍ତମ ପରସ୍ତ ପୋଟଳକୁ ଯୋଡାଯାଇ ପାରାଭାଡି ପ୍ରସ୍ତୁତ କରାଯାଇଥିଲା। ମଝିରେ ପଟା ଦିଆଯାଇ ଏହାକୁ ପ୍ରସ୍ତୁତ କରାଯିବା ପରେ ରଙ୍ଗରେ ପାରା ଚିତ୍ର କରାଯାଇଥିଲା। ଚାରି ଖଣ୍ଡ କରି ଏହାକୁ ରଥ ଉପରକୁ ଟେକା ଯାଇ ଯୋଡା ଯାଇଥିଲା। ଭୋଇ ସେବକମାନେ ଏହାକୁ ନେଇ ରଥ ଉପରେ ସ୍ଥାପନ କରିବା ପରେ ଆଉ ପାଞ୍ଚ ପରସ୍ତ ପୋଟଳ ଉଠାଇଥିଲେ। ଶେଷରେ ଖପୁରୀ ସ୍ଥାପନ କରାଯାଇଥିଲା। ରଥର ଅଗ୍ରଭାଗ କଳସରେ ରଙ୍ଗ ଦିଆ ଚାଲିଛି। ପ୍ରଭା କାମ ପ୍ରାଏ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି। ବିଶ୍ୱକର୍ମାଙ୍କ କାର୍ଯ୍ୟ ସରିଥିବା ବେଳେ ରୂପକାରମାନେ ମୂର୍ତ୍ତି ଖୋଦେଇ କରିବେ। ପରେ ରଙ୍ଗ କରାଯାଇ ରଥରେ ସ୍ଥାପନ କରାଯିବ। ଦୁଆର ଗଢ଼ା କାମ ସମ୍ପୂର୍ଣ୍ଣ କରାଯାଇଛି। ସେଥିରେ ରଙ୍ଗ ଦିଆଯାଇ ପ୍ରସ୍ତୁତ କରାଯାଉଛି। ଖୁବଶୀଘ୍ର ତିନି ରଥରେ ୧୨ଟି ଦୁଆର ବେଢ଼ା ଉଠିବ। ମହାପ୍ରଭୁଙ୍କ ସିହାଂସନର କାମ ଚାଲିଛି। ରଥମାନଙ୍କରେ ପଟା ବାଡିଆ କାମ ପ୍ରାୟ ଶେଷ ଉପରେ। ଚିତ୍ରକର, କମାର, କରତୀ, ରୂପକାର ଆଦି ସେବକମାନେ କାର୍ଯ୍ୟରେ ଲାଗି ପଡିଛନ୍ତି। ନେତ୍ରୋତ୍ସବରେ ରଥ ସମ୍ପୂର୍ଣ୍ଣ ହୋଇ ସିଂହଦ୍ୱାରରେ ପହଞ୍ଚିବ ବୋଲି ବିଶ୍ୱକର୍ମାମାନେ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top