ଓଡ଼ିଶା

ପାରାଦୀପରେ ବିମାନ ବନ୍ଦର ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର

– କେନ୍ଦ୍ର ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଲେଖିଲେ ପତ୍ର
– ପାରାଦୀପରେ ବିମାନ ବନ୍ଦର ସ୍ଥାପନା ନେଇ ବୈଷୟିକ
– ଆର୍ଥିକ ଫିଜିବିଲିଟି ସମ୍ପର୍କରେ ପରୀକ୍ଷା କରିବାକୁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବା ପାଇଁ କଲେ ଅନୁରୋଧ
ଭୁବନେଶ୍ୱର, ୨୪ ଏପ୍ରିଲ (ଓଡ଼ିଆ ପୁଅ) – ପାରାଦୀପରେ ଏକ ବିମାନ ବନ୍ଦର ସ୍ଥାପନା କରିବାକୁ ନେଇ କେନ୍ଦ୍ର ବାଣିଜ୍ୟ, ଶିଳ୍ପ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପାରାଦୀପରେ ବିମାନ ବନ୍ଦର ସ୍ଥାପନା ନେଇ ବୈଷୟିକ- ଆର୍ଥିକ ଫିଜିବିଲିଟି ସମ୍ପର୍କରେ ପରୀକ୍ଷା କରିବାକୁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବା ପାଇଁ ଶ୍ରୀ ପ୍ରଧାନ ଏହି ପତ୍ରରେ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପାରାଦୀପ ହେଉଛି ପୂର୍ବ ଭାରତର ପ୍ରମୁଖ ବନ୍ଦର। ଗତ ବର୍ଷ ୧୦୦ ମିଲିୟନ ଟନରୁ ଅଧିକ ମାଲ ପରିବହନ କରିଥିବା ଦେଶର ତିନୋଟି ବନ୍ଦର ମଧ୍ୟରେ ପାରାଦୀପ ଅନ୍ୟତମ ଥିଲା। ପାରାଦୀପ ବନ୍ଦରର ଆଧୁନୀକୀକରଣ କାର୍ଯ୍ୟ ଚାଲିଛି ଓ ୨୦୨୦ ସୁଦ୍ଧା ପାରାଦୀପ ବନ୍ଦରରୁ ୩୨୩ ମିଲିୟନ ଟନ ମାଲ ପରିବହନ କରା ଯାଇ ପାରିବା ସହ ଏହା ଦେଶର ସବୁଠାରୁ ବଡ ମାଲ ପରିବହନ କରି ପାରୁଥିବା ବନ୍ଦରରେ ପରିଗଣିତ ହେବ। ଖଣିଜ ସମ୍ପଦ ବିଶିଷ୍ଟ ରାଜ୍ୟ ଗୁଡିକ ଏହି ବନ୍ଦରର ନିକଟରେ ହୋଇଥିବାରୁ ଏହା ପାରାଦୀପ ବନ୍ଦରର ବୃଦ୍ଧିରେ ସହାୟକ ହେବ।

ଶ୍ରୀ ପ୍ରଧାନ ଏହି ପତ୍ରରେ କହିଛନ୍ତି ଯେ ଭାରତ ସରକାର ପାରାଦୀପ ବନ୍ଦରକୁ ସ୍ମାର୍ଟ ପୋର୍ଟ ଇଣ୍ଡଷ୍ଟ୍ରିଆଲ ସିଟି ଭାବେ ଘୋଷଣା କରି ସାରିଛନ୍ତି। ପାରାଦୀପ ଧୀରେ ଧୀରେ ଓଡିଶା ଏବଂ ପୂର୍ବ ଭାରତର ଇଣ୍ଡଷ୍ଟ୍ରିଆଲ ହବ ହେବାଲେ ଲାଗିଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପାରାଦୀପରେ ବନ୍ଦର ବ୍ୟତୀତ ୧୫ ଏମଏମଟିପିଏ କ୍ଷମତା ବିଶିଷ୍ଟ ତୈଳ ବିଶୋଧନାଗାର, ୧୨ ଏମଏମଟିପିଏ କ୍ଷମତା ବିଶିଷ୍ଟ ପେଲେଟ ପ୍ଲାଂଟ, ମୋଟ ୪ ଏମଏମଟିପିଏ କ୍ଷମତା ବିଶିଷ୍ଟ ଦୁଇଟି ସାର କାରଖାନା ଓ ଗୋଟିଏ ଖାଇବା ତେଲ ବିଶୋଧନାଗାର ରହିଛି। ଏହା ବ୍ୟତୀତ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅନେକ ଅନେକ ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି।

ମନ୍ତ୍ରଣାଳୟ ତୈଳ ବିଶୋଧନାଗାରର କ୍ଷମତାକୁ ସଂପ୍ରସାରଣ କରି ୧୫ ଏମଏମଟିପିଏରୁ ବଢାଇ ୨୧ ଏମଏମଟିପିଏ କ୍ଷମତା ବିଶିଷ୍ଟ କରିବାକୁ ଯାଉଥିବା ବେଳେ ୨୦୧୮ ସୁଦ୍ଧା ୭୦୦ ଟିଏମଟି ପଲି ପ୍ରପିଲିନ ପ୍ଲାଂଟ କାର୍ଯ୍ୟକାରୀ କରିବାକୁ ଯାଉଛି। ସେହିପରି ମନ୍ତ୍ରଣାଳୟ ୨୦୨୩-୨୪ ସୁଦ୍ଧା ୩୫୫ ଟିଏମଟି କ୍ଷମତା ବିଶିଷ୍ଟ ମନୋ ଇଥାଇଲ ଗ୍ଲାଇକଲ ୟୁନିଟ ସ୍ଥାପନା କରିବାକୁ ଯାଉଛି। ଏଗୁଡିକ ଦ୍ୱାରା ଆଗାମୀ ଦିନରେ ପ୍ଲାଷ୍ଟିକ, ପେଂଟ, ରବର, ସିଂଥେଟିକ ୟାର୍ନ ଶିଳ୍ପ ପରି ଅନେକ ଡାଉନଷ୍ଟ୍ରିମ ଶିଳ୍ପ ପ୍ରତିଷ୍ଠା ହେବ। ଏହି ଶିଳ୍ପ ଗୁଡିକ ଆଗାମୀ ଦିନରେ ସ୍ଥାପିତ ପ୍ଲାଷ୍ଟିକ ପାର୍କକୁ ସାହାଯ୍ୟ କରିବା ସହ ଅଂଚଳରେ ଆର୍ଥିକ ଗତିବିଧିକୁ ପ୍ରୋତ୍ସାହିତ କରିବ।

ଶ୍ରୀ ପ୍ରଧାନ ଏହି ପତ୍ରରେ ଲେଖିଛନ୍ତି ଯେ ପାରାଦୀପର ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ପାରାଦୀପ ଯାଏ ଗ୍ୟାସ ପାଇପଲାଇନ ବିଛା ଯାଉଛି। ସେହିପରି ଲଜିଷ୍ଟିକ ଓ ବେୟାରହାଉସିଂର ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତମାଳାରେ ପାରାଦୀପ ଠାରେ ମଲ୍ଡି ମଡାଲ ଲଜିଷ୍ଟିକ ପାର୍କକୁ କାର୍ଯ୍ୟକାରୀ କରା ଯାଉଛି।

ଏହି ସବୁ କାମ ପାଇଁ ପାରାଦୀପର ରେଳ ଓ ସଡକ ମାର୍ଗରେ ସଂଯୋଗରେ ବ୍ୟାପକ ବିସ୍ତାର କରାଯିବାର ଆବଶ୍ୟାକତାକୁ ଆଖି ଆଗରେ ରଖି ଚଂଡିଖୋଲ- ପାରାଦୀପ ଜାତୀୟ ରାଜପଥକୁ ୮ ଲେନ ବିଶିଷ୍ଟ କରିବା, ପାରାଦୀପ ଦେଇ ଦୀଘା- ଗୋପାଳପୁର କୋଷ୍ଟାଲ ହାଇବେର ନିର୍ମାଣ, ପାରାଦୀପ – ହରିଦାସପୁର ରେଳଲାଇନ କାମ ଚାଲିଛି। ଏହା ଦ୍ୱାରା ଆଗାମୀ ଦିନରେ ପାରାଦୀପରେ ପ୍ରତିଷ୍ଠା ହେବାକୁ ଥିବା ଡାଉନଷ୍ଟ୍ରିମ ଶିଳ୍ପ ଦ୍ୱାରା ପରିବହନ କ୍ଷେତ୍ରରେ ଆସିବାକୁ ଥିବା ଆବଶ୍ୟକତାକୁ ପୂରଣ କରା ଯାଇ ପାରିବ।

ଶ୍ରୀ ପ୍ରଧାନ ଏହି ପତ୍ରରେ କହିଛନ୍ତି ଯେ ୪୧୯୦ କୋଟି ଟଙ୍କା ବ୍ୟୟରେ ନ୍ୟାସନାଲ ଇନଲ୍ୟାଣ୍ଡ ବାଟରବେଜ -୫କୁ ମଧ୍ୟ କାର୍ଯ୍ୟକାରୀ କରା ଯାଉଛି। ଏହାର କାମ ୨୦୨୩ ସୁଦ୍ଧା ପୂରା କରା ଯିବାକୁ ଲକ୍ଷ୍ୟ ରଖା ଯାଇଛି। ଆଗାମୀ ଦିନରେ ପାରାଦୀପ ବନ୍ଦର ଆଧାରିତ ବିକାଶ କ୍ଷେତ୍ରରେ ଏକ ଉଦାହରଣ ହେବା ସହ ପୂର୍ବ ଭାରତର ବାଣିଜ୍ୟିକ ଓ ସାଂସ୍କୃତିକ ହବରେ ପରିଣତ ହେବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପାରାଦୀପ ପାଇଁ ଥିବା ଏହି ଭିଜନ ସେ ପର୍ଯ୍ୟନ୍ତ ପୂରା ହୋଇ ପାରିବ ନାହିଁ ଯେ ପର୍ଯ୍ୟନ୍ତ ପାରାଦୀପରେ ଏକ ବିମାନ ବନ୍ଦର ସ୍ଥାପନା କରା ଯାଇ ନାହିଁ। ପାରାଦୀପରୁ ନିକଟତମ ବନ୍ଦର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ଦୂରତା ୧୩୫ କିମି ହୋଇଥିବା ବେଳେ ଏହି ରାସ୍ତା ସଡକ ମାର୍ଗରେ ଅତିକ୍ରମ କରିବାକୁ ତିନି ଘଂଟା ସମୟ ଲାଗେ। ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆକୁ ସମ୍ପର୍କରେ ଅନୁରୋଧ କରିଥିବା ତାଙ୍କ ନିକଟରେ ସୂଚନା ରହିଛି।

ପାରାଦୀପରେ ବିମାନ ବନ୍ଦର ସ୍ଥାପନା ନେଇ ବୈଷୟିକ- ଆର୍ଥିକ ଫିଜିବିଲିଟି ସମ୍ପର୍କରେ ପରୀକ୍ଷା କରିବାକୁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବା ପାଇଁ ଶ୍ରୀ ପ୍ରଧାନ ଏହି ପତ୍ରରେ ଅନୁରୋଧ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top