ଓଡ଼ିଶା

ପାନୀୟ ଜଳ ସଙ୍କଟକୁ ନେଇ ବ୍ଲକ ଘେରାଉ, ଜଳ ଯୋଗଇ ଦେବାକୁ ମିଳିଲା ପ୍ରତିଶୃତି

ହରିଚନ୍ଦନପୁର,ତା୨୨.୦୩(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗ୍ରାମପଞ୍ଚାୟତର ସିଂହବିଲା ଗ୍ରାମକୁ ପାଇପ ମାଧ୍ୟମରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ରହିଛି ।କିନ୍ତୁ ଗ୍ରାମର ବିଭିନ୍ନ ସାହିକୁ ପାଇପ ବିଛାଇ କାମ ଶେଷ କରିଥିବା ବେଳେ ମୁଣ୍ଡା ସାହିକୁ ପାଇପ ବିଛା ହୋଇନାହିଁ ତେଣୁ ମୁଣ୍ଡା ସାହିର ଶତାଧିକ ପୁରୁଷ ଓ ମହିଳା ବୁଧବାର ଦିନ ହାତରେ ବାଲଟି ମୁଣ୍ଡରେ ଗରା ଧରି ଡହଡହ ଖରାରେ ଗ୍ରାମ ଠାରୁ ୧କିମି ଦୂର ଚାଲି ହରିଚନ୍ଦନପୁର ବ୍ଲକ ସମ୍ମୁଖରେ ପହଞ୍ଚି ଘେରାଉ କରିଥିଲେ । ଅଭିଯୋଗ ଅନୁଯାୟୀ ଗ୍ରାମବାସୀ ଦିର୍ଘବର୍ଷ ଧରି ପାନୀୟ ଜଳରୁ ବଞ୍ଚିତ ହୋଇ ରହୁଥିବା ସହ ବାରମ୍ବାର ପାନୀୟ ଜଳ ଯୋଗାଇ ଦେବା ପାଇଁ ଦାବିକରି ଆସୁଛନ୍ତି । ସାହି ବାସୀଙ୍କୁ ପାଣି ଯୋଗାଇଦେବା ଉଦ୍ଦେଶ୍ୟରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ସିଂହବିଲା ଗ୍ରାମରେ ଏକ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରି ପ୍ରତ୍ୟେକ ସାହିକୁ ପାଣି ଯୋଗାଇ ଦେବାକୁ ନିଦ୍ଦେଶ ରହିଛି। କିନ୍ତୁ ଗ୍ରାମର ଚଷା ସାହି,ମହାନ୍ତ ସାହି,ମଝି ସାହି,ପାତ୍ର ସାହିକୁ ପାଇପ ପକାଇଥିବା ବେଳେ ମୁଣ୍ଡା ସାହିକୁ ପାଇପ ବିଛାଯାଇ ନଥିବାକୁ ନେଇ ଗ୍ରାମବାସୀ ଅଭିଯୋଗ ତୀବ୍ର ରୂପ ନେଇଛି । ମୁଣ୍ଡା ସାହିର ଗ୍ରାମବାସୀ ପାଇପ ଯୋଗେ ସାହିକୁ ପାଣି ଯୋଗାଇଦେବାକୁ ହରିଚନ୍ଦନପୁର ବ୍ଲକ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ସିଂହବିଲା ମୁଣ୍ଡା ସାହିର ୬୦ ପରିବାରର ୩ଶହରୁ ଉର୍ଦ୍ଧ ଲୋକ ରହୁଥିବା ବେଳେ ଏତେ ଲୋକମାନଙ୍କ ପାଇଁ ଗୋଟିଏ ମାତ୍ର ନଳକୂପ ରହିଥିବାରୁ ବର୍ଷାଦିନେ ଯେନତେନ ଉପାୟରେ ଚୁଆକରି ପାଣି ପାଇଥାନ୍ତି । ଖରାଦିନେ ପାଣି ପାଇଁ ସଂଘର୍ଷ କରିବା ସହ ଆବଶ୍ୟକ ଅନୁଯାୟୀ ପାଣି ନପାଇ ରହୁଥିବାର ଜଣାପଡିଛି । ଉକ୍ତ ସାହିଟି ହରିଚନ୍ଦନପୁର ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୨କିମି ଦୂରରେ ଥିଲେ ମଧ୍ୟ ପାଣି ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ସାହିକୁ ବିଦ୍ୟୁତ ସଂଯୋଗ ହୋଇନାହିଁ କି ପାନୀୟ ଜଳର ବ୍ୟବସ୍ଥା ସରକାରଙ୍କ ତରଫରୁ ହୋଇନାହିଁ । ସାହିବାସୀ ଦିନରେ ବହୁ କଷ୍ଟ ଦୂରରୁ ପାଣି ଆଣିବା ସହ ରାତିରେ ଜହ୍ନ ଆଲୋକକୁ ଭରଷା କରି ବଞ୍ଚିଥାନ୍ତି । ଏ ନେଇ ସ୍ଥାନୀୟ ବିଡିଓ ଶୁଶାନ୍ତ କୁମାର ପତି କହନ୍ତି ଟେଣ୍ଡର ନେଇଥିବା ଲିଷ୍ଟରେ ମୁଣ୍ଡା ସାହି ନାହିଁ ଫଳରେ ସେ ସାହିକୁ ବର୍ତମାନ ପାଇପ ବିଛାଯାଇ ନାହିଁ । ତେବେ ୧ମାସ ମଧ୍ୟରେ ସୋଲାର ଦ୍ୱରା ପାନୀୟ ଜଳ ଯୋଗାଇବା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ତେବେ ବ୍ଲକ ପ୍ରଶାସନ ଗ୍ରାମର ସମସ୍ତ ସାହିର ଲିଷ୍ଟ ପ୍ରସ୍ତୁତ କରି ଟେଣ୍ଡର ନେଇଥିବା ଠିକାଦାରଙ୍କୁ ଲିଷ୍ଟ ପ୍ରଦାନ କରିଥିବାବେଳେ ଗ୍ରାମର ୪ସାହିକୁ ପାଇପ ବିଛାଇବାର ଲିଷ୍ଟ ରହିଥିବା ବେଳେ କିପରି ମୁଣ୍ଡା ସାହିର ଲିଷ୍ଟ କଟିଗଲା ତାହାକୁ ନେଇ ବ୍ଲକ ପ୍ରଶାସନ କାର୍ଯ୍ୟର ସ୍ୱଚ୍ଚତା ସ୍ପଷ୍ଟ ବାରି ହୋଉଛି । ତେବେ ପ୍ରଶାସନ ଅବହେଳା କିମ୍ବା ଲାଭଖୋର ନୀତି ଯୋଗୁଁ ଲିଷ୍ଟରୁ ମୁଣ୍ଡା ସାହି ବାଦ ଯିବା ଏକ ଦୁଖର ବିଷୟ ବୋଲି ଗ୍ରାମର ଚାରିମା ମୁଣ୍ଡା,ସମ୍ଭାରୀ ମୁଣ୍ଡା,ମିଲା ମୁଣ୍ଡା,.ଗୋଲାପ ମୁଣ୍ଡା,ମିଲ୍ଲୀ ମୁଣ୍ଡା,ସୁର୍ଜର ମୁଣ୍ଡା,ଝୁମରୀ ମୁଣ୍ଡା,କଳାବତୀ ମୁଣ୍ଡା,ସରସ୍ୱତୀ ମୁଣ୍ଡା,ରେବତୀ ମୁଣ୍ଡା,ଚେମୀ ମୁଣ୍ଡାଙ୍କ ସମେତ ଗ୍ରାମବାସୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top