ପାଣି ପ୍ରକଳ୍ପ ନିର୍ମାଣରେ ଦୁର୍ନୀତି; ତଦନ୍ତ ପାଇଁ ଦାବି

ପୋଲସରା, ୨୭-୩ (ଓଡ଼ିଆ ପୁଅ) ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବାରେ ସରକାର ବିଫଳ ହୋଇଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ଗ୍ରାମାଞ୍ଚଳରେ ପାନୀୟ ଜଳ ସଂକଟ ଦେଖାଦେଲାଣି। କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇଥିଲେ ମଧ୍ୟ ତଳସ୍ତରରେ ଟେଣ୍ଡର ଫିକ୍ସିଂ ଓ ଅନିୟମିତତା ଯୋଗୁଁ ଅଧିକାଂଶ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରୁନାହିଁ। ନିର୍ଦ୍ଦିଷ୍ଟ ଏଷ୍ଟିମେଟ୍ ଠାରୁ ବ୍ୟତିକ୍ରମ କରାଯାଇ ଅଧିକ ଅର୍ଥ ପାଇବା ଆଶାରେ ନିମ୍ନମାନର କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଛି। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣରେ ଦୁର୍ନୀତି ଯୋଗୁଁ ଲକ୍ଷ୍ୟଧାର୍ଯ୍ୟ ଅନୁଯାୟୀ ପାନୀୟ ଜଳ ନିୟମିତ ଯୋଗାଣ ହୋଇପାରୁନାହିଁ। ସେହିଭଳି ବୋରୱେଲ୍ ନିର୍ମାଣରେ ମଧ୍ୟ ଦୁର୍ନୀତି ହୋଇଛି। ଯେତିକି ଗଭୀର ଖୋଳା ହେବା କଥା ତାହା ହୋଇ ପାରୁନାହିଁ। ରକ୍ଷଣାବେକ୍ଷଣ ନାମରେ ମିଥ୍ୟା ବିଲ୍ ପ୍ରସ୍ତୁତି କରାଯାଉଛି। ଫଳରେ ନଳକୂପ ଗୁଡିକ ଅଚଳ ହୋଇପଡୁଛି। ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ମଧ୍ୟ ବିଫଳ ହେଉଛି। ଫଳରେ ଗ୍ରାମାଞ୍ଚଳର ଲୋକେ ବିଭିନ୍ନ ନଦୀ,ନାଳ ଓ ପୋଖରୀରୁ ଦୂଷିତ ପାଣି ବ୍ଯବହାର କରୁଛନ୍ତି। ଯଦ୍ୱାରା ବିଭିନ୍ନ ପ୍ରକାର ପେଟରୋଗ,କାମଳ ଓ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି। 2010 ଠାରୁ 2018 ମଧ୍ୟରେ ଅନେକ ପ୍ରକଳ୍ପ ସଂପୂର୍ଣ୍ଣ କାର୍ଯ୍ଯକ୍ଷମ ହୋଇପାରି ନାହିଁ। 2013 ମହାବାତ୍ୟା ସମୟରେ ଲୋକଙ୍କୁ ପାନୀୟ ଜଳ ଯୋଗାଣ ନାମରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବା ଏବଂ ପନୀୟ ଜଳଯୋଗାଣ ସମୟରେ ବାଇକ୍ ର ରେଜିଷ୍ଟ୍ରେସନ ନମ୍ବର ବ୍ୟବହାର କରି ଟେଙ୍କର ଦେଖାଇ ବିଲ୍ ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ମହାବାତ୍ୟା ସମୟରେ ଜେନେରେଟରର ବ୍ଯବହାର ଦେଖାଇ ସେଥିରେ ମଧ୍ୟ ଅର୍ଥ କାରବାର ହୋଇଥିବା ନେଇ ଚର୍ଚ୍ଚା ଶୁଣିବା କୁ ମିଳୁଛି ।ଗ୍ରାମ୍ଯ ଜଳଯୋଗାଣ ଓ ପରିମଳ ବିଭାଗ ରେ ବ୍ଯାପକ ଅନିୟମିତତା ଓ ଦୁର୍ନୀତି ସମ୍ପର୍କରେ ତଦନ୍ତ ପାଇଁ ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ଜିଲ୍ଲା ସଭାପତି ସମରଜିତ୍ ମହାନ୍ତି ଦାବି କରିଛନ୍ତି। ପୋଲସରା ଅଞ୍ଚଳରେ ପାନୀୟ ଜଳ ଦୁର୍ନୀତି ପଛରେ ପ୍ରଶାସନ ଓ ନେତାଙ୍କ ହାତ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣା କୁ ନେଇ ତଦନ୍ତ ପାଇଁ ବିଡିଓ,ନିର୍ବାହୀ ଯନ୍ତ୍ରୀ,ଅଧୀକ୍ଷଣ ଯନ୍ତ୍ରୀ,ଜିଲ୍ଲାପାଳ,ଭିଜିଲାନ୍ସ ନିର୍ଦ୍ଦେଶକ,ଭିଜିଲାନ୍ସ ଏସପି,ଏଡିଜିପି କ୍ରାଇମ୍ ବ୍ରାଞ୍ଚ,ପଞ୍ଚାୟତରାଜ ସଚିବ,ପଞ୍ଚାୟତରାଜ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଶ୍ରୀ ମହାନ୍ତି ଅବଗତ କରାଇଥିବା ଜଣାପଡିଛି। କାର୍ଯ୍ଯାନୁଷ୍ଠାନ ନହେଲେ ଜନ ସ୍ବାର୍ଥ ମମଲା ଦାୟର କରାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *