ପାଣି ଜମିବା ନେଇ ଏନଏଚଏଆଇ ଅଫିସରେ କଂଗ୍ରେସର ଆନ୍ଦୋଳନ ପ୍ରସଙ୍ଗରେ: ବିଜୁ ଜନତା ଦଳର କଂଗ୍ରେସ ଆଶାବାଡି ଭାବେ କାମ କରିବାର ଆଉ ଏକ ନଗ୍ନ ଉଦାହରଣ : ବିଜେପି

– ରାଜ୍ୟ ସରକାରଙ୍କର ସ୍ଥାଣୁତା, ଅପାରଗତା କାରଣରୁ ସ୍ମାର୍ଟ ସିଟି ଭୁବନେଶ୍ୱରର ବାସିନ୍ଦାମାନେ ଅସରାଏ- ଦୁଇ ଅସରାଏ ବର୍ଷାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି
– ଦୁଇଟି କାଗଜକୁ ଗଣମାଧ୍ୟମରେ ସାର୍ବଜନିକ କଲା ବିଜେପି
– ଜୁଲାଇ ୨୨, ୨୦୧୭ରେ ରାଜ୍ୟ ପୂର୍ତ ବିଭାଗ ଇସ୍କନ ମନ୍ଦିର, ନୟାପଲୀଠାରେ ପାଣି ଜମୁଥିବା ଜାଗା ପାଇଁ ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ ପୂର୍ତ ବିଭାଗ ପ୍ରସ୍ତୁତ କରିବ ବୋଲି ସ୍ଥିର ହୋଇଥିଲା

ଭୁବନେଶ୍ୱର, ତା.୦୨/୦୭(ଓଡ଼ିଆ ପୁଅ): ଇସ୍କନ ମନ୍ଦିର ସାମନାରେ ରାଷ୍ଟ୍ରୀୟ ରାଜମାର୍ଗ କଡରେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ପାଣି ଜମିବା ନେଇ ଏନଏଚଏଆଇ ଅଫିସରେ କଂଗ୍ରେସର ଆନ୍ଦୋଳନ ବିଜୁ ଜନତା ଦଳର କଂଗ୍ରେସ ଆଶାବାଡି ଭାବେ କାମ କରିବାର ଆଉ ଏକ ନଗ୍ନ ଉଦାହରଣ ବୋଲି ସାମ୍ବାଦିକ ମାନଙ୍କୁ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ବିଜେପି ଉପ ସଭାପତି ସମୀର ମହାନ୍ତି।

ଦୁଇଟି ସରକାର କାଗଜକୁ ଗଣମାଧ୍ୟମ ସାମନାରେ ଉପସ୍ଥାପିତ କରି ରାଜ୍ୟ ସରକାରଙ୍କର ସ୍ଥାଣୁତା, ଅପାରଗତା କାରଣରୁ ସ୍ମାର୍ଟ ସିଟି ଭୁବନେଶ୍ୱରର ବାସିନ୍ଦା ମାନେ ଅସରାଏ- ଦୁଇ ଅସରାଏ ବର୍ଷାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଷ୍ଟ୍ରୀୟ ରାଜମାର୍ଗର ଉଭୟ ପାର୍ଶରେ ପାଣି ଜମିବା ନେଇ ଜୁଲାଇ ୨୨, ୨୦୧୭ରେ ରାଜ୍ୟ ପୂର୍ତ ବିଭାଗ ଇସ୍କନ ମନ୍ଦିର, ନୟାପଲୀ ଠାରେ ପାଣି ଜମୁଥିବା ଜାଗାରେ ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ ପୂର୍ତ ବିଭାଗ ପ୍ରସ୍ତୁତ କରିବ ବୋଲି ଏହି ବୈଠକର ମିନିଟ୍ସରେ ସ୍ଥାନ ପାଇଛି। ମୁଖ୍ୟ ଶାସନ ସଚିବଙ୍କ ଦସ୍ତଖତରେ ଏହି ସାର୍ବଜନିନ କାଗଜକୁ ଶ୍ରୀ ମହାନ୍ତି ଗଣମାଧ୍ୟମରେ ଉପସ୍ଥାପିତ କରିଛନ୍ତି। ଏହି ବୈଠକରେ ଉପସ୍ଥିତ ବିଡିଏ ଉପାଧ୍ୟକ୍ଷ ଓ ବିଏମସି କମିଶନର କହିଥିଲେ ଯଦି ୨୦୧୮ ବର୍ଷା ଋତୁ ସୁଦ୍ଧା ବର୍ଷାପାଣି ନିଷ୍କାସନକୁ ତ୍ୱରାନ୍ୱିତ କରା ନ ଯାଏ ତା ହେଲେ ଇସ୍କନ ମନ୍ଦିର ନୟାପଲ୍ଲୀ ସମେତ ହଂସପାଳ, ରସୁଲଗଡ, ପାହାଳ ଓ ଅନ୍ୟାନ୍ୟ ଅଣ୍ଡରପାସ ଠାରେ ବର୍ଷା ଜଳ ନିଷ୍କାସନ ଏକ ବଡ ସମସ୍ୟା ଭାବେ ମୁଣ୍ଡ ଟେକିବ।

ଗତ ମାର୍ଚ ୨୯ତାରିଖରେ ଏନଏଚଏଆଇ ତରଫରୁ ରାଜ୍ୟ ପୂର୍ତ ବିଭାଗର ମୁଖ୍ୟ ଇଂଜିନିୟରଙ୍କୁ ଏହି ପୁରୁଣା ବୈଠକ ଆଧାରରେ ରାଜ୍ୟ ସରକାରଙ୍କ ତରଫରୁ ଡିପିଆର ପ୍ରସ୍ତୁତି ହୋଇଥିଲେ ଏହାକୁ ଏନଏଚଏଆଇକୁ ଜଣାଇବା ସହ ଏଥିରେ ଆବଶ୍ୟକ ଯୋଜନା ଓ ଖର୍ଚର ଆକଳନ ଇତ୍ୟାଦି ପ୍ରଦାନ କଲେ ଏନଏଚଏଆଇ ତରଫରୁ ପଦକ୍ଷେପ ନିଆଯିବ ବୋଲି ଲେଖା ଯାଇଥିବା ପତ୍ରର ନକଲକୁ ଶ୍ରୀ ମହାନ୍ତି ଗଣମାଧ୍ୟମକୁ ଦେଇଛନ୍ତି।

ରାଜ୍ୟ ସରକାର ନିଜର ଅପାରଗତାକୁ ଲୁଚାଉଛି ଓ କଂଗ୍ରେସ ଦଳ ରାଜ୍ୟର ବିଜେଡି ସରକାରକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ବିରୁଦ୍ଧରେ ଆନ୍ଦୋଳନ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏବଂ ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *