ଜିଲ୍ଲା ପରିକ୍ରମା

ପାଣି କାଦୁଅରେ ଘାଣ୍ଟି ହେଉଛନ୍ତି ବେଲସାଉଁଳିଆ ଅଧିବାସୀ ବିଡିଓଙ୍କ ପ୍ରତିଶ୍ରୁତି ପାଣିର ଗାର, ରାସ୍ତାରୋକ ପାଇଁ ସଜବାଜ

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଧୁନିକତା ସହିତ ତାଳଦେଇ ଗାଁଗୁଡିକର ରୂପରେଖ ବଦଳୁଛି। ରାସ୍ତାଘାଟଠାରୁ ଆରମ୍ଭ କରି ଆବଶ୍ୟକ ସ୍ଥାନରେ କଲଭର୍ଟ ଓ ପୋଲ ନିର୍ମାଣ କରାଯାଉଛି। ଲକ୍ଷ୍ୟ ଗାଁ ଲୋକ ସୁବିଧାରେ ଓ କମ ସମୟରେ ଯାତାୟତ କରିପାରିବେ। ସେଥିପାଇଁ ସରକାର ବିଭିନ୍ନ ଯୋଜନା ଜରିଆରେ ଗାଁର ବିକାଶ କରୁଛନ୍ତି। ହେଲେ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଳା ସାଙ୍ଗକୁ ଗାଁ ଗହଳିର ହୀନ ରାଜନୀତି ପାଇଁ ବିନାୟକପୁର ପଞ୍ଚାୟତର ବେଲସାଉଁଳିଆ ଗ୍ରାମବାସୀ ବର୍ଷ ବର୍ଷ ଧରି ପାଣି କାଦୁଅରେ ଘାଣ୍ଟି ହେଉଛନ୍ତି। ଗାଁକୁ କଂକ୍ରିଟ ଓ ପିଚୁ ରାସ୍ତାତ ଦୂରର କଥା, ମୋରମ ରାସ୍ତାଟିଏ ନାହିଁ। ପ୍ରତିବାଦ ସୂରୁପ ରାସ୍ତାରୋକ ପରେ ୧୫ ଦିନ ମଧ୍ୟରେ ରାସ୍ତାକାମ ହେବ ବୋଲି ବିଡିଓ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ହେଲେ ବିଡିଓଙ୍କ ପ୍ରତିଶ୍ରୁତି ଏବେ ପାଣିର ଗାର ପାଲଟିଛି। ନିଦାବିଷ୍ଣୁ ସାଜିଥିବା ପ୍ରଶାସନ ବିରୋଧରେ ଗ୍ରାମବାସୀ ପୁଣି ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ବ୍ଲକ ମୁଖ୍ୟାଳୟରୁ ୫ କିମି ଦୂରରେ ଅବସ୍ଥିତ ବେଲସାଉଁଳିଆ ଗାଁ। ଭଗିଆଶୁଣି ଛକରୁ ଗୋବିନ୍ଦଜୀଉ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବର୍ଷା ପରେ ସଙ୍ଗୀନ ହୋଇଛି। ବିକଳ୍ପ ନଥିବାରୁ ପିଲାଠାରୁ ବୟସ୍କ, ଏହି ରାସ୍ତା ଉପରେ ଯିବାକୁ ବାଧ୍ୟ ହେଉଛନ୍ତି। ରାସ୍ତା ଉପରେ ମଲିକସାହି, ସେଠୀସାହି, ଗୋପାଳସାହି, ମିଶ୍ରସାହିର ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ୱ ପରିବାର ନିର୍ଭର କରନ୍ତି। ଗ୍ରାମବାସୀଙ୍କ ଅନୁସାରେ ପ୍ରାୟ ପାଞ୍ଚ ବର୍ଷ ତଳେ ଏହି ରାସ୍ତାରେ ମାଟି, ମୋରମ ପଡିଥିଲା। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ରାସ୍ତାରେ ମାଟି ମୁଠେ ପଡିନି। ନିର୍ବାଚନ ଆସିଲେ ବହୁ ପ୍ରତିଶ୍ରୁତି ମିଳୁଛି। ନିର୍ବାଚନ ସରିଲେ ଆଉ କାହାରି ଦେଖା ମିଳୁନି। ଅସରାଏ ବର୍ଷା ହେଲେ ରାସ୍ତାର ଅବସ୍ଥା ଭାରି ଖରାପ ହେଉଛି। ସାହିଟା ସାରା କାଦୁଅ ବଲବଲ ହେଉଛି। ବିକଳ୍ପ ନଥିରୁ କାଦୁଅରେ ପଡି ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି। ରାସ୍ତା ଅବସ୍ଥା ଭାରି ଖରାପ ହୋଇଥିବାରୁ ଆମ୍ବୁଲାନ୍ସ ଓ ଦମକଳ ପରି ଜରୁରୀ ସେବା ଗ୍ରାମବାସୀଙ୍କୁ ମିଳୁନି। ସମସ୍ୟାକୁ ନେଇ ୱାର୍ଡବାସୀଙ୍କ ପକ୍ଷରୁ ଏକାଧିକବାର ସରପଞ୍ଚଙ୍କ ସମେତ ବିଡିଓ, ଜିଲାପାଳ ଓ ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି। ପଲ୍ଲୀସଭାରେ ଗାଁ ରାସ୍ତାର ନାମ ଯାଉଛି। ହେଲେ ରାସ୍ତାଟିଏ ତିଆରି ହୋଇପାରୁନି। ଘର ଦୁଆରୁ ତଳକୁ ଓହ୍ଲାଇଲେ କାଦୁଅରେ ପଡୁଥିବା ଗ୍ରାମବାସୀ ଅତିଷ୍ଠ ହୋଇ ମାସେ ତଳେ ରାସ୍ତାକୁ ଓହ୍ଲାଇଥିଲେ। ଖବର ପାଇ ବିଡିଓ ଘଟଣାସ୍ଥଳରେ ପହଞ୍ଚି ୧୫ ଦିନ ମଧ୍ୟରେ ରାସ୍ତା କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ବିଡିଓଙ୍କ ପ୍ରତିଶ୍ରୁତି ମିଳେଇ ଯାଇଛି। ପ୍ରଶାସନ ମିଛ ପ୍ରତିଶ୍ରୁତି ଦେଉଥିବା ଗ୍ରାମବାସୀ ଅଭିଯୋଗ କରି ପୁଣି ରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top