ରାଉରକେଲା ୨୩-୦୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) ବର୍ଷା ଆସିଲେ ଛୋଟ ଛୋଟ ପିଲାଙ୍କ ଛାତିରେ ଛନକା ପଶେ। ପାଠ ପାଇଁ ପିଠିରେ ବହିବସ୍ତାନୀ ଲଦି ପ୍ରତିଦିନ ଭରା ନାଳରେ ପଶି ଛାତିଏ ପାଣିରେ ଯିବାକୁ ପଡେ ସେମାନଙ୍କୁ। ନାଳ ସୁଅରେ କେତେବେଳେ ଯେ କିଏ ଭାସିଯିବ କି ବୁଡ଼ିଯିବା ତା’ର କୌଣସି ଗ୍ୟାରେଂଟି ନ ଥାଏ। ସ୍କୁଲକୁ ଯାଇଥିବା ପିଲା ଘରକୁ ଫେରିଲେ ଯାଇ ବାପା ମା’ର ଆଶ୍ୱସ୍ତ ହୁଅନ୍ତି। ଜୀବନ ଗଢ଼ିବାକୁ ନିତି ଏମିତି ଜୀବନକୁ ବାଜି ଲଗାଇ ଚାଲିଛନ୍ତି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଚୋରଧରା ପଂଚାୟତର ବନ୍ଧୁକଡେରା ଓ ତନ୍ତରା ଗାଁର କୁନି ପିଲାମାନେ। ବର୍ଷ ବର୍ଷ ଧରି ସମସ୍ତେ ଏହାକୁ ଦେଖୁଥିଲେ ମଧ୍ୟ କିଛି ପ୍ରତିକାର ହୋଇନାହିଁ ଆଜିଯାଏ। କୋଇଡ଼ା ବ୍ଲକର ଜଙ୍ଗଲ ମୁଲକ ଆଦିବାସୀ ଗାଁ ବନ୍ଧୁକଡେରା ଓ ତନ୍ତରା। ବିକାଶ ପାଖ ମାଡ଼ି ନ ଥିବା ଏ ଦୁଇ ଗାଁର ବଡ଼ ଦୁଃଖ ହେଲା ପାଖ ଦେଇ ବହି ଯାଇଥିବା କୁରାଢ଼ି ନାଳା। ସାମାନ୍ୟ ବର୍ଷା ହେଲେ ଜଙ୍ଗଲରୁ ପାଣି ମାଡିଆସି ନାଳ ଭରିଯାଏ। ବର୍ଷା ସମୟ ଯାକ ଲୋକଙ୍କ ଯାତାୟତ ଶୋଚନୀୟ ହୋଇପଡ଼େ। କୁରାଢ଼ି ନାଳ ଯୋଗୁଁ ଚୋରାଧରା ପଂଚାୟତର ବନ୍ଧୁକଡେରା ଓ ତନ୍ତରା ସମେତ ଫଟାଟାଙ୍ଗର, ଗଗନାପୋଷ ଓ ଫାରମଡିହ ଆଦି ଗାଁଗୁଡିକ ବାହ୍ୟଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଏ। ତେବେ ବନ୍ଧୁକଡେରା ଓ ତନ୍ତରା ଗାଁର ଯନ୍ତ୍ରଣା ସମସ୍ତଙ୍କଠାରୁ ବଳିଯାଏ। ପୋଲ ନ ଥିବାରୁ ତନ୍ତରା ଗାଁର ଉପରପଡାରୁ ତଳପଡ଼ାରୁ ଆସିବା ପାଇଁ ମଧ୍ୟ ଲୋକଙ୍କୁ ଭରାନାଳରେ ପହଁରି ପାର ହେବାକୁ ପଡ଼େ। ଏ ସ୍ଥିତିରେ ଦୁଇ ଗାଁ ପିଲାଙ୍କ ପାଇଁ ବଡ଼ ସମସ୍ୟା ହେଲା, ପାଠ ପଢ଼ିବାକୁ ନିତି ନାଳ ଆରପଟେ ତନ୍ତରା ଉପର ସାହିରେ ଥିବା ସ୍କୁଲକୁ ଯିବା ପାଇଁ ପ୍ରାୟ ୪୦ରୁ ଅଧିକ ପିଲାଙ୍କ ପାଇଁ ଛାତିଏ ପାଣିରେ ଯିବା ଛଡା ଆଉ କୌଣସି ଉପାୟ ନ ଥାଏ। ନାଳ ପାରି ହେଲାବେଳେ ବହିବସ୍ତାନୀ ଓଦାହେବା ଏକ ପ୍ରକାର ନିଶ୍ଚିତ। କେବେ କେବେ ଅଧିକ ମାତ୍ରରେ ବର୍ଷା ପାଣି ମାଡ଼ି ଆସିଲେ ନାଳ ପାରିହେବା ସମ୍ଭବ ହୁଏନାହିଁ। ଫଳରେ ସେଦିନ ସ୍କୁଲ ଯିବା ବନ୍ଦ। ଗାଁ ଲୋକେ ନାଳ ଉପରେ ପୋଲ ନିମାର୍ଣ ପାଇଁ ବହୁବାର ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିଙ୍କ ଠାରେ ଗୁହାରି କରିଛନ୍ତି। କିନ୍ତୁ କେହି ହେଲେ ଶୁଣି ନାହାନ୍ତି। ଯଦିଓ ନିର୍ବାଚନ ସମୟରେ ଅନେକ ପ୍ରତିଶ୍ରୁତି ଦେଇ ଆସିଛନ୍ତି ନେତାମାନେ। କିଛି ବର୍ଷ ତଳେ ଚୋରାଧରା ପଂଚାୟତ ମହକୁମାରୁ ନୂଆଁତନ୍ତରା ଯାଏ ପ୍ରଧାନମନ୍ତ୍ରୀ ସଡ଼କ ତିଆରି ହୋଇଛି ସତ, କିନ୍ତୁ ନାଳ ପାଖରୁ ଦେଢ଼ କିଲୋମିଟର ଦୂରରେ ସଡ଼କ ଅଟକି ଯାଇଛି ଯେ ଆଉ ଆଗକୁ ବଢ଼ିବାର ନାଁ ଧରୁ ନାହିଁ। ସ୍କୁଲରେ ପିଲାମାନଙ୍କୁ ପଢ଼ା ଯାଇଛି ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ମଣିଷର କଥା, ମଣିଷ ଏବେ ମଙ୍ଗଳ ଗ୍ରହରେ ଘର ତିଆରି ପାଇଁ ଯୋଜନା କରୁଥିବା ବିଷୟ। ହେଲେ ଛାତିଏ ପାଣିରେ ପଶି ସ୍କୁଲ୍ ଆସିଥିବା ପିଲାଏ ସେ ପାଠକୁ କେମିତି ଗ୍ରହଣ କରୁଥିବେ, ଏହା ସହଜେ ଅନୁମାନ କରା ଯାଇପାରେ।
