ପାଟଣା ବନ୍ଦ ସଫଳ – କାଲିଠାରୁ କାର୍ଯ୍ୟ ଆରମ୍ଭ ପ୍ରତିଶୃତି ପରେ ଆନ୍ଦୋଳନ ହଟିଲା

ପାଟଣା, ତା୨୪/୦୫(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ନେସ୍କୋ ବିଦ୍ୟୁତ ସବଷ୍ଟେସନକୁ ଢେଙ୍କିକୋଟ ସ୍ଥିତ ଟିକିରା ୧୩୨/୩୩ ଗ୍ରୀଡରୁ ସିଧାସଳଖ ୩୩କେଭି ବିଦ୍ୟୁତ ଯୋଗାଣ ଦାବିରେ ପାଟଣା ବିକାଶ ମଞ୍ଚ ପକ୍ଷରୁ ଆଜି ୧୨ଘଣ୍ଟିଆ ପାଟଣା ବନ୍ଦ ଡାକରା ଦିଆଯାଇ ଥିବା ବେଳେ ଏହି ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି। ଏହି ବନ୍ଦ କୁ ସମର୍ଥନ କରି ମଲିପଶି ଓ ଟାଙ୍ଗରପଡା ବଜାର ମଧ୍ୟ ବନ୍ଦ ରହିଥିଲା। ବିକାଶ ମଞ୍ଚ ର ଆବାହକ ଅଜୟ କୁମାର ଦାଶ ଙ୍କ ସହ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶ, ମାଧବାନନ୍ଦ ପୃଷ୍ଟି, କମଳାକାନ୍ତ ପତି, ବିଜୟ ରତନ ପତି, ବିବେକା ନନ୍ଦ ଦାଶ, ଅବିନାଶ ଦାଶ, ଯୁଗଳ କିଶୋର ଦାଶ, ଯତୀନ୍ଦ୍ର ଦାଶ, ଦେବାନନ୍ଦ ପୃଷ୍ଟି, ସୁଦର୍ଶନ ଲୋହାର, ସହଦେବ ବେହେରା, ରାହାସ ବିହାରୀ ପୃଷ୍ଟି, ଦେବେନ୍ଦ୍ର ପାତ୍ର, ପ୍ରଶାନ୍ତ ଭଞ୍ଜ ଙ୍କ ସହ ଶହ ଶହ ବିକାଶ ମଞ୍ଚ ର ସମର୍ଥକ ସାମିଲ ଥିଲେ। ସେହିପରି ପାଟଣା ବନ୍ଦକୁ ସମର୍ଥନ କରି ନବନିର୍ମାଣ କୃଷକ ସଙ୍ଗଠନ ର ଜିଲ୍ଲା ସଂଯୋଜକ ସେକ୍ ମୋବିନ୍ ଓ ପାଟଣା ନବନିର୍ମାଣ କୃଷକ ସଙ୍ଗଠନ ମଧ୍ୟ ପାଟଣା ବନ୍ଦ ରେ ସମର୍ଥନ ଦେଇ ସାମିଲ ହୋଇଥିଲେ। ଏହି ବନ୍ଦ ରେ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଇ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବାଣିଜ୍ୟକ ପ୍ରତିଷ୍ଠାନ ଓ ୨୨୦ ନମ୍ବର ଜାତୀୟ ରାଜପଥ ରାଞ୍ଚୀ – ବିଜୟଓ୍ବାଡା ରାସ୍ତାକୁ ବନ୍ଦ କରିଦିଆଯାଇଛି ଫଳରେ ଗମନାଗମନ ବ୍ୟବସ୍ଥା ଠପ୍ ହୋଇପଡିଥିଲା। ତେବେ ଏହି ବନ୍ଦ ସକାଳ ୬ଟାରୁ ଆରମ୍ଭ ହୋଇଥିବା ବେଳେ ପୂର୍ବାହ୍ନ୧୦ଟାରେ ପାଟଣା ବିଧାୟକ ହୃଷିକେଶ ନାଏକ ପାଟଣା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାୟକ ନେସ୍କୋ କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ସାହୁ ନେସ୍କୋ ଏସଡିଓ ସୁଶାନ୍ତ କୁମାର ବାରିକ ପାଟଣା ନେସ୍କୋ କନିଷ୍ଠ ଯନ୍ତ୍ରୀ ସୁଜିତ କୁମାର ସାହୁ କେନ୍ଦୁଝର ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ପାଟଣା ତହସିଲଦାର ଧନେଇ ଚରଣ ଟୁଡୁ, ପାଟଣା ବିଡ଼ିଓ କୁଶାଲ ଚନ୍ଦ୍ର ନାଏକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରି ଙ୍କ ସହ ଆଲୋଚନା କରୁଥିବା ବେଳେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଆସନ୍ତା କାଲି ଠାରୁ କାର୍ଯ୍ୟ ଆରମ୍ଭ ହେବା ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ଆନ୍ଦୋଳନ ସ୍ଥଳରେ ଘଟଗାଁ ଏସଡିପିଓ ଏସ ସିଲଭରିୟସ ଟୋପ, ପାଟଣା ଥାନାଧିକାରିଣୀ ପ୍ରମୋଦିନୀ ସାହୁ ଓ ପୋଲିସ ବାହିନୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *