ପାଟଣା ନିର୍ବାଚନ ମଣ୍ଡଳୀରେ ନିର୍ମାଣଧିନ ସେତୁକୁ କେତୁ ଦଶା

ପାଟଣା,ତା୦୬/୦୯(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ଦୁଇ ପ୍ରମୁଖ ବ୍ଲକ ଅଞ୍ଚଳ ପାଇଁ ନଦୀରେ ସେତୁ ପ୍ରତିଷ୍ଠା ରେ ଅହେତୁକ ବିଳମ୍ବ ଅଞ୍ଚଳ ବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଶିଳାନ୍ୟାସର ସାତବର୍ଷ ପରେ ମଧ୍ୟ ପାଟଣା ବ୍ଲକର ରାଜନଗର ବୈତରଣୀ ସେତୁ କାମ ସରୁ ନଥିବା ବେଳେ ସାହାରପଡା ବ୍ଲକର ଉଦୟପୁର ଠାରେ ବୈତରଣୀ ସେତୁ କାମ ସରି ମଧ୍ୟ ପ୍ରବେଶ ପଥ କାମ ସରି ନଥିବାରୁ ଏହା ଲୋକଙ୍କ କାମରେ ଲାଗି ପାରୁନାହିଁ । ଅପରପରେ ପାଟଣା ବ୍ଲକର ମିରିଗିଖୋଜି-ସାହାରପଡା ବ୍ଲକର କୁଣ୍ଡଳା ମଧ୍ୟରେ ନିର୍ମାଣାଧୀନ ବିରଳ ସେତୁ କାମ ୨୦୧୬ ଜୁଲାଇରୁ ସରିବାର ଧର୍ଯ୍ୟ ସମୟ ଥିବାବେଳେ ଆଜି ପର୍ଯ୍ୟନ୍ତ ସେତୁର ଉପର ଢଳେଇ କାମ ପୂର୍ଣ୍ଣାଙ୍ଗ ହୋଇପାରୁ ନଥିବାରୁ ଏହା ଅଞ୍ଚଳବାସୀଙ୍କ ପାଇଁ ଦୁଃଖର କାରଣ ପାଲଟିଛି । ପ୍ରତିବର୍ଷ ଲଗାଣବର୍ଷା ସମୟରେ ବିରଳ ନଦୀର ପୁରୁଣା କଲଭର୍ଟ ପୋଲ ଉପର ଦେଇ ପ୍ରଖର ବନ୍ୟା ଜଳ ପ୍ରବାହିତ ହେବା କାରଣରୁ ଏଠାରେ ଦିନ ଦିନ ଧରି ଯାତାୟତ ବନ୍ଦ ରହୁଥିବା ବେଳେ ପାଟଣା ବ୍ଲକ ଓ ସାହାରପଡା ବ୍ଲକବାସୀଙ୍କୁ ଅକଥନୀୟ ଦୁର୍ଦଶାରେ ସମ୍ମୁଖୀନ ହେବାକୁ ପଡିଥାଏ । ପ୍ରବଳ ବର୍ଷା ଲାଗି ରହିବା ଫଳରେ ଧାନବେଣୀ-ମାଛଗଡ ଭାୟା କୁଣ୍ଡଳା ରାସ୍ତାର ବିରଳ ନଦୀ ପୁରୁଣା ପୋଲ ଉପରେ ସାତ ଫୁଟରୁ ଆଠ ଫୁଟ ଉଚ୍ଚର ବର୍ଷା ଜଳ ପ୍ରଖର ବେଗରେ ପ୍ରବାହିତ ହେବା ଦେଖାଯାଇଛି । ଫଳରେ ଏହି ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀବାହୀ ବସ ଓ ଅନ୍ୟାନ୍ୟ ଯାନବାହାନ ରାସ୍ତାରେ ଠିଆ ହୋଇ ରହିଛି । ସକାଳୁ ପାଟଣା ଆସିଥିବା ସାହାରପଡା ବ୍ଲକର ଶହ ଶହ ଲୋକଙ୍କୁ ଫେରିବାରେ ଅସୁବିଧା ଦେଖାଦେଇଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି । ପାଟଣା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ନିର୍ଧାରିତ ଅବଧିରେ ତିନି ତିନିଟି ସେତୁକାମ ସାରିନପାରିବା ଏଠାରେ ନେତାଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *