ଅନୁଗୁଳ

ପାଖେଇ ଆସିଲା ଗଣେଷ ପୂଜା.. ଉତ୍ସବମୂଖର ହୋଇ ଉଠିଲାଣି ତାଳଚେର

ତାଳଚେର,୧୧/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରବାସୀଙ୍କ ପ୍ରତୀକ୍ଷାର ଘଟିବ ଅନ୍ତ । କାରଣ ଆଗାମୀ ୧୩ ତାରିଖରୁ ମହାସମାରୋହରେ ଆରମ୍ଭ ହେବାକୁ ଯାଉଛି ତାଳଚେରର ଗଣପର୍ବର ଆଖ୍ୟା ପାଇଥିବା ଗଣେଷ ପୂଜା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ତାଳଚେରବାସୀ ଅତି ଆଦରରେ ଅନାଇ ବସିଛନ୍ତି ପ୍ରଭୁ ଗଜାନନଙ୍କୁ ସ୍ୱାଗତ କରିବାପାଇଁ । ଏଥିପାଇଁ ଉତ୍ସବମୁଖର ହୋଇ ଉଠିଲାଣି ସମଗ୍ର ତାଳଚେର ସହର । ହାଣ୍ଡିଧୂଆ ଠାରୁ ତାଳଚେର ଟାଉନ ଘୋଡ଼ାଶାଳ ପର୍ଯ୍ୟନ୍ତ ପ୍ରାୟ ୬ କି.ମି ରାସ୍ତାରେ ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଚଳିତ ବର୍ଷ ପ୍ରାୟ ୮୦ଟି ପୂଜାମଣ୍ଡପରେ ବିଘ୍ନ ବିନାଶକଙ୍କୁ ଆରାଧନା କରାଯାଉଛି । ସମସ୍ତ ପୂଜା କମିଟି ତରଫରୁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟଗୁଡ଼ିକୁ ସମ୍ପନ୍ନ କରିବାକୁ ଚେଷ୍ଟା କରାଯାଉଛି । ଏହି ପରିପ୍ରେକ୍ଷୀରେ ତାଳଚେର ଉପଜିଲ୍ଲାପାଳ ତଥା କେନ୍ଦ୍ରୀୟ ଗଣେଷ ପୂଜା କମିଟିର ସଭାପତି ପରେଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ଚୁଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥିଭାବେ ଅନୁଗୋଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ ଯୋଗ ଦେଇ ତାଳଚେର ଗଣେଷ ପୂଜାର ଉଚ୍ଚ ପରମ୍ପରା ଏବଂ ସୁସଙ୍ଗଠିତ ବ୍ୟବସ୍ଥାର ଉଚ୍ଚପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନ୍ତୋଷ କୁମାର ମିଶ୍ର ଯୋଗ ଦେଇ ଏହି ଗଣପର୍ବକୁ ଶାନ୍ତି ଓ ଶୃଙ୍ଖଳାର ସହ ସମାପନ କରିବାକୁ ତଥା ଟ୍ରାଫିକ୍ ବ୍ୟବସ୍ଥାକୁ ସୂଚାରୁରୂପେ ତୁଲାଇବାକୁ ପୋଲିସ ଆବଶ୍ୟକୀୟ ସହାୟତା ଯୋଗାଇ ଦେବ ବୋଲି ପ୍ରକାଶ କରିଥିଲେ । ତାଳଚେର ଭାଇଚାରାର ସହର ଏବଂ ସମଗ୍ର ରାଜ୍ୟରେ ଏହି ପୂଜାର ପ୍ରସିଦ୍ଧି ରହିଥିବାରୁ ଏହାକୁ ଚଳିତ ବର୍ଷ ମଧ୍ୟ ବଜାୟ ରଖିବାକୁ ସେ ନିବେଦନ କରିଥିଲେ । ପୂର୍ବବର୍ଷ ଭଳି ଚଳିତ ବର୍ଷ ଭସାଣୀ ଉତ୍ସବକୁ ପ୍ରାର୍ଥନା ଚ୍ୟାନେଲ ମାଧ୍ୟମରେ ସିଧା ପ୍ରସାରଣ କରାଯିବ । ୧୬ରୁ ୨୨ତାରିଖ ଯାଏଁ ୭ ଦିନ ବ୍ୟାପି କେନ୍ଦ୍ରୀୟ ଗଣେଷ ପୂଜା କମିଟି ସହଯୋଗରେ ରାଜ୍ୟ ସଂସ୍କୃତି ବିଭାଗ ଓ ତରଙ୍ଗ ମୁ୍ୟଜିକ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି କମିଟିର ସାଧାରଣ ସମ୍ପାଦକ ଜୟନ୍ତ ଭୂତିଆ ସୂଚନା ଦେଇଥିଲେ । ହାଟତୋଟା ଏବଂ ବାଇପାସଠାରେ ଗୋଟିଏ ଲେଖାଏଁ ସୂଚନା କେନ୍ଦ୍ର ଖୋଲାଯିବା ଏବଂ ଭସାଣୀ ଉତ୍ସବରେ ଭାଗ ନେବାପାଇଁ ଲଟେରୀ ଉଠାଣ କାର୍ଯ୍ୟକ୍ରମ ୧୫ତାରିଖ ଅପରାହ୍ନରେ ଆୟୋଜିତ କରାଯିବାକୁ ନିଷ୍ପତି ହୋଇଥିଲା । ମୂର୍ତୀ ବିସର୍ଜନ କ୍ରୁତି୍ରମ ଜଳାଶୟରେ କରାଯିବା ତଥା ଡିଜେ ସାଉଣ୍ଡ ପରିବର୍ତେ ପାରମ୍ପରିକ ଲୋକନୃତ୍ୟର ତାଳେତାଳେ ଭସାଣୀ ଉତ୍ସବ ସମ୍ପନ୍ନ କରିବାକୁ ନିଷ୍ପତି ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତାଳଚେର ସଦର ଆଇଆଇସି ସୈାଭାଗ୍ୟ ସ୍ୱାଇଁ, ପାଲଲହଡ଼ା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର,ପୈାର ନିର୍ବାହୀ ଅଧିକାରିଣୀ ଅତସୀ ପରିଡ଼ା,ଯୁଗ୍ମ ସମ୍ପାଦକ ରଣଜିତ ମହାପାତ୍ର,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୈାରଭ ପ୍ରଧାନ,ବିଭିନ୍ନ ବିଭାଗୀୟ ଅଧିକାରୀ,ବିଭିନ୍ନ ପୂଜା କମିଟିର ସଭାପତି,ସମ୍ପାଦକ ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ । ଶେଷରେ କମିଟିର କୋଷାଧ୍ୟକ୍ଷ ଅଶୋକ ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରକାଶଥାଉକି,୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଗଣେଷ ପୂଜାର ଭସାଣୀ ଉତ୍ସବ ଓ ଲଡ଼ୁ ନିଲାମ କାର୍ଯ୍ୟକ୍ରମ ଆଗାମୀ ୨୫ତାରିଖରେ ଅନୁଷ୍ଠିତ ହେବ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top