ପାଇକ ବିଦ୍ରୋହ ଉପରେ ଆଜିଠାରୁ ୩ ଦିନ ବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ – ଯୋଗ ଦେବେ ୩ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ବହୁ ପ୍ରମୁଖ ନେତୃ ବୃନ୍ଦ

ଭୁବନେଶ୍ୱର, ୨୧/୧୦ (ଓଡ଼ିଆ ପୁଅ) :ଜାତୀୟ ସାମରିକ ପରଂପରା ଓ ସଂସ୍କୃତି ମହୋତ୍ସବ ପୂର୍ବ ବର୍ଷ ଭଳି ଏଥର ଭୁବନେଶ୍ୱରର ସଂଗୀତ ମହାବିଦ୍ୟାଳୟର ଉତ୍କଳ ମଣ୍ଡପ ଠାରେ ଚଳିତ ମାସ ୨୧, ୨୨, ଓ ୨୩ ତିନି ଦିନ ଧରି ଅନୁଷ୍ଠିତ ହେଉଛି। ଏ ବର୍ଷ ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତି ଜାତୀୟ ସ୍ତରରେ ଅନ୍ୟତମ ଜାତୀୟ ମୁକ୍ତି ସଂଗ୍ରାମ ଭାବେ ପାଳିତ ହେଉ ଥିବାରୁ ଏ ମହୋତ୍ସବର ଗୁରୁତ୍ୱ ବଢି ଯାଇଛି। ଏ ମହୋତ୍ସବକୁ ଅତିଜାକ୍ ଜମକରେ ପାଳନ କରି ଓଡିଶାରେ ପାଇକ ବିଦ୍ରୋହ କିଭଳି ସମଗ୍ର ଇଂରେଜ ଶାସନ ଭିତରେ ଆତଙ୍କ ସୃଷ୍ଟି କରିଥିଲା ତାହା ଲୋକ ଲୋଚନକୁ ଆଣି ସେମାନଙ୍କ ଭିତରେ ଜାଗରଣ ସୃଷ୍ଟି କରିବାକୁ ପ୍ରୟାସ କରିଛୁ। ଏଥିପାଇଁ ବିଭିନ୍ନ ଆଲୋଚନାଚକ୍ର, ସାଧାରଣ ସଭା ଓ ନାଟକ ପରିବେଷଣ କରି ଲୋକଙ୍କ ଭିତରେ ଦେଶ ପ୍ରେମର ବହ୍ନି ଜାଳିବାକୁ ଚେଷ୍ଟା କରୁଛୁ ବୋଲି ଜାତୀୟ ସାମରିକ ପରଂପରା ଓ ସଂସ୍କୃତି ମହୋତ୍ସବର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀବିଶ୍ୱ ଭୂଷଣ ହରିଚନ୍ଦନ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଶ୍ରୀହରିଚନ୍ଦନ କହିଛନ୍ତି ଯେ, ପାଇକ ବିଦ୍ରୋହ ଦେଶର ଅନ୍ୟତମ ମୁକ୍ତି ସଂଗ୍ରାମ କେବଳ ନୁହେଁ, ଏହା ହେଉଛି ବିଦେଶୀ ଇଂରେଜ ମାନଙ୍କ ବିରୁଦ୍ଧରେ ଓଡିଆ ଜାତିର ଏକ ରକ୍ତାକ୍ତ ଗଣ ସଂଗ୍ରାମ, ଯାହା ଇଂରେଜ ଶାସନର ଅସ୍ତିତ୍ୱକୁ ଦୋହଲାଇ ଦେଇଥିଲା। ଓଡିଶାର ସମସ୍ତ ଉପକୂଳ ଅଂଚଳ ଓ ଅନେକ ଗଡଜାତ ଅଂଚଳରେ ଗଜପତିଙ୍କର ପୂର୍ବତନ ପ୍ରଧାନ ସେନାପତି ବକ୍ସି ଜଗବଂଧୁଙ୍କର ନେତୃତ୍ୱରେ ଏ ସଂଗ୍ରାମ ୧୮୧୭ ରୁ ୧୮୨୫ ମସିହା ପର୍ଯ୍ୟନ୍ତ ଦୀର୍ଘ ୮ ବର୍ଷ ଧରି ଚାଲିଲା। ସମଗ୍ର ଦେଶର ଇତିହାସରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଥିଲା ଏ ବିଦ୍ରୋହ। ଏହାର ଭୟାବହତା କୁ ଲକ୍ଷକରି ବ୍ରିଟିଶ୍ “ଐତିହାସିକ ଜି.ଟଏନ୍ ବି” କହିଥିଲେ ଏ ଯେଉଁ ଝଡ ଉଠିଛି। ଏହା ଆହୁରି ବିସ୍ଫୋରକ ରୂପ ନେବ। ସମଗ୍ର ଓଡିଶା ନ ହେଲେବି ଖୋର୍ଦ୍ଧା ଅଂଚଳରୁ ହୁଏତ ଇଂରେଜମାନେ ବିତାଡିତ ହୋଇଯିବେ। ମହାତ୍ମାଗାନ୍ଧୀଙ୍କର ନେତୃତ୍ୱରେ ହୋଇଥିବା ଦେଶର ସ୍ୱାଧୀନତା ସଂଗ୍ରାମ ପୂର୍ବରୁ ଏ ଭଳି ଭୟାବହ ଗଣ ସଂଗ୍ରାମ ଆଉ ହୋଇନାହିଁ। ଏହା ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ହୋଇଥିବାରୁ ଓ ସାଧାରଣ ଜନତାର ସଂଗ୍ରାମ ହୋଇଥିବା ଯୋଗୁଁ ବାସ୍ତବରେ ଏହା ଥିଲା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ।

କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ଶ୍ରୀହରିଚନ୍ଦନ କହିଛନ୍ତି ଯେ, ପ୍ରଥମ ଦିନ ୨୧ ତାରିଖରେ ପୂର୍ବ ବର୍ଷ ମାନଙ୍କ ଭଳି ପାରଂପରିକ ଢଙ୍ଗରେ ଖୋର୍ଦ୍ଧାରୁ ବରୁଣେଇ ଦୁର୍ଗର ଅଧିଷ୍ଠାତ୍ରୀ ଦେବୀମା’ ବରୁଣେଇଙ୍କଠାରୁଏକ ଜ୍ୱଳନ୍ତ ମଶାଲ ସହ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏକ ପାଇକ ବାହିନୀ ମହୋତ୍ସବ ସ୍ଥଳକୁ ଆସିବ। ଯୋଡସବାର ପାଇକମାନେ ଅଗ୍ର ଭାଗରେ ରହିବେ। ପାଇକ ବିଦ୍ରୋହ ସଂପର୍କରେ ଏକ ଜନ ସମାବେଶ ହେବ। ଏଥିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରହିବେ। ତାଙ୍କ ସହିତ ଅନ୍ୟ ବିଶିଷ୍ଟ ଅତିଥିମାନେ ଉଦ୍ ବୋଧନ ଦେବେ। ତା ପରେ ପାଇକ ବିଦ୍ରୋହର ଲୋମ ହର୍ଷଣକାରୀ ସଂଗ୍ରାମ ଉପରେ ନାଟକ ‘ମହା ସଂଗ୍ରାମର ମହାନାୟକ’ ପ୍ରଖ୍ୟାତ ନାଟ୍ୟ ସଂସ୍ଥା ଶତାଦ୍ଦୀର କଳାକାର ଦ୍ୱାରା ଅଭିନୀତ ହେବ।

୨୨ ତାରିଖରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ମୁଖ୍ୟ ଅତିଥି ଥିଲା ବେଳେ ଆହୁରି ଅନେକ ବିଶିଷ୍ଟ ଅତିଥି ରହିବେ। ପ୍ରଖ୍ୟାତ ନୃତ୍ୟ ସଂଗଠନ “କ୍ରିଷ୍ଣା ଡ୍ୟାନ୍ସଗ୍ରୁପ୍ ” ସହିତ ଅନ୍ୟ ବିଶିଷ୍ଟ କଳାକାର ସଂସ୍ଥା ତାଙ୍କର ନୃତ୍ୟ ପ୍ରଦର୍ଶନ କରିବେ।

୨୩ ତାରିଖରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଅନ୍ୟ ବିଶିଷ୍ଟ ଅତିଥିମାନେ ରହିବେ। ସେ ଦିନ ମଧ୍ୟ ଛଉନୃତ୍ୟ, ଗୋଟିପୁଅ ନୃତ୍ୟ ଇତ୍ୟାଦି ବିଶିଷ୍ଟ କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ହେବ ଓ ଜାତୀୟ ବାଦୀ ସଂଗୀତ ସବୁ ପରିବେଷଣ ହେବ ବୋଲି ଶ୍ରୀହରିଚନ୍ଦନ ସୂଚନା ଦେଇଛନ୍ତି।

ଆଜିରଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନଙ୍କ ସମେତ ଡ. ଦିଲୀପ ଶ୍ରୀ ଚନ୍ଦନ, ସଂଗ୍ରାମ ପାଇକରାୟ, ଶ୍ରୀ ପ୍ରକାଶ ଶ୍ରୀଚନ୍ଦନ, ଶ୍ରୀ ମନ୍ନଥ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *