ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର, ୫/୯ (ଓଡ଼ିଆ ପୁଅ) – ଓଡ଼ିଶାର ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଯଥାଶୀଘ୍ର ଭାରତ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଆଜି ପତ୍ର ଲେଖିଛନ୍ତି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ସ୍ଥାପନ ପାଇଁ ଗତ ୨୦୧୩ ସେପ୍ଟେମ୍ବର ୨୮ ଏବଂ ୨୦୧୪ ଫେବୃଆରୀ ୧୩ ତାରିଖ ଦିନ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରର ଅବତାରଣା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ଏହି ଅଞ୍ଚଳର ଲୋକେ ହାଇକୋର୍ଟ କାର୍ଯ୍ୟ ପାଇଁ ସମ୍ମୁଖୀନ ହେଉଥିବା ଅସୁବିଧାର ସମାଧାନ ନିମନ୍ତେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ଦାବି ହୋଇଆସିଛି। ପୂର୍ବରୁ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଉକ୍ତ ଅଞ୍ଚଳମାନଙ୍କରେ ସ୍ଥାପନ କରାଗଲେ ରାଜ୍ୟ ସରକାର ପର୍ଯ୍ୟାପ୍ତ ସମ୍ବଳ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ମାଧ୍ୟମରେ ଜଣାଇଥିଲେ। ରାଜ୍ୟ ସରକାର ହାଇକୋର୍ଟର ବେଞ୍ଚ ବାବଦରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା କର୍ଣ୍ଣାଟକ ଓକିଲ ସଂଘ ମହାସଂଘ ଏବଂ ଭାରତ ସରକାର ଓଗେରଙ୍କ ମଧ୍ୟରେ ସୁପ୍ରିମକୋର୍ଟଙ୍କ ରାୟ, ହାଇକୋର୍ଟର ମୂଳ ପୀଠ ବାହାରେ ବେଞ୍ଚ ସ୍ଥାପନ ସମ୍ପର୍କୀତ ଜଷ୍ଟିସ ଯଶୋବନ୍ତ ସିଂହ କମିଶନଙ୍କ ସୁପାରିଶ ବାବଦରେ ରାଜ୍ୟ ସରକାର ଅବଗତ ଅଛନ୍ତି। ଏହି ଦୃଷ୍ଟିରୁ ଓଡ଼ିଶାର ପଶ୍ଚିମ ଓ ଦକ୍ଷିଣାଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଯୌକ୍ତିକତା ରହିଛି। ଜଷ୍ଟିସ ଯଶୋବନ୍ତ ସିଂ କମିଶନଙ୍କ ଦ୍ୱାରା ଧାର୍ଯ୍ୟ ମାପକାଠି ମଧ୍ୟ ଓଡ଼ିଶା ସରକାରଙ୍କ ମତାମତକୁ ସହାୟକ ହୋଇଛି। ୟୁନିୟନ ଲିଷ୍ଟର ପ୍ରବେଶିକା-୭୮ ଏହିଭଳି ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ସଂସଦର କ୍ଷମତା ମଧ୍ୟ ରହିଛି। ଏହି ପରିପ୍ରେକ୍ଷୀରେ ଲୋକଙ୍କ ଆକାଂକ୍ଷା ପୂର୍ତ୍ତି ପାଇଁ ଯଥାଶୀଘ୍ର ଓଡ଼ିଶାର ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ପଠାଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *