ଓଡ଼ିଶା

ପଶ୍ଚିମ ଓଡ଼ିଶା ଓକିଲ ସଂଘର ଝାରସୁଗୁଡ଼ାରେ ମହତ୍ତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି

ସମ୍ବଲପୁର, ୮/୯ (ଓଡ଼ିଆ ପୁଅ) – ଆସନ୍ତାକାଲି ୯ ତାରିଖ ରବିବାରରେ ଝାରସୁଗୁଡ଼ା ଠାରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟୀର ମହତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଠାରେ କ’ଣ ନିଷ୍ପତ୍ତି ହେବ ତାକୁ ନେଇ କୌତୁହଳ ପ୍ରକାଶ ପାଇଛି। ସୁଦୀର୍ଘ ବର୍ଷ ଧରି ଚାଲି ଆସିଥିବା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଆନ୍ଦୋଳନ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ଆସି ପହଞ୍ଚିଛି। ସାଧାରଣ ନିର୍ବାଚନ ସାଙ୍ଗକୁ ବିଧାନସଭା ନିର୍ବାଚନର ସମୟ ମଧ୍ୟ ପାଖେଇ ଆସୁଛି। ନିର୍ଦ୍ଧାରିତ ସମୟ ଠାରୁ ଆଗୁଆ ନିର୍ବାଚନ ହୋଇଯିବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଛି। ଏଭଳି ସମୟରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟୀ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାକୁ ଚାହେଁ। ‘ଏବେ ନୁହେଁ, ତ କେବେ ନୁହେଁ’ -ଉପରେ ଉଭୟ କ୍ରିୟାନୁଷ୍ଠାନ କମିଟୀ ଏବଂ ପଶ୍ଚିମ ଓଡ଼ିଶା ନାଗରିକ କମିଟୀ ମଧ୍ୟ ବିଶ୍ୱାସ କରୁଛନ୍ତି। ସଠିକ୍ ରଣନୀତି ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ଉପରେ ଚାପ ପକାଇଲେ ଏବେ ଦୀର୍ଘ ଦିନର ଦାବି ପୂରଣ ହୋଇପାରେ ବୋଲି ସାଧାରଣରେ ମଧ୍ୟ ଆଶା ରହିଛି। ବିଧାନସଭା ଅଧିବେଶନ ସହିତ ତାଳ ଦେଇ ଆଇନ ଏବଂ ରାଜସ୍ୱ ଅଦାଲତ ଅଚଳ ଆନ୍ଦୋଳନ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ତୃତୀୟ ଚିଠି ଲେଖିଛନ୍ତି। ଏହି ଚିଠି ଉପରେ ସାଧାରଣରେ ଭିନ୍ନ ପ୍ରକାର ତର୍ଜମା ଚାଲିଛି। ମୁଖ୍ୟମନ୍ତ୍ରୀ ଗତଥର ଭଳି ଏଥର ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନର ନାମ ଉଲ୍ଲେଖ ନକରି ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶା ବୋଲି ଉଲ୍ଲେଖ କରିବା ଦ୍ୱାରା ଅନେକ ନିରାଶା ବ୍ୟକ୍ତ କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପତ୍ର ଲିଖନ ଅଚଳାବସ୍ଥା ଦୂରୀକରଣରେ ସହାୟକ ହେବ ବୋଲି ଅନ୍ୟମାନେ କହୁଛନ୍ତି। ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଏକ ପ୍ରତିନିଧି ଦଳକୁ ତୁରନ୍ତ ଦିଲ୍ଲୀ ପଠାଇବା ଉପରେ ଓକିଲ ସଂଘ ପ୍ରାଥମିକତା ଦେଉଥିବା ଯଥାର୍ଥ ବୋଲି ଆଲୋଚନା ହେଉଛି। ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝାରସୁଗୁଡ଼ା ଆଗମନ କାର୍ଯ୍ୟକ୍ରମ ରହିଛି। ଏହି ଦୃଷ୍ଟିରୁ ଆସନ୍ତାକାଲିର ଝାରସୁଗୁଡ଼ା ବୈଠକ ଏବଂ ଏହାର ନିଷ୍ପତ୍ତି ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ। ତେଣୁ ଆଗାମୀ କାଲିକୁ ସଭିଙ୍କ ପ୍ରତୀକ୍ଷା। ଏଣେ ଆଇନ ଓ ରାଜସ୍ୱ ଅଦାଲତ ବନ୍ଦ ଆନ୍ଦୋଳନ ଜାରି ରହିଛି। ଆଜି ମାସର ଦ୍ୱିତୀୟ ଶନିବାରରେ ଅଫିସଗୁଡ଼ିକ ଛୁଟି ଥିଲେ ମଧ୍ୟ ଓକିଲମାନେ ଧାରଣାରେ ବସିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top