ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ: ବିଧାନସଭାରେ ଉଠାଇଲେ ଦିଲିପ ରାୟ

ଭୁବନେଶ୍ୱର, ୧୦ା୯ (ଓଡ଼ିଆ ପୁଅ) : ନୂଆ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ସରକାର ବସାଇଥିବା କମିଶନ ଲାଗି ଦେଢ଼କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ଛଅବର୍ଷ ଧରି ଚାଲିଥିବା ଏହି କମିଶନଙ୍କ ରିପୋର୍ଟ ସରକାରଙ୍କ ନିକଟରେ ୪ ବର୍ଷ ଧରି ବିଚାରାଧିନ ଅଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘଦିନ ଧରି ଚାଲିଥିବା ଆନ୍ଦୋଳନ ଓ ଦାବି ପରିପ୍ରେକ୍ଷୀରେ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ପଶ୍ଚିମାଞ୍ଚଳର କେଉଁଠି କେବେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବିଧାୟକ ଦିଲିପ ରାୟ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଜନସାଧାରଣ ତଥା ବିଭିନ୍ନ ଓକିଲ ସଂଘ ପକ୍ଷରୁ ଦାବି ହୋଇଆସୁଛି। ଏହି ଦାବିଗୁଡ଼ିକର ଗୁରୁତ୍ୱକୁ ବିଚାରକୁ ନେଇ ରାଜ୍ୟ ସରକାର ଅବସରପ୍ରାପ୍ତ ବିଚାରପତି ଚିତ୍ତରଞ୍ଜନ ପାଲ୍ଙ୍କ ଅଧ୍ୟକ୍ଷତାରେ ୨୦୦୮ ମାର୍ଚ୍ଚ ମାସରେ ଏକ ତଦନ୍ତ କମିଶନ ବସାଇଥିଲେ। ଉକ୍ତ ତଦନ୍ତ କମିଶନ ୨୦୧୪ ମଇ ମାସରେ ରାଜ୍ୟ ସରକାରଙ୍କୁ ତାଙ୍କ ରିପୋର୍ଟ ଦେଇଛନ୍ତି ଓ ଉକ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ବିଚାରାଧିନ ଅଛି। ଏହି ତଦନ୍ତ କମିଶନ ପାଇଁ ମୋଟ୍ ୧, ୫୨, ୫୮, ୭୨୨ ଟଙ୍କା ବ୍ୟୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହାଛଡ଼ା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନିମନ୍ତେ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିବା ସେ ଉଲ୍ଲେଖ କରିଛନ୍ତି।

ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ କହିଛନ୍ତି ଯେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେଉଁ କେଉଁ ସ୍ଥାନରେ କେବେସୁଦ୍ଧା ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ସେ ସଂକ୍ରାନ୍ତରେ କିଛି କହୁନାହାନ୍ତି। ରାଜ୍ୟର ପ୍ରାୟ ସମସ୍ତ ରାଜନୈତିକ ଦଳର ନେତା ନିଜ ନିଜ ଅଞ୍ଚଳରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ଆଗ୍ରହୀ। ଏ ପରିପ୍ରେକ୍ଷୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଚଳିତ ବିଧି ବ୍ୟବସ୍ଥା ମଧ୍ୟରେ ଅନ୍ୟ ରାଜ୍ୟଗୁଡ଼ିକରେ ଏକଧିକ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରାଯାଉଛି ତାହାକୁ ଆଖି ଆଗରେ ରଖି ତୁରନ୍ତ ଦୃଢ଼ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ଶ୍ରୀ ରାୟ ଉଲ୍ଲେଖ କରିଛନ୍ତି। ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ଜଷ୍ଟିସ୍ ପାଲ୍ କମିଶନ ରିପୋର୍ଟ ଦେବାକୁ ୬ ବର୍ଷ ନେବା ଏବଂ ଏହାପରେ ସରକାର ୪ ବର୍ଷ ଧରି ଉକ୍ତ ରିପୋର୍ଟକୁ ଶୀତଳ ଭଣ୍ଡାରରେ ପକାଇ ରଖିବା ଘଟଣାକୁ ବିଧାୟକ ଶ୍ରୀ ରାୟ ନାପସନ୍ଦ କରିବା ସହ ତୁରନ୍ତ ଆକ୍ସନ୍ ଟେକେନ୍ ରିପୋର୍ଟ ସହିତ ଏହାକୁ ବିଧାନସଭାରେ ଉପସ୍ଥାପନ କରିବା ଏବଂ ରାଜ୍ୟବାସୀଙ୍କ ଟିକସ ପଇସାରେ ଏହି କମିଶନ ବସିଥିବାରୁ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରିବା ଲାଗି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *