ଆମ ପର୍ବ ପର୍ବାଣୀ

ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ

କଳାହାଣ୍ଡି – (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷରେ ନୂଆଖାଇ ପର୍ବ ପାଳନ କରାଯାଇଥାଏ । ଓଡିଶାର ବିଶେଷ କରି ପଶ୍ଚିମ ଓଡିଶାର ଏହା ଏକ ଗଣ ପର୍ବ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ନୂଆଖାଇ ପର୍ବ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି । ନୂଆଖାଇ ପର୍ବର ପୂର୍ବ ଓ ପର ଦିନର ଯେଉଁ ଲୋକ ବିଶ୍ୱାସ,ବ୍ୟବସ୍ଥା ଏବଂ ଲୋକ ପ୍ରଥା ପ୍ରଚଳିତ ହୋଇ ଆସୁଛି ତାହା ହିଁ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ପଶ୍ଚିମ ଓଡିଶା ବାସୀଙ୍କର ମୂଖ୍ୟ ଜୀବିକା ହେଉଛି କୃଷି । କୃଷିଜାତ ଅନ୍ନର ମହତ୍ୱକୁ ନେଇ କେଉଁ ଆବହମାନ କାଳରୁ ଏହି ନୂଆଖାଇ ପର୍ବ ପାଳିତ ହୋଇ ଆସୁଛି । ଓଡିଶାର ଅବିଭକ୍ତ କଳାହାଣ୍ଡି,ବଳାଙ୍ଗୀର,ସମ୍ବଲପୁର,ସୁନ୍ଦରଗଡ ଓ ବଉଦ ଜିଲ୍ଲା ସମେତ କୋରାପୁଟର କେତେକ ଅଂଚଳ ଏବଇ ଛତିଶଗଡ ରାଜ୍ୟର ଦେଓଭୋଗ ସମେତ କେତେକ ଅଂଚଳରେ ଏହି ନୂଆଖାଇ ପର୍ବ ଧୂମଧାମରେ ପାଳିତ ହୋଇଥାଏ । ବର୍ଷ ପ୍ରାରମ୍ଭରେ ଉତ୍ପାଦିତ ଶସ୍ୟର ଅନ୍ନ କୁ ବିଶେଷ କରି ବର୍ଷର ଅମଳ ପ୍ରାରମ୍ଭରୁ ଉତ୍ପାଦିତ ହେଉଥିବା ଧାନରୁ ଯେଉଁ ଅନ୍ନ ବାହାରେ ସେହି ଅନ୍ନକୁ ନିଜ ଇଷ୍ଟ ଦେବାଦେବୀଙ୍କ ପାଦପଦ୍ମରେ ଅର୍ପନ କରି ସେହି ପ୍ରସାଦ ନିଜେ ଗ୍ରହଣ କରିବା ସଙ୍ଗେ ସଙ୍ଗେ କର୍ମ ଓ ବିରାଗ ମଧ୍ୟରେ ପ୍ରାଚୀନ ଜୀବନର ଇତିହାସ ଓ ଦର୍ଶନ ହେଉି ଏହି ପର୍ବର ମୂଖ୍ୟ ଉଦେ୍ଦଶ୍ୟ । ପଶ୍ଚିମ ଓଡିଶା କଳିଙ୍ଗ-କୋଶଳ ଭାବେ ପରିଚିତ ଏବଂ ଆଦିବାସୀ ଅଧ୍ୟୁଷିତ ଅଂଚଳ ଭାବେ ପ୍ରସିଦ୍ଧ । ଏହି ଆଦିବାସୀମାନେ ହିଁ ମୂଖ୍ୟତଃ କୃଷିଜୀବି । ଅଧିକ ଫସଲ ଉତ୍ପାଦନ କରିବା ପାଇଁ ସେମାନେ ମାଟି ମାଆଁକୁ ପୂଜା କରି ବିଭିନ୍ନ କୃଷି ଭିତ୍ତିକ ପର୍ବ ପାଳନ କରି ଆସୁଛନ୍ତି,ଯାହାକି ଆଜି ପ୍ରତ୍ୟେକ ଓଡିଆ ଜନମାନସରେ ସେହି ପରମ୍ପରା ସ୍ଥାନ ପାଇ ସାରିଛି ଓ ପ୍ରଚଳିତ ହୋଇ ଆସୁଛି । କୃଷିକୁ ମ୍ୟଖ୍ୟ ଜୀବିକା ଓ ଅନ୍ନକୁ ବ୍ରହ୍ମ ରୂପେ ବହୁ ପୂର୍ବରୁ ପରିକଳ୍ପନା କରାଯାଇଛି । ଗଙ୍ଗାଧର ମେହେରଙ୍କ ଭାଷାରେ-କୃଷି ସିନା ସଂସାରେ ସଭ୍ୟତାର ଚୂଳ,କୃଷି ଏକା ସକଳ ଜୀବିକାର ମୂଳ । ପ୍ରତିଟି ମଣିଷ ଅନ୍ନରୁ ଜାତ,ଅନ୍ନ ଜୀବନ ଧାରଣର ମାଧ୍ୟମ ଓ ଆନନ୍ଦର ବାର୍ଥାବହ । ବେଦ ଉପନିଷଦରେ ମଧ୍ୟ ଅନ୍ନକୁ ବ୍ରହ୍ମ ଈଶ୍ୱର ଭାବେ ବର୍ଣ୍ଣନା କରାଯାଇଛି । ଗଙ୍ଗାଧର ମେହେର କହିଛନ୍ତି–ଅନ୍ନ ଘେନି ରହିଛି ଅଖିଳ ସଂସାର,ଅନ୍ନ ବିନା ଜଗତେ ଉଠେ ହା ହା କାର । ପଶ୍ଚିମ ଓଡିଶାର ଅଧିବାସୀ ଓ ଲୋକ ସମାଜ ପ୍ରକୃତି ସହିତ ଏକ ନିବିଡ ଅନ୍ତରଙ୍ଗ ସମ୍ପର୍କ ସ୍ଥାପନ କରି ବଂଚି ଆସୁଥିବାରୁ କେବଳ ଧାନ ହିଁ ନୂଆ ମଧ୍ୟରେ ସିମିତ ନ ରହି ପ୍ରତିଟି ଶସ୍ୟର ନୂଆ ଫସଲକୁ ନିଜ ଇଷ୍ଟ ଦେବାଦେବୀଙ୍କୁ ପୂଜା କରିବା ପରେ ହିଁ ନିଜେ ବ୍ୟବହାର କରିଥାଏ । ଠିକ ସେହିପରି ଶ୍ରାବଣ ମାସରେ ମାଣ୍ଡିଆ ନୂଆଖିଆ ଓ ଗୁର୍ଜୀ ନୂଆଖିଆ,ଦଶହରା ଶୁକ୍ଳ ଦଶମୀ ଦିନ ବାଲିଗଜା ସମୟରେ ମକା ମଞ୍ଜିର ଗଜାକରି ପୂଜା କରିବା ପରେ ମକା ଖାଇବା ପରମ୍ପରା ଥିଲା । ଦଶହରା ଅଷ୍ଟମୀ ଦିନ ପୁଅ ଜିଉନ୍ତିଆ ଓଷା କରି ସାରିବା ପରେ କମଳା ଜାତୀୟ ଫଳ ପୂଜା କରି ସାରିବା ପରେ ସେହି ଫଳ ସବୁ ଖାଇବା ପଶ୍ଚିମ ଓଡିଶାର ଏକ ମୂଖ୍ୟ ପ୍ରଥା । ମାର୍ଗଶୀର ମାସରେ କୃଷ୍ଣ ପକ୍ଷ ଅଷ୍ଟମୀ ଦିନ ଶିମ୍ବ,କଖାରୁ,ବିରି,ଝୁଡଙ୍ଗ,ମୂଳା ଇତ୍ୟାଦିକୁ ପୂଜା କରି ଦେବାତାଙ୍କୁ ଅର୍ପଣ କରିସାରିବା ପରେ ଖିଆଯାଇଥାଏ । ଫାଲଗୁନ ପୂର୍ଣ୍ଣିମା ଦିନ ଆମ୍ବକୁ ଦେବତାଙ୍କ ପାଖରେ ପୂଜା କରି ସେହିଦିନ ଠାରୁ ଖିଆଯାଏ । ଚୈତ୍ର ପୂର୍ଣ୍ଣିମା ପୂର୍ବରୁ ଯେଉଁ ମଙ୍ଗଳବାର ପଡେ ସେହି ମଙ୍ଗଳବାର ଦିନ କାନ୍ଦୁଳ,ମହୁଲ,ଚାହାଁର ଇତ୍ୟାଦି ଫଳକୁ ଭାଜିକରି ଦେବାଦେବୀଙ୍କୁ ଅର୍ପଣ କରିବା ପରେ ଖିଆଯାଇଥାଏ । ଏହା ପୂର୍ବରୁ ମହୁଲକୁ ରନ୍ଧା ମଧ୍ୟ ଯାଇନଥାଏ । ଏଥିରୁ ସ୍ପଷ୍ଟ ଜଣାପଡେ ଯେ,ମଣିଷ ଯେତେସବୁ ଶସ୍ୟ ଉତ୍ପାଦନ କରେ ସେସବୁକୁ ପ୍ରଥମେ ନିଜ ଦେବାଦେବୀଙ୍କୁ ଅର୍ପଣ କରି ହିଁ ପରେ ନିଜେ ଭକ୍ଷଣ କରିଥାଏ । ହେଲେ ଆଜିକାଲିର ଏହି ପରିବେଶଗତ ଅସନ୍ତୁଳନ ଜନୀତ ଆଧୁନିକ ମଣିଷ ଠିକ ସମୟ ପୂର୍ବରୁ ମଧ୍ୟ ଚାଷ କରି ଅମଳ କରି ପାରୁଛି ଏବଂ ବେଳେ ବେଳେ କୌଣସି ପ୍ରକାରେ ଅସମୟରେ ମଧ୍ୟ ସବୁ କିଛି ହୋଇପାରୁଛି,ତେଣୁ କ୍ରମଶଃ ଏହାର ଗୁରୁତ୍ୱ କମିବାରେ ଲାଗିଛି । ଏତେସବୁ ଘଟଣା ପରେ ମଧ୍ୟ ମୂଖ୍ୟତଃ ଧାନ ଚାଷ ପ୍ରାୟତଃ ପରିବେଶ ଗତ ଅସନ୍ତୁଳିତ ଜନିତ ଚାଷ କରିବାର ସମୟ ସାଙ୍ଗକୁ ଅମଳ କରିବାର ସମୟ ବଳୁଥିଲେ ହେଁ ଆଜି ମଧ୍ୟ ସେହି ପ୍ରାଚୀନ ପରମ୍ପରା ଅନୁଯାୟୀ ଏହି ଅଂଚଳବାସୀ ଭାଦ୍ରବ ଶୁକ୍ଳ ପକ୍ଷରେ ନୂଆଖାଇ ପର୍ବ ମହା ଧୂମଧାମରେ ପାଳନ କରି ଆସୁଛନ୍ତି । ତେଣୁ ଏହା ହିଁ ପଶ୍ଚିମ ଓଡିଶାର ମୂଖ୍ୟ ପର୍ବ ବା ଗଣ ପର୍ବ ନୂଆଖାଇ । ପଶ୍ଚିମ ଓଡିଶା ଶକ୍ତିପୀଠ ଭାବେ ପରିଚିତ ହୋଇଥିବାରୁ ଦେବୀ ବା ମାତୃଶକ୍ତି ହିଁ ମୂଖ୍ୟ ଭାବେ ପୂଜିତ ହୋଇଥାନ୍ତି । ତେଣୁ କଳାହାଣ୍ଡିରେ ମାଣିକେଶ୍ୱରୀ,ଜୁନାଗଡ ଓ ଆଖପାଖରେ ଲଙ୍କେଶ୍ୱରୀ,ସମ୍ବଲପୁରରେ ସମଲେଶ୍ୱରୀ,ବଲାଙ୍ଗୀର ଓ ପାଟଣାଗଡରେ ପାଟଣେଶ୍ୱରୀ,ସୋନପୁରରେ ସୁରେଶ୍ୱରୀ ଆଦି ଦେବାଦେବୀ ଙ୍କ ପୀଠରେ ପ୍ରଥମେ ନବାନ୍ନ ଭୋଗ ଲାଗି ହେବା ପରେ ସେହି ପ୍ରସାଦ ନୂଆ ଅନ୍ନ କୁ ସମସ୍ତେ ଗ୍ରହଣ କରି ସେହି ଦିନଠାରୁ ନୂତନ ଫସଲର ଅନ୍ନ ଖାଇବା ପରମ୍ପରା ରହିଆସିଛି । ନୂଆଖାଇର ପ୍ରାକ ପ୍ରସ୍ତୃତି ପର୍ବ ଆରମ୍ଭ ହୋଇଥାଏ ନିର୍ଦ୍ଦିଷ୍ଟ ଦିନର କିଛି ଦିନ ପୂର୍ବରୁ । ନୂଆଖାଇ ଦିନ ପ୍ରାୟତଃ ସମସ୍ତଙଦକ ଘରେ ସମସ୍ତେ ନୂଆ ବସ୍ତ୍ରର ବ୍ୟବସ୍ଥା କରିଥାନ୍ତି । ଯେତେ ଦୂରରେ ଥରଲେ ମଧ୍ୟ ନିଜର ଜନ୍ମ ମାଟିକୁ ଫେରି ସପରିବାର ସହ ନୂଆ ଖାଇବାର ଯୋଜନା ହୋଇଥାଏ । ଘରର ଶୁଦ୍ଧତା ପାଇଁ ସଫାସୁତୁରା,ଲିପା ପୋଛା କରାଯାଇ ପୁରୁଣା ବ୍ୟଥା,ବେଦନା,ଦୁଃଖ,ରୋଗବ୍ୟାଧି ସବୁ ଭଲି ଏକ ନୂତନ ଚିନ୍ତା ଚେତନାରେ ନୂଆ ଜୀବନ ବଂଚିବାର ପ୍ରୟାସ କରାଯାଇାଏ । ନୂଆଖାଇ ବେଳକୁ ପ୍ରାୟତଃ ଆଁଟ ଜମି ବା ଢିପ ଜମିରେ ଧାନ ଫସଲ ହୋଇଥାଏ । ତେଣୁ ଗ୍ରାମର ପୂଜକ ଜମିରୁ ଧାନ ଛିଣ୍ଡାଇ ଆଣି ଗ୍ରାମ ଦେବାଦେବୀଙ୍କ ପାଖରେ ଅର୍ପଣ କରି ସାରିଥାଏ । ଧାନ ମଂଜି ମିଳି ନ ପାରିଲେ ଧାନ ଫୁଲକୁ ମଧ୍ୟ ପୂଜାକରି ନୂଆଖାଇ ପର୍ବ ପାଳନ କରିବାର ବିଶ୍ୱାସ ମଧ୍ୟ ରହିଛି । ଗ୍ରାମଦେବତାଙ୍କୁ ଅର୍ପଣ କରିବା ପରେ ଜନସାଧାରଣ ନିଜ ନିଜର ସାଧ୍ୟମତେ ନୂଆବସ୍ତ୍ର ପରିଧାନ କରି ନବନିର୍ମିତ ଚୂଲିରେ ନୂଆହାଣ୍ଡିରେ ଧାନ ପକାଇ ଚୂଡା ଭାଜିଥାନ୍ତି । ତା ପରେ ଚୂଡାରେ ଘିଅ,କ୍ଷୀର,ନଡିଆ,କଦଳୀ,ଗୁଡ ଆଦି ମିଶ୍ରଣ କରାଯାଇ ପ୍ରସାଦ ବା ନବାନ୍ନ ପ୍ରସ୍ତୃତ କରାଯାଇଥାଏ । ନୂଆଖାଇରେ ସର୍ବଶୁଦ୍ଧି ଓ ଦେବାଦେବୀଙ୍କ ମାନ୍ୟତା ପ୍ରାପ୍ତ କୁରେଇପତ୍ର ପୂର୍ବରୁ ସଂଗ୍ରହ କରି ରଖାଯାଇଥାଏ ଏବଂ ସେହି କୁରେଇ ପତ୍ରରେ ହିଁ ଘରର ମୂଖିଆ ସମସ୍ତଙ୍କୁ ନବାନ୍ନ ବଂଟନ କରିଥାନ୍ତି । ପ୍ରଥମେ ଇଷ୍ଟଦେବୀ ଓ ପରେ ପୂର୍ବପୁରୁଷଙ୍କୁ ନବାନ୍ନ ଅର୍ପଣ କରିସାରିବା ପରେ ପ୍ରତ୍ୟେକ ବ୍ୟକ୍ତି ସାନରୁ ବଡ ଯାଏ ସମସ୍ତେ ନିଜ ନିଜ ମୁଣ୍ଡରେ ଓ ଇଷ୍ଟ ଦେବାଦେବୀଙ୍କ ପାଖରେ ନୂଆ ଧାନର ବେଣି କରି ଝୁଲାଇ ଦିଆଯାଇଥାଏ । ନବାନ୍ନ ଭକ୍ଷଣ ଦିନ ପ୍ରତୁ୍ୟଷରୁ ପ୍ରତ୍ୟେକ ପରିବାର ସଦସ୍ୟ ଶୁଦ୍ଧପୁତ ମନରେ ନୂଆ ବସ୍ତ୍ର ପରିଧାନ କରି ସମସ୍ତ ପ୍ରଥାନୁସାରେ ନୂଆଖାଇ ସାରିବା ପରେ ପ୍ରଥମେ ଇଷ୍ଟଦେବୀ ଓ ପରେ ପରିବାରର ଛୋଟରୁ ବଡ ପର୍ଯ୍ୟାୟ ଭିତିକ ଜୁହାର ପର୍ବ ଆରମ୍ଭ ହୋଇଥାଏ । ବଡମାନେ ସୁଖ ଶାନ୍ତିରେ ବର୍ଷଟିର ଶୁଭକାମନା ପୂର୍ବକ ସାନମାନଙ୍କୁ ଆଶୀର୍ବାଦ ଦେଇଥାନ୍ତି । ପରିବାର ମଧ୍ୟରେ ଯିଏ ଯାହାର ସାଧ୍ୟ ମତେ ବିଭିନ୍ନ ପ୍ରକାର ପିଠାପଣା,ମଣ୍ଡାପିଠା,ଖିରୀପୁରୀ,ତରକାରୀ ଇତ୍ୟାଦି କରି ଏକ ଜାକ ଜମକରେ ନୂଆଖାଇ ପର୍ବଟିରେ ପରିବାରର ସମସ୍ତ ସଦସ୍ୟ ଓ ବନ୍ଧୁବାନ୍ଧବ ଗହଣରେ ଏକାଠି ଭୋଜନ କରିଥାନ୍ତି । ତାପରେ ଆରମ୍ଭ ହୋଇଥାଏ ଭଜନ କୀର୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମନ୍ଦିର ଗ୍ରାମ ବା ସହରରେ ନୂଆଖାଇ ଜୁହାର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହି ଦିନ ଯେତେ ଯାହା ଶତୃଭାବ ଥିଲେ ସୁଦ୍ଧା ନୂଆଖାଇ ଜୁହାର ଭେଟ ହୋଇଗଲେ ସବୁ ମିଟିଯାଇ ବନ୍ଧୁଭାବ ଜାଗ୍ରତ ହୋଇଯାଏ ବୋଲି ଜନସାଧାରଣରେ ବିଶ୍ୱାସ ରହିଛି । ନୂଆଖାଇ ବା ନବାନ୍ନ ଭକ୍ଷଣ ପର୍ବ ଯେଉଁଦିନ ନୂଆଅନ୍ନ ଖିଆଯାଏ କେବଳ ସେହି ଦିନଟିକୁ ବୁଝାଏ ନାହିଁ ବରଂ ନୂଆଖାଇ ଦିନ ସହିତ ତାର ପୂର୍ବ ପ୍ରସ୍ତୃତି ଏବଂ ପରର ଯେଉଁ ପ୍ରଥା ସବୁ ରହିଛି ତାକୁ ମିଶାଇ ନୂଆଖାଇ ପର୍ବ କୁହାଯାଇଥାଏ । ନୂଆଖାଇର ପରଦିନକୁ ନୂଆଖାଇ ବାସି ଦିନ ଆହୁରି ଧୂମଧାମରେ ପିଠାପଣା ମାଛ ମାଂସ ଇତ୍ୟାଦି କରି ଭୋଜିଭାତ ମାଧ୍ୟମରେ ବନ୍ଧୁ ମୋଳନ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ସମାପନ କରାଯାଇଥାଏ । ଏହି ନୂଆଖାଇ ବାସୀଦିନ ହଜାର ହଜାର ସଂଖ୍ୟାରେ କୁକୁଡା,ଖାସି,ଗଡରା,ଛେଳି ଇତ୍ୟାଦି ବଧକରି ଲୋକେ ବାସୀ ମାନନ୍ତି । ସ୍ଥାନେ ସ୍ଥାନେ ନୂଆଖିଆ ସରିବା ପରେ ସାତ ଆଠଦିନ ପରେ ମଧ୍ୟ ଆଖ ପାଖ ସାଂସ୍କୃତିକ ଦଳ ଓ ମୂଖ୍ୟ ଲୋକମାନଙ୍କୁ ନେଇ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥାଏ । ଓଡିଶାର ସମଗ୍ର ଅଂଚଳରେ ନହେଲେ ହେଁ ନୂଆଖାଇ ପଶ୍ଚିମ ଓଡିଶାରେ ଏକ ଗୌରବାମହ ଗଣପର୍ବ ବୋଲି କେବଳ ଭାରତ ବର୍ଷରେ ନୁହେଁ ଦରିଆପାରି ଦେଶମାନଙ୍କରେ ମଧ୍ୟ ଗଣମାଧ୍ୟମ ଦ୍ୱାରା ଉକ୍ରର୍ଷତାର ପରିଚୟ ପ୍ରଦାନ କରି ପାରିଛି । ସ୍ଥଳ ବିଶେଷରେ ପଶ୍ଚିମ ଓଡିଶା କିମ୍ବା କଳାହାଣ୍ଡି ବାସୀ ଯେଉଁ ସବୁ ସ୍ଥାନରେ ବସବାସ କରି ନିଜ କର୍ମମୟ ଜୀବନଯାପନ କରୁଛନ୍ତି ସେସବୁ ସ୍ଥାନ ମାନଙ୍କରେ ମଧ୍ୟ ନୂଆଖାଇ ପର୍ବ ଏକତ୍ରୀତ ହୋଇ ପାଳନ କରୁଥିବାର ଦେଖାଯାଇଛି । ଏଥିରୁ ସ୍ପଷ୍ଟ ମନେ ହେଉଛି ଯେ,ଯେଉଁ ପରମ୍ପରା ଆଦିମ କାଳରୁ ପ୍ରଚଳିତ ହେଉଛି ତାହା ପ୍ରତିଟି ଓଡିଆ ମନରେ ଆଜି ମଧ୍ୟ ସେହି ପରମ୍ପରା ପାଳନ କରି ଆସୁଛି । ଯଦିଓ ପଶ୍ଚିମ ଓଡିଶା ସମେତ ଗଜପତି ଜିଲ୍ଲାର ଖମଣ୍ଡି,ନବରଙ୍ଗପୁର ଜିଲ୍ଲାର ଆଦିବାସୀ ଅଂଚଳ,ରାୟଗଡାର କାଶୀପୁର,ଛତିଶଗଡ ରାଜ୍ୟର ଦେଓଭୋଗ ଓ ରାୟଗଡ ଅଂଚଳର ଅଧିବାସୀମାନେ ପାରମ୍ପରିକ ଶୈଳୀରେ ନୂଆଖାଇ ପର୍ବ ପାଳନ କରନ୍ତି,ତଥାପି ମଧ୍ୟ କଳାହାଣ୍ଡିର ଜନମାନସରେ ଏହି ନୂଆଖାଇ ପର୍ବପାଳନର ଏକ ସ୍ୱାତନ୍ତ୍ରତା ରହିଛି । ଭାଦ୍ରବ ଶୁକ୍ଳପକ୍ଷ ପଂଚମୀ ତିଥିରେ ସମଗ୍ର ରାଜ୍ୟରେ ନୂଆଖାଇ ପର୍ବ ପାଇଁ ସରକାରୀ ସ୍ୱୀକୃତି ମାଧ୍ୟମ ରେ ପ୍ରସାରିତ ଓ ପ୍ରଚାରିତ ହୋଇ ଅଧିକାଂଶ ସ୍ଥାନରେ ଏହି ପଂଚମୀ ତିଥିରେ ନୂଆଖାଇ ପାଳନ ହେଉଥିବା ବେଳେ କଳାହାଣ୍ଡି କଥା ସଂପୂର୍ଣ୍ଣ ଅଳଗା । ଏଠାରେ ବସବାସ କରୁଥିବା ଅଲେଖ ନିରଂଜନ ଧର୍ମାବଲମ୍ନୀ ମାନେ ସର୍ବ ପ୍ରଥମେ ଭାଦ୍ରବ ଅମାବାସ୍ୟା ଅର୍ଥାତ ପୋରା ଉଆଁସ ଦିନ ନୂଆଖାଇ ପାଳନ କରୁଥିବା ବେଳେ ପଥର୍ଲା ଅଂଚଲରେ ଅମାବାସ୍ୟା ପରଦିନ ପ୍ରତିପଦା ଦିନ ନୂଆଖାଇ ପର୍ବ ପାଳନ କରିଥାନ୍ତି । ମାଁ ମଅଣିକେଶ୍ୱରୀ ଙ୍କ ପୀଠ ସ୍ଥାନ ଯଥା ଭବାନୀପାଟଣା,ଥୁ-ରାମପୁର,ଜୟପାଟଣା,ମହୁଲପାଟଣା,ଲାଂଜିଗଡ,କାଶୀପୁର ଭଲି କେତେକ ସ୍ଥାନରେ ଭାଦ୍ରବ ଦଶମୀ ତିଥୀରେ ହିଁ ନୂଆଖାଇ ପର୍ବ ପାଳନ କରିଥାନ୍ତି । ବାକି ସବୁ ସ୍ଥାନରେ ଡପଂଚମୀ ତିଥିରେ ହିଁ ନୂଆଖାଇ ପର୍ବ ପାଳନ ହୋଇଥାଏ । ରାଜପରିବାର ମାନେ ବିଜୟା ଦଶମୀ ଦିନ ଦେବୀ ପୂଜା କରି ସେହିଦିନ ନୂଆଖାଇପର୍ବ ପାଳନ କରିଥାନ୍ତି । ଏହାହିଁ କଳଃାହାଣ୍ଡିର ସ୍ୱାତନ୍ତ୍ରତା ଭାବେ ପ୍ରତିପାଦିତ ହୋଇଆସିଛି । ପରଂପରା ଏକ ଓ ସମାନ କିନ୍ତୁ ତିଥି ଭିନ୍ନ ହେଲେ ମଧ୍ୟ ସବୁ ରୀତି ନୀତି ସମାନ ବାବେ ପାଳନ କରାଯାଇଥାଏ । ଠିକ ସେହିପରି ସମଗ୍ର ଜୁନାଗଡ ଅଂଚଳ ଓ ଆଖପାଖ ଅଂଚଳରେ ଜୁନାଗଡ ସ୍ଥିତ ଦଧିବାମନ ମନ୍ଦିରରେ ପ୍ରସାଦ ଲାଗି ହେବା ପରେ ସମସ୍ତେ ନ୍ୟଆଖାଇ ପାଳନ କରିଥାନ୍ତି । ପ୍ରତ୍ୟେକ ଦେବାଦେବୀଙ୍କ ନିଜ ନିଜ ନାମ ଗୋତ୍ର ଅନୁସାରେ ସମୟ ନିର୍ଘଂଟ ବାହାର କରାଯାଇ ସେହି ଅନୁସାରେ ସେହି ସମୟରେ ନୂଆଖାଇ ଭୋଗ ଲାଗି କରାଯାଇ ସମସ୍ତେ ନୂଆଖାଇ ପାଳନ କରିଥାନ୍ତି । ପ୍ରାକ୍ତନ ୧୯୧୮ ମସିହାରେ ନିର୍ମିତ ଜୁନାଗଡ ଦଧିବାନ ମନ୍ଦିରରେ ଥିବା ଗାତ୍ରରେ ଖୋଦିତ ଲିପିରୁ କମଳମଣ୍ଡଳ ସଂପର୍କରେ ଉଲ୍ଲେଖ ହୋଇଥିବାର ଜଣାପଡେ । ଏହି କଳମଣ୍ଡଳ ହେଉଛି କଳାହାଣ୍ଡି । ପ୍ରାଚୀନ ଗ୍ରନ୍ଥାଦିରେ କରଣ୍ଡ,ଇନ୍ଦ୍ରବଣିକ,କାରୁଣ୍ଡ,କାନ୍ତାରକ,କଳାହାଣ୍ଡି,ମହାକାନ୍ତାର,ନବପତ୍ରାଜିକ ଅଂଚଳ,ତୈଳବାହା ଅଂଚଳ,କମଳବନ,ବଣିକସ୍ଥାନ ଆଦି ସ୍ଥାନର ସୂଚନା ମିଳୀଥାଏ । ବିଶିଷ୍ଟ ପ୍ରତ୍ନତାତ୍ୱିକ ଆଲେକଜାଣ୍ଡାର କନଙ୍ଗହାସଙ୍କ ମତରେ କଳାହାଣ୍ଡି ଏକ ଅରଣ୍ୟ ଅଧୂ୍ୟଷିତ ମନ୍ଧାନ ଓ ଆଦିମ ସଭ୍ୟତାର ଭୂମି । ଏଠାକାର ପ୍ରାଚୀନ ଅଧିବାସୀ କହିଲେ ଆଦିବାସୀ ମାନଙ୍କୁ ବୁଝାଏ । କନ୍ଧ,ଶବର,କୁଟିଆ କନ୍ଧ,ପରଜା,ଗଣ୍ଡ,ଭତରା,ବନଜାରା,ସଉରା,ଗଜବା,ଭୁଂଜିଆ ପ୍ରଭୃତି ଜନଜାତି ଏହି ଅଂଚଳରେ ବସବାସ କରି ଆସୁଥିବାର ଜଣାଯାଏ । କଳାହାଣ୍ଡିର ଜନଜାତି କେଉଁ ଆଦିମ କାଳରୁ ଧରିତ୍ରୀ ମାଟିମାକୁ ପୂଜା କରି ନିଜର ଜୀବିକା ନିର୍ବାହ କରିଥିଲେ । ଜଙ୍ଗଲ ଜାତ ଦ୍ରବ୍ୟକୁ ନେଇ ପ୍ରଥମେ ମାଟିମାଁ ପାଖରେ ଅର୍ପଣ କରିବ ପରେ ତାର ପ୍ରସାଦ ସେମାନେ ଖାଉଥିଲେ । କଳାହାଣ୍ଡିର ଚନ୍ଦନ କାଠ,ହାତୀଦାନ୍ତ ଓ ରତ୍ନ ପଥରର ମହତ୍ୱ ଅପେକ୍ଷା ଜଙ୍ଗଲଜାତ ଫସଲର ମହତ୍ୱ ସେମାନଙ୍କ ପାଖରେ ଢେର ବେଶୀ ଥିଲା । ୧୮୫୩ ମସିହା ବେଳକୁ କଳାହାଣ୍ଡିର ମହାରାଜା ଉଦିତ ପ୍ରତାପ ଦେଓଙ୍କ ଶାସନ କାଳରେ ସମ୍ବଲପୁରର କୁଲତା ସଂପ୍ରଦାୟର ଲୋକମାନଙ୍କୁ ନିମନ୍ତ୍ରଣ କରି ଚାଷ କାର୍ଯ୍ୟରେ ନିୟୋଜିତ କରି ଚାଷର ବିକାଶ କରିଥିଲେ । ପୂର୍ବରୁ ଆଦିବାସୀ ମାନଙ୍କ ଦ୍ୱାରା ହେଉଥିବା ଅଳ୍ପ ପରିମାଣର ଚାଷ ଏହି କୁଲତା ସମାଜ ଦ୍ୱାରା ବହୁଗୁଣିତ ହୋଇ ଯାଇଥିଲେ ହେଁ ଆଦିବାସୀ ମାନଙ୍କର ସେହି ପୁରୁଣା ପରଂପରା ଅନୁସାରେ ଫସଲର ପ୍ରଥମ ଅଂଶ ନିଜର ଇଷ୍ଟ ଦେବାଦେବୀଙ୍କ ପାଖରେ ଅର୍ପଣ କରିବାର ବିଧି ସେମିତି ବଜାୟ ରହିଆସିଛି । ନୂଆଖାଇ ଉପାସ ଓ ବାସୀ ସମେତ ଆଉ ଏକ ପରଂପରା ହେଲା ଧରନୀପୂଜା । ପ୍ରାତଃ କାଳରେ ଗାଁର ଗଣାର ଡାକରେ ସମସ୍ତ ପରିବାର ଖଇଲିଆ,ପତର,ଅରୁଆ ଚାଉଲ,ସଳିତା ଓ ଝୁଣା ନେଇ ଘର ଓ ବାଡିପଟ ଗୁହାଳ ଆଦି ଚାରିପଟେ ଝୂଣା ଦେଇ ଧରଣୀ ମାତାର ପୀଠକୁ ପହଂଚାଇ ଦେବାର ବିଧି ଆଜି ମଧ୍ୟ ରହିଛି । ସମସ୍ତଙ୍କ ଘରୁ ଏହି ଧୂଆଁ ଦିଆ ଅକ୍ତା ଧରଣୀ ପୀଠକୁ ଆସିବା ପରେ ଗାଁର ଜାନି ବା ପୂଝାରୀ ମାଟି ଦେବତାଙ୍କୁ ପୂଜାକରି ଗ୍ରାମର ମଙ୍ଗଳ ମନାସନ୍ତି । କଳାହାଣ୍ଡିର ଗଣପର୍ବ ଯେମିତି ନୂଆଖାଇ ଠିକ ସେହିପରି ସାଂସ୍କୃତିକ କାର୍ଯ୍ୟର୍କମରେ ଗଣବାଦ୍ୟ ରୂପେ ଘୁମୁରା ବେଶ ପ୍ରଚଳିତ । ନୂଆଖାଇ ଆସିବା ପୂର୍ବରୁ ପୋଏଲ ଉଆାଁସ ଅର୍ଥାତ ଶ୍ରାବଣ ଅମାବାସ୍ୟା ଦିନ ଘୁମୁରା ବାଦ୍ୟ ସବୁକୁ ପୂଜାକରି ଏହି ଗଣବାଦ୍ୟ ଘୁମୁରା ବାଦ୍ୟର ଅଭ୍ୟାସ ଆରମ୍ଭ କରାଯାଇଥାଏ । ନୂଆଖାଇ ଦିନ ତାର ଆତ୍ମପ୍ରକାଶ ଘଟି ସମସ୍ତଙ୍କ ଘରକୁ ଘର ବୁଲି ଘୁମୁରାନୃତ୍ୟ ବାଦ୍ୟ ପରିବେଷଣ କରିବାର ପରଂପରା ଆଜିମଧ୍ୟ ପ୍ରଚଳିତ । ସାଂପ୍ରତିକ ଯୁଗରେ ଦରଦାମ ବୃଦ୍ଧି,ଅର୍ଥନୈତିକ ସମସ୍ୟା ନବନ୍ନ ଉତ୍ସବକୁ କେତେକାଂଶରେ ମଳିନ କରି ଦେଉଥିଲେ ହେଁ ଗରିବ ଚାଷୀ ମୂଲିଆମାନେ ଆବଶ୍ୟକ ସ୍ଥଳେ କରଜ,ଋଣ,ଧାର ଉଧାର କରି ଏହି ପର୍ବକୁ ମହାଆଡମ୍ବରରେ ପାଳନ କରିବାକୁ ପ୍ରସ୍ତୃତ ହୋଇଥାନ୍ତି । ଚାକିରୀଆ ହେଉକି ମଜୁରିଆ ସମସ୍ତଙ୍କ ମନରେ ଏହି ସ୍ୱାଦୀନତାର ଉପଲବଧି ଅନୁମାନ କରାଯାଇଥାଏ । ବର୍ତମାନ କଳାହାଣ୍ଡିରେ ଦାଦନ ଶ୍ରମିକ ମାନେ ବାହାର ରାଜ୍ୟକୁ ଯାଉଥିବା ବେଳେ ଅନେକାଂଶରେ ଦଳାଲ ମାନେ ନୂଆଖାଇ ପୂର୍ବରୁ ଅଗ୍ରୀମ ବଇନା ଦେଇ ଶ୍ରମିକ ଚାଲାନ କରୁଥିବାର ମଧ୍ୟ ଅନେକ ସ୍ୱର ଉଠିଲାଣି । କହିବା ବାହୁଲ୍ୟ ଯେତେ ଯାହା ହେଲେ ମଧ୍ୟ ସେହି ପ୍ରାଚୀନ ପରଂପରାକୁ ସମସ୍ତେ ବଜାୟ ରଖିଥିବାର ସ୍ପଷ୍ଟ ଜଣାପଡେ । ସେ ଯାହା ହେଉନା କାହିଁକି ବିଶ୍ୱରେ ଏଭଲି କୃଷିଭିତ୍ତିକ ଏକ ଗଣପର୍ବ ଦୃଷ୍ଟିଗୋଚର ହେଉନଥିବା ବେଳେ ଓଡିଶାରେ ବିଶେଷ କରି ପଶ୍ଚିମ ଓଡିଶାରେ ଏବଂ ସର୍ବୋପରି ସ୍ୱାତନ୍ତ୍ରତା ମଧ୍ୟରେ କଳାହାଣ୍ଡିରେ ଏହି ଗଣପର୍ବଟି ଓଡିଆଙ୍କର ପରଂପରା,ଐତିହ୍ୟର ଏକ ଅନନ୍ୟ ସେତୁ । ଅଭାବ ଅନାଟନ,ଦୈନ୍ୟ ନିର୍ଯ୍ୟାତିତା ମୁହଁରେ ଆଶା,ଆଶ୍ୱାସନା ଓ ସମ୍ବେଦନାର ବାର୍ତ୍ଥାର ଦ୍ୟୋତକ,ବଂଚିବାର ନୂତନ ସ୍ପୃହା ଓ ଉଦ୍ଦୀପନା ସୃଷ୍ଟି କରି ଗ୍ରାମ୍ୟ ପଲ୍ଲୀ-ଜୀବନକୁ ପୂର୍ଣ୍ଣତା ଆଡକୁ ବାଟ କଡାଇ ନେଇଥାଏ । ମାଟି ଓ ମଣିଷର ଯେଉଁ ସଂପର୍କ ରହିଛି ସେହି ସଂପର୍କରୁ ଉଦବୁଦ୍ଧ ଏହି ଗଣପର୍ବ ନୂଆଖାଇ ଐକ୍ୟବଦ୍ଧତା,ଭାତୃଭାବ,ତ୍ୟାଗପୂତ ଭାବନା,ମିଳନ ଓ ବିଶ୍ୱାସର ଅତୁଟ ବନ୍ଧନ,ସଂପର୍କ ଓ ପ୍ରତିବଦ୍ଧତା,ପରଆପଣାର ଉଦ୍ଧ୍ୱର୍ରେ ସମସ୍ତଙ୍କୁ ଆପଣେଇ ନେବାର ଯୋଉଁ ମହାନ ବାର୍ତ୍ତା ତଥା ଶାନ୍ତି ମୈତ୍ରୀ ତଥା ସଂହତିର ସମାହାରରେ ଆପଣାର ସ୍ୱରୂପକୁ ବହନ କରି ଚଳଚଂଚଳ ଓ ଗତିମୂଖର ସ୍ରୋତରେ ସମସ୍ତଙ୍କୁ ସୁଖଶାନ୍ତି ଓ ସୌହାର୍ଦ୍ଦ୍ୟରେ ପ୍ରଭୂ ଶ୍ରୀ ଦଧିବାମନ ଏବଂ ଜଗଜ୍ଜନନୀ ମାଁ ଲଙ୍କେଶ୍ୱରୀ ଓ ମାଁ ମାଣିକେଶ୍ୱରୀ ରଖିଥାନ୍ତୁ ଏହାହିଁ ପ୍ରାର୍ଥନା । ଏହାହିଁ ଏହି ଗଣପର୍ବ,ସଂହତିର ପର୍ବ ନୂଆଖାଇର ବାର୍ତ୍ଥା ହେଉ ।ାାା

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top