ପଶ୍ଚିମ ଓଡିଶାରେ ଉତ୍ସାହ ଉଦ୍ଦିପନା ସହିତ ନୂଆଖାଇ ପାଳନ

ସମ୍ବଲପରୁ ୧୪-୦୯ (ଓଡ଼ିଆ ପୁଅ) ବିପୁଳ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ଆଜି ପଶ୍ଚିମ ଓଡିଶାର ଅନନ୍ୟ ଗଣପର୍ବ ନୂଆଖାଇ ଆଜି ପାଳନ କରାଯାଇଛି। ସକାଳେ ଅଧିଷ୍ଟାତ୍ରୀ ଦେବଦେବୀଙ୍କ ଠାରେ ନବାନ୍ନ ଲାଗି ହେବା ଉତ୍ତାରୁ ଆବାଳ ବୃଦ୍ଧ ବନିତା ନୂଆଖାଇ ପର୍ବ ପାଳନ କରିଛନ୍ତି। ସମ୍ବଲପୁରର ଅଧିଷ୍ଟାତ୍ରୀ ସମଲେଶ୍ୱରୀଙ୍କ ଠାରେ ଧାର୍ଯ ଲଗ୍ନ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିର ପୂର୍ବାହ୍ନ ୮.୨୦ରୁ ୮.୪୦ ମଧ୍ୟରେ ଶୁଭ ମୂହୁର୍ତ୍ତ ଅନୁସାରେ ନବାନ୍ନ ନୈବେଦ୍ୟ ଅର୍ପଣ କରାଯାଇଥିଲା। ଭୋର ସମୟରେ ମନ୍ଦିର ଗମ୍ଭିରା ଖୋଲାଯାଇ ନିତ୍ୟ ପୂଜା ଉତ୍ତାରୁ ନବାନ୍ନ ବିଧି ଆରମ୍ଭ ହୋଇଥିଲା। ଘଣ୍ଟ, ଶଙ୍ଖ ଓ ପଞ୍ଚବାଦ୍ୟର ଧ୍ୱନି ମଧ୍ୟରେ ମାଁଙ୍କ ନିକଟରେ ନବାନ୍ନ, ନବାନ୍ନରୁ ପ୍ରସ୍ତୁତ ପିଠାପଣା, ଖିରୀ ପ୍ରଭୃତି ସାମଗ୍ରୀ ଲାଗି କରାଯାଇଥିଲା। ଏଥି ସହିତ ମନ୍ଦିରର ପାର୍ଶ୍ୱ ଦେବାଦେବୀ ଉଗ୍ରତାରା, ନାରସିଂହୀ, ଦୁର୍ଗା, ମଙ୍ଗଳା, ହନୁମାନ, ଜ୍ୱଳାମୂଖୀ, ବନଦୁର୍ଗା, ବରାହୀ, ଶିତଳା, ଘଣ୍ଟାସିନୀ, ବଞ୍ଜାରୀ, ରାମଚଣ୍ଡୀ କାଳି, ଭୈରବୀ, ସିଦ୍ଧିଦାତ୍ରୀ ଆଦି ୧୧୫ ଟି ପୂଜା ସ୍ଥଳରେ ମଧ୍ୟ ନବାନ୍ନ ଅର୍ପଣ କରାଯାଇଥିଲା। ଏହା ପରେ ସ୍ୱତନ୍ତ୍ର ଆଳତୀ କରାଯାଇଥିଲା ଏବଂ ଅପେକ୍ଷାରତ ଭକ୍ତଙ୍କ ପାଇଁ ମାଁଙ୍କ ଦର୍ଶନ ସକାଶେ ମନ୍ଦିରର କବାଟ ଖୋଲା ଯାଇଥିଲା। ବହୁଭକ୍ତ ଏଠାରୁ ନବାନ୍ନ ସଂଗ୍ରହ କରି ନିଜ ନିଜ ଘରେ ପରିବାରଙ୍କ ସହିତ ଗ୍ରହଣ କରିଥିଲେ। ମନ୍ଦିରର ବରିଷ୍ଟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ନେତୃତ୍ୱରେ ପୂଜକମାନେ ନୂଆ ବସ୍ତ୍ର ପରିଧାନ କରି ନବାନ୍ନ ଓ ପୂଜ ସାମଗ୍ରୀକୁ ନୂଆ ବାସନରେ ସମଲାଇଙ୍କୁ ଅର୍ପଣ ପାଇଁ ମନ୍ଦିରକୁ ଆଣିଥିଲେ। ଗାଁ ଓ ବିଭିନ୍ନ ସ୍ଥାନର ଗ୍ରାମଦେବୀ ଓ ଅଞ୍ଚଳର ସମସ୍ତ ମନ୍ଦିରରେ ମଧ୍ୟ ବିଗ୍ରହ ମାନଙ୍କୁ ନିଷ୍ଠାର ସହିତ ନବାନ୍ନ ଅର୍ପଣ କରାଯାଇଥିଲା। ସେହି ଭଳି ଆଜି ସକାଳେ ଗାଁ ମାନଙ୍କରେ ପରିବାର ମାନଙ୍କ ମୁଖ୍ୟମାନେ ଧାନ କ୍ଷେତକୁ ଯାଇଁ ଗୋରସ ଓ ଫୁଲ ଅର୍ପଣ ପୂର୍ବକ ପୂଜା କରିଥିଲେ। ଘରମାନଙ୍କରେ ମୂରବୀମାନେ ନବାନ୍ନ ପୂଜାକରିବା ଉତ୍ତାରୁ ଭୋଗକୁ ପରିବାରର ଅନ୍ୟମାନଙ୍କୁ ପ୍ରଦାନ କରିଥିଲେ। ନବାନ୍ନ ଗ୍ରହଣ ସହିତ ଲୋକେ ଘର, ଗାଁ ଓ ସହରର ଇଷ୍ଟଦେବ ଦେବୀଙ୍କୁ ପ୍ରଣିପାତ ଜଣାଇ ଆଶିର୍ବାଦ ମାଗିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଜୁହାର ଭେଟ ଆରମ୍ଭ ହୋଇଥିଲା। ଏହି ସମୟରେ ବଡମାନଙ୍କୁ ଜୁହାର ଓ ସାନମାନଙ୍କୁ ଲୋକେ ଅଭିନନ୍ଦନ ଜଣାଇଥିଲେ। ପର୍ବ ପାଇଁ ଘରେଘରେ ପୂର୍ବରୁ ପ୍ରସ୍ତୁତି ହୋଇଥିଲେ ମଧ୍ୟ ଝୋଟି ଓ ଆମ୍ବ ପତ୍ରର ତୋରଣରେ ପ୍ରବେଶ ଦ୍ୱାରଗୁଡିକ ସୁଶୋଭିତ ହୋଇଥିଲା। ବହୁଲୋକ ନିଜ ପରିବାରସହ ଦୂରଦୂରାନ୍ତ କର୍ମକ୍ଷେତ୍ରରୁ ଆସି ଆଜି ନିଜ ନିଜ ଘରେ ନୂଆଖାଇ ପାଳନ କରିଛନ୍ତି। ନୂଆଖାଇ ପାଇଁ ସମଗ୍ର ପଶ୍ଟିମ ଓଡିଶା ଚଳଚଞ୍ଚଳ ହୋଇ ଉଠିଥିଲା। ଇଲାକାରେ ପ୍ରାୟପ୍ରାୟ ସମସ୍ତ ଦୋକାନ ବଜାର, କେତେକ ସ୍ଥାନରେ ଯାତ୍ରୀବାହୀ ବସ ଓ ଅନ୍ୟାନ୍ୟ ଯାନବାହନ ଏବଂ ପେଟ୍ରୋଳ ଟାଙ୍କି ଗୁଡିକ ମଧ୍ୟ ପର୍ବ ପାଇଁ ବନ୍ଦ ରହିଥିଲା। ବିଭିନ୍ନ ସ୍ଥାନରେ ସନ୍ଧ୍ୟାରେ ବିଭିନ୍ନ ପ୍ରତିଯୋଗିତା ଓ ନୁଆଖାଇ ଭେଟଘାଟ ଉତ୍ସବର ଆୟୋଜନ କରାଯାଇଥିଲା। ନୂଆଖାଇ ପର୍ବ ପାଇଁ ଗତ କିଛିଦିନ ହେଲା ଗାଁରୁ ସହର ପର୍ଯ୍ୟନ୍ତ ଦୋକାନ ବଜାରରେ ଯୋହସୋର ସୌଦା ହୋଇଥିଲା।

Leave a Reply

Your email address will not be published. Required fields are marked *