ପଶ୍ଚିମବଙ୍ଗରେ ଓଡ଼ିଆ ସଂସ୍କୃତି ବଂଚାଇବାକୁ ପ୍ରୟାସ ବେଲୁର ମଠରେ ଅନଶନ କରିବେ ବୈଲୋଚନ

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପଶ୍ଚିମବଙ୍ଗରେ ଓଡ଼ିଆ ସଂସ୍କୃତି, ଐତିହ୍ୟକୁ ବଂଚାଇ ରଖିବା ପାଇଁ ଭଦ୍ରକ ଜିଲାର ବର୍ଷିୟାନ୍ ସମାଜସେବୀ ବୈଲୋଚନ ଜେନା (୮୩) ବେଲୁର ମଠରେ ଅନଶନ କରିବେ। ଏ ସଂପର୍କରେ ସେ ଆଜି ଘୋଷଣାହ କରିଛନ୍ତି। ପଶ୍ଚିମବଙ୍ଗର ୯ନଂ ଗିରୀଶ ଘୋଷ ରୋଡ, ବେଲୁର ମଠ (ହାୱଡା) ସ୍ଥିତ ଉତ୍କଳ ଯୁବକ ସଂଘର ୬ ଗୁଣ୍ଠ ଜମିର ସୁରକ୍ଷା ଓ ସୁପରିଚାଳନା ଦାବି କରି ସେ ଜୁଲାଇ ୧୭ ରୁ ଅନଶନରେ ବସିବେ ବୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି, ୧୯୪୪ ରେ ପଶ୍ଚିମବଙ୍ଗରେ କାର୍ଯ୍ୟ କରୁଥିବା ତତ୍କାଳୀନ ଓଡ଼ିଆମାନେ ଏକ ଯୁବକ ସଂଘ ଗଠନ କରି ବେଲୁର ମଠରେ ଥିବା ଓଡ଼ିଆମାନଙ୍କ ୬ ଗୁଣ୍ଠ ଜାଗାରେ ଗୋଟେ ମଠ ଓ ଲାଇବ୍ରେରୀ କରିଥିଲେ। ୧୯୬୦ ରେ ମଦନ ମୋହନଙ୍କ ସଭାପତିତ୍ୱରେ ଏକ କମିଟି ଗଠନ କରାଯାଇ ଏହି ସ୍ଥାନରେ ୨୦ଟି ଟାଇଲ୍ ଛପର ଘର ନିର୍ମାଣ ହୋଇଥିଲା। ଏଥିରେ ଓଡିଆମାନେ ଭଡା ସୂତ୍ରରେ ରହୁଥିଲେ। କମିଟିର ଏକ ସ୍ୱତନ୍ତ୍ର ସମ୍ବିଧାନ ବି ଥିଲା। ପରବର୍ତ୍ତୀ ସମୟରେ ସୂତାକଳ ଓ ଝୋଟକଳ ଗୁଡିକ ବନ୍ଦ ହେବା ପରେ ଓଡ଼ିଆ ସଂଗଠନ ଦୁର୍ବଳ ହୋଇଗଲା। ମଠ ସଂପତ୍ତିର ସୁପରିଚାଳନା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବୈଠକରେ ସେଥିରେ ଗୋପବନ୍ଧୁ ଭବନ ନିର୍ମାଣ ପାଇଁ ପ୍ରସ୍ତାବ ରଖାଯାଇଥିଲା। ତେବେ ଏହି ପ୍ରସ୍ତାବକୁ କିଛି ଲୋକ ବିରୋଧ କରିବାରୁ ଏହା ସମ୍ଭବ ହୋଇପାରୁନାହିଁ। ଫଳରେ ସେ ବାଧ୍ୟହୋଇ ଜୁଲାଇ ୧୭ ରୁ ଅନଶନ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *