ଓଡ଼ିଶା

ପଲିଥିନ ମୁକ୍ତ ସମ୍ବଲପୁର ପାଇଁ ଏସଏମସିର ଅଭିଯାନ ଜାରି : ମାର୍ଚ୍ଚ ମାସରେ ଲକ୍ଷାଧିକ ଟଙ୍କାର ଜରିମାନା ଅସୁଲ

ସମ୍ବଲପୁର, ୧୯/୯ (ଓଡ଼ିଆ ପୁଅ) – ସମ୍ବଲପୁର ମହାନଗର ନିଗମ ପକ୍ଷରୁ ୨୦୧୫ ମସିହା ଫେବୃଆରୀ ମାସରେ ୫୦ ମାଇକ୍ରନ୍ରୁ କମ୍ ମାନର ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲା। ହେଲେ ରାଜ୍ୟ ସରକାର ଆସନ୍ତା ଅକ୍ଟୋବର ୨ ତାରିଖରୁ ରାଜ୍ୟର ବଡ଼ ବଡ଼ ସହରରେ ପଲିଥିନ ନିଷେଧ କରିବା ପାଇଁ ଜାରି କରିଥିବା ଚିଠାକୁ କାର୍ଯ୍ୟକାରୀ କରିବା ସକାଶେ ମହାନଗର ନିଗମ ପ୍ରସ୍ତୁତ ହୋଇଛି। ଓଡ଼ିଶାର ପ୍ରଥମ ସ୍ୱାୟତ୍ତ୍ ଶାସନ ସଂସ୍ଥା ଭାବେ ସମ୍ବଲପୁର ମହାନଗର ନିଗମ ବେଆଇନ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରିଥିଲା। ଏହା ଦ୍ୱାରା ପଲିଥିନ୍, ବିଶେଷ କରି ପଲିଥିନ ବ୍ୟାଗ ବ୍ୟବହାର ମହାନଗର ନିଗମ ଅଞ୍ଚଳରେ ହ୍ରାସ ପାଇଛି। ଏହା ବଦଳରେ ପୂର୍ବଭଳି କପଡ଼ା ବ୍ୟାଗ, କାଗଜ ଠୁଙ୍ଗା ଓ ପଲିଥିନର ବିପରୀତ ଦ୍ରବ୍ୟରେ ପ୍ରସ୍ତୁତ ପ୍ୟାକିଂ ବ୍ୟବସ୍ଥା ବ୍ୟବହାର ବୃଦ୍ଧି ପାଇଛି। ଧାର୍ଯ୍ୟ ମାନଠାରୁ କମ୍ ମାନର ପଲିଥିନ ଧରପକଡ଼ ପାଇଁ ନିୟମିତ ଭାବେ ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଗୋଦାମ ଓ ମଲ ମାନଙ୍କରେ ଖାନତଲାସ ଚାଲିଥିବା ନଗରନିଗମର ପ୍ରବର୍ତ୍ତନ ଅଧିକାରୀ ଶୁଭଙ୍କର ମହାନ୍ତି କହିଛନ୍ତି। ୫୦ ମାଇକ୍ରନରୁ କମ୍ କିସମର ପଲିଥିନ ବ୍ୟବହାର ଉପରେ ଜରିମାନା ଆଦାୟ କରାଯାଉଛି। ଗତ ଏପ୍ରିଲ ମାସରୁ ଚଳିତ ଆର୍ଥିକ ବର୍ଷରେ ୧୦୦ କିଲୋଗ୍ରାମ ବେନିୟମ ପଲିଥିନ ଜବତ କରାଯିବା ସହିତ ୧ ଲକ୍ଷ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସେ ସୂଚନା ଦେଇଛନ୍ତି। ସମ୍ବଲପୁର ସହରରେ ପିଇବା ପାଣି ଭର୍ତ୍ତି ପାଉଚ ଉପରେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ କଟକଣା ରହିଛି। ୨୦୧୪ରୁ ସହରରେ ପଲିଥିନ ବ୍ୟବହାର ଉପରେ କଟକଣା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିପୂର୍ବରୁ ବିଭିନ୍ନ ସଂସ୍ଥା ଜରିଆରେ ପଲିଥିନ ଉପରେ ସର୍ଭେ କରାଯିବା ସହିତ ଲୋକଙ୍କୁ ସଚେତନ ମଧ୍ୟ କରାଯାଇଥିଲା। ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଜରିଆରେ ନିର୍ଭୁଲ ତଥ୍ୟ ସଂଗ୍ରହ କରାଯାଇଛି। ନିୟମକୁ ଲାଗୁ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସାୟୀ, ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକମାନଙ୍କ ବୈଠକ କରାଯାଇଥିଲା। ବୈଠକରେ ଏମାନଙ୍କୁ ପଲିଥିନ ଉତ୍ପାଦିତ ସାମଗ୍ରୀ ବ୍ୟବହାର ନ କରିବା ପାଇଁ କୁହାଯାଇଥିଲା। ସେହିଭଳି ପଲିଥିନ ମୁକ୍ତ ସମ୍ବଲପୁର ପାଇଁ ମାରାଥନ ଏବଂ ପଦଯାତ୍ରା ଭଳି କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ୨୦୧୪ରେ ସହରରେ ଜଣ୍ଡିସର ପ୍ରାଦୁର୍ଭାବ ଏବଂ ପଲିଥିନ ଯୋଗୁଁ ନାଳନର୍ଦ୍ଦମା ଅବରୋଧ ହେଉଥିବାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top