ପଲିଥିନ ତଳେ ଆଦିବାସୀ ସମ୍ପ୍ରଦାୟ ; ଦୁଃଖ, ଦୁର୍ଦ୍ଦଶାରେ ବିତୁଛି ଜୀବନ …

ଯାଜପୁର-୨୭/୭(ଓଡିଆ ପୁଅ/ଏ.ରାଉତ) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବାର୍ଷିକ ଯୋଜନାରେ ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କ ଉନ୍ନତ୍ତି ନିମନ୍ତେ ଶହ ଶହ କୋଟି ମଞ୍ଜୁର କରାଯାଉଛି। ମାତ୍ର ସେ ଅର୍ଥର ସୁବିଧା ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। କେବଳ ବାଟମାରଣାରେ ସାର ହୋଇଛି। ନଚେତ୍ ସ୍ୱାଧୀନତାର ବହୁ ବର୍ଷ ପରେ ଆଦିବାସୀ ସମ୍ପ୍ରଦାୟ ଲୋକମାନଙ୍କର ଅବସ୍ଥା ଏହି ଭଳି ନଥାନ୍ତା। ସେଥିପାଇଁ ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକମାନେ ସବୁଠି ଅବହେଳିତ ଅବସ୍ଥାରେ କାଳତିପାତ କରୁଥିବା ଦେଖିବାକୁ ମିଳୁଛି। ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଏକ ସ୍ୱତନ୍ତ୍ର ବ୍ଲକ ଭାବରେ ନିଜର ଖ୍ୟାତି ଅର୍ଜନ କରିଥିବା ବେଳେ କିନ୍ତୁ ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କ ଉନ୍ନତ୍ତି ଦିଗରେ କୌଣସି ପଦକ୍ଷେପ ନେଇନଥିବା ଜଣାଯାଏ। ଫଳରେ ୨୦ ହଜାରରୁ ଉର୍ଦ୍ଧ୍ୱ ଆଦିବାସୀ ବହୁ ଅସୁବିଧାରେ ଜୀବନ ନିର୍ବାହ କରୁଥିବା ଜଣାଯାଇଛି। ୪୫ ପଞ୍ଚାୟତ ବିଶିଷ୍ଟ ବ୍ଲକରେ କାଆଁ ଭାଆଁ ପଞ୍ଚାୟତକୁ ଛାଡ଼ିଦେଲେ ବହୁ ପଞ୍ଚାୟତରେ ଏହି ସମ୍ପ୍ରଦାୟର ଲୋକମାନେ ବସବାସ କରୁଛନ୍ତି। ସେମାନଙ୍କୁ ଅଦ୍ୟାବଧ ପକ୍କା ଘର ଖଣ୍ଡେ ଯୋଗାଇ ଦେବାରେ ବ୍ଲକ ପ୍ରଶାସନ ଅସମର୍ଥ ହୋଇଛି। କେବଳ ତହସିଲ ପକ୍ଷରୁ ମିଳୁଥିବା କଳା ପଲିଥିନ୍ ଖଣ୍ଡେ ସେମାନଙ୍କ ସାହା ଭରଷା ପାଲଟିଛି। ଦୁଇଦିନ ପୂର୍ବରୁ ଲଘୁଚାପ ଜନୀତ ଲଗାଣ ବର୍ଷାରେ ସେମାନଙ୍କ ଘରେ ଆଣ୍ଠୁଏ ଲେଖାଏ ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା। ନଡା ଛପର ଘର ଉପରେ କଳା ପଲିଥିନ୍ ଖଣ୍ଡେ ଟାଙ୍ଗି ବର୍ଷା ଦାଉରୁ ପରିବାରକୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ସେମାନେ। ଏଭଳି ଅତି ଦୟନୀୟ ଅବସ୍ଥାରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବସବାସ କରୁଛନ୍ତି। ସେମାନଙ୍କୁ ପଚାରିଲେ ସେ କହନ୍ତି ବର୍ଷା, ଖରା, ଶୀତ, କାକର ଆମ ପାଇଁ ସବୁକିଛି ସମାନ ହୋଇଯାଇଛି। ପାହାଡ଼ କୋରଡରେ ବସବାସ କରୁଥିବା ମୁଣ୍ଡା ସମ୍ପ୍ରଦାୟର ଆଦିବାସୀମାନେ ଦୁଃଖ ଦୁର୍ଦ୍ଦଶାରେ କାଳତିପାତ କରୁଛନ୍ତି। ଅନ୍ୟପକ୍ଷରେ ଗାଁ ମୁଣ୍ଡରେ ରହୁଥିବା ଦେହୁରୀ ଓ ଦଳେଇ ସମ୍ପ୍ରଦାୟର ଆଦିବାସୀ ମଧ୍ୟ ଏଥିରୁ ବାଦ ପଡ଼ିନାହାଁନ୍ତି। କିନ୍ତୁ ଅବହେଳିତ, ନିସ୍ପେଷିତ ଓ ଅସହାୟ ଦଳିତ ବାସହରା ଲୋକମାନଙ୍କ ପାଇଁ ଇନ୍ଦିରା ଆବାସ, ମୋ କୁଡିଆ, ବିଜୁ ପକ୍କା ଘର ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଏମାନଙ୍କୁ ସେଥିରୁ ବାଦ ଦିଆଯାଇଛି। ପକ୍କାଘର ଖଣ୍ଡେ ନଥିବାରୁ ବର୍ଷା, ଖରା ଓ ଶୀତ କାକରରେ ଜୀବନ ବିତୁଛି ଆଦିବାସୀମାନଙ୍କର। ଏଥିପ୍ରତି ସ୍ଥାନୀୟ ବିଧାୟକ ଓ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଉନଥିବାରୁ ଏଭଳି ପରିସ୍ଥିତି ଧର୍ମଶାଳା ଅଞ୍ଚଳରେ ଦେଖାଦେଇଥିବା ଜଣାଯାଏ। ପ୍ରଗତୀ ପଥେ ଧର୍ମଶାଳା ତଥା ପ୍ରଗତୀର ପ୍ରୟୋଗ ଶାଳା ବୋଲି ଧର୍ମଶାଳାକୁ ଶାସକ ଦଳର ଲୋକମାନେ ବିଭିନ୍ନ ସଭାସମିତିରେ ଉଚ୍ଚରଣ କରୁଥିବା ବେଳେ ତାର ନିଦର୍ଶନ ଆଦିବାସୀ ବସ୍ତି ଗୁଡ଼ିକୁ ଦେଖିଲେ ଜଣାଯାଏ। ସେଗୁଡିକ ହେଲା-ତରଞ୍ଜିଆ ପଞ୍ଚାୟତର ବୁରୁସାହି, ଚକ୍ରଧରପୁର ପଞ୍ଚାୟତର ଗମାରିଆ, ବଲାଙ୍ଗିଆ, କୁଷୁନପୁର, ବାଉଁଶଡୋଳ, ଏଣ୍ଡଳବା ପଞ୍ଚାୟତର ହନୁଆ, ପାଟପୁର, ବିଛାଖଣ୍ଡି ଓ କଲାଣ୍ଡ, ପୁରୁଣାବଉଳମାଳ ପଞ୍ଚାୟତର ଗୟାସାହି, ଲୁଣିବାରି, ବାରମାଣ ଓ କାଦୁଅ ବଉଳମାଳ, ଗଡ଼ମଧୁପୁର ପଞ୍ଚାୟତର କୁକୁଡା ଖାଳେଇ, ରଗଡ଼ିପଶି, ଚଢ଼େଇଧରା, ପନ୍ତୁରି ଓ କୃଷ୍ଣପଶି, ମହିଶରା ପଞ୍ଚାୟତର ଡଙ୍କାରୀ, ନିମିଟି, ବରଡ଼ା ଓ ରମ୍ପେଇ, ସଂପାରୁ ପଞ୍ଚାୟତର ତୋଡସିଂ ଓ ତୁରଙ୍ଗ, ପାଟପୁର ପଞ୍ଚାୟତର ନମକନା, ଥାନୁଆଳ ପଞ୍ଚାୟତର ଝାରଶୋଳ, ଆରୁହା ପଞ୍ଚାୟତର ଉତିମରା, ହିଞ୍ଜିଳିପାଟିଆ, ଗଙ୍ଗାଧରପୁର ପଞ୍ଚାୟତର ପଲାର, ବ୍ରାହ୍ମଣଦା ଓ ବାହାଗଡ଼ା, ସୁନ୍ଦରିଆର ହରଦେଇପୁର, ପ୍ରତାପୁର ଓ ଷଣ୍ଢପୁର, ପାଖର ପଞ୍ଚାୟତର ମାଣ୍ଡିଆ, ବାଜବାଟି ଓ ନାକୁଆ ପ୍ରଭୃତି ବସ୍ତି ଗୁଡ଼ିକ ରହିଛି। ସେଠାରେ କୋ÷ଣସି ପକ୍କା ଘରେ ଖଣ୍ଡେ ନଥିବା ବେଳେ ସେମାନଙ୍କୁ ତାଙ୍କର ମୋ÷ଳିକ ସୁବିଧାରୁ ବଞ୍ଚିତ କରାଯାଇଛି। ଅନେକ ସ୍ଥାନରେ ପାନୀୟ ଜଳ ନଥିବା ବେଳେ ସେମାନେ ଚୁଆରୁ ପାଣି ଆଣି ବ୍ୟବହାର କରୁଛନ୍ତି। ସେହିପରି ବିଦ୍ୟୁତ୍ ସେବା, ରାସ୍ତା, ସ୍କୁଲ୍ ଓ ଅଙ୍ଗନୱାଡି ଆଦି କୌଣସି ସୁବିଧା ସେମାନଙ୍କ ପ୍ରତି କରାଯାଇନାହିଁ। ଫଳରେ ଧର୍ମଶାଳା ବ୍ଲକ ଅଧିନରେ ବସବାସ କରୁଥିବା ସମସ୍ତ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବହୁ ଦୁଃଖ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି। କେବଳ କଳା ପଲିଥିନ୍ ଖଣ୍ଡେ ସେମାନଙ୍କ ସାହା ଭରସା ପାଲଟିଛି। ଏଥିପ୍ରତି ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଧର୍ମଶାଳା ନବ ନିର୍ବାଣ କୃଷ୍ଣ ସଂଗଠନର ସଂଯୋଜକ ବସନ୍ତ କୁମାର ପରିଡ଼ା, ସାମାଜିକ କର୍ମୀ ଦେବବ୍ରତ ରାଉତ, ଶ୍ରମିକ ନେତା ନୃସିଂହ ଚରଣ ମିଶ୍ର ଓ ଲୋକନାଥ ପଲେଇ ପ୍ରମୁଖ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *