ଓଡ଼ିଶା

ପରିବେଶ ସୂରକ୍ଷାର ବାର୍ତାବହ ହେବ ଆକାଶ ମେହେରଙ୍କ ସୌର ଚାଳିତ ସାଇକେଲ

ବୌଦ୍ଧ,୨୮ା୦୩(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା ) : ବେଳେବେଳେ ନିଜ ଭିତରେ ରହିଥିବା ଲୁକାୟିତ ପ୍ରତିଭାର ବିକାଶରେ ସାଧାରଣ ମଣିଷଟିଏ ହୋଇଯାଏ ଅସାଧାରଣ । ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଯାଏ ବିଫଳତା । ଅଦମ୍ୟ ନିଶା ଓ ମନର ଭାବନାକୁ କାର୍ଯ୍ୟରେ ଲଗାଇ କିଛି ନୂଆ କରି ସଫଳତା ପାଇବା ପାଇଁ ସୌର ଚାଳିତ ଅଟୋ ଗିଅର ସାଇକେଲ ଉଦ୍ଭାବନ କରି ବୌଦ୍ଧଜିଲା କଂଟାମାଳ ବ୍ଲକ ଅନ୍ତର୍ଗତ ଗୋହିପିଟା ଗ୍ରାମର ଆକାଶ ମେହେର ଏବେ ଚର୍ଚ୍ଚାରେ । ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବଢି ଚାଲିଥିବାବେଳେ ପରିବେଶକୁ କିପରି ପ୍ରଦୂଷଣରୁ ମୁକ୍ତ ରଖିବା ପାଇଁ ଆଧୁନିକ ଜ୍ଞାନ କୌଶଳରେ ସୌର ଚାଳିତ ଅଟୋ ଗିଅର ସାଇକେଲ ଉଦ୍ଭାବନ କରି ଏହି ଅଖ୍ୟାତ ପଲ୍ଲୀର ଆକାଶ ଏବେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଦିଲ୍ଲୀରେ ସିଭିଲ ପରୀକ୍ଷା ପ୍ରସ୍ତୁତି ଚଳାଇଥିବାବେଳେ ସେଠାରେ ବିଦୁ୍ୟତ ଚାଳିତ ଅଟୋରିକ୍ସାରେ ବସିବାର ଅଭିଜ୍ଞତା ତାଙ୍କର ଥିଲା । ଗୋହିପିଟା ଠାରେ ୨୦ ମେଗାୱାଟ କ୍ଷମତା ସଂପର୍ଣ୍ଣ ସୋଲାର ପାୱାର ପ୍ଲାଂଟ ପ୍ରତିଷ୍ଠା ହେବାପରେ ସୌରଚାଳିତ ସାଇକେଲ ତିଆରି କରିବାର ନିଶା ଆକାଶଙ୍କ ମୁଣ୍ଡରେ ପଶିଥିଲା । ଖୁବ କମଦିନ ଭିତରେ ସେ ନିଜ ଉଦ୍ୟମରେ ଉଦ୍ଭାବନ କରିପାରିଛନ୍ତି ଏହି ସୌରଚାଳିତ ଅଟୋ ଗିଅର ସାଇକେଲ । ଦୁଇଚକିଆ ମଟର ସାଇକେଲରେ ଯେଉଁ ସବୁ ସୁବିଧା ରହିଛି ଏହି ସାଇକେଲ ବି ତାଠାରୁ କୌଣସି ଗୁଣରେ କମ ନୁହଁ । ସୌର ଚାଳିତ ସାଇକେଲକୁ ବିନା ପେଡାଲରେ ଅଳ୍ପ ଖର୍ଚ୍ଚରେ ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ବ୍ୟବହାର କରିପାରିବେ । ଆକାଶଙ୍କ ଏହି ବିରଳ ଉଦ୍ଭାବନରେ ତାଙ୍କର ପରିବାରରେ ତଥା ଅଂଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି । ଏହି ସୌରଚାଳିତ ସାଇକେଲ ଘଂଟାକୁ ସର୍ବାଧିକ ୩୦ କିମି ବେଗରେ ଅତିକ୍ରମ କରିପାରିବ । ସାଇକେଲ ମଧ୍ୟରେ ସଂଯୋଗ ହୋଇଛି ବ୍ୟାଟେରୀ । ବ୍ୟାଟେରୀକୁ ଚାର୍ଜ କରିବା ପାଇଁ ସୋଲାର ପ୍ୟାନେଲ ଆଗରେ ଖଂଜା ଯାଇଛି । ମେଘୁଆ ପାଗରେ ମଧ୍ୟ ଏହା ୪ ଘଂଟା ଚାଲିପାରିବ । ଏହି ସାଇକେଲରେ ଅତ୍ୟାଧୁନିକ ମୁ୍ୟଜିକ ସିଷ୍ଟମ ସହିତ ରାତିରେ ଯାତ୍ରା ପାଇଁ ଲାଇଟ ମଧ୍ୟ ଖଂଜା ଯାଇଛି । ସାଇକେଲଟି ଶବ୍ଦ ବିହୀନ ହୋଇଥିବାବେଳେ କୌଣସି ଧୂଆଁ ବାହାରୁ ନଥିବାରୁ ପରିବେଶ ସୂରକ୍ଷା ପାଇଁ ଏହି ସାଇକେଲ ଏବେ ବାର୍ତାବହ ହୋଇପାରିଛି । ଏହି ସାଇକେଲ ତିଆରିରେ ୧୫ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଆକାଶ ପ୍ରକାଶ କରିଛନ୍ତି । ନିଜର ପରିଶ୍ରମ ଓ ବୁଦ୍ଧିମତାର ପରିଚୟ ଦେଇଥିବା ଏହି ଯୁବକଙ୍କ କାର୍ଯ୍ୟକୁ ଅଂଚଳବାସୀ ପ୍ରଶଂସା କରିବା ସହିତ ସାଇକେଲ ଦେଖିବା ପାଇଁ ତାଙ୍କ ଗ୍ରାମରେ ଲୋକଙ୍କ ଭିଡ ଲାଗି ରହିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top