ପରିବାର ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

ତିର୍ତ୍ତୋଲ ୧୧/୦୭ (ଓଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଗତ ୧.୦୬.୨୦୧୮ରିଖଦିନ ସେହି ଗ୍ରାମର କିଶୋର ଚନ୍ଦ୍ର ପ୍ରଧାନ, ଦିପ୍ତିରଞ୍ଜନ ଜେନା ଓ ସଞ୍ଜୟ ଦାଶ ଏକ ନମ୍ବର ବିହିନ ଜେସିବି ମେସିନ ସାହାଯ୍ୟରେ ୧୨ ନଂ ଇ କେନାଲ ବନ୍ଧକଡ଼ରୁ ମାଟି ତାଡ଼ି ଦୁଇଟି ଟ୍ରାକ୍ଟର ସାହଯ୍ୟରେ ନେଉଥିବା ଦେଖି ଲକ୍ଷ୍ମୀଧର ମନ୍ତ୍ରୀ ପ୍ରତିବାଦ କରିଥିଲେ। ୧୨ ନଂ କେନାଲ ନିକଟରେ ଲକ୍ଷ୍ମୀଧରଙ୍କ ବାସଗୃହ ଥିବାବେଳେ ବନ୍ଧ ମୁଳରୁ ମାଟି ତଡ଼ାଗଲେ ବର୍ଷାଦିନେ କେନାଲରେ ପାଣି ଆସିଲେ ତାଙ୍କ ବାସଗୃହ ଉପରେ ବିପଦ ଥିବା ଭାବି ମାଟି ଖୋଳୁଥିବା ବ୍ୟକ୍ତିମାନଙ୍କୁ ବନ୍ଦକରିବା ସହିତ ଅନ୍ୟଯାଗାରେ ମାଟିଖୋଳିବା ପାଇଁ କହିଥେିଲେ। ଉପରୋକ୍ତ ବ୍ୟକ୍ତିମାନେ ଲକ୍ଷ୍ମୀଧରଙ୍କୁ ଗାଳିଗୁଲଜ କରିବା ସହିତ ଧମକ ଦେଇଥିଲେ। ଲକ୍ଷ୍ମୀଧର ଭୟଭୀତ ହୋଇ ଘରକୁ ଆସି ୧୦୦ ନଂମ୍ବରରେ ପୋଲିସର ସହାୟତା ଲୋଡ଼ିଥିଲେ। ୧୦୦ ନଂରୁ ଉତ୍ତର ମିଳିଥିଲା ତହସିଲଦାର ଆମ୍ଭକୁ ଫୋନ ନକଲେ ଆମେ ଯାଇପାରିବୁ ନାହିଁ। ଅପରପକ୍ଷରେ ଲକ୍ଷ୍ମୀଧରଙ୍କ ପିଲାମାନେ ବାହାରେ ରହୁଥିବାବେଳେ ସ୍ତ୍ରୀ ଙ୍କ ସହିତ ଏକୁଟିଆ ଘରେ ରହୁଥିବା ଜାଣି ଉପରୋକ୍ତ ବ୍ୟକ୍ତିମାନେ ବିଦ୍ୟୁତ ନଥିବା ସମୟରେ ସେହିଦିନ ବିଳମ୍ବିତ ରାତିରେ ଲକ୍ଷ୍ମୀଧରଙ୍କ ଘରେ ପଶି ବିଭିନ୍ନ ସାମଗ୍ରୀ ସମେତ ୧୫ ହଜାରରୁ ଉର୍ଦ୍ଧଟଙ୍କା, ଲୁଟିନେଇଥିଲେ। ଏହି ସମସ୍ତ ଘଟଣା ସମମ୍ପର୍କରେ ପ୍ରଥମେ ତିର୍ତ୍ତୋଲ ଥାନା, ତିର୍ତ୍ତୋଲ ତହସିଲ ଓ ମଣିଜଙ୍ଗା ଜଳସମ୍ପଦ ବିଭାଗରେ ଫୃଥକ ପୃଥକ ଭାବେ ଲିଖିତ ଅଭିଯୋଗ କରିଥିଲେ। ୧ ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ଅଭିଯୋଗକୁ ଭିତ୍ତିକରି କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପରିବାର ସୁରକ୍ଷାକୁ ନେଇ ଆଜି ଲକ୍ଷ୍ମୀଧର ତିର୍ତ୍ତୋଲ ଜନଶୁଣାଣି ଶିବିରରେ ପହଞ୍ଚି ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଯାମିନି ଷଢ଼ଙ୍ଗୀ ସମସ୍ତ ବିଭାଗ ଅଧିକାରୀମାନଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *