ଜିଲ୍ଲା ପରିକ୍ରମା

ପରିକଳ୍ପନାର ୧୪ ବର୍ଷ ପରେ ମଧ୍ୟ ମାର୍କେଟ ଟର୍ମିନାଲ କମ୍ପ୍ଲେକ୍ସର ଭବିଷ୍ୟତ ଅନିଶ୍ଚିତ

ସମ୍ବଲପୁର, ୨୫/୯ (ଓଡ଼ିଆ ପୁଅ) – ପଶ୍ଚିମ ଓଡ଼ିଶା ତଥା ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନ ଅନ୍ତର୍ଗତ ଜିଲ୍ଲାଗୁଡ଼ିକର ଚାଷୀଙ୍କୁ ବୃହତ୍ତର ବିପଣନ ସୁବିଧା ଉପଲବ୍ଧ କରାଇବା ପାଇଁ ସମ୍ବଲପୁରରେ ପ୍ରସ୍ତାବିତ ଟର୍ମିନାଲ ମାର୍କେଟ କମ୍ପ୍ଲେକ୍ସ କାମ ବିଳମ୍ବିତ ହୋଇଛି। ଉପା ସରକାରଙ୍କ ଅମଳରେ ପରିକଳ୍ପିତ ଏହି ପ୍ରକଳ୍ପ ଅଦ୍ୟାବଧି ସାକାର ହୋଇ ନାହିଁ। ସମ୍ବଲପୁର ସହର ଉପକଣ୍ଠ ନୀଳଡୁଙ୍ଗୁରୀଠାରେ ଟର୍ମିନାଲ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ୨୦୧୪ ମସିହା ସେପ୍ଟେମ୍ବର ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ପବ୍ଳିକ୍ ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମୋଡ଼ରେ ୭୪ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପକୁ କୋଲକାତାର ଏଲ୍ ଏମ୍ ଜେ ଇଣ୍ଟରନ୍ୟାସନାଲ ସଂସ୍ଥା କାର୍ଯ୍ୟକାରୀ କରିବାକୁ ଏମ୍ ଓୟୁ ହୋଇଥିଲା। ୬୦ ଏକର ପରିମିତି ଜମିରେ ଏହି ପ୍ରକଳ୍ପ ବିକଶିତ ହେବା ଧାର୍ଯ୍ୟ ହୋଇଥିବା ବେଳେ ଜମି ସମସ୍ୟାକୁ ନେଇ ପୂର୍ବୋକ୍ତ ଫାର୍ମ ପ୍ରକଳ୍ପରୁ ଓହରି ଯାଇଛି। ରାଜ୍ୟ ସରକାର ସଂପୃକ୍ତ ଜମି ୨୫ ବର୍ଷିଆ ଲିଜ୍ ରେ ପ୍ରଦାନ କରିବାକୁ ରାଜି ହୋଇଥିବା ବେଳେ ସ୍ୱଳ୍ପ ଅବଧି ଲିଜ୍ ପାଇଁ ପୂର୍ବୋକ୍ତ ଫାର୍ମ ବ୍ୟାଙ୍କ ଋଣ ପାଇପାରିନଥିଲା। ପରେ ସଂପୃକ୍ତ ଫାର୍ମ ୫୦ ବର୍ଷିଆ ଲିଜ୍ ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲା। ହେଲେ ତାହା ଅନୁମୋଦନ ଲାଭ ନକରିବାରୁ ଏଲ୍ ଏମ୍ ଜେ ଇଣ୍ଟରନ୍ୟାସନାଲ ପ୍ରକଳ୍ପରୁ ଓହରି ଯାଇଥିବା ଜଣାପଡ଼ିଛି। ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପଚାରିବାରୁ ଜମି ଲିଜ୍ ସମସ୍ୟା ଯୋଗୁଁ ସଂପୃକ୍ତ କମ୍ପାନୀ ପ୍ରକଳ୍ପରୁ ଓହରି ଯାଇଥିବା ସ୍ୱୀକାର କରିଥିଲେ। ଏଥିପାଇଁ ସରକାର ପୁଣି ଥରେ ଟେଣ୍ଡର ଆହ୍ୱାନ କରିବାକୁ ନିଷ୍ପତ୍ତି ନେଇଥିବା ସେ କହିଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପଶ୍ଚିମ ଓଡ଼ିଶାର ଚାଷୀଙ୍କୁ ବଜାର ସହ ଯୋଡ଼ିବା ସକାଶେ ପ୍ରସ୍ତାବିତ କମ୍ପ୍ଲେକ୍ସରେ ଶୀତଳ ଭଣ୍ଡାର, ଗୋଦାମ, ପ୍ୟାକେଜିଂ ଓ ଲେବଲିଂ ସୁବିଧା, ଇଲେକ୍ଟ୍ରୋନିକ୍ସ ଓଜନ ଯନ୍ତ୍ର, ଇଲେକ୍ଟ୍ରୋନିକ୍ସ ଅକ୍ସନ୍ ସେଣ୍ଟର, ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ପ୍ରତିଷ୍ଠା ସହ ପ୍ରାୟ ୨ଶହ ଭାରୀଯାନ ପାଇଁ ପାର୍କିଂ ସୁବିଧା ଉପଲବ୍ଧ ବ୍ୟବସ୍ଥା ହୋଇଛି। ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝରର ଚାଷୀ ସେମାନଙ୍କ ଉତ୍ପାଦିତ ଖାଦ୍ୟଶସ୍ୟ, ପନିପରିବା ଓ ଫଳ ଇତ୍ୟାଦି ଯେଭଳି ଲାଭଜନକ ମୂଲ୍ୟରେ ବିକ୍ରି କରିପାରିବେ ସେଥିପାଇଁ ଉପରୋକ୍ତ ପ୍ରକଳ୍ପ ପରିକଳ୍ପିତ ହୋଇଛି। ଏଠାରେ ଚାଷୀମାନେ ମଧ୍ୟସ୍ଥି ବିନା ନିଜ ନିଜ ଦ୍ରବ୍ୟକୁ ବିକ୍ରି କରି ଲାଭବାନ ହେବା ସହିତ ଆବଶ୍ୟକ ସ୍ଥଳେ କୃଷିଜାତ ଦ୍ରବ୍ୟକୁ ଗଚ୍ଛିତ ମଧ୍ୟ ରଖିପାରିବେ। ଖାଉଟୀ ମାନେ ମଧ୍ୟ ଉଚିତ ମୂଲ୍ୟରେ ପନିପରିବା କ୍ରୟ କରିପାରିବେ। ୨୦୦୮ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଟର୍ମିନାଲ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ତେବେ ନୀଲଡୁଙ୍ଗରୀ ଠାରେ ଥିବା ଜମିକୁ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟାନ କୃଷି ବିଭାଗର ଖାତାକୁ ଆଣିବା ସକାଶେ ବିଳମ୍ବ ହେବାରୁ ପ୍ରକଳ୍ପ କାମ ଧିମେଇ ଯାଇଥିଲା। ନୀଲଡ଼ୁଙ୍ଗରୀ ଠାରେ ଶତାଧିକ ବର୍ଷ ପୂର୍ବରୁ ଆର୍ୟଲାଣ୍ଡର ମୂଳ ନିବାସୀ ଆଧୁନିକ ପ୍ରଣାଳୀର ଚାଷ ପାଇଁ ଏକ ଫାର୍ମ ପ୍ରତିଷ୍ଠା କରିଥିଲେ। ଏଠାରେ ପୂର୍ବ ଆଫ୍ରିକାରୁ ଅଣାଯାଇଥିବା ଶିଶାଲ ଚାଷ ସହିତ ଧାନ, ଗହମ ସହିତ ପନିପରିବା ଓ ଫଳ ଚାଷ ତଥା କୁଟୀର ଶିଳ୍ପ ପାଇଁ ବ୍ୟବସ୍ଥା ରହିଥିଲା। ସ୍ୱାଧୀନତା ପରେ ଜିଲ୍ଲା ପ୍ରଶାସନ ନୀଲଡୁଙ୍ଗୁରୀର ଏହି ଫାର୍ମ ଥିବା ଜମିକୁ କ୍ରୟ କରିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top