ପରକିୟା ପ୍ରୀତିକୁ ବିରୋଧ କରି ହତ୍ୟା ଉଦ୍ୟମର ସମ୍ମୁଖୀନ ପତ୍ନୀ ନ୍ୟାୟ ପାଇଲେ, ସ୍ୱାମୀକୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଭଦ୍ରକ, ୨୮ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସ୍ୱାମୀଙ୍କ ପରକିୟା ପ୍ରୀତିକୁ ବିରୋଧ କରିବାକୁ ଯାଇ ଜଣେ ବିବାହିତା ମହିଳା ତାଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣର ସମ୍ମୁଖୀନ ହେବା ଭଳି ଘଟଣାର ବିଚାର କରି ଆଜି ଭଦ୍ରକର ସ୍ପେଶାଲ ଟ୍ରାକ୍ ଜଜ୍ ଜନକ ରାଉତ ଜଣେ ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ପ୍ରମାଣ ଅଭାବରୁ ଅନ୍ୟ ମୁଦାଲାମାନେ ମୁକୁଳିଯାଇଛନ୍ତି । ଏହି ଘଟଣା ସଂପର୍କରେ ମିଳିଥିବା ତଥ୍ୟ ମୂଳେ ଏହି ଜିଲାର ତିହିଡି ଥାନା ଅଧୀନସ୍ଥ କାଁପଡା ଗ୍ରାମର ମାର୍କଣ୍ଡ ଦାସଙ୍କ କନ୍ୟା ମାଳତୀ ୧୫ ବର୍ଷ ପୂର୍ବେ ସ୍ଥାନୀୟ ବରନକୁଲ ଗ୍ରାମନିବାସୀ ଭୀମ ମହାଳିକଙ୍କ ପୁତ୍ର ରବିନ୍ଦ୍ରକୁ ବୈଦିକ ମତେ ବିବାହ କରିଥିଲେ । ସେମାନଙ୍କର ଦୁଇଟି ପୁତ୍ର ସନ୍ତାନ ଜାତ ହୋଇଥିଲେ ମଧ୍ୟ ଅଧିକ ଯୌତୁକ ପାଇଁ ରବିନ୍ଦ୍ର ମାଳତୀକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ । ଇତିମଧ୍ୟରେ ୨୦୧୩ ମସିହାରେ ରବିନ୍ଦ୍ର ରୋଜଗାର କରିବା ପାଇଁ କଳାହାଣ୍ଡି ଯିବା ମଧ୍ୟରେ ସେଠାରେ ଜଣେ ମହିଳାଙ୍କ ସହିତ ଅନୈତିକ ସଂପର୍କ ରଖି ରକ୍ଷିତା ଭାବେ ଭଡାଘରେ ରହୁଥିଲେ । ଏହି ବିଷୟ ମାଳତୀ ଜାଣିବା ପରେ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ରବିନ୍ଦ୍ର ନିଜ ପତ୍ନୀ ମାଳତୀ ଓ ରକ୍ଷିତାକୁ ସାଙ୍ଗରେ ଧରି ସେହିବର୍ଷ ମାର୍ଚ୍ଚ ୨୧ ତାରିଖ ଦିନ ନିଜ ଗ୍ରାମକୁ ଫେରିଥିଲେ । ମାତ୍ର ମାଳତୀ ସଂପୃକ୍ତ ମହିଳାଙ୍କୁ ଶ୍ୱଶୁରଘରେ ରଖିବା ପାଇଁ ବାରଣ କରିବାରୁ ରବିନ୍ଦ୍ର ଉତ୍କ୍ଷିପ୍ତ ହୋଇ ତା ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଫଳରେ ମାଳତୀଙ୍କ ଶରୀରର ୬୦ ପ୍ରତିଶତ ପୋଡିଯାଇ ବିକଳାଙ୍ଗ ହୋଇଯାଇଥିଲା । ଏହି ଘଟଣାରେ ମାଳତୀଙ୍କ ପିତା ମାର୍କଣ୍ଡଙ୍କ ଏତଲା କ୍ରମେ ତିହିଡି ଥାନାରେ ସ୍ୱାମୀ ରବିନ୍ଦ୍ର, ଦିଅର ସୁବାଷ, ଯା’ ମାଧବୀ, ଶାଶୁ କାଳୀ ଦେବୀଙ୍କ ନାମରେ ତିହିିଡି ଥାନା କେଶ୍ ନଂ ୨୨୧/୧୩, ଦଫା ୩୦୭, ୪୯୮ (କ) / ୪୦୬ ଆଇପିସି ଓ ୪ ଡି.ପି. ଆକ୍ଟରେ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ଭଦ୍ରକର ସ୍ପେଶାଲ ଟ୍ରାକ୍ ଜଜ୍ ଜନକ ରାଉତ ଏସ୍.ଟି. ନଂ ୨୬/୧୧୪/୨୦୧୬ ମୂଳେ ଏହି ମୋକଦ୍ଦମାର ଆଜି ବିଚାର କରି ୧୭ ଜଣଙ୍କ ସାକ୍ଷ୍ୟ ପ୍ରମାଣ ମୂଳେ ସ୍ୱାମୀ ରବିନ୍ଦ୍ରଙ୍କୁ ୩୦୭ ଆଇପିସି ଦଫାରେ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ଓ ଅନ୍ୟ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଛନ୍ତି । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଆଇନ୍ଜୀବୀ ବସନ୍ତ କୁମାର ସ୍ୱାଇଁ ଏହି ମୋକଦ୍ଦମା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *