ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗତକାଲି ରାତିରେ ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ୧୬ ନଂ ଜାତୀୟ ରାଜପଥର ପାଳଦା ବାଙ୍କ ନିକଟରେ ଚାରିଜଣ ପଥଚାରୀଙ୍କୁ ଏକ ଅଜଣା ଟ୍ରକ୍ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ନାରାୟଣ ଯେନାଙ୍କ ଅବସ୍ଥା ଭଦ୍ରକ ଡାକ୍ତରଖାନାରେ ଗୁରୁତର ରହିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଉକ୍ତ ଥାନା ଅଧୀନସ୍ଥ ଉତ୍ତରବାଡ ଗ୍ରାମର ଖଗେଶ୍ୱର ଯେନା (୫୫) ନାରାୟଣ ଯେନା (୬୦), ସୁବାଷ ଯେନା (୬୦) ଓ କରୁଣାକର ଯେନା (୫୫) ଭଣ୍ଡାରିପୋଖରୀ ବଜାରରୁ ଚାଲିଚାଲ ନିଜ ଗ୍ରାମକୁ ଫେରୁଥିଲେ। ରାତି ପ୍ରାୟ ୯ଟା ସମୟରେ ଏକ ଅଜଣା ଟ୍ରକ୍ ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଏହି ଦୁର୍ଘଟଣାରେ ୩ ଗୁରୁତରଙ୍କୁ ଭଦ୍ରକ ଡାକ୍ତରଖାନା ଅଣାଯାଇଥିବାବେଳେ ଖଗେଶ୍ୱରଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ତେବେ ନାରାୟଣଙ୍କୁ ଛାଡିଦେଲେ ଅନ୍ୟମାନେ ସୁସ୍ଥ ଅଛନ୍ତି। ଏହି ଘଟଣାରେ ସ୍ଥାନୀୟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲୁରହିଛି।
