ପତ୍ନୀହନ୍ତା ସ୍ୱାମୀ କୈଳାସ ଯେନାକୁ ଆଜୀବନ ଜେଲ୍

ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକର ଅତିରିକ୍ତ ଜିଲା ଜଜ୍ ଅନୁପ କୁମାର ଚନ୍ଦନ ଏକ ହତ୍ୟା ମାମଲାର ବିଚାର କରି ସ୍ୱାକୀ କୈଳାସ ଯେନାକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହ ୫୦ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ ମାସ ଦଣ୍ଡାଦେଶ ଶୁଣାଇଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ବନ୍ତ ଥାନା ଅଧୀନସ୍ଥ ଶ୍ରୀବନ୍ତପୁର ଗ୍ରାମନିବାସୀ ଜଗବନ୍ଧୁ ଯେନାଙ୍କ ପୁତ୍ର କୈଳାସ ସହ ଗତ ୨୦୦୯ ମସିହାରେ ଆଗରପଡା ଥାନା ଅଧୀନସ୍ଥ ପଦୀ ଗ୍ରାମର ସଂଗୀତା ଓରଫ ସଂଯୁକ୍ତାଙ୍କ ସହ ବିବାହ ହୋଇଥିଲା। ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ଯୌତୁକ ବାବଦ ନଗଦ ୫୦ ହଜାର ଟଙ୍କା ଓ ଅନ୍ୟ ଆସବାବ ପତ୍ର ଦିଆଯାଇଥିଲା। ମାତ୍ର ବିବାହ ପରେ ଅଧିକ ଯୌତୁକ ଦାବି କରି ସ୍ୱାମୀ କୈଳାସ ସମେତ ଶାଶୁ ଉର୍ମିଳା, ଶ୍ୱଶୁର ଜଗବନ୍ଧୁ ସଂଗୀତାକୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଆସୁଥିଲେ। ଗତ ୨୦୧୨ ଏପ୍ରିଲ ୨୨ ତାରିଖ ଦିନ ସଂଗୀତା ରୋଷେଇ କରୁଥିବାବେଳେ ଉପରୋକ୍ତ ଅଭିଯୁକ୍ତମାନେ ତା ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଆହତ ଅବସ୍ଥାରେ ସଂଗୀତା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ମୃତ୍ୟୁବରଣ କରିଥିଲା। ତେବେ ମୃତ୍ୟୁକାଳୀନ ଜମାନ ବନ୍ଦୀରେ ସ୍ୱାମୀ ହତ୍ୟା କରିଥିବାର ଚେଷ୍ଟା କରିଥିବା କଥା ମାଜିଷ୍ଟ୍ରେଟ୍ଙ୍କ ନିକଟରେ ବୟାନ ଦେଇଥିଲା। ମୃତ୍ୟୁ ପରେ ସଂଗୀତାଙ୍କ ଭାଇ ରବିନ୍ଦ୍ରଙ୍କ ଏତଲା କ୍ରମେ ବନ୍ତ ଥାନା କେଶ୍ ନଂ ୩୨/୧୨, ଦଫା ୪୯୮ (କ) / ୩୦୨ ରେ ମାମଲା ରୁଜୁ ହୋଇ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ସେମାନେ ଜାମିନ୍ରେ ଥିଲେ। ଆଜିର ଏହି ରାୟରେ ଅତିରିକ୍ତ ଜିଲା ଜଜ୍ ଶ୍ରୀ ଚନ୍ଦନ ଉପଯୁକ୍ତ ସାକ୍ଷୀ ପ୍ରମାଣ ଅଭାବରୁ ଶାଶୁ ଶ୍ୱଶୁରଙ୍କୁ ନିଦେ୍ର୍ଦାଷରେ ଖଲାସ କରିଥିବାବେଳେ ସ୍ୱାମୀକୁ ୩୦୨ ଦଫାରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୋଗକାରୀଙ୍କ ପକ୍ଷରୁ ଏପିପି କମଳାକାନ୍ତ ମହାପାତ୍ର ମାମଲା ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *