ପଣ୍ଡିତ ଦୀନଦୟାଲ୍ ଉପାଧ୍ୟାୟ: ସ୍ୱାଧୀନ ଭାରତର ମାର୍ଗଦର୍ଶକ

ଶ୍ରୀ ଭୁବନାନନ୍ଦ ତ୍ରିପାଠୀ

ସ୍ୱାଧିନତାର ୬୯ ବର୍ଷପରେ ମଧ୍ୟ ଆମ ଦେଶର ବର୍ତ୍ତମାନସ୍ଥିତି ବହୁତ ଉତ୍ସାହଜନକ ନୁହଁ। ମୁଖ୍ୟତଃ ଦେଶର ଭୁଲ ଅର୍ଥନୀତି କାରଣରୁ ଏହି ପରିସ୍ଥିତି ନିର୍ମାଣ ହୋଇଛି। ଦେଶର ମୁଷ୍ଟିମେୟ ଲୋକଙ୍କର ଆର୍ଥôକ ବିକାଶ ହୋଇଥିବାବେଳେ ସଂଖ୍ୟାଧିକ ଲୋକ ବିକାଶର ଆଲୋକରୁ ବଞ୍ଚôତ ହୋଇଛନ୍ତି। ନିକଟରେ ହୋଇଥିବା ସର୍ଭେରୁ ଜଣାଯାଏ ଯେ ଦାରିଦ୍ର୍ୟ ସୀମାରେଖା ତଳେ ଏବେ ବି ଦେଶର ଶତକଡା ୪୨ ଭାଗ ଲୋକ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକ। କିନ୍ତୁ ଏହା ଧ୍ରୁବ ସତ୍ୟ ଯେ ତଳସ୍ତରର ନାଗରିକ ବୃନ୍ଦ ବିକଶିତ ହେଲେ ଗ୍ରାମାଞ୍ଚଳର ବିକାଶ ହେବ ଏବଂ ଗ୍ରାମମାନଙ୍କର ବିକାଶ ହେଲେ ଭାରତବର୍ଷ ସମୃଦ୍ଧ ହୋଇପାରିବ। ଏହି ପରିକଳ୍ପନାକୁ ଅନ୍ତୋଦୟର ଆଖ୍ୟା ଦିଆଯାଇଛି। ଏହି ଶବ୍ଦର ପ୍ରୟୋଗ ମହାତ୍ମା ଗାନ୍ଧି ଆରମ୍ଭ କରିଥିଲେ ଏବଂ ଏହାର ବହୁଳ ପ୍ରସାର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଏକାତ୍ମ ମାନବବାଦ ଦର୍ଶନ ମାଧ୍ୟମରେ କହିଯାଇଛନ୍ତି। ପଣ୍ଡତଜୀଙ୍କ ମତରେ ଦେଶର ସମସ୍ତ ଯୋଜନାର ଫଳାଫଳକୁ ସମୀକ୍ଷା କରିବାବେଳେ ଗୋଟିଏ ମାପ ଦଣ୍ଡକୁ ଗ୍ରହଣ କରାଯିବା ଆବଶ୍ୟକ; ସେହି ମାପଦଣ୍ଡ ହେବ ସମାଜର ସର୍ବନିମ୍ନ ବର୍ଗର ନାଗରିକ ଯୋଜନାରୁ ପାଇଥିବା ଲାଭର ପରିମାଣ ଯୋଜନାର ସୁଫଳ ଯଦି ସମାଜର ଉପର ଭାଗରେ ସିମୀତ ରହିଯିବ, ତେବେ ଏ ପ୍ରକାର ଯୋଜନା ଦେଶପାଇଁ ଗ୍ରହଣୀୟ ନୁହଁ।

ପଣ୍ଡିତ ଦୀନଦୟାଲଙ୍କ ମତରେ ଗ୍ରାମ ପ୍ରଧାନ ଦେଶ ଭାରତବର୍ଷରେ ଯୋଜନାର ମୂଳଦୁଆ ଗ୍ରାମରୁ ଆରମ୍ଭ ହେବା ଆବଶ୍ୟକ, ମାତ୍ର ସ୍ୱାଧୀନ ଭାରତରେ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳୁଛି। ପଣ୍ଡିତ ନେହୁରୁଙ୍କ ସରକାର ଗ୍ରାମ ବଦଳରେ ସହରର ବିକାଶ ପାଇଁ ଅଧିକ ଜୋର ଦେଇଥିବା ଦେଖାଗଲା। ସହର ମାନଙ୍କରେ ବଡ ବଡ ଗବେଷଣାଗାର, ବିଶ୍ୱ ବିଦ୍ୟାଳୟ, କଳକାରଖାନା ଏବଂ ଡାକ୍ତରଖାନାମାନ ଖୋଲା ଯାଉଥିବା ବେଳେ, ଗାଁ’ର ଚାଳ ଘରଗୁଡିକ ଜର୍ଜ୍ଜର ସ୍ଥିତିରେ ପହଞ୍ଚôବା ଦେଖାଗଲା। ଗାଁ ରେ ସାଧାରଣ ଲୋକଙ୍କ ପାଇଁ ପାନୀୟ ଜଳ, ବାଳକ ବାଳିକାମାନଙ୍କ ପାଇଁ ପ୍ରାଥମିକ ବିଦ୍ୟାଳୟ ତଥା ମହିଳାମାନଙ୍କ ପାଇଁ ଶୌଚାଳୟ ଆଦି ଆବଶ୍ୟକୀୟ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଗଲା ନାହିଁ। ବନ୍ୟା ମରୁଡି ଆଦି ପ୍ରାକୃତିକ ବିପର୍ଯ୍ୟୟର ପ୍ରତିକାର ପାଇଁ କୌଣସି ଦୁରଗାମୀ ଯୋଜନା ପ୍ରସ୍ତୁତ କରାଗଲା ନାହିଁ। ସହରଗୁଡିକ ରୋଜଗାରର କେନ୍ଦ୍ର ପାଲଟି ଗଲେ। ଏପରିକି ସ୍ୱ-ରୋଜଗାରର ପନ୍ଥାମାନ ସହର ମାନଙ୍କରେ ମିଳିଲା।

ପଣ୍ଡିତ ଦୀନଦୟାଲ ଏହି ସବୁ ଦୃଶ୍ୟ ଦେଖି ଏହାର କୁପରିଣାମକୁ ମର୍ମେ ମର୍ମେ ଅନୁଭବ କରିଥିଲେ। ନିଜ ଦଳର କାର୍ଯ୍ୟକ୍ରମମାନଙ୍କରେ ତଥା ଦେଶର ବିଭିନ୍ନ୍ ସହରରେ ଭାଷଣ ଦେଇ ଦେଶର ଅର୍ଥନୀତି ଉପରେ ଆଲୋକପାତ କରିବାବେଳେ ପଣ୍ଡିତଜୀ ସମାଜର ବଞ୍ଚôତ ଜନତା ପାଇଁ ଚିନ୍ତାବ୍ୟକ୍ତ କରୁଥିଲେ। ରାଷ୍ଟ୍ର ଶରୀରର ସର୍ବାଙ୍ଗୀନ ବିକାଶ ତଥା ସୁସ୍ଥ ବିକାଶ କରାଇବା ତାଙ୍କ ଜୀବନର ସ୍ୱପ୍ନ ଥିଲା ଏବଂ ଏହା ତାଙ୍କ ଦର୍ଶନର ମୂଳମନ୍ତ୍ର ଥିଲା।

ଉପରୋକ୍ତ ପରିକଳ୍ପନାକୁ ପଣ୍ଡିତଜୀ ଅନ୍ତୋଦୟର ନାମକରଣ କରିଥିଲେ। ଭାରତୀୟ ଜୀବନଦର୍ଶନର ମୂଳମନ୍ତ୍ର ଭାବେ ଅନ୍ତୋଦୟ ପରିକଳ୍ପନାରେ ଦେଶରେ ବିକାଶର ଧାରା ସବୁ ସମୟରେ ଉପର ସ୍ତରରୁ ତଳ ସ୍ତରକୁ ଯିବା ବଦଳରେ ଯୋଜନାମାନ ତଳୁ ଆରମ୍ଭ ହେବ ଏବଂ ଏହା ସ୍ତର ପରେ ସ୍ତର ପାରହୋଇ ଉପରକୁ ଉଠିବ। ଫଳ ସ୍ୱରୂପ ତଳ ସ୍ତରରେ ଥିବା ଲୋକର ସ୍ଥିତି ଏପରିଭାବେ ବଦଳି ଯିବ ଯେ, ସେ ଉପରସ୍ତରର ଲୋକମାନଙ୍କ ସମସ୍କନ୍ଦ ହୋଇପାରିବ। ଏ ପରିକଳ୍ପନା ମାଧ୍ୟମରେ ଆର୍ଥିକ ବିକେନ୍ଦ୍ରୀକରଣ ବଦଳରେ ସମାଜର ପ୍ରତ୍ୟେକ ବର୍ଗର କ୍ରମିକ ଉନ୍ନୟନ ହେବ। ଏହି ଯୋଜନାରେ ଶ୍ରେଣୀ ସଂର୍ଘଷ ବଦଳରେ ମଣିଷ ମଣିଷ ଭିତରେ ସହୃଦୟତା, ସମନ୍ୱୟ ଆଦି, ଦିବ୍ୟ ଗୁଣରାଜି ଦେଖିବାକୁ ମିଳିବ।

ଦଳର କର୍ମୀମାନଙ୍କୁ ସମ୍ବୋଧନ ଦେବାବେଳେ ପଣ୍ଡିତଜୀ କହୁଥିଲେ ଯେ ରାଜନୀତି କେବଳ କ୍ଷମତା ପାଇଁ ନୁହଁ ବରଂ ଏହା ଜନସେବା କରିବାପାଇଁ ଏକ ମାଧ୍ୟମ। ଦଳର କର୍ମୀମାନଙ୍କୁ ଦଳର ଲକ୍ଷ୍ୟ ବୁଝାଇବା ବେଳେ ପଣ୍ଡିତଜୀ କହୁଥିଲେ ଆମ ସମ୍ମୁଖରେ ପ୍ରଥମ ହେଉଛି ରାଷ୍ଟ୍ର, ଦ୍ୱିତୀୟରେ ଦଳ ଏବଂ ତୃତୀୟରେ ନିଜେ। ରାଜନୀତିକୁ ସମାଜିକରଣ କରିବା ପାଇଁ ସେ କହୁଥିଲେ। ସରକାର ଓ ସମାଜ ମଧ୍ୟରେ ଏକ ସମ୍ପର୍କସୁତ୍ର ଭାବେ କାର୍ଯ୍ୟ କରିବାପାଇଁ ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। କେବଳ ଭାଷଣରେ ସୀମିତ ନରହି କର୍ମୀମାନେ ବିଭିନ୍ନ ସେବାମୂଳକ କାର୍ଯ୍ୟ ନିଜ ହାତରେ କରି ଶୋଷିତ, ପୀଡିତ ଓ ଦଳିତ ବର୍ଗର ଉତ୍ଥାନ୍ ଦିଗରେ ଉଦାହରଣ ପ୍ରସ୍ତୁତ କରିବାକୁ ସେ ଉତ୍ସାହିତ କରୁଥିଲେ। ରାଜନୈତିକ ଦଳର କର୍ମୀଭାବେ ସେବା ଓ ବିକାଶ ମାଧ୍ୟମରେ ସମାଜ ଭିତରେ ସକ୍ରିୟ ହୋଇଉଠିଲେ ଜନଗଣଙ୍କ ମଧ୍ୟରେ ରାଜନୈତିକ କାର୍ଯ୍ୟ ସହଜରେ କରାଯାଇପାରିବ। ଏଥିପାଇଁ ଗାଁକୁ ଯିବାକୁ ହେବ ଗ୍ରାମବାସୀଙ୍କ ସୁଖ ଦୁଃଖରେ ଭାଗଦାରୀ ହେବାକୁ ପଡିବ ଏବଂ ସେମାନଙ୍କ ସାଥୀରେ ଆଲୋଚନା କରି ଗ୍ରାମର ବିକାଶ ପାଇଁ ଛୋଟ ଛୋଟ ଯୋଜନାମାନ ପ୍ରାରମ୍ଭ କରିବାକୁ ପଡିବ। ଗ୍ରାମବାସୀଙ୍କୁ ଆତ୍ମନିର୍ଭରଶୀଳ କରାଇ ସଂଗଠିତ ଜୀବନ, ସାମୁହିକ ଜୀବନ ତଥା ସହଯୋଗ ମୂଳକ ଜୀବନ ନିର୍ବାହ କରିବାପାଇଁ ପ୍ରେରଣା ଯୋଗାଇ ଦେବାକୁ ପଣ୍ଡିତଜୀଙ୍କର ନିର୍ଦ୍ଦେଶ ଥିଲା।

ଜନ ରସ୍କିନ୍ ଙ୍କର ‘ଅନ୍ ଟୁ ଦି ଲାଷ୍ଟ୍ ’ ନାମକ ଏକ ପୁସ୍ତକ ପଢି ୨୫ବର୍ଷ ବୟସ୍କ ଗାନ୍ଧିଜୀ ବହୁ ପରିମାଣରେ ଅନୁପ୍ରାଣିତ ହୋଇଥିଲେ। ଏହି ବହିର ଗୁଜରାଟୀ ଅନୁବାଦ କରି ସେ ଏହାର ନାମ ଅନ୍ତୋଦୟ ରଖିଥିଲେ। ପରବର୍ତ୍ତୀ ସମୟରେ ଏହି ବିଚାରକୁ ଗାନ୍ଧିଜୀ ସର୍ବୋଦୟ ନାମରେ କାର୍ଯ୍ୟ କ୍ଷେତ୍ରରେ ଲାଗୁ କରିଥିଲେ। ଅନ୍ତିମ ବର୍ଗକୁ ସାଥିରେ ନେଇ ସମାଜର ସବୁବର୍ଗର ବିକାଶ ହେଉ, ଏଥିପାଇଁ ଉକ୍ତ ବିଚାରକୁ ଗାନ୍ଧିଜୀ ସର୍ବୋଦୟର ନାମ ଦେଇଥିଲେ।

ଭାରତୀୟ ବିଚାର ଦର୍ଶନର ସାରମର୍ମକୁ ସଂଗ୍ରହ କରି ଏକାତ୍ମ ମାନବବାଦ ଦର୍ଶନର ଉପସ୍ଥାପନ କରି ପଣ୍ଡିତଜୀ ପ୍ରମାଣିତ କରିଦେଇଥିଲେ ଯେ, ଅନ୍ତୋଦୟ ଅବା ସର୍ବୋଦୟର ପରିକଳ୍ପନା ଆମ ଦେଶରେ ବହୁକାଳରୁ ରହି ଆସିଛି। ଏଣୁ କୁହାଯାଇଛି :

‘‘ସର୍ବେଭବନ୍ତୁ ସୁଖୀନଃ, ସର୍ବେ ସନ୍ତୁ ନିରାମୟା।

ସର୍ବେ ଭଦ୍ରାଣି ପଶ୍ଚ୍ୟନ୍ତୁ, ମା କଶ୍ଚିତ୍ ଦୁଖଃଭାଗ୍ ଭବେତ୍।ା’’

ଭାରତୀୟ ଦର୍ଶନର ମୂଳତତ୍ତ୍ୱ ସମଗ୍ରତା ଉପରେ ଆଧାରିତ। ବ୍ୟକ୍ତିଗତ ସୁଖ ସୁବିଧା ଲାଭ ରୂପକ ଲୋଭରେ ନପଡିବା ପାଇଁ ଆମ ଶାସ୍ତ୍ରକାରମାନେ ଆମମାନଙ୍କୁ ବାରମ୍ବାର ସତର୍କ କରିଦେଇଛନ୍ତି। ସମଗ୍ରତା ଦର୍ଶନକୁ ଏକ ପାହାଚ ଉପରକୁ ନେଇ ଦୀନଦୟାଲଜୀ ଏହାର ନୂତନ ନାମ ଦେଲେ ଏକାତ୍ମତା। ସମଗ୍ର ସୃଷ୍ଟିର ଜୀବଜଗତକୁ ଅଲଗା ଅଲଗା ରୂପେ ନଦେଖି ସେମାନଙ୍କ ମଧ୍ୟରେ ଥିବା ସୁକ୍ଷ୍ମ ସମ୍ପର୍କସୂତ୍ରକୁ ଅନୁଭବ କରିବା ପାଇଁ ସେ କହିଛନ୍ତି। ତାଙ୍କ ମତରେ ସୃଷ୍ଟିର ବର୍ଣ୍ଣନା କରିବାପାଇଁ ସମଗ୍ର ବଦଳରେ ଏକାତ୍ମ ଶବ୍ଦର ପ୍ରୟୋଗ ଅଧିକ ଯୁକ୍ତିଯୁକ୍ତ ମନେହୁଏ। ଏକାତ୍ମ ଦୃଷ୍ଟିରେ ସମାଜରୂପୀ ବିରାଟପୁରୁଷର ଏକ ଅଙ୍ଗ ଦୁର୍ବଳ ହୋଇଗଲେ, ବିରାଟ ପୁରୁଷ ବିକଳାଙ୍ଗ ଦେଖାଯାଇଥାଏ। ଏଣୁ ଦୁର୍ବଳ ଅଙ୍ଗର ବିକାଶ, ଉନ୍ନତି ଅବା ଏହି ଅଙ୍ଗର ସମସ୍ୟା ସମାଧାନ ପାଇଁ ଅତିଶୀଘ୍ର ଧ୍ୟାନ ଆକର୍ଷିତ ହୋଇଥାଏ। ଏଣୁ ଆମ ଦେଶରେ ଯୋଜନାର ପ୍ରସ୍ତୁତିବେଳେ ବିକାଶ ରୂପକ ଶବ୍ଦ ଜାଲରେ ବନ୍ଦୀ ନହୋଇ, ଏକାତ୍ମ ଭାବ ଆଧାରିତ ସମାଜ ରୂପୀ ବିରାଟପୁରୁଷର ବିକାଶ ପାଇଁ ଧ୍ୟାନ କେନ୍ଦ୍ରୀତ କରିବା ଆବଶ୍ୟକ ଅଟେ।

ପୁଞ୍ଜିବାଦ ବିଚାର କେବଳ ସମର୍ଥ ଲୋକମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ପରି ଜଣାଯାଏ। ଏଣୁ ସେଥିରେ ମସ୍ୟô ନ୍ୟାୟର କଥା କୁହାଯାଇଛି, ଅର୍ଥାତ୍ ବଡ ମାଛ ସାନ ମାଛକୁ ଗିଳିଦେବ। ଏହାକୁ ଇଂରାଜୀରେ କୁହାଯାଏ – ‘ସର୍ଭାଇଭାଲ୍ ଅଫ୍ ଦି ଫିଟେଷ୍ଟ୍ ’। ଏହି ପାଶ୍ଚାତ୍ୟ ବିଚାର ଆମ ଦେଶର ସମାଜରୂପୀ ବିରାଟପୁରୁଷ ପାଇଁ ଉପେଯାଗୀ ନୁହଁ। ସେହିପରି ସମାଜବାଦୀ ବିଚାର ବ୍ୟକ୍ତି ଓ ସମାଜର ଅସ୍ତିତ୍ୱକୁ ଲୋପ କରି ସର୍ବହରା ନାମକ ଗୋଟିଏ ନିର୍ଦ୍ଧିଷ୍ଟ ବର୍ଗ ହାତରେ ସମାଜ ପରିଚାଳନା ଭାର ଅର୍ପଣ କରିଦେବାପାଇଁ କହିଥାଏ। ସମାଜର ଏହି ସର୍ବହରା ଗୋଷ୍ଟୀ ଶାସନ କ୍ଷମତା ଦଖଲ କରିବା ପରେ ଧିରେ ଧିରେ ଏକଛତ୍ର ଶାସକ ହୋଇଯାଇଥାଏ। ଏହି ଆର୍ଥôକ ବିଚାର ମଧ୍ୟ ବିଜ୍ଞାନ ସମ୍ମତ ନୁହଁ ଏବଂ ଭାରତୀୟ ବିଚାରରେ ଥିବା ରାଷ୍ଟ୍ରପୁରୁଷ ପରିକଳ୍ପନାର ପରିପନ୍ଥୀ। ପୁଞ୍ଜିବାଦ ଏବଂ ସମାଜବାଦରୂପୀ ପାଶ୍ଚାତ୍ୟ ବିଚାରର ସାମୟିକ ଲାଭରେ ଆକର୍ଷିତ ହୋଇ ଆମ ଦେଶର କେତେକ ବୁଦ୍ଧିଜୀବୀ ତାରି ସପକ୍ଷରେ ମତ ଦେବା ଦେଖି ପଣ୍ଡିତଜୀ କହିଥିଲେ, ଏପ୍ରକାର ଆକର୍ଷଣ ମୃଗ ମରିଚିକା ସଦୃଶ। ତାଙ୍କ ମତରେ ଆମକୁ ଆମ ଦେଶର ମୂଳ ସଂସ୍କୃତି, ମୂଳ ବିଚାରକୁ ଧାରଣ କରି, ଆବଶ୍ୟକ ସ୍ଥଳେ ଆମ ବିଚାରକୁ ଯୁଗାନୁକୂଳ କରି ତୋଳିବାକୁ ହେବ ଏବଂ ନିଜ ନିଜର କର୍ତ୍ତବ୍ୟ ପାଳନ ପୂର୍ବକ ଏକାତ୍ମ ମାନବ ବିଚାରକୁ ସାଧାରଣ ଜୀବନରେ ଅନୁପାଳନ କରିବା ଉଚିତ ହେବ।

ଏକାତ୍ମ ମାନବ ଦର୍ଶନରେ ଦିଆ ଯାଇଥିବା ଆର୍ଥିକ ଚିନ୍ତନକୁ କେହି କେହି ଏକ କାଳ୍ପନିକ ବିଚାର ବୋଲି କହିଥାଆନ୍ତି। ମାତ୍ର ପଣ୍ଡିତଜୀ ନିଜ ଜୀବନରେ ଏହି ଦର୍ଶନର ତତ୍ତ୍ୱଗୁଡିକୁ ଲାଗୁ କରିଛନ୍ତି ଏବଂ ‘ପାଞ୍ଚଜନ୍ୟ’ ପତ୍ରିକାରେ ବିଭିନ୍ନ ସମୟରେ ଲେଖାମାନ ପ୍ରକାଶ କରି ଦେଶର ତକ୍ରାଳୀନ ଆର୍ଥିକ ସମସ୍ୟାର ସମାଧାନ ପାଇଁ ପ୍ରତି ଭାରତୀୟ ଆର୍ଥିକ ଚିନ୍ତନ ଆଧାରିତ ନିଜର ସ୍ପଷ୍ଟମତ ପ୍ରକାଶ କରିଛନ୍ତି।

ଶ୍ରମିକ ପାଇଁ ପର୍ଯ୍ୟାପ୍ତ କାମ ଯୋଗାଇ ଦେବାକୁ ଆମ ଦେଶରେ ଭାରୀ ଉଦ୍ୟୋଗ ମାନଙ୍କର ପ୍ରତିଷ୍ଠା ବାଧକ ବୋଲି ସେ ନିଜର ପ୍ରବନ୍ଧରେ ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ ଆମ ଦେଶରେ ପ୍ରତ୍ୟେକ କଳକାରଖାନା ନିଜ ସହିତ ବେକାରୀ ସମସ୍ୟାକୁ ନେଇ ଆସିଥାନ୍ତି। ପାଶ୍ଚାତ୍ୟ ଦେଶମାନଙ୍କରେ ଲୋକ ସଂଖ୍ୟା କମ୍ ଥିବା କାରଣରୁ ବଡ ବଡ ଉଦ୍ୟୋଗ ସେ ଦେଶମାନଙ୍କ ପାଇଁ ଆବଶ୍ୟକ ହୋଇପାରେ, ମାତ୍ର ଆମ ଦେଶପାଇଁ କ୍ଷୁଦ୍ରଶିଳ୍ପ, କୁଟୀରଶିଳ୍ପ ଅଧିକ ଉପଯୋଗୀ। ପାଶ୍ଚାତ୍ୟ ଦେଶମାନଙ୍କର ଉଦ୍ୟୋଗୀକରଣ ଏବଂ ବହୁଳ ଉତ୍ପାଦନ ବିଶ୍ୱରେ ଉପନିବେଶବାଦର ବିସ୍ତାର କରିଛି ଏବଂ ଉପନିବେଶବାଦ ସାରାବିଶ୍ୱ ପାଇଁ ଅନ୍ୟ ଏକ ଚିନ୍ତାଜନକ ସମସ୍ୟା ବୋଲି ପଣ୍ଡିତଜୀ କହିଛନ୍ତି।

ଦିଲ୍ଲୀ ସହରରେ ରାସ୍ତା କଡର ଦୋକାନୀମାନଙ୍କୁ ଉଚ୍ଛେଦ କରିବା ପଦକ୍ଷେପର ପ୍ରତିବାଦ କରି, ପଣ୍ଡିତଜୀଙ୍କ ଯୁକ୍ତିଥିଲା ଯେ ସହର ରହୁ, ସହରର ରାସ୍ତାଘାଟ ସୁନ୍ଦର ରହୁ, ବଡ ବଡ ଦୋକାନମାନ ରହନ୍ତୁ ମାତ୍ର କ୍ଷୁଦ୍ରପୁଞ୍ଜିକୁ ନେଇ ଠେଲାଟିଏ କରି ରୋଜଗାର ଉପାର୍ଜ୍ଜନ କରୁଥିବା ସାଧାରଣ ମଣିଷ ପାଇଁ ମଧ୍ୟ ଆମ ସରକାରକୁ ଚିନ୍ତା କରିବାକୁ ହେବ। ତା ବେପାର ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଯୋଗାଇ ଦେବାକୁ ହେବ। ସେଇ ଠେଲାବାଲା, ଫୁଟପାଥର ଦୋକାନୀଟି ହେଉଛି ଆମ ସମାଜର ସବୁଠାରୁ ତଳସ୍ତରର ବ୍ୟକ୍ତି ଏବଂ ତାପାଇଁ ଚିନ୍ତା କରିବା ଆମ ମାନଙ୍କର ନୈତିକ କର୍ତ୍ତବ୍ୟ।

ପଣ୍ଡିତଜୀଙ୍କ ନିର୍ଦ୍ଦେଶରେ ମଧ୍ୟପ୍ରଦେଶର ପାନ୍ନା ସ୍ଥିତ ହୀରା ଖଣି କ୍ଷେତ୍ରରେ ଲିଜ୍ ଧାରୀ ବ୍ୟକ୍ତି ଏବଂ ଖଣି ଶ୍ରମିକ ମାନଙ୍କ ମଧ୍ୟରେ ଥିବା ବିବାଦର ଏକ ସମାଧାନ ସୂତ୍ର ଖୋଜି ବାହାର କରାଯାଇଥିଲା, ଯାହା ଫଳରେ ଉପେକ୍ଷିତ ଶ୍ରମିକ ବର୍ଗଙ୍କ ହିତରକ୍ଷାର ଉପାୟ ବାହର କରାଯାଇଥିଲା ଏବଂ ହୀରା ଖଣିମାନଙ୍କର ସୁପରିଚାଳନା ପାଇଁ ବ୍ୟବସ୍ଥା କରାଯାଇଥିଲା।

ଦାରିଦ୍ର୍ୟ ଦୂରୀକରଣ କରିବା ଦେଶର ଆର୍ଥିକ ଯୋଜନାର ମୂଳଲକ୍ଷ୍ୟ ଅଟେ। ମାତ୍ର ସ୍ୱାଧିନତା ପରେ ଦେଶର ସରକାରଙ୍କ ସମ୍ମୁଖରେ ପ୍ରଶ୍ନ ଥିଲା, ବିକାଶ ପାଇଁ କେଉଁ ମଡେଲକୁ ଆପଣେଇବେ। ଆମେରିକାର ପୁଞ୍ଜିବାଦୀ ମଡେଲ୍ ନା ଋଷିଆର ସମାଜବାଦୀ ମଡେଲ୍। ପଣ୍ଡତଜୀଙ୍କ ମତରେ ଉଭୟ ମଡେଲ୍ ଆମଦେଶ ପାଇଁ ଅନୁପଯୁକ୍ତ, କାରଣ ଉଭୟ ମଡେଲ୍ ରେ ଏକ ମୁଳ ନୀତି ହେଲା ବଡ ବଡ ମେସିନ୍ ବସାଇବା, ଉତ୍ପାଦନ ବୃଦ୍ଧି କରିବା ଏବଂ ବଳକା ଉତ୍ପାଦ ପାଇଁ ଦେଶ ବାହାରେ ମାର୍କେଟ ଖୋଜିବା। ମାତ୍ର ଆମ ଦେଶରେ କ୍ଷୁଦ୍ର ଶିଳ୍ପ ଏବଂ କୁଟୀର ଶିଳ୍ପର ଉପେଯାଗିତା ବେଶୀ ଯେଉଁଥିରେ ‘ହର ହାତକୋ କାମ’ର ଲକ୍ଷ୍ୟ ପୁରଣ ହୋଇପାରିବ। ‘ହର ହାତକୋ କାମ, ହର କ୍ଷେତ କୋ ପାନି’ ଏହି ମୂଳ ସିଦ୍ଧାନ୍ତକୁ ଯୋଜନା ପ୍ରଣୟନକାରୀମାନେ ଭୁଲିଗଲେ ତଳ ସ୍ତରପାଇଁ ଅନ୍ୟାୟ ହେବ ବୋଲି ପଣ୍ଡିତଜୀ ଦୃଢମତ ଉପସ୍ଥାପନା କରିଥିଲେ।

ଦେଶରେ ରାଜନୈତିକ ଗଣତନ୍ତ୍ରର ବ୍ୟବସ୍ଥା ସହିତ ଆର୍ଥିକ ଗଣତନ୍ତ୍ରର ସ୍ଥାପନା ପାଇଁ ପଣ୍ଡିତଜୀ ଜୋର ଦେଇଥିଲେ। ପ୍ରତ୍ୟେକ ସାବାଳକକୁ ଭୋଟ୍ ଅଧିକାର ମିଳିବା ଏବଂ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁହେବା ଦ୍ୱାରା ଆମ ଦେଶରେ ରାଜନୈତିକ ଗଣତନ୍ତ୍ର ପ୍ରତିଷ୍ଟିତ ହୋଇଛି ବୋଲି କୁହାଯାଇପାରିବ। ମାତ୍ର ଯୋଜନା ପ୍ରସ୍ତୁତିରେ, ଏବଂ ଉପାôଦନ କ୍ଷେତ୍ରର ପରିଚାଳନାରେ ନାଗରିକ ବୃନ୍ଦ ଏପର୍ଯ୍ୟନ୍ତ ଭାଗିଦାରୀ ହୋଇ ପାରିନାହାନ୍ତି। ପଣ୍ଡିତଜୀଙ୍କ ମତରେ ପ୍ରତ୍ୟେକଙ୍କୁ ଭୋଟ ଅଧିକାର ମିଳିବା ପରି ପ୍ରତି ନାଗରିକକୁ କାମ ମିଳିବା ପାଇଁ ଏକ ମୌଳିକ ଆର୍ଥିକ ଅଧିକାର। କାମ କେବଳ ଜୀବିକା ଉପାର୍ଜ୍ଜନ ପାଇଁ ମିଳିବ ତାହା ନୁହଁ ବରଂ ପ୍ରତ୍ୟେକ ବ୍ୟକ୍ତିକୁ ନିଜ ରୁଚି ଅନୁସାରେ କାମ ଚୟନ କରିବାର ସୁଯୋଗ ମିଳିବା ଆବଶ୍ୟକ। କାମ ପାଇଁ ଉଚିତ୍ ମୁଲ୍ୟ ମଧ୍ୟ ମିଳିବା ବ୍ୟକ୍ତିର ଅନ୍ୟ ଏକ ଆର୍ଥିକ ଅଧିକାର। ସେଥିପାଇଁ ଦେଶରେ ନ୍ୟୁନତମ ବେତନର ଉଚିତ ନିର୍ଦ୍ଧାରଣ ହେବା ସଙ୍ଗେ ସଙ୍ଗେ ନ୍ୟାୟୋଚିତ ବଣ୍ଟନ ବ୍ୟବସ୍ଥା ଏବଂ ଆବଶ୍ୟକ ସାମାଜିକ ସୁରକ୍ଷାର ବ୍ୟବସ୍ଥା ମଧ୍ୟ ହେବା ଆବଶ୍ୟକ।

ଏହା ସହିତ ବ୍ୟକ୍ତିର ସୃଜନଶୀଳତା କ୍ଷେତ୍ରରେ ସ୍ୱାଧିନତା ରହିବା ଆବଶ୍ୟକ। ତାଙ୍କ ମତରେ ନିଜ ଉତ୍ପାଦର ସ୍ୱାମୀ ନିଜେ ଶ୍ରମିକ ହେବ। ସର୍ବାଙ୍ଗୀନ ଆର୍ଥିକ ବିକାଶ ପାଇଁ ବିଭିନ୍ନ ପ୍ରକାର ଆର୍ଥିକ ସଂରକ୍ଷଣର ନିୟମ ଲାଗୁ କରାଯିବା ସପକ୍ଷରେ ପଣ୍ଡିତଜୀ ମତ ଦେଇଛନ୍ତି। ବିଦେଶୀ ଶିଳ୍ପ ସାମନାରେ ଦେଶର ଶିଳ୍ପକୁ ଏବଂ ଭାରୀ ଶିଳ୍ପ ସାମନାରେ ଲଘୁ ତଥା କୁଟୀର ଶିଳ୍ପପାଇଁ ସଂରକ୍ଷଣ ପ୍ରଦାନ କରିବା ଆବଶ୍ୟକ। ପାଶ୍ଚାତ୍ୟ ଦେଶର ଭାରୀ ଶିଳ୍ପମାନଙ୍କୁ ଆଖି ବନ୍ଦକରି ଆମନ୍ତ୍ରଣ କରି ଆଣି ଆମ ଦେଶରେ ପ୍ରତିଷ୍ଟା କରିବା ଫଳରେ ଦେଶୀ ଶିଳ୍ପ ଗୁଡିକ ଲୋପ ହୋଇଯିବା ଦେଖାଯାଉଛି। ପରୋକ୍ଷରେ ଏଇ ଭାରୀ ଶିଳ୍ପଗୁଡିକୁ ଆମ ଦେଶରେ ଲଦି ଦିଆଯାଉଛି ବୋଲି କୁହାଯାଇପାରେ। ଫଳରେ ଉଦ୍ୟୋଗ କ୍ଷେତ୍ରର ସ୍ୱାଭାବିକ ପ୍ରଗତି ନହୋଇ କେବଳ ସ୍ଥାନେ ସ୍ଥାନେ ବିକାଶର ଦ୍ୱୀପମାନ ଗଢି ଉଠିଛି।

ଭାରୀଶିଳ୍ପର ବହୁଳତା ସହିତ କାରୀଗର ଓ ଶ୍ରମିକ ଶ୍ରେଣୀ ଉପେକ୍ଷିତ ହେଉଥୁବା ଦେଖାଯାଉଛି। ଆର୍ଥିକ ଗଣତନ୍ତ୍ରର ପ୍ରତିଷ୍ଟା ପାଇଁ ସ୍ୱୟଂସେବୀ କ୍ଷେତ୍ରର ବିସ୍ତାର ହେବା ଆବଶ୍ୟକ ଥିବା ବେଳେ, ଏମାନେ ସରକାରୀ ଉତ୍ସାହ ପାଇବାରୁ ବଞ୍ଚôତ ହେଉଛନ୍ତି। ବହୁଳ ମାତ୍ରାରେ ପ୍ରତିଷ୍ଠିତ ଭାରୀ ଉଦ୍ୟୋଗଗୁଡିକ ଦେଶର ଆର୍ଥିକ କ୍ଷେତ୍ରରେ ଏକ ପ୍ରକାର ଏକଛତ୍ରବାଦର ପ୍ରତିଷ୍ଟା କରୁଛନ୍ତି ବୋଲି କୁହାଯାଇପାରେ।

ପଣ୍ଡିତଜୀ ଏକାତ୍ମବାଦର ପ୍ରଣୟନ କରି ଦେଶ ଭିତରେ ଅନ୍ତୋଦୟ ଲକ୍ଷ୍ୟ ହାସଲ କରିବା, ନୀତି ନିର୍ଦ୍ଧାରକମାନଙ୍କ ହୃଦୟରେ ଭାରତୀୟ ଚିନ୍ତନ ଭରିଦେବା, ଅର୍ଥିକ ଗଣତନ୍ତ୍ରର ସ୍ଥାପନା କରିବା, କ୍ଷମତା ଓ ଅର୍ଥର ବିକେନ୍ଦ୍ରୀକରଣ କରିବା ତଥା ଯନ୍ତ୍ର ଆଧାରିତ ସମାଜ ବ୍ୟବସ୍ଥା ବଦଳରେ ମାନବତା ଆଧାରିତ ସମାଜ ବ୍ୟବସ୍ଥାର ପ୍ରତିଷ୍ଠା ପାଇଁ ଏହି ମୁଲ୍ୟବାନ ସିଦ୍ଧାନ୍ତର ପରିପ୍ରକାଶ କରିଛନ୍ତି ଏବଂ ସ୍ୱାଧୀନ ଭାରତକୁ ସମୃଦ୍ଧ କରି ଗଢିତୋଳିବା ପାଇଁ ଦେଶବାସୀଙ୍କ ନିମନ୍ତେ ସଠିକ ମାର୍ଗ ଦର୍ଶନ ଦେଇ ଯାଇଛନ୍ତି।

Leave a Reply

Your email address will not be published. Required fields are marked *