ପଣ୍ଡିତ ଦୀନଦୟାଲଙ୍କ ବିଚାରଧାରାକୁ ସମାଜର ପ୍ରତ୍ୟେକ ବର୍ଗରେ ପହଞ୍ଚାଇବା ମୁଖ୍ୟ ଲକ୍ଷ୍ୟ ଜିଲ୍ଳା ବିଜେପି ପକ୍ଷରୁ ବିସ୍ତାରକ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ

ଭଦ୍ରକ,୪/୬ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଆଜି ଭଦ୍ରକ ଟାଉନ ହଲ ପରିସରରେ ଜିଲ୍ଲା ବିଜେପି ପକ୍ଷରୁ ଏକ ବିସ୍ତାରକ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହୋଇ ଯାଇଛି। ପଣ୍ଡିତ ଦୀନଦୟାଲଙ୍କ ଜନ୍ମ ଶତବାର୍ଷିକ ପାଳନ ଅବସରରେ ବିଜେପି ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ବର୍ଗକୁ ପୂର୍ବତନ ସାଂସଦ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଅନନ୍ତ ନାୟକ ଉଦ୍ଘାଟନ କରିଥିଲେ। ପଣ୍ଡିତ ଦୀନଦୟାଲଙ୍କ ବିଚାରଧାରାକୁ ନେଇ ସମାଜର ଶେଷ ଧାଡିରେ ଛିଡା ହୋଇଥିବା ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ପାରିଲେ ସମାଜର ଉନ୍ନତି ହେବା ସହ ବିଜେପି ପ୍ରତି ଲୋକଙ୍କର ଭରସା ଓ ବିଶ୍ୱାସ ବୃଦ୍ଧି ପାଇବ ବୋଲି ଏହି ଉତ୍ସବରେ ବକ୍ତାମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ପ୍ରଶିକ୍ଷଣ ବର୍ଗରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ବିଧାୟକ ବିଷ୍ଣୁ ଚରଣ ସେଠୀ, ପୂର୍ବତନ ବିଧାୟକ ପ୍ରତାପ ଷଡଙ୍ଗୀ, ରାଜ୍ୟ ସମ୍ପାଦକ ବିରଞ୍ଚି ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୀନବନ୍ଧୁ ପତି, ଡା. ପ୍ରଦିପ କୁମାର ନାୟକ, ଜାତୀୟ ପରିଷଦ ସଦସ୍ୟ ଶରତ ଦାସ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ସମସ୍ତ ବିସ୍ତାରକମାନଙ୍କୁ ପ୍ରଶିକ୍ଷଣ ଦେବା ଅବସରରେ କାର୍ଯ୍ୟ ବିସ୍ତାର ଯୋଜନାର ସମ୍ପୂର୍ଣ୍ଣ ରୂପରେଖ ବାବଦରେ ନିଜର ମତ ରଖିଥିଲେ। ପ୍ରତ୍ୟେକ ବିସ୍ତାରକଙ୍କୁ ପ୍ରତି ଶକ୍ତି କେନ୍ଦ୍ରର ଦାୟିତ୍ୱ ଦେବା ସହ ସମାଜର ସବୁବର୍ଗର ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ମଧ୍ୟରେ ପଣ୍ଡିତ ଦୀନଦୟାଲଙ୍କ ଚିନ୍ତା ଚେତନାର ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆହ୍ୱାନ ଦେଇଥିଲେ। ବିସ୍ତାରକମାନେ କେନ୍ଦ୍ର ସରକାରଙ୍କ ଲୋକାଭିମୁଖି ଜନକଲ୍ୟାଣକାରୀ ଯୋଜନା ବିଷୟରେ ସମ୍ପୂର୍ଣ୍ଣ ଅବଗତ କରାଇ ଜନ ସଚେତନତା ମାଧ୍ୟମରେ ଏହାର କାର୍ଯ୍ୟକାରିତା ଦିଗରେ ଚେଷ୍ଟା ଜାରି ରଖିଲେ ଆଗାମୀ ଦିନରେ ବିଜେପି ରାଜ୍ୟର ଶାସନ ଭାର ନେଇ ପାରିବ ବୋଲି ଦୃଢ ନିଶ୍ଚିତ ହୋଇ ସମସ୍ତେ ସେମାନଙ୍କର କାର୍ଯ୍ୟପ୍ରତି ସଂକଳ୍ପବଦ୍ଧ ହୁଅନ୍ତୁ ବୋଲି ବକ୍ତାମାନେ ନିବେଦନ କରିଥିଲେ। ଏହି ଅବସରରେ ଆସନ୍ତା ୨୧ ତାରିଖ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ଜିଲ୍ଳା ଓ ମଣ୍ଡଳ ସ୍ତରରେ ଏକ କମିଟି ଗଠନ କରିବା ସହିତ ଯୋଗକୁ ଆହୁରି ବିସ୍ତାର କରିବା ଦିଗରେ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଏହି ଶିବିରକୁ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ଜେନା, ଉପସଭାପତି ତପନ ମହାନ୍ତି, ଶରତ ପଢିଆରୀ, ବାପୁ ଧଳ, ତପନ ବାରିକ, ଯୁବମୋର୍ଚ୍ଚା ସଭାପତି ସୁରେଶ ସାମଲ, ରାଜୀବଲୋଚନ ସାହୁ, କୋଷାଧ୍ୟକ୍ଷ ପ୍ରଦିପ୍ତ ବିଶ୍ୱାଳ, ରିବନାରାୟଣ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *