ପଟେଲଙ୍କ ଜୀବନ ଆଦର୍ଶ ଓ ବାର୍ତ୍ତାର ପ୍ରାସଙ୍ଗିକତା

ଗୁରୁ ପ୍ରକାଶ

‘କର୍ମ ହିଁ ପୂଜା କିନ୍ତୁ ହସ ହେଉଛି ଜୀବନ। ଯିଏ ଜୀବନକୁ ଅତ୍ୟନ୍ତ ଗମ୍ଭୀରତାର ସହ ବଂଚୁଛି ସେ ନିଜର ଦୁଃଖଦ ଅସ୍ତିତ୍ୱ ପାଇଁ ମଧ୍ୟ ପ୍ରସ୍ତୁତ ରହିବା ଦରକାର’। ଏହି ଉକ୍ତି ଜଣେ ସନ୍ଥଙ୍କ ଚିନ୍ତାଧାରା ଓ ଭାବନା ପରି ଲାଗୁଛି। କିନ୍ତୁ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅଣ ରାଜନୈତିକ ଉକ୍ତି ରୂପେ ଏହାକୁ ଗ୍ରହଣ କରିବା କଷ୍ଟକର।

ପ୍ରାରମ୍ଭିକ ଜୀବନ ଏବଂ ସଂଘର୍ଷ:

ଗୁଜରାଟର କଇରା ଜିଲ୍ଲା ଅନ୍ତର୍ଗତ ନଦିଆଦ୍ ଗାଁ ଲଡ଼ବାଇ ଏବଂ ଜାଭେରୀଭାଇ ପଟେଲ ପରିବାରରେ ପାଂଚଜଣ ପୁତ୍ର-କନ୍ୟାଙ୍କ ମଧ୍ୟରେ ସେ ଜଣେ ଥିଲେ। ବଲ୍ଲଭ ଭାଇ ସ୍ୱାଧିନତା ଏବଂ ସ୍ୱାଧିନ ଭାରତର ଅଖଣ୍ଡତା ପରି ମହାନ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଜୀବନର ମହତ୍ୱପୂର୍ଣ୍ଣ ବର୍ଷ ଗୁଡ଼ିକରେ ତାଙ୍କ ମାନସିକତା ଉପରେ ମାଙ୍କର ଗଭୀର ଛାପ ପଡ଼ିଥିଲା। ଏକ ଗ୍ରାମୀଣ ପରିବେଶ ମଧ୍ୟରେ ତାଙ୍କ ମା ପିଲାମାନଙ୍କୁ ଏକାଠି କରି ରାମାୟଣ ଓ ମହାଭାରତର କାହାଣୀ ଶୁଣାଉ ଥିଲେ। ଯୁବାସ୍ଥାରେ ତାଙ୍କ ଉପରେ ଆଧ୍ୟାତ୍ମିକ ଛାପ ପଡ଼ିବା ବେଳେ ପିତା ତାଙ୍କୁ ଚାଷୀ ଜୀବନ ପ୍ରତି ଆକୃଷ୍ଟ କରିଥିଲେ। ଚାଷ କାର୍ଯ୍ୟରେ ପିତାଙ୍କୁ ସହଯୋଗ କରୁକରୁ ଯୁବକ ଅବସ୍ଥାରେ ଚାଷ କାର୍ଯ୍ୟ, ଗାଈଗୋରୁ କାରବାରରେ ପାରଙ୍ଗମ ହୋଇ ଯାଇଥିଲେ। ଚାଷ କାର୍ଯ୍ୟ ପ୍ରତି ତାଙ୍କର ଏପରି ମୋହ ଆସି ଯାଇଥିଲାଯେ, ଥରେ ଜଣେ ଆମେରିକୀୟ ସାମ୍ବାଦିକ ତାଙ୍କ ସାଂସ୍କୃତିକ ଗତିବିଧି ସଂପର୍କରେ ପ୍ରଶ୍ନ କରିବାରୁ ସେ କହିଥିଲେଯେ, ଆପଣ ଅନ୍ୟ କିଛି ପ୍ରଶ୍ନ କରନ୍ତୁ, ମୋ ସଂସ୍କୃତି ହେଉଛି କୃଷି।

ଜଣେ କୃଷକ ନେତା ରୂପେ ତାଙ୍କର ଯାତ୍ରା ଜୀବନର ପ୍ରଥମ ସଂଘର୍ଷ ଥିଲା। ସାର୍ବଜନୀନ ଜୀବନ ଏବଂ ସ୍ୱାଧୀନତା ଆନ୍ଦୋଳନ ପରିପ୍ରେକ୍ଷୀରେ ବରୋଦ ଏବଂ ଖେଡ଼ାରେ ପରିଚାଳିତ ସତ୍ୟାଗ୍ରହ ତାଙ୍କ କୁଶଳୀ ନେତୃତ୍ୱର ପରିଚୟ ଦେଇଥିଲା। ଶେଷରେ ବ୍ରିଟିଶ ସରକାର ମାତ୍ରାଧିକ ରାଜସ୍ୱ କର ଆଦାୟ ମାମଲାରେ ନତମସ୍ତକ ହୋଇଥିଲେ।

ରାଜନୀତି ଏବଂ ରାଜନୈତିକ ତୀକ୍ଷ୍ମତା:

ସ୍ୱାଧୀନତା ଆନ୍ଦୋଳନ ଏବଂ ସ୍ୱାଧୀନ ଦେଶର ନିର୍ମାଣ ଉଭୟ କ୍ଷେତ୍ରରେ ସର୍ଦ୍ଦାର ପଟେଲଙ୍କ ନେତୃତ୍ୱ ଏକ ସକରାତ୍ମକ ମାର୍ଗଦର୍ଶନ ଥିଲା। ‘କଠିନ ପରିଶ୍ରମ ଦ୍ୱାରା ଆମେ ସ୍ୱାଧୀନତା ପାଇଛୁ, ଏହାକୁ ସାର୍ଥକ କରିବା ପାଇଁ ଆମକୁ ଆହୁରି କଠିନ ପ୍ରୟାସ କରିବାକୁ ପଡ଼ିବ’। ସ୍ୱାଧୀନ ଭାରତ ପାଇଁ ଦୃଢ଼ ନାଗରିକ, ସେନା ଓ ପ୍ରଶାସନିକ ବ୍ୟବସ୍ଥାର ଆବଶ୍ୟକତା ସଂପର୍କରେ ସର୍ଦ୍ଦାର ପଟେଲ ଅବଗତ ଥିଲେ। ବ୍ୟବସ୍ଥିତ ସେନା ଓ ବ୍ୟବସ୍ଥିତ ଅମଲାତନ୍ତ୍ର ଉପରେ ତାଙ୍କର ଥିବା ଅତୁଟ ବିଶ୍ୱାସ ବରଦାନ ସଦୃଶ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ ଲାକ୍ଷାଦ୍ୱୀପକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ପାକିସ୍ତାନ ଉଦ୍ୟମ କଲାବେଳେ ସର୍ଦ୍ଦାର ପଟେଲ ଠିକଣା ସମୟରେ ସେଠାକୁ ସେନା ପଠାଇ ନିଜର ବୁଦ୍ଧିମତା ଓ ଦୂରଦୃଷ୍ଟିର ପରିଚୟ ଦେଇଥିଲେ। ଯଦି ଆମ ପଡ଼ୋଶୀ ଦେଶ ତା ଉଦ୍ଦେଶ୍ୟରେ ସଫଳ ହୋଇଥାନ୍ତା, ତେବେ ଆମର କିପ୍ରକାର ଦୁର୍ଦ୍ଦଶା ହୋଇଥାନ୍ତା କେହି କଳ୍ପନା କରି ପାରୁଛନ୍ତି।

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ପଟେଲ:

୧୯୪୯ ଜୁଲାଇ ୧୬ରେ ଟି.ଆର ଭେଙ୍କଟରାମା ଶାସ୍ତ୍ରୀଙ୍କୁ ଏକ ପତ୍ର ସର୍ଦ୍ଦାର ପଟେଲ ଲେଖିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେଯେ, ସ୍ୱୟଂ ସେବକ ସଂଘ ଉପରୁ ପ୍ରତିବନ୍ଧକ ହଟାଇବା ସପକ୍ଷରେ ମୁଁ ଅଛି। କଂଗ୍ରେସ ଯଦି ଠିକଣା ବାଟରେ ଯାଉ ନାହିଁ ତେବେ ସେଥିରେ ସଂସ୍କାର ଆଣିବା ପାଇଁ ସେ ଆରଏସଏସକୁ ପରାମର୍ଶ ଦେଇଥିଲେ। ଆରଏସଏସର ଦ୍ୱିତୀୟ ସର ସଂଚାଳକ ଗୋଲୱାଲକରଙ୍କୁ ଅନ୍ୟ ଏକ ପତ୍ର ସର୍ଦ୍ଦାର ପଟେଲ ଲେଖିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ, ଭେଙ୍କଟରାମାଙ୍କ ପରି ବନ୍ଧୁଙ୍କ ସହ ସେ ଭେଟିବାକୁ ନିଷ୍ପତି ନେଇଛନ୍ତି। ଆପଣଙ୍କ ସ୍ୱାସ୍ଥ୍ୟଗତ କାରଣ ମୋ ଚିନ୍ତା ବଢ଼ାଇ ଦେଇଛି। ଦେଶ ପାଇଁ ଆପଣଙ୍କ ମାର୍ଗଦର୍ଶନ ଓ ସେବାର ଯଥେଷ୍ଟ ଆବଶ୍ୟକତା ରହିଛି। ମୁଁ ଈଶ୍ୱରଙ୍କ ନିକଟରେ ଆପଣଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରୁଛି। ମୁଁ ଯେବେ ଆପଣଙ୍କୁ ସାକ୍ଷାତ କରିବି, ସେତେବେଳକୁ ଆପଣ ସୁସ୍ଥ ହୋଇ ସାରିଥିବେ ବୋଲି ମୋର ଆଶା ରହିଛି। ହୃଦୟର କିଛି ଭାବକୁ ଭାଷା ଦ୍ୱାରା ପରିପ୍ରକାଶ କରି ହୁଏ ନାହିଁ। ଏହି ଭାବନା ମୁଁ ଆପଣଙ୍କୁ ଚିଠି ଲେଖିବା ବେଳେ ଅନୁଭବ କରୁଛି। ଚିଠିର ଏହି ବିଷୟ ପ୍ରମାଣ କରୁଛିଯେ, ସର୍ଦ୍ଦାର ପଟେଲ ସହଜରେ ଅନ୍ୟର ବିଚାରଧାରାକୁ ଗ୍ରହଣ କରିପାରୁ ଥିଲେ।

ସ୍ୱାଧିନତା ଆନ୍ଦୋଳନ ଏବଂ ଏହାର ପରବର୍ତ୍ତୀ ଅବସ୍ଥାରେ ଗାନ୍ଧୀ-ନେହେରୁ ଓ ପଟେଲ ଦେଶର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଥିଲେ। ଆମ ଦେଶର ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ, ଆଜି ଆମେ ଦେଶର ମାନଚିତ୍ରକୁ ଯେପରି ଭାବେ ଦେଖୁଛୁ, ତାହା ହୁଏତ ସମ୍ଭବ ହୋଇ ନଥାନ୍ତା, ଯଦି ସର୍ଦ୍ଦାର ପଟେଲ ନଥାନ୍ତେ। ସେ ନଥିଲେ ଦେଶ ଅନେକ ଭାଗରେ ବିଭକ୍ତ ହୋଇଯାଇଥାନ୍ତା। ସେ ନିଜ ଶକ୍ତି ଓ ସାମର୍ଥ୍ୟ ବଳରେ ଦେଶକୁ ଅଖଣ୍ଡ ରଖିବାରେ ସଫଳ ହୋଇପାରିଥିଲେ। କେବଳ କାଶ୍ମୀର କ୍ଷେତ୍ରରେ ସେ ନିଜର ନୀତି ଲାଗୁ କରିପାରି ନଥିଲେ। ଯାହାର ମୂଲ୍ୟ ଆଜି ଆମକୁ ଦେବା ପାଇଁ ପଡ଼ୁଛି। ଗାନ୍ଧୀଙ୍କ ପରେ ସେ ହିଁ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ଦେଶର ସଂସ୍କୃତିକୁ ଉତମ ଭାବେ ବୁଝି ପାରିଥିଲେ। ସ୍ୱାଧୀନତା ପରେ ଯଦି ସେ ଆଉ ଦର୍ଶ ବର୍ଷ ବଂଚିପାରିଥାନ୍ତେ ତେବେ ଭାରତର ଅନେକ ପ୍ରସଙ୍ଗ ସମାହିତ ହୋଇଯାଇଥାନ୍ତା। ଏହି କଥାକୁ ହିନ୍ଦୋଳ ସେନଗୁପ୍ତ ପଟେଲଙ୍କ ଜୀବନ ଉପରେ ଲେଖିଥିବା ପୁସ୍ତକ ‘ ଦି ମ୍ୟାନ ହୁ ସେଭ୍ ଡ଼ ଇଣ୍ଡିଆ’ରେ ସ୍ୱୀକାର କରିଛନ୍ତି। (ପିଆଇବି)

-ଲେଖକଙ୍କ ମତାମତ ନିଜସ୍ୱ

Leave a Reply

Your email address will not be published. Required fields are marked *