ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣା ଜିଲା ସଂଘ ବୈଠକରେ ଆନ୍ଦୋଳନ ନିଷ୍ପତି

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମନଗର ବ୍ଲକରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦ କରି ଭଦ୍ରକ ଜିଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଂଘ ସଭାପତି ଗୟାଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପାଦକ ପୀତାମ୍ବର ବିଶ୍ୱାଳ ବକ୍ତବ୍ୟ ରଖି ପଞ୍ଚାୟତ ଅଧିକାରୀମାନେ ବାରମ୍ବାର ସାଧାରଣ ଲୋକଙ୍କ ଆକ୍ରୋଶର ଶିକାର ହେଉଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ଗ୍ରାମାଞ୍ଚଳର ବିଭିନ୍ନ ରାଜନୈତିକ ଦଳର କୁଜି ନେତାଙ୍କ ହାତବାରିସୀ ହୋଇ କାର୍ଯ୍ୟ କରୁ ନଥିବା ଅଧିକାରୀଙ୍କୁ ଏଭଳି ଆକ୍ରମଣର ଶିକାର ହେବାକୁ ପଡୁଛି। ମିଥ୍ୟାର ଆଶ୍ରୟ ନେଇ ଅଯୋଗ୍ୟ ହିତାଧିକାରୀ ଚୟନ କରି ସେମାନଙ୍କୁ ସରକାରୀ ସହାୟତା ଯୋଗାଇବାକୁ କୁଜି ନେତାଙ୍କ ଚାପ ସରକାରୀ ଯୋଜନାର ସଫଳ ରୂାୟନରେ ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି ଶ୍ରୀ ବିଶ୍ୱାଳ କହିଥିଲେ। ପଲ୍ଲୀସଭାରେ ନୋଡାଲ ଅଫିସରଙ୍କ ଉପସ୍ଥିତି ନିମନ୍ତେ ସରକାରୀ ଗାଇଡ ଲାଇନ ଥିବା ବେଳେ ସେମାନେ ଉପସ୍ଥିତ ରହୁ ନଥିବାରୁ ବିଭିନ୍ନ ସ୍ଥାନରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଜିଲାରେ ଯେଉଁ ପଞ୍ଚାୟତରେ ଏଭଳି କାର୍ଯ୍ୟ ହେଉଛି, ସେଠାରେ ସଂଘ ତୀବ୍ର ବିରୋଧ କରିବ ବୋଲି ଶ୍ରୀ ବିଶ୍ୱାଳ କହିଥିଲେ। ପ୍ରକାଶ ଯୋଗ୍ୟ ଯେ, ଗତ ୨୫ ତାରିଖ ଧାମନଗର ବ୍ଳକର ସାହାସପୁର ପଞ୍ଚାୟତର ନର୍ବାହୀ ଅଧିକାରୀ ଶ୍ରୀକାନ୍ତ ଦାସ ସାହାସପୁର ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ପଲ୍ଲୀସଭାରେ କୋରମ ଅଭାବରୁ ସଭାକୁ ସ୍ଥଗିତ ରଖି ଅନ୍ୟ ଏକ ଗ୍ରାମକୁ ପଲ୍ଲୀସଭା ପାଇଁ ଯିବା ରାସ୍ତାରେ ତାଙ୍କୁ କିଛି ଅସାମାଜିକ ଯୁବକ ଆକ୍ରମଣ କରିଥିଲେ। ଏ ନେଇ ଧୁଷୁରୀ ଥାନାରେ ଶ୍ରୀ ଦାସ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ସେହିପରି ୨୮ ତାରିଖ ଦୋବଲ ପଞ୍ଚାୟତର ସୋଧ ଗ୍ରାମରେ ବର୍ଷା ଓ କୋରମ ଅଭାବ ଯୋଗୁ ପଲ୍ଲୀସଭା ହୋଇ ନପାରିବାରୁ ସେଠାରେ ଉପସ୍ଥିତ ଥିବା ସମିତିସଭ୍ୟ କୈଳାସ ଜେନା, ସୁଶାନ୍ତ ପଣ୍ଡା ଏବଂ ଅନ୍ୟ କେତେକଙ୍କ ସହଯୋଗୀଙ୍କ ସହ ମିଶି ପଞ୍ଚାୟତ ନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କୁ ସଭାସ୍ଥଳରୁ ଡାକି ନେଇ ମରଣାନ୍ତକ ମାଡ ମାରିଥିଲେ। ଶ୍ରୀ ବେହେରା ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଏନେଇ ସେ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସରକାରୀ କାମରେ ସରକାରୀ କର୍ମଚାରୀ ମାଡ ଖାଇବା ପରେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜିଠାରୁ ଧାମନଗର ବ୍ଳକର ସମସ୍ତ ପଞ୍ଚାୟତ ନିର୍ବାହୀ କଲମ ଛାଡ ଆନ୍ଦୋଳନ କରିବେ ଏବଂ ଏହା ସତ୍ତ୍ୱେ ଯଦି ପୁଲିସ କିଛି ପଦକ୍ଷେପ ନନିଏ, ତେବେ ଆଗାମୀ ଦିନରେ ସମଗ୍ର ଜିଲାର ନିର୍ବାହୀ ଅଧିକାରୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ବୈଠକରେ ସ୍ଥିର ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ଶ୍ୟାମବନ୍ଧୁ ବାରିକ, ଚନ୍ଦ୍ରକାନ୍ତ ବେହେରା, ପ୍ରକାଶ ନାୟକ, ଗୋପାଳ ପଣ୍ଡା, ଗଙ୍ଗାଧର ମହଲା, ଚିତ୍ତରଞ୍ଜନ ଦାସ, କାର୍ତିକଚନ୍ଦ୍ର ସ୍ୱାଇଁ, ରାଧାକାନ୍ତ ଗିରି, ଦୀପକ ମହାନ୍ତି, ଅଜୟ ଦାଶ, ଦେବେନ୍ଦ୍ର ଦଳେଇ, ଚିତ୍ତରଞ୍ଜନ ନାୟକ, ବିଶ୍ୱନାଥ ମହାରଣା, ନାରାୟଣ ପଣ୍ଡା, କ୍ଷୀରୋଦ ଖଟୁଆ, ନରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *