ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ବଢୁଛି ବିବାଦ

ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ବ୍ଲକ୍ ଅନ୍ତର୍ଗତ ହରିପୁର ନୂତନ ପଞ୍ଚାୟତ ହେବା ପରେ ଏହାର ଅଫିସ୍ ପରିଚାଳନା ପାଇଁ ଏକ ନୂତନ ପଞ୍ଚାୟତ ଗୃହ ନିର୍ମାଣ ପାଇଁ ଅନୁଦାନ ଆସିଥିଲା। ସରକାରଙ୍କର ଏଇ ଅନୁଦାନ ରାଶିରେ ଏବେ ହରିପୁର ପଞ୍ଚାୟତ ଗୃହ ଏଇ ପଞ୍ଚାୟତ ଅଧୀନସ୍ଥ ଗରଦପୁର ମୌଜାରେ ନିର୍ମାଣ ହେଉଛି। ମାତ୍ର ଏଇ ନିର୍ମାଣ କାମୁକ ମୂଳରୁ ସ୍ଥାନୀୟ ସରପଞ୍ଚ ଅନୁପମା ଜେନାଙ୍କ ସମେତ ବହୁ ପଞ୍ଚାୟତବାସୀ ବିରୋଧ କରିଆସୁଛନ୍ତି। ସରପଞ୍ଚ ନିରୁପମା ଓ ଅନ୍ୟ କିଛି ଗ୍ରାମବାସୀ ମୂଳରୁ ଏଇ ପଞ୍ଚାୟତ ଅଫିସ୍କୁ ହରିପୁର ପଞ୍ଚାୟତର ମଧ୍ୟସ୍ଥଳରେ ନିର୍ମାଣ କରିବା ପାଇଁ ଦାବି କରିଆସୁଛନ୍ତି। କେବଳ ଦାବି ନୁହେଁ, ଏଥିପାଇଁ ଆନ୍ଦୋଳନ, ଧାରଣା, ଧର୍ମଘଟ ମଧ୍ୟ କରିଛନ୍ତି। ଜିଲାପାଳଙ୍କ ଅଫିସ୍ ଠାରୁ ଆରମ୍ଭ କରି ସବୁସ୍ତରରେ ପ୍ରତିବାଦ କରାଯାଇଛି। ଭଦ୍ରକ ଜିଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଭଦ୍ରକ ବ୍ଲକ୍ ବିଡିଓଙ୍କ ନିକଟରେ ମଧ୍ୟ ଏଥିପାଇଁ ଅଭିଯୋଗ କରାଯାଇଥିଲା। ରାଜ୍ୟ ପଞ୍ଚାୟତରାଜ ବିଭାଗ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ପହଞ୍ଚିଥିଲା ଅଭିଯୋଗ। ଜଣେ ନିର୍ବାଚନ ସରପଞ୍ଚ ଏଇ ନିର୍ମାଣ କାର୍ଯ୍ୟକୁ ବିରୋଧ କରୁଥିଲେ ମଧ୍ୟ ଏଥିପାଇଁ କାହାର ଭ୍ରୁକ୍ଷେପ ନାହିଁ। କେବଳ ସେତିକି ନୁହେଁ, ଏଇ ନିର୍ମାଣ କାର୍ଯ୍ୟ ନକରିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଥିଲା। ମାମଲା ସତ୍ୱେ ମଧ୍ୟ ଭଦ୍ରକ ବିଡିଓ ହରିପୁର ପଞ୍ଚାୟତ ଅଫିସ୍ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦେଇ ଏହାର ନିର୍ମାଣ ଦ୍ରୁତଗତିରେ କରିଚାଲିଛନ୍ତି। ଏଥିରେ ପ୍ରଶାସନର ମନ୍ଦ ଉଦ୍ଦେଶ୍ୟ ପଦାରେ ପଡିଯାଇଛି। ଯେଉଁ କାର୍ଯ୍ୟକୁ ସ୍ଥାନୀୟ ଲୋକମାନେ ବିରୋଧ କରୁଛନ୍ତି। ସେଭଳି କାର୍ଯ୍ୟକୁ କାହିଁକି ଏତେ ତରବରିଆ ଭାବେ ବିଭାଗୀୟ ଅଧିକାରୀମାନେ କରି ଚାଲିଛନ୍ତି। ତାହାକୁ ନେଇ ସ୍ଥାନୀୟ ସରପଞ୍ଚ ପ୍ରଶ୍ନ ଉଠାଇଛନ୍ତି। ଏହି ଅଫିସ୍ ଗୃହ ନିର୍ମାଣ କାର୍ଯ୍ୟ ବନ୍ଦ କରି ଲୋକମାନଙ୍କ ପାଇଁ ନୂତନ ପଞ୍ଚାୟତ କାର୍ଯ୍ୟାଳୟକୁ ହରିପୁର ପଞ୍ଚାୟତର ମଧ୍ୟସ୍ଥଳ ହରିପୁର ମୌଜାରେ ନିର୍ମାଣ କରିବା ପାଇଁ ଦାବି କରାଯାଇଛି। ଏଇ ନେଇ ପୁନର୍ବାର ସରପଞ୍ଚଙ୍କ ପକ୍ଷରୁ ଭଦ୍ରକ ବିଡିଓ, ଜିଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯାଇଛି। ଅନ୍ୟପକ୍ଷେ ମାନ୍ୟବର ହାଇକୋର୍ଟରୁ ଜିଲାପାଳଙ୍କ ନିକଟକୁ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଆସିବା ପରେ ଜିଲାପାଳ ଭଦ୍ରକ ପିଡିଙ୍କୁ ଏହି ନିର୍ମାଣ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପିଡିଙ୍କ ନିର୍ଦ୍ଦେଶ ପାଇଥିଲେ ମଧ୍ୟ ଭଦ୍ରକ ବିଡିଓ ଏଥିପ୍ରତି ଆଦୌ ଦୃଷ୍ଟି ନଦେଇ ଗରଦପୁର ମୌଜାରେ ହରିପୁର ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ କରିଚାଲିଛନ୍ତି। ଏଇ କାର୍ଯ୍ୟକୁ ବନ୍ଦ କରାନଗଲେ ଆଗାମୀ ଦିନରେ ପୁଣି ହରିପୁରବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *