ପଖାଳ ସ୍ୱାଦରେ ହଜି ସ୍ୱାସ୍ଥ୍ୟ ସଚେତନ ହେଲେ ଗ୍ରାମୀଣ ମହିଳା : ରେଡିଓ ନମସ୍କାର ପାଳିଲା ପଖାଳ ଦିବସ

କୋଣାର୍କ, ୨୦.୩ (ଓଡ଼ିଆ ପୁଅ) – ଆଜି ଓଡିଶାର ପ୍ରଥମ ଗୋଷ୍ଠୀ ବେତାରକେନ୍ଦ୍ର ରେଡିଓ ନମସ୍କାର ପକ୍ଷରୁ ବିଶ୍ୱ ପଖାଳ ଦିବସ ପାଳନ କରାଯାଇଛି। ଏହି ଅବସରରେ ରେଡିଓ ନମସ୍କାର ଷ୍ଟୁଡିଓ ପରିସରରେ ଓଡିଆଙ୍କ ଅତ୍ୟନ୍ତ ପ୍ରିୟ ଖାଦ୍ୟ ପଖାଳର ସାଂସ୍କୃତିକ ମହତ୍ୱକୁ ନେଇ ଏକ କବିତାପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ କୋଣାର୍କ ଏନ୍ଏସିର ୯ନମ୍ବର ୱାର୍ଡ ଅନ୍ତର୍ଗତ ରାଜୀବ କଲୋନୀଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରେ ପଖାଳ ପ୍ରସ୍ତୁତି ଓ ସ୍ୱାସ୍ଥ୍ୟ ସଚେତନତା ପ୍ରତିଯୋଗିତା ‘ଜାଣିଲେ ଜିଣିବା’ ଅନୁଷ୍ଠିତ ହୋଇଯାଇଛି। ରେଡିଓ ନମସ୍କାର ଆନୁକୁଲ୍ୟରେ ରାଜୀବ କଲୋନୀଠାରେ ଆୟୋଜିତ ବିଶ୍ୱ ପଖାଳ ଦିବସରେ ମା ଭଗବତୀ ଶ୍ରୋତା ମଣ୍ଡଳୀର ସଂଯୋଜିକା ବିଷ୍ଣୁପ୍ରିୟା ପାଇଟାଳ ଓ ସହସଂଯୋଜିକା ରେଣୁ ରାଓଙ୍କ ତତ୍ତ୍ୱାବଧାନରେ ୨୦ଜଣ ମହିଳା ପଖାଳ ପ୍ରସ୍ତୁତି କରିବା ସହିତ ସାମୁହିକ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ପଖାଳର ପୈାଷ୍ଟିକତା ଓ ଆମ ଶରୀରରେ ଏହାର ଆବଶ୍ୟକତା ସଂପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥିରୂପେ ସମାଜସେବୀ ରବୀନ୍ଦ୍ରନାଥ ନାୟକ, ଶିକ୍ଷକ ପ୍ରତାପ ରାଉତ, ପ୍ରାଚୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ସେନାପତି, କବି ମାନସରଂଜନ ପଟ୍ଟନାୟକ, କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି, ଓ ବ୍ୟଂଗକବି ସଂପଦ କୁମାର ରଥ ପ୍ରମୁଖ ଯୋଗଦେଇ ଓଡିଆଙ୍କ ପଖାଳଖିଆ ପରଂପରା ଏବଂ ଏହାର ସାମାଜିକ ଦିଗ ସଂପର୍କରେ ଆଲୋଚନା କରିଥିଲେ। ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ପଖାଳ ସହିତ ପ୍ରାୟ ୪୦ପ୍ରକାର ବ୍ୟଂଜନର ସାମୁହିକ ପଂକ୍ତି ଭୋଜନ ପରେ ଅପରାହ୍ନରେ ଆୟୋଜିତ ହୋଇଥିଲା ସ୍ୱାସ୍ଥ୍ୟ ସଚେତନତା ସଂପର୍କିତ କୁଇଜ୍ ‘ଜାଣିଲେ ଜିଣିବା’। ଏଥିରେ ଅଂଶଗ୍ରହଣ କରିଥିବା ମହିଳାମାନଙ୍କ ମଧ୍ୟରେ ଝୁନାଲତା ମଲ୍ଲ ପ୍ରଥମ, ସଂଧ୍ୟାରାଣୀ ବେହେରା ଦ୍ୱିତୀୟ ଓ ମୀନାକ୍ଷି ପାତ୍ର ତୃତୀୟ ସ୍ଥାନ ଅଧିକାର କରି ରେଡିଓ ନମସ୍କାର ପକ୍ଷରୁ ପୁରସ୍କୃତ ହୋଇଥିଲେ। ପଖାଳ ଦିବସ ପରି ବିଭିନ୍ନ ଦିବସ ପାଳନ ଓ ଅଭିନବ କାର୍ଯ୍ୟକ୍ରମମାନ ଆୟୋଜନ କରି ବିଗତ ଦିନରେ ରେଡିଓ ନମସ୍କାର ଖୁବ ଜନାଦୃତ ହୋଇପାରିଛି। ଏଥିମଧ୍ୟରେ ରେଡିଓ ନମସ୍କାର ମାଧ୍ୟମରେ ପ୍ରାୟ ୪ ହଜାରରୁ ଅଧିକ ପ୍ରକାରର କାନ୍ଦଣା, କଥିତ ଗଳ୍ପ, ଲୋକକଥା, ଲୋକଗୀତ ଇତ୍ୟାଦି ସଂଗ୍ରହ କରାଯାଇଛି ଓ ଖୁବ୍ ଶୀଘ୍ର ଏସବୁକୁ ନେଇ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ ବୋଲି କୁହନ୍ତି ରେଡିଓ ନମସ୍କାରର ପ୍ରତିଷ୍ଠାତା ତଥା ବରିଷ୍ଠ ଯୁବ ସାମ୍ବାଦିକ ଏନ୍.ଏ. ଶାହଃ ଅନସାରୀ। ରେଡିଓ ନମସ୍କାରର ସଂଯୋଜିକା ରୋଜାଲିନ ପ୍ରଧାନ, ଅନୁପ ସାହୁ, ଏସ୍. କାଜଲ, ସବିତା ପ୍ରଧାନ, ସୁଦୀପ୍ତା ନାୟକ ଓ ସୁଚିତ୍ର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *