ପଂଚାୟତ ପ୍ରତିନିଧିଙ୍କୁ ବିଡିଓ ଅଣଦେଖା କରୁଥିବା ଅଭିଯୋଗ

କୋରାପୁଟ ; ତା୧୩-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ମାଝି ନିର୍ବାଚିତ ପଂଚାୟତ ପ୍ରତିନିଧି ମାନଙ୍କୁ ଅଣଦେଖା କରିବା ସହ ଅସମ୍ମାନ ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ବ୍ଲକ ଅଧ୍ୟକ୍ଷା ସୁନାମଣି ମୁଦୁଲି, ଉପାଧ୍ୟକ୍ଷ ନାରାୟଣ ବିଷୋୟୀଙ୍କ ସମେତ ବ୍ଲକର ସମସ୍ତ ସରପଂଚ, ସମିତି ମେମ୍ବର, ୱାର୍ଡ ସଭ୍ୟସଭ୍ୟା ଓ କେତେକ ଗ୍ରାମବାସୀ ବୁଧବାର କୋରାପୁଟ ଆସି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ତୂରନ୍ତ ବିଡିଓଙ୍କ ବଦଳୀ ଦାବି କରିଛନ୍ତି। ନିର୍ବାଚିତ ପ୍ରତିନିଧି ମାନଙ୍କ ଅଭିଯୋଗ ଅନୁଯାୟୀ, ବିଡିଓ କୌଣସି ଉନ୍ନୟନ ମୂଳକ କାମରେ ମନ ନଦେଇ କେବଳ ଆବାସ ଯୋଜନା, ବିଜୁ ପକ୍କା ଘର ଓ ମନରେଗା କାମ କରିବାରେ ବ୍ୟସ୍ତ ରହୁଛନ୍ତି, ଦୀର୍ଘ ଦିନ ହେଲାଣି ବ୍ଲକକୁ ବିଭିନ୍ନ ଯୋଜନାରେ ପାଣ୍ଠି ଆସି ପଡି ରହିଛି, କିନ୍ତୁ ବିଡିଓଙ୍କ ଅସହଯୋଗ ଯୋଗୁଁ ତାହା ଖର୍ଚ ହୋଇ ପାରୁନଥିବା ନିର୍ବାଚିତ ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି। ଯେ କୌଣସି ଫାଇଲ ଦସ୍ତଖତ ନିମନ୍ତେ ଗଲେ ମାସ ମାସ ପକାଇ ରଖୁଥିବାରୁ ଅନେକ ଠିକାଦାର କାମ କରି ପଇସା ପାଉ ନଥିବାରୁ ମଜୁରୀ ମିଳୁନଥିବା ମଧ୍ୟ ଅଭିଯୋଗ ହୋଇଛି। ଶ୍ରୀ ମାଝି ଦଶମନ୍ତପୁରରେ ୫ବର୍ଷ ହେଲାଣି ବିଡିଓ ଭାବେ ରହିଛନ୍ତି, ଏହା ମଧ୍ୟରେ ତାଙ୍କର ଦୁଇଥର ବଦଳୀ ହୋଇଥିଲେ ମଧ୍ୟ ସେ ରିଲିଭ୍ ନହୋଇ ରହିଥିବା ଘଟମାକୁ ନେଇ ନିର୍ବାଚିତ ପ୍ରତିନିଧିମାନେ ଅସନ୍ତୋଷ ଜାହିର କରିଛନ୍ତି। ଜିଲାପାଳ ତୂରନ୍ତ ବିଡିଓଙ୍କୁ ରିଲିଭ କରିବାକୁ ଦାବି କରିବା ସହ ଆସନ୍ତା ଦିନରେ ବିଡିଓଙ୍କ ବିରୁଦ୍ଧରେ ପଂଚାୟତ ପ୍ରତିନିଧି ଆନ୍ଦୋଳନ କରିବେ ବୋଲି ଜିଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *