ପଂଚାୟତ ନିର୍ବାଚନ ପରେ ମହିଳାଙ୍କ ବିରୁଦ୍ଧରେ ରାଜନୀତିକ ହିଂସାପ୍ରସଙ୍ଗ ନେଇ ରାଷ୍ଟ୍ରୀୟ ମହିଳା କମିଶନଙ୍କୁ ଦାବି ପତ୍ର ଦେଲା ବିଜେପି

-ଜଗତସିଂହପୁରର ପାର୍ବତୀ ସାସମଲଙ୍କୁ ବିଜେଡି ନେତାଙ୍କ ବାରମ୍ବାର ଆକ୍ରମଣ ମାମଲାକୁ ଗୁରୁତ୍ୱର ସହ ନେବାକୁ ଅନୁରୋଧ କଲା ପ୍ରତିନିଧି ଦଳ
– ପୀଡିତା ବଦଳରେ ଅପରାଧୀଙ୍କୁ ପୋଲିସ ସୁରକ୍ଷା ଦେଉଥିବା ଅଭିଯୋଗ କଲା ଦଳ
– ଘଟଣାର ଗୁରୁତ୍ୱକୁ ଦେଖି ତଦନ୍ତକାରୀ ଦଳ ପଠାଇବାକୁ ପ୍ରତିଶ୍ରୁତି ଦେଲେ ମହିଳା କମିଶନ ଅଧ୍ୟକ୍ଷା
ନୂଆଦିଲ୍ଲୀ/ ଭୁବନେଶ୍ୱର, ତା.୦୧/୦୫ (ଓଡ଼ିଆ ପୁଅ): ପଂଚାୟତ ନିର୍ବାଚନ ପରେ ରାଜ୍ୟ ଶାସକ ଦଳ ବିଜେଡିର ହିଂସାତ୍ମକ ଆଚରଣରେ ମହିଳା ମାନେ ଶୀକାର ହେଉଥିବା ଅଭିଯୋଗ ଆଣି ବିଜେପିର ଏକ ପ୍ରତିନିଧି ଦଳ ରାଷ୍ଟ୍ରୀୟ ମହିଳା କମିଶନ ଅଧ୍ୟକ୍ଷା ଲଳିତା କୁମାରମଙ୍ଗଲମଙ୍କୁ ଦାବି ପତ୍ର ପ୍ରଦାନ କରିଛି।

ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ରାଜ୍ୟର ଜଗତସିଂହପୁର ଜିଲ୍ଲା ଏରସାମା ଥାନା ଅନ୍ତର୍ଗତ କାଳିକୁଦ ଗ୍ରାମର ପାର୍ବତୀ ସାସମଲଙ୍କ ଉପରେ ବାରମ୍ବାର ମରଣାନ୍ତକ ଆକ୍ରମଣ ମାନବିକ ଅଧିକାର ହନନର ସବୁ ସୀମା ଲଂଘି ଯାଇଛି ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି।

ଶ୍ରୀ ପାତ୍ର କହିଛନ୍ତି ଯେ ବିଜେପିକୁ ଭୋଟ ଦେବା କାରଣରୁ ଛେଳି ଚରାଳୀ ଗରୀବ ମହିଳା ପାର୍ବତୀ ସାସମଲଙ୍କୁ ମାଡ ହେଲା। ଥାନା ମହିଳାଙ୍କୁ ସୁରକ୍ଷା ଦେବା ବଦଳରେ ଆକ୍ରମଣକାରୀଙ୍କୁ ସମର୍ଥନ କଲା। ସଂପୃକ୍ତ ମହିଳା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ ସଂପୃକ୍ତ ମହିଳା, ତାଙ୍କର ପରିବାର ସଦସ୍ୟ ଓ କାଳିକୁଦ ଗ୍ରାମବାସୀଙ୍କୁ ସଂଘବଦ୍ଧ ଆକ୍ରମଣ କରି ଜୀବନରେ ମାରିଦେବାକୁ ଚେଷ୍ଟା କରା ଗଲା। ପାର୍ବତୀଙ୍କ ସମେତ ଅନ୍ୟ ମହିଳା ମାନେ ବିଜେଡି ନେତା ଓ କର୍ମୀଙ୍କ ଦ୍ୱାରା ମାଡ ମରା ଯିବା ସହ ଗାଁ ଦାଣ୍ଡରେ ଶାଢୀ ଟାଣି ଅସମ୍ମାନିତ କଲେ। କାଳିକୁଦ ଗାଁର ଏହି ଘଟଣା ମହିଳା ଇଜ୍ଜତ, ଅଧିକାରର ସୁରକ୍ଷାର ଖୋଲାଖୋଲି ଉଲ୍ଲଂଘନ।

ଏ ସବୁ ସତ୍ୱେ ସଂପୃକ୍ତ ଅପରାଧୀଙ୍କ ବିରୁଦ୍ଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ଏପରି ପରିସ୍ଥିତିରେ ରାଷ୍ଟ୍ରୀୟ ମହିଳା କମିଶନ ଅଧ୍ୟକ୍ଷ ସଂପୃକ୍ତ ଘଟଣା ସ୍ଥଳକୁ ଯାଇ ଘଟଣାର ନିରପେକ୍ଷ ତଦନ୍ତ କରି ମହିଳାଙ୍କୁ ଉଚିତ ନ୍ୟାୟ ଦେବା ସହ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏହି ପ୍ରତିନିଧି ମଣ୍ଡଳ ଅନୁରୋଧ କରିଛି। ଘଟଣାର ଗୁରୁତ୍ୱକୁ ଦେଖି ରାଷ୍ଟ୍ରୀୟ ମହିଳା କମିଶନର ଏକ ଟିମ ଘଟଣାର ଅନୁସନ୍ଧାନ କରିବା ପାଇଁ ଶୀଘ୍ର ଓଡିଶା ଯିବେ ବୋଲି କମିଶନ ଅଧ୍ୟକ୍ଷା ଲଳିତା କୁମାରମଙ୍ଗଳମ ତତ୍ କ୍ଷଣାତ ଗଣମାଧ୍ୟମକୁ ସୂଚନା ଦେଇ ସ୍ପଷ୍ଟ କରିଛନ୍ତି।

ଏହି ପ୍ରତିନିଧି ମଣ୍ଡଳୀରେ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସମ୍ପାଦିକା ଡା. ଲେଖାଶ୍ରୀ ସାମନ୍ତ ସିଂହାର, ପ୍ରବାସୀ ଓଡିଆ ସେଲର ସଂଯୋଜକ ସୁଭାଷ ଗନ୍ତାୟତ. ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ, କୃଷକ ନେତା ସୁରଥ ବିଶ୍ୱାଳ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *