ଓଡ଼ିଶା

ନୟାପଲ୍ଲୀ ପୋଲିସର ଛାତ୍ରୀ ନିର୍ଯ୍ୟାତନା ପ୍ରତିବାଦରେ ରାଜ୍ୟପାଳଙ୍କୁ କଂଗ୍ରେସର ଦାବିପତ୍ର: ନିର୍ଯ୍ୟାତନାକାରୀ ପୋଲିସକୁ ବରଖାସ୍ତ କର – ମହିଳା କଂଗ୍ରେସ

ଭୁବନେଶ୍ୱର ତା ୧୫.୫ (ଓଡ଼ିଆ ପୁଅ) – ନୟାପଲ୍ଲୀ ଥାନା ଭିତରେ ଅନୁସୂଚିତ ଜାତିର ଦୁଇ ଏମ.ବି.ଏ ଛାତ୍ରୀଙ୍କ ଉପରେ ହୋଇଥିବା ନିର୍ମମ ଅତ୍ୟାଚାର ପ୍ରତିବାଦରେ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ସଭାନେତ୍ରୀ ଶ୍ରୀମତୀ ସସ୍ମିତା ବେହେରାଙ୍କ ନେତୃତ୍ୱରେ ଏକ ୧୧ ଜଣିଆ ପ୍ରତିନିଧି ମଣ୍ଡଳୀଙ୍କ ସହ ପୀଡିତା ଛାତ୍ରୀ ଦ୍ୱୟ ଆଜି ଅପରାହ୍ନରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଗତ ୬ ତାରିଖ ଦିନ ୧୧ ଟା ସମୟରେ ଭୁବନେଶ୍ୱର କମିଶନରେଟ ପୋଲିସ ଅନ୍ତର୍ଗତ ନୂଆପଲ୍ଲୀ ଥାନା ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ସମେତ ଦୁଇଜଣ ମହିଳା ସବ୍ଇନ୍ସପେକ୍ଟର ଓ ଜଣେ କନେଷ୍ଟବଳ ଏକ ମିଥ୍ୟା ମାମଲାକୁ ଆଧାର କରି ଦୁଇଜଣ ଅନୁସୂଚିତ ଜାତିର ଏମ୍.ବି.ଏ. ଛାତ୍ରୀଙ୍କୁ ତାଙ୍କ ଘରେ ଏବଂ ଥାନା ଭିତରେ ନିର୍ମମ ଭାବେ ଲୁହାରଡ ଓ ପ୍ଲାଷ୍ଟିକ୍ ପାଇପ୍ରେ ବାଡେଇ ରକ୍ତାକ୍ତ କରିବା ପରେ ସେମାନଙ୍କୁ ହତ୍ୟା ଉଦ୍ୟମ ମାମଲାରେ କୋର୍ଟକୁ ପଠାଇବା ପରି ସଂଗୀନ ଅଭିଯୋଗ ହୋଇଥିଲା। ଏହି ମାମଲାରେ ସଂପୃକ୍ତ ଛାତ୍ରୀ ଦୁଇଜଣ ବର୍ତ୍ତମାନ ସୁଦ୍ଧା ଚିକିତ୍ସାଧିନ ଥିବା ବେଳେ ବିଭିନ୍ନ ଗଣମାଧ୍ୟମ ଏବଂ ସାମାଜିକ ସଂଗଠନ ତରଫରୁ ପ୍ରତିବାଦ ହୋଇଛି। ଆଜି ପ୍ରଦେଶ ମହିଳା କଂଗ୍ରେସ, ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସ ଏବଂ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ତରଫରୁ ମିଳିତ ଭାବେ ରାଜ୍ୟପାଳଙ୍କୁ ଦାବିପତ୍ର ଜରିଆରେ ସଂପୃକ୍ତ ପୋଲିସମାନଙ୍କୁ ସରକାରୀ ଚାକିରୀରୁ ବରଖାସ୍ତ ଦାବି କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ଆଇନ ବଳରେ ସଂପୃକ୍ତ ଛାତ୍ରୀମାନଙ୍କ ବାପାଙ୍କ ଦ୍ୱାରା ଦାୟର ହୋଇଥିବା ମାମଲାରେ ଆଜିଯାଏଁ କୌଣସି ଆସାମୀକୁ ଗିରଫ କରାଯାଇନଥିବା ବେଳେ ଉକ୍ତ ଛାତ୍ରୀ ଦୁଇଜଣଙ୍କୁ ମିଥ୍ୟା ମାମଲାରେ ଜଡିତ କରି ଜେଲ ପଠାଇବା ସହ ଥାନା ଭିତରେ ସେମାନଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଇ କ୍ଷତାକ୍ତ କରିବା ଅନୁସୂଚିତ ଜାତି ଓ ଜନଜାତି ଆଇନ୍ର ପରିପନ୍ଥୀ ହୋଇଥିବାରୁ ଏହି ପୋଲିସ ଅଧିକାରୀମାନଙ୍କ ବିରୁଦ୍ଧରେ ଆଇନ୍ର ଧାରା – ୪ ବଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କୁ ଗିରଫ ପାଇଁ ପ୍ରତିନିଧି ଦଳ ଦାବି କରିଛି। ସଂପୃକ୍ତ କ୍ଷତିଗ୍ରସ୍ତ ପରିବାରକୁ ଏହି ଆଇନ୍ର ଧାରା ୧୫ (ଏ) ରେ ସୁରକ୍ଷା ଓ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ମଧ୍ୟ ପ୍ରଦେଶ ମହିଳା କଂଗ୍ରେସ ଦାବି କରିଛି। ଏହି ଛାତ୍ରୀମାନଙ୍କୁ ପୋଲିସ ଏବଂ ତାଙ୍କ ବିରୁଦ୍ଧରେ ଦେଇଥିବା ଏତଲାକାରୀମାନଙ୍କ ତରଫରୁ ଧମକ ମିଳୁଥିବାରୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ କଂଗ୍ରେସ ତରଫରୁ ଦାବି କରାଯାଇଛି।

ରାଜ୍ୟପାଳଙ୍କୁ ଦାବିପତ୍ର ଦେବାପାଇଁ ଯାଇଥିବା ଏହି ପ୍ରତିନିଧି ମଣ୍ଡଳୀରେ ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ଶ୍ରୀମତୀ ହଳଧର ସେଠୀ, ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଯୁଗ୍ମ ଅଧ୍ୟକ୍ଷ ବାଙ୍କନିଧି ବେହେରାଙ୍କ ସମେତ ଜାନକୀ ମଲ୍ଲିକ, ସବିତା ଧିର, ବୀଜୟିନୀ ତିରିଆ, ଶ୍ରୀୟା ମହାନ୍ତି, ସୂର୍ଯ୍ୟକାନ୍ତି ବାଗ, ଜମ୍ବେଶ୍ୱର ମଲ୍ଲିକ, ଗଣେଶ୍ୱର ମଲ୍ଲିକ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top