ଓଡ଼ିଶା

ନୟାଗଡ଼ ଆଖୁଚାଷୀଙ୍କ କଥା କେହି ବୁଝିଲେନି, ବିଲୁପ୍ତ ହେବ ଆଖୁଚାଷ

ନୟାଗଡ଼, ୯/୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଆଖୁଚାଷୀଙ୍କ ଭାଗ୍ୟ ଏବେ ସୂତାଖିଅରେ ଝୁଲୁଛି। ଚାଷୀଙ୍କ ପ୍ରତି ସରକାରଙ୍କ ଅଣଦେଖା ଯୋଗୁଁ ନୟାଗଡ଼ ଚାଷୀଙ୍କ ଏକମାତ୍ର ଲାଭଜନକ ଫସଲ ଆଖୁଚାଷ ଏବେ ବିଲୁପ୍ତ ହେବାକୁ ବସିଛି। ଚାଷୀଙ୍କୁ ସର୍ବାଗ୍ରେ ଗୁରୁତ୍ୱ ଦିଆଯିବା କଥା କୁହାଯାଉଥିବା ବେଳେ ପ୍ରକୃତରେ ଚାଷୀଙ୍କ ପାଇଁ କାହାର ଦରଦ ନଥିବା ନୟାଗଡ଼ ଚିନିକଳ ଚାଲୁଥିବା ଅବସ୍ଥାରେ ବନ୍ଦ ହୋଇଯିବା ଘଟଣା ଏବେ ଜ୍ୱଳନ୍ତ ଉଦାହରଣ ପାଲଟିଛି। ନୟାଗଡ଼ରେ ଆଖୁଚାଷର ଗୁରୁତ୍ୱ ବଢିଯାଇଥିବାବେଳେ ଧାନଚାଷକୁ ଚାଷୀମାନେ ଅଣଦେଖା କରି ଆଖୁଚାଷକୁ ଆଦରି ନେଇ ଭଲ ଦିପଇସା ପାଇ ପରିବାର ଚଳାଉଥିଲେ। ହେଲେ ଜାଣି ଜାଣି ଚାଷୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଚିନିଶିଳ୍ପ ବନ୍ଦ କରିଦେବାରୁ ଆଖୁଚାଷୀମାନେ ଏବେ ହତାଶ ହୋଇପଡ଼ିଛନ୍ତି। ଆଖୁଚାଷ ପାଇଁ ବ୍ୟାଙ୍କରୁ ଋଣ ନେଇ ବ୍ୟାଙ୍କରେ ବନ୍ଧା ପଡ଼ିଛନ୍ତି ଏବେ ଏବେ ଶହ ଆଖୁଚାଷୀ। ବ୍ୟାଙ୍କର ବାରମ୍ବାର ନାଲି ନୋଟିସ ପାଇ ଚାଷୀମାନେ ଭାରସାମ୍ୟ ହରାଇବା ଘଟଣା ଏବେ ନୟାଗଡ଼ ଆଖୁଚାଷୀ ମହଲରେ କୋକୁଆ ଭୟ ସୃଷ୍ଟି କରିଛି। ନୟାଗଡ଼ ଜିଲ୍ଲା ହେଉଛି ଏକ କୃଷି ପ୍ରଧାନ ଜିଲ୍ଲା। ଜିଲ୍ଲାବାସୀଙ୍କର ମୁଖ୍ୟ ଜୀବିକା ହେଲା ଧାନ ଓ ଆଖୁଚାଷ। ଚାଷ କରି ମୂଲ୍ୟ ନପାଇ ଏହି ଜିଲ୍ଲାରେ ଶହ ଶହ ସଂଖ୍ୟାରେ କୃଷକ ଓ ଶ୍ରମିକ କାମ ଅନ୍ୱେଷଣରେ ବହାର ରାଜ୍ୟକୁ ଯାଆନ୍ତି ଦାଦନ ଖଟିବା ପାଇଁ। ପେଟ ପୋଷିବାକୁ ଏହି ଶିଳ୍ପ ବିହୀନ ଜିଲ୍ଲାରେ କାମ ମିଳୁନଥିବାବେଳେ ନୟାଗଡ଼ର ଏକମାତ୍ର ଚିନିଶିଳ୍ପ ଚାଷୀମାନଙ୍କୁ ସାହାରା ଯୋଗାଇବାର ଆଶା ଦେଇଥିଲା। ହେଲେ ଚିନିକଳ ଯାହା ଚାଲିଥିଲା ଚାଲିଥିଲା କିନ୍ତୁ ଆଖୁଚାଷୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କାର ଆଖୁନେଇ ଆଉ ଆଖୁର ମୂଲ୍ୟ ଦେବାକୁ ନାଗନ୍ଧ ପକାଇନଥିଲା। ଆଖୁଚାଷୀମାନେ ମାନସିକ ଓ ଶାରିରୀକ ସ୍ତରରେ ଦୁର୍ବଳ ହୋଇପଡ଼ିଥିଲାବେଳେ ଚନିକଳ ଏବେ ବନ୍ଦ ହେବାକୁ ବସିଥିବା ନେଇ ଲଗାଇଥିବା ଆଖୁକୁ କିପରି ପେଡ଼ିବେ ନା ଆଉ କାହାକୁ ଦେବେ ଚାଷୀଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି। ଚାଷୀମାନେ କେତେ ଆଶା କରିଥିଲେ ଚିନି ଶିଳ୍ପ ନୟାଗଡ଼ରେ ଚାଲିବ, ହଜାର ହଜାର ଆଖୁଚାଷୀଙ୍କ ଆର୍ଥୀକ ଅଭିବୃଦ୍ଧି ଘଟିବ, ଚିନିକଳକୁ ନେଇ ନୟାଗଡ଼ ଜିଲ୍ଲାବାସୀ ଗର୍ବ କରିବେ ଏମିତି କେତେ କ’ଣ ନୟାଗଡ଼ର ଚାଷୀମାନେ ସ୍ୱପ୍ନରେ ଭାବୁଥିଲେ। ଏବେ ସେ ସ୍ୱପ୍ନ ଆଖୁଚାଷୀଙ୍କ ପାଇଁ ଦିବା ସ୍ୱପ୍ନ ପାଲଟିବାକୁ ବସିଛି। ଚିନି ଶିଳ୍ପ ଚାଷୀମାନଙ୍କୁ ଏମିତି ହରଡ଼ ଘଣାରେ ପକାଇଛି ଚାଷୀମାନେ ଉଠିପାରୁନାହାନ୍ତି କି ବସିପାରୁନାହାନ୍ତି। ମାଛ ତେଲରେ ମାଛ ଭାଜି ଚିନି ଶିଳ୍ପ ସୁଆଦ ଟାଣି ହଜାର ହଜାର ଚାଷୀଙ୍କ ତଂଟି ଚିପି ରକ୍ତ ଶୋଷିବାରେ ଲାଗିଥିବାବେଳେ ଆଖୁଚାଷୀଙ୍କ ସମସ୍ୟା ପ୍ରତି କେହି ନା କେହି ଟିକେ ଆଡ଼ ଆଖିରେ ନଚାହିଁବା ପରିତାପର ବିଷୟ ହୋଇଛି। ୧୯୮୮ ମସିହାରେ କଂଗ୍ରେସ ସରକାର ଅମଳରେ ନୟାଗଡ଼ ପାଣିପଇଲାଠାରେ ସମବାୟ ଚିନିକଳ ପ୍ରତିଷ୍ଠା କରିଥିଲେ। ୧୯୯୧ ମସିହାରେ ଜନତା ସରକାର ଚିନିକଳକୁ ଚଳାଇବାରେ ଅକ୍ଷମତା ଯୋଗୁଁ ବେସରକାରୀ ଧରଣୀ କମ୍ପାନୀକୁ ୧୨ ବର୍ଷ ପାଇଁ ୧୬ କୋଟି ଟଙ୍କାରେ ଲିଜ୍ ଆକାରରେ ଦେଲେ। ଧରଣୀ କମ୍ପାନୀ ୮ବର୍ଷ ଚିନିକଳକୁ ଚଳାଇବାପରେ ଟଙ୍କାଟିଏ ଦେଲାନାହିଁ ବରଂ କ୍ଷତି ହୋଇଛି କହି ଚିନିକଳକୁ ଛାଡ଼ି ଚାଲିଗଲା। ୧୯୯୮ ମସିହାରେ କଂଗ୍ରେସ ସରକାର ଚିନିକଳକୁ ଚଳାଇବାକୁ ପ୍ରୟାସ କରି ମଧ୍ୟ ଚଲାଇପାରିନଥିଲେ। ପ୍ରଥମେ ଚିନିକଳ ଚାଲିଲାବେଳେ ୧୯୯୨ ମହିହା ମଜୁରି ବୋର୍ଡ଼ ଅନୁସାରେ ୨୩୧ ଜଣ କର୍ମଚାରୀ ନିଯୁକ୍ତି ପାଇ ଠିକ୍ରେ ଦରମା ପାଉଥିଲେ। ୨୦୦୦ ମସିହାରେ ବିଜେଡି ସରକାର ଆସିବା ପରେ ଚିନିକଳକୁ ମଧ୍ୟ ଚଳାଇପାରିଲାନାହିଁ। ଏପରିକି ୭୨ ଜଣ କର୍ମଚାରୀଙ୍କୁ ଭିଆରଏସ୍ରେ ବାହାର କରି ୧୫୯ ଜଣ କର୍ମଚାରୀଙ୍କୁ ନେଇ ଚିନିକଳ ଚଲାଇବା ପାଇଁ ଉଦ୍ୟମ କଲେ। ମାତ୍ର ଏହି ୧୫୯ ଜଣ କର୍ମଚାରୀଙ୍କୁ ମଧ୍ୟ ଦରମା ଠିକ୍ରେ ଦିଆଗଲା ନାହିଁ। ଏପାଖେ ଚିନିକଳ ଠିକ୍ରେ ନଚାଲିବାଯୋଗୁଁ ଆଖୁଚାଷୀମାନେ ଦହଗଞ୍ଜ ହେଉଥିବାବେଳେ ଅନ୍ୟପକ୍ଷରେ କର୍ମଚାରୀମାନଙ୍କୁ ଠିକ୍ରେ ଦରମା ଦିଆନଯିବା ଯୋଗୁଁ ପରବର୍ତ୍ତୀ ସମୟରେ ଆନ୍ଦୋଳନର ଦାନା ବନ୍ଧିଲା। ଯାହାକି ଚିନିକଳ ଚାଲିବାରେ ସଂକଟ ତୀବ୍ରତର ହେବାରେ ଲାଗିଲା। ୨୦୦୪ ମସିହାରେ ବିଜେଡି ସରକାର ନୟାଗଡ଼ ଚିନିକଳକୁ ୫୦ କୋଟିର ସମ୍ପତ୍ତିକୁ ଶାଗ ମାଛ ଦରରେ ୫କୋଟି ୨୨ ଲକ୍ଷ ଟଙ୍କାରେ ବିକ୍ରି କରିଦେଲେ। ଏଟଙ୍କା ମଧ୍ୟ ଠିକ୍ରେ ମିଳିଲାନାହିଁ। ସେତେବେଳକୁ ୧୪୦ ଜଣ କର୍ମଚାରୀ ୫୪ ମାସର ଦରମା ପ୍ରାୟ ୫କୋଟି ଟଙ୍କା ପାଇନଥିବାରୁ କର୍ମଚାରୀଙ୍କ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଲା। ନଭେମ୍ବର ମାସ ୨୧ ତାରିଖ ୨୦୦୬ ମସିହାରେ ଚିନିକଳ ପରିସରରେ ଚିନିକଳର ମାଲିକ ତ୍ରୈଲୋକ୍ୟ ମିଶ୍ର ଓ ଆନାକାପଲ୍ଲୀ ଆନ୍ଧ୍ରପ୍ରଦେଶର ବୈଜ୍ଞାନିକ ଡ. ନାଇଡୁଙ୍କୁ ନେଇ ଚିନିକଳର ପ୍ରଚାର ପ୍ରସାର ଏବଂ ଆଖୁଚାଷୀଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ନୟାଗଡ଼ ଜିଲ୍ଲାସାମ୍ବାଦିକଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ହେଲେ ପତବର୍ତ୍ତୀ ସମୟରେ ଚିନିକଳର ପତନ ଘଟିବାକୁ ବସିଥିଲା। ଖେଡ଼ପଡ଼ା ଗ୍ରାମ ଅନ୍ତର୍ଗତ ଖାତା ନଂ. ୧୩୪ ଏବଂ ପ୍ଲଟ ନଂ ୨୧୦ରେ ଅବସ୍ଥିତ ଚିନିକଳ ୫କୋଟି ୨୨ ଲକ୍ଷରେ ବିକ୍ରିହୋଇଥିଲାବେଳେ ମାତ୍ର ୩୦ ଲକ୍ଷ ଟଙ୍କାର ରେଜିଷ୍ଟ୍ରେସନ ହୋଇଥିଲା। ତତ୍କାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲବ ପଟ୍ଟନାୟକ ଚିନି ଶିଳ୍ପ ଆଖୁଚାଷୀ, ବ୍ୟାଙ୍କ ତ୍ରୀପାକ୍ଷିକ ଚୁକ୍ତିରେ ଆଖୁଚାଷୀମାନଙ୍କୁ ଗତ ୨୦୧୨-୧୩ ଆର୍ଥୀକ ବର୍ଷରେ ବ୍ୟାଙ୍କ ଋଣ ଦେଇଥିଲା। ୨୦୦୪ ମସିହା ଡିସେମ୍ବର ୧୭ ତାରିଖରେ ରେଜିଷ୍ଟ୍ରେସନ ନଂ.୪୨୨୬/୪୨୨୭ ଅନୁସାରେ ସରକାର ଏହି ବିକ୍ରି ଟଙ୍କାରୁ ୫୦ଲକ୍ଷ ୪୨ହଜାର ରାଜସ୍ୱ ପାଇବା କଥା। କିନ୍ତୁ ମିଳିଥିଲା ଷ୍ଟାମ୍ପ ପେପର ବାବଦକୁ ୨ଲକ୍ଷ ୪୦ ହଜାର ୧୦୫ଟଙ୍କା ଏବଂ ରାଜସ୍ୱ ବାବଦକୁ ୬୦ ହଜାର ୪୨୨ଟଙ୍କା ସର୍ବମୋଟ ୩ଲକ୍ଷ ୫ଶହ ୨୭ଟଙ୍କା ମିଳିଥିଲା। ଆଖୁଚାଷୀ ଚିନି ଶିଳ୍ପକୁ ଆଖୁ ଦେବ ଏବଂ ଚିନି ଶିଳ୍ପ ଆଖୁଚାଷୀଙ୍କ ଋଣ ବ୍ୟାଙ୍କକୁ ସୁଝିବ ବୋଲି ସର୍ତ୍ତ ଥିଲା। ଏହି ତ୍ରିପାକ୍ଷୀକ ଚୁକ୍ତି ଅନୁସାରେ ନୟାଗଡ଼ ଜିଲ୍ଲାର ବ୍ୟାଙ୍କମାନେ ଜିଲ୍ଲାର ଆଖୁଚାଷୀମାନଙ୍କୁ ଗତ ୨୦୧୧-୧୨ ଆର୍ଥୀକ ବର୍ଷରେ ୮୯ଲକ୍ଷ ଟଙ୍କା ଋଣ ଚାଷୀମାନେ ଆଣିଥିଲେ। ବର୍ଷ ଶେଷରେ ଗତ ୨୦୧୨-୧୩ରେ ଆଖୁଚାଷୀମାନେ ଚିନି ଶିଳ୍ପକୁ ଋଚ୍ଚର ପରିମାଣ ଅନୁସାରେ ଚିନି ଶିଳ୍ପ ଆଖୁଚାଷୀମାନଙ୍କ ଠାରୁ ଆଖୁ ରଖିଥିଲେ। ସର୍ତ୍ତ ଅନୁସାରେ ଚିନି ଶିଳ୍ପ ଆଖୁଚାଷୀମାନଙ୍କ ଋଣ ବାବଦରେ ୮୯ଲକ୍ଷ ଟଙ୍କା ଜିଲ୍ଲାର ବ୍ୟାଙ୍କମାନଙ୍କୁ ସୁଝିବା କଥା। କିନ୍ତୁ ୨୦୧୨-୧୩, ୨୦୧୩-୧୪, ୨୦୧୪-୧୫ ଆର୍ଥୀକ ବର୍ଷ ଶେଷ ହେବାକୁ ବସିଲାଣି କିନ୍ତୁ ଚିନି ଶିଳ୍ପ ଆଖୁଚାଷୀମାନଙ୍କର ଋଣ ଟଙ୍କା ନସୁଝିବା ଫଳରେ ମୂଲ ସୁଧ ମିଶି ଋଣ ପରିମାଣ ବଢିବାରେ ଲାଗିଛି। ଏପଟେ ଆଖୁଚାଷୀମାନଙ୍କର ଋଣ ସୁଝା ନହେବା ଫଳରେ ୨୦୧୩-୧୪ ଏବଂ ୨୦୧୪-୧୫ ଆର୍ଥୀକ ବର୍ଷରେ ଆଖୁଚାଷ ପାଇଁ ବ୍ୟାଙ୍କମାନେ ଋଣ ଦେବା ପାଇଁ ମନାକରିଦେଲେ। ଜିଲ୍ଲାରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, ଇକୋ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଜିଲ୍ଲାର ଆଖୁଚାଷୀମାନଙ୍କୁ ଆଖୁଚାଷ କରିବା ପାଇଁ ଋଣ ପ୍ରଦାନ କରୁଥିଲେ। ଚିନି ଶିଳ୍ପ ଆଖୁଚାଷୀମାନଙ୍କର ଋଣ ଦେବାପାଇଁ ମନାକରିଦେବା ଫଳରେ ଜିଲ୍ଲାରେ ଆଖୁଚାଷ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି। ଏପଟେ ଆଖୁଚାଷୀ ଚିନିଶିଳ୍ପ ଠାରୁ ବକେୟା ଆଖୁ ଟଙ୍କା ଆଣି ପାରୁନାହାନ୍ତି। ସେପଟେ ନୂତନ ଆଖୁଚାଷପାଇଁ ବ୍ୟାଙ୍କମାନେ ଋଣ ନଦେବା ଫଳରେ ଆଖୁଚାଷୀମାନେ ନିରୁତ୍ସାହିତ ହୋଇପଡ଼ିଛନ୍ତି। ଏହିଭଳି ଜିଲ୍ଲାର ୪ଶହରୁ ଉର୍ଦ୍ଧ୍ୱ ଆଖୁଚାଷୀ ଚିନି ଶିଳ୍ପ ପାଇଁ ବ୍ୟାଙ୍କ ଦୂଆରେ ବନ୍ଧା ପଡ଼ିଛନ୍ତି। ଏବର୍ଷ ଜିଲ୍ଲାରେ ମୋଟ ୯୮ଏକର ଆଖୁଚାଷ ହୋଇଛି। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରୁ ଆଖୁଚାଷ ପ୍ରୋତ୍ସାହନ ପାଇଁ ଗତ ବର୍ଷ ଜିଲ୍ଲାକୁ ୧୯ଲକ୍ଷ ୯୦ହଜାର ଟଙ୍କା ସାର, କୀଟନାଶକ ଔଷଧ ବାବଦରେ ଆସିଥିଲା। ପ୍ରତ୍ୟେକ ଆଖୁଚାଷୀମାନଙ୍କୁ ସାର ଓ କୀଟନାଶକ ପ୍ରୟୋଗ ବାବଦରେ ଏକର ପିଛି ୩ହଜାର ଟଙ୍କା ଲେଖାଏଁ ଅନୁଦାନ ଆସିଥିଲା। ଚିନିଶିଳ୍ପ ପ୍ରତି ଏକଲକ୍ଷରେ ୧୦ ପ୍ରତିଶତ ସହଯୋଗ ରାଶି ପ୍ରଦାନ କରିବା ପାଇଁ ନିୟମ ଉଦ୍ଦିଷ୍ଟ ରହିଛି। କିନ୍ତୁ ଚିନିଶିଳ୍ପ ଜିଲ୍ଲାର ଆଖୁଚାଷୀମାନଙ୍କୁ ଅଣଦେଖା କରି ୧୦ ପ୍ରତିଶତ ରାଶି ନଦେବା ଫଳରେ ଆଖୁଚାଷୀମାନଙ୍କ ପାଇଁ ଆସିଥିବା ୧୯ଲକ୍ଷ ୯୦ହଜାର ଟଙ୍କା କେନ୍ଦ୍ର ସରକାରକୁ ଫେରିଗଲା। ଗତ ୨୦୧୨-୧୩ ଆର୍ଥୀକ ବର୍ଷରେ ଚିନିଶିଳ୍ପ ୧କୋଟି ୧୪ଲକ୍ଷ ଟଙ୍କା ଆଖୁଚାଷୀମାନଙ୍କର ବକେୟା ଟଙ୍କା ରହିଛି। ସେଥିମଧ୍ୟରୁ ଚାଷୀଙ୍କ ଋଣ ସୁଝା ବାବଦ ୮୯ ଲକ୍ଷ ଟଙ୍କା ବାଦ୍ ଦେଲେ ୨୫ଲକ୍ଷ ଟଙ୍କା ଖୋର୍ଦ୍ଧ, ପୁରୀ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ଆଖୁଚାଷୀମାନେ ପାଇବେ। ସେହିପରି ୨୦୧୩-୧୪ ଆର୍ଥୀକ ବର୍ଷରେ ଆଖୁଚାଷୀ ଏବଂ ପରିବହନ ବାବଦରେ ୭କୋଟି ଟଙ୍କା ବାକି ରହିଛି। ସର୍ତ ଥିଲା ପରିବହନ ଖର୍ଚ୍ଚ ବାବଦକୁ ଚିନିକଳ କର୍ତ୍ତୃପକ୍ଷ ଓ ଆଖୁଚାଷୀମାନେ ଶହେ କିଲୋମିଟର ଭିତରେ ଥିବା ଆଖୁଚାଷୀମାନଙ୍କୁ ଅଧା ପରିବହନ ଖର୍ଚ୍ଚ ଦେବେ। ମାତ୍ର ତାକୁ ମଧ୍ୟ ଦେଲେ ନାହିଁ। ଏପଟେ ବର୍ଷ ବର୍ଷ ଧରି ଆଖୁଚାଷୀଙ୍କ ଟଙ୍କା ଚିନିଶିଳ୍ପ ବାକି ରଖିବା, ବ୍ୟାଙ୍କକୁ ବ୍ୟାଙ୍କ ଋଣ ନସୁଝିବା ଫଳରେ ବ୍ୟାଙ୍କ ଆଉ ଋଣ ନଦେବା, କେନ୍ଦ୍ରରୁ ଆସିଥିବା ସବସିଡି ଟଙ୍କାରେ ସହଯୋଗ ରାଶି ନଦେବା ଦ୍ୱାରା କେନ୍ଦ୍ରୀୟ ଅନୁଦାନ ଫେରିଯିବା ବହୁ ଘଟଣା ଘଟିଛି। ଆଖୁଚାଷ ବନ୍ଦ ହେବା ଯୋଗୁଁ କେତେକ ଚାଷୀଙ୍କ ସଂସାର ଉଜୁଡ଼ି ଯିବାକୁ ବସିଛି। ଏବେ ୩ବର୍ଷ ହେଲା ଚିନିଶିଲ୍ପ ବନ୍ଦ ହୋଇଯାଇଛି। ଚିନିକଳ ବନ୍ଦ ହୋଇଯାଇଥିବା ଯୋଗୁଁ ସଚଳ କାରଖାନାର ଯନ୍ତ୍ରପାତି ଅଚଳ ହୋଇ ପଡ଼ିଲାଣି। କେତେକ ଯନ୍ତ୍ରପାତି ଚୋରି ହୋଇ ଗଲାଣି। ନୟାଗଡ଼ରୁ ଆଖୁଚାଷ ବୁଡ଼ିବାକୁ ବସିଥିବାବେଳେ ଆଉ ଯିଏ ଯେମିତି କରୁଛନ୍ତି, ସେମାନେ ବହୁ କଷ୍ଟରେ କ୍ଷତିରେ ବାହାର ଚିନିଶିଳ୍ପକୁ ଆଖୁଦେବାକୁ ବାଧ୍ୟ ହେଉଛନ୍ତି। ଖାଲି ଭାଷଣରେ ସମସ୍ତେ, ପ୍ରକୃତରେ ଚାଷୀଙ୍କ କଥା ବୁଝିବାକୁ କେହି ନଥିବାରୁ ନୟାଗଡ଼ରୁ ଆଖୁଚାଷ ବୁଡ଼ିବାକୁ ବସିଛି ବୋଲି ଅନେକ ମତ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top