ଓଡ଼ିଶା

ନୟାଗଡର ଇଂରାଜୀ ନାମକରଣ NAYAGARH ରୁ NAYAGADA କୁ ପରିବର୍ତ୍ତନ କରାଯାଉ: ନୟାଗଡରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଉ

ନୟାଗଡ ୨୪ ମଇ (ଓଡ଼ିଆ ପୁଅ) ଓଡିଆ ଜାତିର କଳା, ସଂସ୍କୃତି ଓ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ନୟାଗଡ ମାଟିର ଅବଦାନ କାହିଁ କେଉଁ କାଳରୁ ଆବିସ୍ମରଣୀୟ। ଓଡିଶାରେ ଜଗନ୍ନାଥ ସଂସ୍କୃତିର ଆଦ୍ୟଭୂମି ହେଉଛି ନୟାଗଡ। ଓଡିଆ ଭାଷା ସାହିତ୍ୟର ମହାନ ସ୍ରଷ୍ଟା ଉପେନ୍ଦ୍ର ଭଂଜଙ୍କ ସାଧନାସ୍ଥଳୀ ହେଉଛି ନୟାଗଡର ମାଳିସାହି। ସେହିପରି ଓଡିଆ ସାହିତ୍ୟର ବରେଣ୍ୟ କବି ଉତ୍କଳ ଘଂଟ ଯଦୁମଣି ମହାପାତ୍ର, ଓଡିଶାର ପ୍ରଥମ ଗାନ୍ଧିବାଦୀ ନେତା ତଥା ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ମିଶ୍ର, କାଳଜୟୀ ଗ୍ରନ୍ଥ “ ସିଦ୍ଧାନ୍ତ ଦର୍ପଣ ” ର ରଚୟିତା ସାମନ୍ତ ଚନ୍ଦ୍ରଶେଖରସିଂହ ପଠାଣି ସାମନ୍ତ, କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା, ପଣ୍ଡିତ ବିନାୟକ ମିଶ୍ର, ଦୀନବନ୍ଧୁ ଖାଡେଙ୍ଗା ଏବଂ ବିଶିଷ୍ଟ ସଗ୍ରାହକ ଦାଶରଥୀ ପଟ୍ଟନାୟକଙ୍କ ଭଳି ବହୁ ଯୁଗଜନ୍ମା ସାଧକଙ୍କ ଜନ୍ମସ୍ଥଳୀ ହେଉଛି ନୟାଗଡ। ଏହିସବୁ ଐତିହାସିକ ପୃଷ୍ଠଭୂମି ବ୍ୟତିରେକ ଭୈାଗଳିକ ଦୃଷ୍ଟିକୋଣରୁ ନୟାଗଡ ସହ କେନ୍ଦ୍ର ଓଡିଶା, ଉପକୂଳ ଓଡିଶା, ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡିଶା ଓତଃପ୍ରତଃ ଭାବେ ଜଡିତ ଏବଂ ଯୋଗାଯୋଗ ଦୃଷ୍ଟିରୁ ବିଭିନ୍ନ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଏବଂ ରେଳସେବା ଦ୍ୱାରା ଦ୍ୱାରା ଅଧିକାଂଶ ଜିଲ୍ଲାକୁ ନୟାଗଡରେ ଗମନାଗମନର ସୁବିଧା ରହିଛି। ମାତ୍ର ଏତେ ସବୁ ସୁବିଧା ଓ ଅନୁକୂଳ ବାତାବର୍ତ ସତ୍ୱେ ନୟାଗଡରେ ଅଦ୍ୟାବଧି ରାଜ୍ୟର କୈାଣସି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନଟିଏ ପ୍ରତିଷ୍ଠା ହୋଇପାରିଲା ନାହିଁ। ଏ ଦିଗରେ ନୟାଗଡ ଜିଲ୍ଲା ପ୍ରତିଷ୍ଠାକୁ ୨୫ ବର୍ଷ ପୂର୍ତି ଅବସରରେ ଜିଲ୍ଲା ପ୍ରତି ସରକାରଙ୍କ କିଛି ଗୁରୁ ଦାୟିତ୍ୱ ରହିଛି। ସର୍ବୋପରି ନୟାଗଡ ଜିଲ୍ଲାର ଯେଉଁ ମନିଷିମାନଙ୍କ ଯୋଗୁଁ ରାଜ୍ୟର ଭାଷା, ସାହିତ୍ୟ, ସଂସ୍କୃତି ସମୃଦ୍ଧ ହୋଇଛି ସେମାନଙ୍କ ପ୍ରତି ସମ୍ମାନଜଣାଇ ସରକାର ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ନିଷ୍ପତିକୁ ନୟାଗଡରେ କାର୍ଯକାରୀ କରନ୍ତୁ। କାରଣ ନୟାଗଡରେ ଏଥିପାଇଁ ପର୍ଯ୍ୟାପ୍ତ ଭିତିଭୂମି ଏବଂ ଏଥିପାଇଁ ନୟାଗଡବାସୀଙ୍କର ଯଥେଷ୍ଟ ଆନ୍ତରିକତା ରହିଛି। ଅନ୍ୟପକ୍ଷେ, ନୟାଗଡ ଜିଲ୍ଲାକୁ ୨୫ ବର୍ଷ ପୁର୍ତି ଅବସରରେ ନୟାଗଡର ଇଂରାଜୀ ନାମକରଣ NAYAGARH ରୁ NAYAGADA କୁ ପରିବର୍ତ୍ତନ କରାଯାଉ। ଏ ଦିଗରେ ଆଗାମୀ ଦିନରେ ନୟାଗଡରେ ଓଡିଆ ବିଶ୍ୱବିଦ୍ୟାଳୟ ଟିଏ ପ୍ରତିଷ୍ଠା ହେଲେ ଏହା ଆମ ଜିଲ୍ଲାପ୍ରତି ସର୍ବଶ୍ରେଷ୍ଠ ସମ୍ମାନ ହେବ ଏବଂ ପଶ୍ଚିମ, ଦକ୍ଷିଣ, ଉପକୂଳ ଏବଂ କେନ୍ଦ୍ର ଓଡିଶା ଅଂଚଳର ଶହଶହ ଛାତ୍ରଛାତ୍ରୀ ଏହାଦ୍ୱାରା ଉପକୃତ ହେବେ। ଏ ନେଇ ଭାଷା ଆନ୍ଦୋଳନ ସମିତି ତରଫରୁ ଜିଲ୍ଲାର ସମସ୍ତ ପଂଚାୟତ ସମିତିରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ। ମାତ୍ର, ଏଥିପାଇଁ ସରକାର ଯଦି କୈାଣସି ଆନ୍ତରିକତା ନଦେଖାନ୍ତି ନୟାଗଡର ସ୍ୱାଭିମାନ ରକ୍ଷାପାଇଁ ଆଗାମୀ ଦିନରେ ଜନଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଶିବରାମ ମହାପାତ୍ର ଆବାହକ, ଭାଷା ଆନ୍ଦୋଳନ ସମିତି, ନୟାଗଡ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top