ନେହରୁ ଷ୍ଟାଡିୟମ୍ କାହାର! ପ୍ରଶାସନିକ ନିଷ୍କ୍ରିୟତା ଯୋଗୁଁ ମାଲିକାନା ସତ୍ୱ ହରାଇଲା

ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପ୍ରଶାସନିକ ନିଷ୍କି୍ରୟତା କାରଣରୁ ଜିଲାର ବହୁ ପୁରାତନ ନେହରୁ ଷ୍ଟାଡିୟମ୍ ତାର ମାଲିକାନା ସତ୍ୱ ହରାଇ ବସିଛି। ଦୀର୍ଘ ଦିନ ଧରି ଜିଲା ଅଲମ୍ପିକ୍ ଆସୋସିଏସନ୍ ଅଧୀନରେ ଥିବା ଏହି ଷ୍ଟାଡିୟମ୍ ଭଦ୍ରକ ଜିଲା ସ୍କୁଲକୁ ହସ୍ତାନ୍ତର ପାଇଁ ଦେଉଥିବା ସରକାରଙ୍କ ନିର୍ଦ୍ଦେଶନାମା ପ୍ରଶାସନ ଫାଇଲରେ ହଜିଯାଇଛି। ଫଳରେ ଦୀର୍ଘଦିନ ଧରି ପର ଅଧୀନରେ ଥିବା ନେହେରୁ ଷ୍ଟାଡିୟମ୍ଟି ନିଜର ମର୍ଯ୍ୟାଦା ହରାଇ ବସିଛି। ପ୍ରଶାସନିକ ତତ୍ପରତା ବିଳମ୍ବ ଯୋଗୁଁ ଜିଲା ଅଲମ୍ପିକ ଆସୋସିଏସନ୍ ସରକାରଙ୍କ ଏହି ନିର୍ଦ୍ଦେଶନାମା (ଜିଲା ସ୍କୁଲକୁ ହସ୍ତାନ୍ତର) ବିରୁଦ୍ଧରେ ହାଇକୋର୍ଟରେ ଅପିଲ କରି ସ୍ଥଗିତାଦେଶ ଆଣିବାକୁ ସକ୍ଷମ ହୋଇଛି। ରାଜ୍ୟ ସରକାରଙ୍କ ସଠିକ୍ ନିର୍ଦ୍ଦେଶନାମା ସତ୍ୱେ ଜିଲା ପ୍ରଶାସନ ବେପରୁଆ ମନୋଭାବ ଯୋଗୁଁ ବହୁ ପୁରାତନ ଷ୍ଟାଡିୟମ୍ ଜିଲାସ୍କୁଲ ନିଜର ମାଲିକାନା ଫେରି ପାଇବା ନେଇ ସନ୍ଦେହ ଉପୁଜିଛି। ଭଦ୍ରକ ଜିଲା ହାଇସ୍କୁଲର ଏହି ଖେଳ ପଡିଆଟି (ନେହେରୁ ଷ୍ଟାଡିୟମ୍) ଗତ ୨୦୦୧ ମସିହା ଜୁନ୍ ମାସ ୨୭ ତାରିଖରେ ପ୍ରଧାନ ଶିକ୍ଷକ ଓ ଅଲମ୍ପିକ୍ ଆସୋସିଏସନ୍ ମଧ୍ୟରେ ଏକ ଲିଜ୍ ସୂତ୍ରରେ ଡିଲ୍ ହୋଇଥିଲା। ସେହି ଦିନଠାରୁ ଏହି ଷ୍ଟାଡିୟମ୍ଟି ଗତ କିଛିଦିନ ଧରି କ୍ରୀଡାର ବିକାଶ ପରିବର୍ତ୍ତେ ଏକ ରୋଜଗାରକ୍ଷମ ଅନୁଷ୍ଠାରେ ପରିଣତ ହୋଇଛି। ଖେଳକୁଦ ହେବା ଦୂରର କଥା ବର୍ଷ ତମାମ ଭଡାସୂତ୍ରରେ ଅନ୍ୟାନ୍ୟ ଅଣ କ୍ରୀଡା କାର୍ଯ୍ୟକ୍ରମ ଜାରି ରହିଛି। ଏପରିକି ପ୍ରଶାସନର କୌଣସି ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିଲେ ଅଲମ୍ପିକ୍ ଆସୋସିଏସନ୍ର ଅନୁମତି ଆଣିବାକୁ ପଡୁଛି। ଅନ୍ୟପକ୍ଷରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଷ୍ଟାଡିମ୍ଟିର ଖେଳ ପଡିଆଟି ତାର ମର୍ଯ୍ୟାଦା ହରାଇ ବସିଛି। ବିଶେଷକରି ବର୍ଷା ଋତୁରେ ଏହି ଖେଳ ପଡିଆଟି ଜଳାର୍ଣ୍ଣବ ହୋଇପଡୁଛି। ଗତ କିଛିବର୍ଷ ଧରି ପୂର୍ବ ପରମ୍ପରା ଅନୁଯାୟୀ ଏଠାରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହୋଇପାରୁନାହିଁ। ଏ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି। ଷ୍ଟାଡିୟମ୍ଟିର ଏଭଳି ଦୂରାବସ୍ଥା ଓ ଜନ ଅସନ୍ତୋଷକୁ ନେଇ ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଓ ଧାମନଗର ବିଧାୟକ ମୁକ୍ତି ମଣ୍ଡଳ ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଷ୍ଟାଡିୟମ୍ଟିକୁ ପ୍ରଶାସନ ନିୟନ୍ତ୍ରଣରେ ରଖିବା ପାଇଁ ଦାବି କରିଥିଲେ। ଏହା ବ୍ୟତୀତ ତତ୍କାଳୀନ ଜିଲ୍ଲାପାଳ ଲକ୍ଷ୍ମୀନାରାୟଣ ମିଶ୍ର ଗତ ୨୦୧୬ ମସିହା ଫେବୃୟାରୀ ୨୭ ରିଖରେ ଚିଠି ନଂ ୫୨୩୧ ରେ ଷ୍ଟାଡିୟମ୍ର ମାଲିକାନା ଶିକ୍ଷା ବିଭାଗକୁ (ଜିଲା ସ୍କୁଲ) ହସ୍ତାନ୍ତର ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟ ଗଣଶିକ୍ଷା ବିଭାଗ ଗତ ୨୦୧୭ ମସିହା ମାର୍ଚ୍ଚ ୩୧ ତାରିଖରେ ଚିଠି ନଂ ୨୭୬୨ ରେ ଷ୍ଟାଡିୟମ୍ଟିର ଲିଜ୍ ମାମଲା ଜିଲାସ୍କୁଲ ପ୍ରଧାନ ଶିକ୍ଷକ ଓ ଜିଲା ଅଲମ୍ପିକ୍ ଆସୋସିଏସନ୍ ମଧ୍ୟରେ ହୋଇଥିବା ଲିଜ୍ ଏଗି୍ରମେଣ୍ଟ ବାତିଲ କରି ଜିଲା ସ୍କୁଲକୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷେ ଶିକ୍ଷା ବିଭାଗର ଏହି ନିର୍ଦ୍ଦେଶନାମା (ଚିଠି ନଂ ୨୭୬୨/୩୧.୩) ଟି ଜିଲା ଶିକ୍ଷାଧିକାରୀ ଜିଲାସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ତତ୍କ୍ଷଣାତ୍ ପଠାଇଥିଲେ। ପ୍ରଧାନ ଶିକ୍ଷକ ୨୦୧୭ ମସିହା ଏପ୍ରିଲ ୧ ତାରିଖ ଚିଠି ନଂ ୧୪୯ ରେ ଏନେଇ ଜିଲାପାଳଙ୍କୁ ଜଣାଇଥିଲେ। ଏହାର କପି ମଧ୍ୟ ଚିଠି ନଂ ୧୫୦ ରେ ଡାିରେକ୍ଟର ଅଫ୍ ସେକେଣ୍ଡାରୀ ଏଜୁକେଶନ ଓ ଚିଠି ନଂ ୧୫୧ ରେ ଅତିରିକ୍ତ ସଚିବ ଶିକ୍ଷା ବିଭାଗକୁ ଜଣାଇଥିଲେ। ଏହା ବ୍ୟତୀତ ଜିଲା ଅଲମ୍ପିକ ଆସୋସିଏସନ୍କୁ ମଧ୍ୟ ଜଣାଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ଜିଲା କ୍ରୀଡା ଅଧିକାରୀଙ୍କୁ ମଧ୍ୟ ଶିକ୍ଷା ବିଭାଗର ଏହି ନିର୍ଦ୍ଦେଶନାମା ପଠାଯାଇଥିଲା। ଶିକ୍ଷା ବିଭାଗର ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବା ତ ଦୂରର କଥା, ପ୍ରଶାସନର ଫାଇଲ୍ରେ ଏହା ହଜିଯାଇଛି। ଜିଲାପାଳ ଏ ନେଇ ଗଭୀର ଉଦ୍ବେଗ ପ୍ରକାଶ କରି ଖୋଳତାଡ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଜିଲା ଅଲମ୍ପିକ୍ ଆସୋସିଏସନ୍ ପକ୍ଷରୁ ୭ ଜଣଙ୍କୁ ପକ୍ଷ କରାଇ ହାଇକୋର୍ଟରେ ଉକ୍ତ ନିର୍ଦ୍ଦେଶନାମା ବିରୁଦ୍ଧରେ ଗତ ୨୦୧୭ ମସିହା ମେ ମାସ ୧ ତାରିଖରେ ଆବେଦନ କରି (ଡବ୍ଳୁ୍ୟପିସି ନଂ ୬୫୬୦) ରେ ସ୍ଥଗିତାଦେଶ ଜାରି ରଖିଛନ୍ତି। ଏଭଳି ବିବାଦୀୟ ସ୍ଥିତିରେ ନେହେରୁ ଷ୍ଟାଡିୟମ୍ ପରିଚାଳନା ଦାୟିତ୍ୱ କାହାର ତାକୁ ନେଇ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *