ନେସ୍କୋ ଦ୍ୱରା ସମୟ ପୂର୍ବରୁ ମିଳୁଛି ବିଲ, ସୋର ଡିଭିଜନ ଅଧିନ ବାହାନଗା ସବଡିଭିଜନରେ ଘଟିଛି ଏଭଳି ଘଟଣା

ବାହାନଗା, ବାଲେଶ୍ୱର, ୨୧/୦୬(ଓଡ଼ିଆ ପୁଅ/ଭାରତୀ ଦାସ)- ପ୍ରଚଣ୍ଡ ଗ୍ରୀଷ୍ମ ସହ ଅସହ୍ୟ ଗୁଳୁଗୁଳିରେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ କିଛି ଦିନ ଧରି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଦିନ ଓ ରାତିରେ ଲୋକେ ଲୋ ଭୋଲଟେଜ ସମସ୍ୟାରେ ଖୁନ୍ଦି ହୋଇଥିଲେ। ତେବେ ନେସ୍କୋ ର ମନମାନି ଯୋଗୁଁ ନିର୍ଦ୍ଧାରିତ ତାରିଖ ପୁର୍ବରୁ ଗ୍ରାହକଙ୍କୁ ବିଦ୍ୟୁତ ବିଲ ପ୍ରଦାନ କରାଯାଇଥିବାର ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳର ଉପଭୋକ୍ତା କେବଳ ବିଲ ଦେଉଥିବା ବେଳେ ଏଭଳି ଗୁରୁତର ତୃଟି ଅଧିକାଂଶ ସମୟରେ ଲୋକ ଲୋଚନକୁ ଆସିପାରୁ ନଥିବାର ଜଣାପଡ଼ିଛି। ଘଟଣା କ୍ରମରେ ବାଲେଶ୍ୱର ଜିଲ୍ଲା ସୋର ଡିଭିଜନ ଅଧିନ ବାହାନଗା ସବଡିଭିଜନର ଗୋପାଳପୁର ସେକ୍ସନରେ ଏଭଳି ତ୍ରୁଟି ଦେଖାଦେଇଛି। ଏପରିକି ଉକ୍ତ ବିଲ କାଗଜଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାର ଜଣାପଡ଼ିଛି। ଗୋପାଳପୁର ସେକ୍ସନର ଆରୁହାବାଡ଼ ଗ୍ରାମର ସନାତନ ସେଠୀ ନାମକ ଜଣେ ଉପଭୋକ୍ତାଙ୍କ ଚଳିତ ମାସର ବିଲ କାଗଜ ନିର୍ଦ୍ଧାରିତ ପ୍ରିଣ୍ଟ ତାରିଖର ୩ଦିନ ପୂବର୍ରୁ ଉପଭୋକ୍ତାଙ୍କୁ ଦିଆଯାଇଛି। ବିଲରେ ପ୍ରିଣ୍ଟ ତାରିଖ ୨୩/୦୬/୧୮ ଥିବା ବେଳେ ପ୍ରିଣ୍ଟ ସମୟ ୧୦.୩୬ମି.୩୪ସେକେଣ୍ଡ ରହିଛି। ତେବେ ଏଭଳି ଗୁରୁତର ତୃଟି କିଭଳି ହେଉଛି ତାହାତଦନ୍ତ ସାପେକ୍ଷ ବୋଲି କିଛି ସଚେତନ ଉପଭୋକ୍ତା ନାମ ପ୍ରକାଶ ନ କରି କହିଛନ୍ତି। ସୂଚନା ଅନୁସାରେ ସୋର ଡିଭିଜନ ଅଧିନରେ ୭୫ହଜାର ଗ୍ରାହକଙ୍କ ନିମନ୍ତେ ଫେମସ ସିକ୍ୟୁରିଟ ସର୍ଭିସ ନାମକ ସଂସ୍ଥା ୭୦ଜଣ ପିଲାଙ୍କୁ ନିଯୁକ୍ତି ଦେଇଛି।ନେସ୍କୋ ବର୍ତ୍ତମାନ ମୋବାଇଲ ଆପ ଜରୀଆରେ ଅନଲାଇନରେ ବିଲ ପ୍ରଦାନ କରୁଛି। ସେହି ଅନୁସାରେ ବିଲ ଯେଉଁ ତାରିଖରେ ରିଡିଙ୍ଗ ହେବ ସେହି ତାରିଖରେ ବିଲ ବାହାରିବ। ତେବେ ୨୦ତାରିଖରେ ୨୩ତାରିଖର ବିଲ କିଭଳି ବାହାରିଲା ତାହା ନେଇ ଉପଭୋକ୍ତାଙ୍କ ମଧ୍ୟରେ ନେସ୍କୋର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମିଟର ରିଡର କିଭଳି ଅନଲାଇନ ବିଲକୁ ଟେମ୍ପରିଂ କରୁଛନ୍ତି ତାହା ମଧ୍ୟ ସନ୍ଦେହଜନକ। ଏପରିକି ପୂର୍ବରୁ ନେସ୍କୋ ମିଟର ରିଡରଙ୍କ ଜରୀଆରେ ଗ୍ରାହକଙ୍କୁ ଶୋଷଣ କରୁଥିବାର ଆଗରୁ ମିଡ଼ିଆରେ ପ୍ରକାଶ ପାଇଛି।। ମିଟର ରିଡିଂ କରୁଥିବା କିଛି ଅସ୍ଥାୟୀ କର୍ମଚାରୀଙ୍କ ସୂଚନା ଅନୁସାରେ ନେସ୍କୋ ମିଟର ରିଡରଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଆଳଦେଖାଇ ଶୋଷଣ କରୁଛି। ଉକ୍ତ ଶୋଷଣ ବିରୋଧରେ ମୁହଁ ଖୋଲୁଥିବା କିଛି କର୍ମଚାରୀଙ୍କୁ ନେସ୍କୋ ମିଟର ରିଡିଂ ଏଜେନ୍ସି ଉପରେ ଚାପ ପକାଇ ଛଟେଇ କରୁଛି। ସେମାନଙ୍କ ସ୍ଥାନରେ ଅଳ୍ପବେତନରେ ଅଣତାଲିମ ପ୍ରାପ୍ତ କର୍ମଚାରୀଙ୍କ ଜରୀଆରେ କାମ ହାସଲ କରୁଛି। ଭାଇରାଲ ହୋଇଥିବା ବିଲ କାଗଜଟି ମଧ୍ୟ ୨ମାସକୁ ଥରେ ପ୍ରଦାନ କରାଯାଇଛି। ଯାହା ସିଧାସଳଖ ଅତିରିକ୍ତ ଶୁଳ୍କ ଉପଭୋକ୍ତାଙ୍କ ଉପରେ ପଡ଼ୁଛି। ତେବେ ଉକ୍ତ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିହାତି ହେବା ଆବଶ୍ୟକ ହେବ ବୋଲି ସାଧାରଣରେ ଦାବି ଉଠିଛି।

Leave a Reply

Your email address will not be published. Required fields are marked *