ଜିଲ୍ଲା ପରିକ୍ରମା

ନେସ୍କୋର ଅବହେଳା ପଦାକୁ ଆସିଲା ବିଦ୍ୟୁତ୍ ଆଘାତରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ

ଭଦ୍ରକ, ୨୬ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ଏକ ମାମଲାର ବିଚାର କରି ଜାତୀୟ ମାନବାଧିକାର ଆୟୋଗ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାନବାଧିକାର କର୍ମୀ ତଥା ଉଚ୍ଚତମ ନ୍ୟାୟାଳୟର ଅଧିବକ୍ତା ରାଧାକାନ୍ତ ତ୍ରିପାଠୀଙ୍କ ଏକ ପିଟିସନର ବିଚାର କରି ଆସନ୍ତା ୬ସପ୍ତାହ ମଧ୍ୟରେ ଏହି କ୍ଷତିପୂରଣ ରାଶୀ ପ୍ରଦାନ କରିବାକୁ ମାନ୍ୟବର ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ତଥ୍ୟ ଅନୁଯାୟୀ ୨୦୧୬ ମସିହା ସେପ୍ଟମ୍ବର ୧୬ତାରିଖ ଏହି ଜିଲ୍ଲା ବାଂଶଡ଼ା ଥାନା ଅଧିନସ୍ଥ ବଡ଼ରୂପା ଗ୍ରାମର ବ୍ରଜ କିଶୋର ସାହୁ (୬୦) ବିଲକୁ ଯାଇଥିବା ସମୟରେ ବିପଦଜନକ ଅବସ୍ଥାରେ ଓହଳି ରହିଥିବା ୧୧କେଭି ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ଏହି ମାମଲାରେ ବାଂଶଡ଼ା ପୁଲିସ ୧୮୪/୧୮.୯.୧୬ କେସ ନମ୍ବର ମୂଳେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ଶକ୍ତି ବିଭାଗର ଅତିରିକ୍ତ ସଚିବ ଏକ ତଦନ୍ତ ରିପୋର୍ଟ ଆୟୋଗଙ୍କ ଠାରେ ଦାଖଲ କରିଥିଲେ। ଏହି ରିପୋର୍ଟ ଅନୁଯାୟୀ ଦୀର୍ଘ ୧ବର୍ଷ ଧରି ଏହି ତାର ବିପଦଜନକ ଭାବରେ ଧାନ ବିଲରେ ମାତ୍ର ୨ମିଟର ଉଚ୍ଚତାରେ ଓହଳି ରହିଥିବାର ଅଭିଯୋଗ ଗ୍ରାମବାସୀ କରିଆସୁଥିଲେ ମଧ୍ୟ ନେସ୍କୋ କର୍ତ୍ତୃପକ୍ଷ ଏଥିପ୍ରତି ଆଦୌ ଧ୍ୟାନ ଦେଇ ନଥିବା ସ୍ପଷ୍ଟ କରିଥିଲେ। ଅଧିବକ୍ତା ଶ୍ରୀ ତ୍ରିପାଠୀଙ୍କ ଯୁକ୍ତି ଆଧାରରେ ମାନ୍ୟବର ଅୟୋଗ ଏହି ଘଟଣା ମାନବାଧିକାର ଉଲଂଘନ କରୁଥିବାରୁ କାହିଁକି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା କ୍ଷତିପୂରଣ ରାଶୀ ପ୍ରଦାନ କରାନଯିବ ସେଥି ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କୈଫିୟତ ତଲବ କରିଥିଲେ। ଏହି ମର୍ମରେ ନେସ୍କୋର ନିର୍ବାହୀ ଯନ୍ତ୍ରୀ ୨୦୧୭ ମସିହା ନଭେମ୍ବର ୧୮ତାରିଖ ନିଜର ଉତ୍ତର ପଠାଇଥିଲେ। ନିର୍ବାହୀ ଯନ୍ତ୍ରୀ ନିଜ ପତ୍ରରେ ଦର୍ଶାଇଥିଲେ ଯେ ଦୁର୍ଘଟଣା ସମୟରେ କରଣପୋଖରୀ ଫିଡ଼ର ଅଧିନରେ ଥିବା ୧୧କେଭି ତାରରେ ବିଦ୍ୟୁତ ସଂଯୋଗ ନଥିଲା। ସମ୍ଭବତଃ ଶ୍ରୀ ସାହୁଙ୍କ ମୃତ୍ୟୁ ବଜ୍ରାଘାତ ଜନୀତ ହୋଇ ପାରିଥାଏ। କିନ୍ତୁ ମାନ୍ୟବର ଆୟୋଗ ଏହି ଯୁକ୍ତିକୁ ଗ୍ରହଣ ନକରି ମୃତକଙ୍କ ପରିବାରର ନିକଟତମ ସମ୍ପର୍କୀୟଙ୍କୁ ୨ଳକ୍ଷ ଟଙ୍କାର କ୍ଷତିପୂରଣ ରାଶୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top