ଆନ୍ତର୍ଜାତୀୟ

ନେପାଳ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗସ୍ତ ଅବସରରେ ଭାରତ-ନେପାଳ ମିଳିତ ବିବୃତି

ନୂଆ ଦିଲ୍ଲୀ ୭-୪ (ଓଡ଼ିଆ ପୁଅ) ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ନେପାଳ ପ୍ରଧାନମନ୍ତ୍ରୀ ସମ୍ମାନନୀୟ କେ.ପି ଶର୍ମା ଓଲି ଏପ୍ରିଲ ୬-୮, ୨୦୧୮ରେ ଭାରତକୁ ସରକାରୀ ଗସ୍ତରେ ଆସିଛନ୍ତି।

ଏପ୍ରିଲ ୭, ୨୦୧୮ରେ ଦୁଇ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବହୁପକ୍ଷୀୟ ସମ୍ପର୍କର ବ୍ୟାପକ ଦିଗ ଉପରେ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ। ଦୁଇ ସରକାର, ଘରୋଇ କ୍ଷେତ୍ର ଏବଂ ନାଗରିକ ସ୍ତରରେ ବୃଦ୍ଧି ପାଉଥିବା ଭାଗୀଦାରୀକୁ ସେମାନେ ସ୍ୱାଗତ କରିଥିଲେ। ସମାନତା, ପାରସ୍ପରିକ ବିଶ୍ୱାସ, ସମ୍ମାନ ଏବଂ ଲାଭ ଆଧାରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂତନ ଉଚ୍ଚତାକୁ ନେଇ ଯିବା ଲାଗି ଦୁଇ ପ୍ରଧାନମନ୍ତ୍ରୀ ସଂକଳ୍ପବଦ୍ଧ ହୋଇଥିଲେ।

ଭାରତ ଏବଂ ନେପାଳ ସମ୍ପର୍କ ଐତିହାସିକ ଭାଗିଦାରୀ ଏବଂ ସାଂସ୍କୃତିକ ସମ୍ପର୍କ ତଥା ନାଗରିକଙ୍କ ଠାରୁ ନାଗରିକଙ୍କ ପର୍ଯ୍ୟନ୍ତ ନିବିଡ଼ ସମ୍ପର୍କର ଦୃଢ଼ ମୂଳଦୂଆ ଉପରେ ଛିଡ଼ା ହୋଇଥିବା ସ୍ମରଣ କରି ଉଭୟ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସକାଶେ ଉଚ୍ଚସ୍ତରୀୟ ରାଜନୈତିକ ବିନିମୟ ଉପରେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ଓଲି କହିଥିଲେ ଯେ ଭାରତ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସକାଶେ ଚଳିତ ସରକାର ଅଧିକ ଗୁରୁତ୍ୱାରୋପ କରୁଛନ୍ତି। ପ୍ରଧାନମନ୍ତ୍ରୀ ଓଲି ଦ୍ୱିପାକ୍ଷିକ ସମ୍ପର୍କକୁ ଏପରି ଏକ ମାର୍ଗରେ ନେଇଯିବା ଲାଗି ନେପାଳ ସରକାରଙ୍କ ଇଚ୍ଛାକୁ ବ୍ୟକ୍ତ କରିଥିଲେ ଯେଉଁମାର୍ଗରେ ଯାଇ ଅର୍ଥନୈତିକ ରୂପାନ୍ତରଣ ତଥା ବିକାଶ ଲାଗି ଭାରତର ପ୍ରଗତି ଏବଂ ସମୃଦ୍ଧିରୁ ଲାଭ ମିଳିପାରିବ। ନେପାଳ ସରକାରଙ୍କ ପ୍ରାଥମିକତା ଅନୁଯାୟୀ ନେପାଳ ସହିତ ଭାଗୀଦାରୀକୁ ସୁଦୃଢ଼ କରିବା ନିମନ୍ତେ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଓଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଆଶ୍ୱାସନା ଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତ ସରକାରଙ୍କ ସଂକଳ୍ପ ହେଉଛି ‘ସବକା ସାଥ ସବକା ବିକାଶ’। ଏହାର ମାର୍ଗଦର୍ଶନରେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର ସାମଗ୍ରୀକ ବିକାଶ ଏବଂ ସମୃଦ୍ଧି ଲାଗି ଭାରତ ସହଭାଗୀତାପୂର୍ଣ୍ଣ ସମ୍ପର୍କକୁ ଆଗେଇନେବାକୁ ଚାହୁଁଛି। ପ୍ରଧାନମନ୍ତ୍ରୀ ଓଲି କହିଥିଲେ ଯେ ଐତିହାସିକ ରାଜନୈତିକ ପରିବର୍ତ୍ତନ ପରେ ତାଙ୍କ ସରକାର ‘ସମୃଦ୍ଧ ନେପାଳ, ସୁଖୀ ନେପାଳ’ ଲକ୍ଷ୍ୟ ନେଇ ଅର୍ଥନୈତିକ ରୂପାନ୍ତରଣ ଉପରେ ଗୁରୁତ୍ୱାରୋପ କରୁଛି। ନେପାଳରେ ପ୍ରଥମ ଥର ପାଇଁ ସ୍ଥାନୀୟ, ସଂଘୀୟ ସଂସଦ ଏବଂ ପ୍ରାଦେଶିକ ନିର୍ବାଚନ ସଫଳତାପୂର୍ବକ ସମ୍ପାଦନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ନେପାଳ ସରକାର ଏବଂ ନେପାଳର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଥିସହିତ ସ୍ଥିରତା ଏବଂ ବିକାଶ ଲାଗି ସେମାନଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ।

ନେପାଳନର ବୀରଗଞ୍ଜରେ ସମନ୍ୱିତ ଚେକ ପୋଷ୍ଟକୁ ଉଭୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ। ସେମାନେ ଆଶାବ୍ୟକ୍ତ କରିଥିଲେ ଯେ ଏହି ଚେକପୋଷ୍ଟ ଆଗୁଆ କାର୍ଯ୍ୟକ୍ଷମ ହେବା ଫଳରେ ସୀମାପାର ବାଣିଜ୍ୟ ଏବଂ ସାମଗ୍ରୀର ପରିବହନ ବୃଦ୍ଧି ପାଇବ। ଜନସାଧାରଣଙ୍କ ଯାତାୟାତ ବୃଦ୍ଧି ପାଇବା ଫଳରେ ଭାଗୀଦାରୀଭିତିକ ଅଭିବୃଦ୍ଧି ଏବଂ ବିକାଶ ଲାଗି ଅଧିକ ସୁଯୋଗ ସୃଷ୍ଟି ହେବ।

ଭାରତର ମୋତିହାରୀ ଠାରେ ମୋତିହାରୀ-ଆମଲେଖଗଞ୍ଜ ସୀମାପାର ପେଟ୍ରୋଲିୟମ ଉତ୍ପାଦ ପାଇପ ଲାଇନର ଶୁଭାରମ୍ଭ ଅବସରରେ ଉଭୟ ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ।

ଦୁଇ ପ୍ରଧାନମନ୍ତ୍ରୀ ନେପାଳରେ ଚାଲିଥିବା ଦ୍ୱିପାକ୍ଷିକ ପ୍ରକଳ୍ପର ତ୍ୱରିତ କାର୍ଯ୍ୟକାରୀତା ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗୀ ଆଭିମୁଖ୍ୟକୁ ପ୍ରୋତ୍ସାହନ ଦେବା ଲାଗି ବର୍ତମାନର ଦ୍ୱିପାକ୍ଷିକ ସମ୍ପର୍କକୁ ପୁନର୍ଜିବିତ କରିବା ଉପରେ ରେଖାପାତ କରିଥିଲେ।

ଆପୋସ ସ୍ୱାର୍ଥ ସହଜ ଜଡ଼ିତ ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭିନ୍ନ ଭିନ୍ନ ଯୁଗ୍ମ ବିବୃତି ଜାରି କରାଯାଇଥିଲା। (ଯାହାର ଲିଙ୍କ ନିମ୍ନରେ ଦିଆଗଲା)

-ଭାରତ-ନେପାଳ : କୃଷି କ୍ଷେତ୍ରରେ ନୂଆ ଭାଗୀଦାରୀ

-ରେଳ ଯୋଗାଯୋଗର ସମ୍ପ୍ରସାରଣ : ଭାରତର ରକ୍ସଲରୁ ନେପାଳର କାଠମାଣ୍ଡକୁ ଯୋଗାଯୋଗ

-ଆଭ୍ୟନ୍ତରୀଣ ଜଳମାର୍ଗ ଜରିଆରେ ଭାରତ ଏବଂ ନେପାଳ ମଧ୍ୟରେ ଯୋଗଯୋଗ

ଦୁଇ ପ୍ରଧାନମନ୍ତ୍ରୀ ସହମତ ହୋଇଥିଲେ ଯେ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବହୁପକ୍ଷୀୟ ସମ୍ପର୍କକୁ ଏକ ନୂତନ ସୋପାନକୁ ନେଇଯାଇଛି।

ତାଙ୍କୁ ଏବଂ ତାଙ୍କ ସହିତ ଆସିଥିବା ପ୍ରତିନିଧି ଦଳକୁ ନିମନ୍ତ୍ରଣ ଜଣାଇବା ଓ ଉଦାର ଆତିଥେୟତା ପ୍ରଦାନ କରିବା ଲାଗି ନେପାଳ ପ୍ରଧାନମନ୍ତ୍ରୀ ଓଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଯଥାଶୀଘ୍ର ନେପାଳ ଗସ୍ତ କରିବା ଲାଗି ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏହି ନିମନ୍ତ୍ରଣକୁ ସ୍ୱୀକାର କରିଥିଲେ; ଗସ୍ତର ତାରିଖ କୂଟନୈତିକ ସ୍ତରରେ ଚୂଡ଼ାନ୍ତ କରାଯିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top