ଅନୁଗୁଳ

ନୂତନ ହିଙ୍ଗୁଳା ମନ୍ଦିର ନିର୍ମାଣାର୍ଥେ ଅର୍ଥ ସଂଗ୍ରହ ପାଇଁ ଅଭିନବ ପ୍ରୟାସ ସ୍ୱତନ୍ତ୍ର ଯାନରେ ସମସ୍ତ ଗ୍ରାମ ପରିକ୍ରମା କରିବ ମା’ଙ୍କ ଜ୍ୟୋତି

ତାଳଚେର, ୧୭/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମା ହିଙ୍ଗୁଳାଙ୍କ ପରିକଳ୍ପିତ ନୂତନ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ତାଳଚେର ଉପ-ଜିଲ୍ଲାପାଳ ତଥା ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ପରେଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସମେତ ସମସ୍ତ ଟ୍ରଷ୍ଟ ବୋର୍ଡ ସଦସ୍ୟ ଯୋଗ ଦେଇ ମା’ଙ୍କ ମନ୍ଦିର ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିବା ଏମ୍.ସି.ଏଲ୍.ର ସମସ୍ତ କର୍ମଚାରୀ, ଶ୍ରମିକ ସଙ୍ଗଠନ ଓ ଟ୍ରକ ସଂସ୍ଥାମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ଏଥିସହିତ ଅନ୍ୟାନ୍ୟ ରାଷ୍ଟ୍ରାୟତ ଉଦ୍ୟୋଗ ଓ ଶ୍ରମିକ ସଙ୍ଗଠନମାନେ ମା ଙ୍କ ମନ୍ଦିର ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିବା ପାଇଁ ଉପସ୍ଥିତ ଟ୍ରଷ୍ଟ ସଦସ୍ୟମାନେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ନାୟକଙ୍କୁ ଅନୁରୋଧ କରିଥିଲେ। ମା ହିଙ୍ଗୁଳାଙ୍କ ଜ୍ୟୋତି ଓ ପ୍ରତିମୂର୍ତି ଥିବା ଏକ ସ୍ୱତନ୍ତ୍ର ଯାନରେ ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟ ତାଳଚେର ଉପଖଣ୍ଡର ସମସ୍ତ ଗ୍ରାମରେ ପରିକ୍ରମା କରି ମନ୍ଦିର ନିର୍ମାଣ ପାଇଁ ଅର୍ଥ ସଂଗ୍ରହ କରିବାସହ ମା ହିଙ୍ଗୁଳାଙ୍କ ଅଲୌକିକ ମହିମା ପ୍ରଚାର ଓ ପ୍ରସାର କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତି ହୋଇଥିଲା। ପ୍ରତି ପଂଚାୟତର ସରପଂଚ, ସମିତି ସଭ୍ୟ, ପ୍ରତ୍ୟେକ ଗ୍ରାମର ସଭାପତି, ସମ୍ପାଦକ ଓ ଭକ୍ତମାନଙ୍କୁ ଏହି ମହତ୍ କାର୍ଯ୍ୟରେ ସହଯୋଗ କରିବା ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆନ୍ତରିକ ଅନୁରୋଧ କରାଯାଇଥିଲା। ଏଥିସହିତ ହିଙ୍ଗୁଳା ପୀଠରେ ୪୦ଟି ସୌରଚାଳିତ ଆଲୋକ ବ୍ୟବସ୍ଥା, ୧୦ଟି ପରିଶ୍ରାଗାର ଓ ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଭାରତୀୟ ତୈଳ ନିଗମ(ଆଇ.ଓ.ସି.ଏଲ୍)କୁ ଅନୁରୋଧ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା। ମା’ଙ୍କର ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟରେ ଅକୁଣ୍ଠ ଚିତରେ ସହଯୋଗ କରି ଆସୁଥିବା ଦାମୋଦର ପଟ୍ଟନାୟକଙ୍କୁ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସାଧୁବାଦ ବ୍ୟକ୍ତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ହେମନ୍ତ କୁମାର ପଣ୍ଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିତ୍ୟାନନ୍ଦ ସାହୁ, ତହସିଲଦାର ସାଫଲ୍ୟ ମଣ୍ଡିତ ପ୍ରଧାନ, ଟ୍ରଷ୍ଟ ବୋର୍ଡ ସଦସ୍ୟ ଜଗନ୍ ମୋହନ ଗଡନାୟକ, ମୂରଲୀଧର ସାହୁ, ରାଜେନ୍ଦ୍ର ସିଂହ, ସଞ୍ଜୟ ସାହୁ, ଗଗନ ବିହାରୀ ସାହୁ, ସନ୍ତୋଷ କୁମାର ପ୍ରଧାନ, ଅରୁଣ କୁମାର ପ୍ରଧାନ, ଗୋବର୍ଦ୍ଧନ ସାହୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ବାବାଜୀ ଦାସ, ସନ୍ତୋଷ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top