ନୂତନ ବ୍ରାହ୍ମଣୀ ସେତୁକୁ ଜର୍ଜଙ୍କ ବିରୋଧ

ରାଉରକେଲା ୨-୧୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ସୁନ୍ଦରଗଡ ଜିଲ୍ଲାରେ ବହ ପ୍ରତିକ୍ଷିତ ବୀରମିତ୍ରପୁର- ବାରକୋଟ ଜାତୀୟ ରାଜପଥ ଓ ଏହା ଅନ୍ତର୍ଗତ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ପାଇଁ ରାଉରକେଲା ବିଧାୟକ ଦିଲୀପ ରାୟ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରିଙ୍କୁ ବାରମ୍ବାର ଚିଠି ଲେଖି ଚାଲିଛନ୍ତି। ଠିକ ଏତିକି ବେଳେ ପରିବର୍ତିତ ନକ୍ସା ଅନ୍ତର୍ଗତ ବାଏପାସ ରାସ୍ତା ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣକୁ ବିରୋଧ କରି ରଣହୁଙ୍କାର ଦେଇଛନ୍ତି ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ। ସେ କହିଛନ୍ତି ଯେ, ପରିବର୍ତିତ ଗତିପଥ ଅନୁଯାୟୀ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ବେଳେ ଆଦିବାସୀ ମାନେ ତ୍ରୀବ ବିରୋଧ କରିବେ। ଏହି ଦାବିରେ ରକ୍ତାକ୍ତ ସଂଘର୍ଷ ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି। ଶ୍ରୀ ତିର୍କିୀ କହିଛନ୍ତି, ବୀରମିତ୍ରପୁର ବାରକୋଟ ରାଜପଥ ଓ ଏହା ଅନ୍ତର୍ଗତ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ ୨୦୧୪ ପୂର୍ବରୁ ଗତିପଥର ନକ୍ସା ପ୍ରସ୍ତୁତ ହୋଇଥିଲା। ତଦନନୁଯାୟୀ, ଦ୍ୱିତୀୟ ୪ ଲେନ ରାଜପଥ ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ୧୪୩ ନମ୍ବର ଜାତୀୟ ରାଜପଥ କଡରେ ବେଦବ୍ୟାସ ଠାରୁ ପାନପୋଷ ପର୍ଯ୍ୟନ୍ତ ପୁରୁଣା ରାସ୍ତାର ଉଭୟ ପାଶ୍ୱର୍ରୁ ଜମି ଅଧିଗ୍ରହଣ କରାଯାଇଥିଲା। ୨୦୧୫ରେ ଅଧିକାଂଶ ଜମି ମାଲିକ ମଧ୍ୟ ସେ ବାବଦରେ କ୍ଷତିପୂରଣ ପାଇଛନ୍ତି। ଏହା ସତ୍ୱେ ୨୦୧୬ରେ ଅଚାନକ ପ୍ରସ୍ତାବିତ ରାଜପଥର ନକ୍ସା ପରିବର୍ତ୍ତନ କରାଯାଇଥିଲା। ପ୍ରଭାବଶାଳୀ ନେତାଙ୍କ ସମ୍ପର୍କୀୟଙ୍କ ଜମି, ବିଲଡରଙ୍କ ଆପାର୍ଟମେଂଟକୁ ସୁରକ୍ଷା ଦେବା ପାଇଁ ଆଦିବାସୀଙ୍କ ଜମି ଉପରେ ବାଏପାସ ରାସ୍ତା ଓ ପାନପୋଷରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ଷଡଯନ୍ତ୍ର କରାଯାଇଛି। ଦୟାନନ୍ଦନଗର ଦେଇ ବାଏପାସ ରାସ୍ତା ହେଲେ ବହୁ ଆଦିବାସୀ ବିସ୍ଥାପିତ ହେବେ। ତେଣୁ ଏହି ନିଷ୍ପତି ଆଦିବବାସୀଙ୍କ ସ୍ୱାର୍ଥ ବିରୋଧି ହୋଇଥିବାରୁ ଆରମ୍ଭରୁ ବିରୋଧାଭାସ ପ୍ରକାଶ ପାଇଛି। ରାଉରକେଲା ଇସ୍ପାତ କାରଖାନା ନିର୍ମାଣ ସମୟରେ ବହୁ ଆଦିବାସୀ ବଳିଦାନ ଦେଇଛନ୍ତି। ଏଭଳି ଆଦିବାସୀ ମାରଣ ନିତୀକୁ କେବେବି ବରଦାସ୍ତ କରାଯିବ ନାହିଁ ବୋଲି ଜର୍ଜ ଚେତାଇ ଦେଇଛନ୍ତି। ଦରକାର ପଡିଲେ ଏଥିନେଇ ବଡ ଆନ୍ଦୋଳନ କରାଯିବ ବୋଲି ସେ ସୂଚାଇଛନ୍ତି।

Leave a Reply

Your email address will not be published. Required fields are marked *